ଷ୍ଟାର୍‌ ରେଟିଂ ନ ମିଳିଲେ ଅନୁଦାନ ବନ୍ଦ : କେନ୍ଦ୍ରର ଚେତାବନୀ, ଚିନ୍ତାରେ ବିଏମ୍‌ସି

ଷ୍ଟାର୍‌ ରେଟିଂ ନ ମିଳିଲେ ଅନୁଦାନ ବନ୍ଦ

ଭୁବନେଶ୍ବର: ସ୍ବଚ୍ଛ ସର୍ବେକ୍ଷଣକୁ ନେଇ ଏଥର କଠୋର ହୋଇଛନ୍ତି କେନ୍ଦ୍ର ସରକାର। ଏଥର ଥିମ୍‌ ‘ୱେଷ୍ଟ୍‌ ଟୁ ଏନର୍ଜି’ ରହିଥିବା ବେ‌ଳେ ଆଉ ଏକ ମାନଦଣ୍ଡ ‘ଷ୍ଟାର୍‌ ରେଟିଂ ପ୍ରୋଟୋକଲ ଅଫ୍‌ ଗାର୍‌ବେଜ୍‌ ଫ୍ରି ସିଟିଜ୍‌’ ଯୋଡ଼ା ଯାଇଛି। ଅନ୍ୟ ମାନଦଣ୍ଡଗୁଡ଼ିକରେ ଯେତେ ଉପରେ ରହି‌ଲେ ବି ଅତି କମ୍‌ରେ ୩ ଷ୍ଟାର୍‌ ନ ମିଳିଲେ ପରମଳ ବ୍ୟବସ୍ଥାରେ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ମିଳିବ ନାହିଁ ବୋଲି କେନ୍ଦ୍ର ସରକାରେ ସ୍ପଷ୍ଟ କରିଛନ୍ତି। ଏଭଳି ନିର୍ଦ୍ଦେଶ ଆସିବା ପରେ ଏବେ ବିଏମ୍‌ସିର ଚିନ୍ତା ବଢ଼ିଛି। ସ୍ବଚ୍ଛ ସର୍ବେକ୍ଷଣରେ ବିଏମ୍‌ସି ଲଗାତାର ଶହେ ରୢାଙ୍କ୍‌ ତଳେ ରହୁଛି। ଏହା ଅନୁଦାନକୁ ପ୍ରଭାବିତ କରୁ ନଥିବାରୁ ଅଧିକାରୀମାନେ ଏହାକୁ ଗୁରୁତ୍ବର ସହ ନେଉ ନଥିଲେ। କିନ୍ତୁ ଏବେ ଅନୁଦାନ ବନ୍ଦ କରିବା ନେଇ ସିଧାସଳଖ ଚେତାବନୀ ଥିବାରୁ ପରିମଳ ଦାୟିତ୍ବରେ ଥିବା ଅଧିକାରୀଙ୍କ ନିଦ ହଜିଛି। ଅଧିକାରୀଙ୍କ ଅପାରଗତା ଯୋଗୁଁ ଯଦି ଏହି ଅନୁଦାନ ବନ୍ଦ ହୋଇଯାଏ, ତେବେ ରାଜ୍ୟ ସରକାରଙ୍କୁ କି ଉତ୍ତର ଦେବେ, ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ସର୍ବେକ୍ଷଣରେ ଥିବା ବିଭିନ୍ନ ମାନଦଣ୍ଡକୁ ନେଇ ପରୀକ୍ଷାନିରୀକ୍ଷା ଆରମ୍ଭ ହୋଇଛି। କେମିତି ଷ୍ଟାର୍‌ ରେଟିଂ ହାତେଇବେ, ସେ ନେଇ କସରତ ଆରମ୍ଭ ହୋଇଛି।
ଉଲ୍ଲେଖଯୋଗ୍ୟ, ମାନଦଣ୍ଡ ବଢ଼ିବା ସହ ଏଥର ମାର୍କ ବି ବଢ଼ିଛି। ପୂର୍ବରୁ ୬ ହଜାର ମାର୍କ ଥିବା ବେଳେ ଏଥର ୭ ହଜାର ୫ ଶହ ମାର୍କ ରହିଛି। ଷ୍ଟାର୍‌ ରେଟିଂ ପାଇବାକୁ ହେଲେ ବିଭିନ୍ନ ମାନଦଣ୍ଡଗୁଡ଼ିକରେ କ୍ରମାଗତ ଭାବରେ ସଫଳତା ଲାଭ କରିବାକୁ ହେବ। ଏଥର ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ, ପୃଥକୀକରଣ, ବର୍ଜ୍ୟ ପରିଚାଳନା ଓ ଡମ୍ପିଂୟାର୍ଡର ସୁପରିଚାଳନା ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଇଛି। ଏହି ମାନଦଣ୍ଡଗୁଡ଼ିକ ପାଇଁ ୫୦ପ୍ରତିଶତ ମାର୍କ ରଖାଯାଇଛି। ଶତପ୍ରତିଶତ ଆବର୍ଜନା ପରିଚାଳନା ମଧ୍ୟ ବାକି ୫୦ପ୍ରତିଶତ ମାର୍କର ସିଂହଭାଗ ଦଖଲ କରିଛି। ସେହିଭଳି ଦକ୍ଷତା ବିକାଶ, ୱେଷ୍ଟ୍‌ରୁ ପ୍ରସ୍ତୁତ ଉତ୍ପାଦରୁ ରାଜସ୍ବ ଆଦାୟ ପ୍ରଭୃତି ମାନଦଣ୍ଡ ନୂଆ କରି ଯୋଡ଼ା ହୋଇଛି। ଏଥର ଥିବା ଥିମ୍‌ ‘ୱେଷ୍ଟ୍‌ ଟୁ ଏନର୍ଜି’ରେ ବିଏମ୍‌ସି ଫେଲ୍‌ ମାରି ସାରିଛି। କାରଣ ଭୁଆସୁଣି ଡମ୍ପିଂୟାର୍ଡରେ ହେବାକୁ ଥିବା ‘ୱେଷ୍ଟ୍‌ ଟୁ ଏନର୍ଜି’ ବାତିଲ ହୋଇଛି। ଫଳରେ ଏଥିରେ ବିଏମ୍‌ସିକୁ ଶୂନ ମିଳିବା ଥୟ ହୋଇଛି। ଅନ୍ୟପଟେ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରିବାକୁ ବିଏମ୍‌ସି ଗୁରୁତ୍ବ ଦେଇଛି। କିନ୍ତୁ ଘର ଛଡ଼ା ବାହାରେ ବା ରାସ୍ତା କଡ଼ରେ ଗଦା ହେଉଥିବା ଆବର୍ଜନା ପୃଥକୀକରଣ ହୋଇପାରୁନାହିଁ। ଏହାକୁ ସଂଗ୍ରହ କରିବା ପରେ ପୃଥକ୍‌ କରିବା ପାଇଁ ବିଏମ୍‌ସି ଏମ୍‌ଆରଏଫ୍‌(ମ୍ୟାଟେରିଆଲ୍‌ ରିକଭରି ଫାସିଲିଟି) ସେଣ୍ଟର ଖୋଲୁଛି। ପ୍ରଶାନ୍ତିବିହାରରେ ବିଏମ୍‌ସି ନିର୍ମାଣ କରିବାକୁ ଯାଉଥିବା‌ ଏମ୍‌ଆରଏଫ୍‌ କେନ୍ଦ୍ର ନିର୍ମାଣ ଉପରେ ଏନ୍‌ଜିଟି(ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ) ରୋକ୍‌ ଲଗାଇଛନ୍ତି। ଜଙ୍ଗଲ ଜମିରେ ଏହା ବେଆଇନ ଭାବେ ନିର୍ମାଣ ହେଉଥିବା ଅଭିଯୋଗ ଆଧାରରେ ଏନ୍‌ଜିଟି ନିର୍ମାଣ ଉପରେ କାମ ବନ୍ଦ ରହିଛି। ଫଳରେ ଧାର୍ଯ୍ୟ ସମୟରେ କେନ୍ଦ୍ର ନିର୍ମାଣ କରି ଟାର୍ଗେଟ କରାଯାଇଥିବା ଆବର୍ଜନାକୁ ପୃଥକ୍‌ କରିବା ଅସମ୍ଭବ ହୋଇଛି। ଅନ୍ୟପଟେ, ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଏମ୍‌ସି ଏମ୍‌ସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ତିଆରି କରୁଛି। ସହରରୁ ଦୈନିକ ବାହାରୁଥିବା ବର୍ଜ୍ୟ ପରିଚାଳନା ପାଇଁ ଆବଶ୍ୟକ ହେଉଥିବା ୪୧ଏମ୍‌ସିସି ନିର୍ମାଣ କରିବାକୁ ବିଏମ୍‌ସି ଯୋଜନା କରିଛି। ହେଲେ ଅଦ୍ୟାବଧି ମାତ୍ର ୨୩ଟି କାର୍ଯ୍ୟକ୍ଷମ ହୋଇଛି। ଫଳରେ ସହରର ଆବର୍ଜନା ପରିଚାଳନା ହୋଇ ନପାରି ଦିନକୁ ୩୫୦ଟନ୍‌ ଆବର୍ଜନା ଗଦା ହୋଇ ରହୁଛି। ଇଏ ତ ଗଲା ପୃଥକୀକରଣ ଓ ବର୍ଜ୍ୟ ପରିଚାଳନା କଥା। ଗୁରୁତ୍ବ ଦିଆଯାଉଥିବା ମାନଦଣ୍ଡ ମଧ୍ୟରେ ଅନ୍ୟତମ ହେଉଛି ଡମ୍ପିଂୟାର୍ଡର ସୁପରିଚାଳନା। ଦୀର୍ଘ ଦିନ ଧରି ଭୁଆସୁଣି ଡମ୍ପିଂୟାର୍ଡକୁ ନେଇ ବିବା‌ଦ ଲାଗି ରହିଥିଲା। ପ୍ରଥମେ ୱେଷ୍ଟ ଟୁ ଏନର୍ଜି ପ୍ରକଳ୍ପ ହେବାକୁ ଯୋଜନା ହୋଇଥିବା ବେଳେ ପରେ ଏହାକୁ ବାତିଲ କରି ଦିଆଯାଇଥିଲା। ଏବେ ସେଠାରେ ବାୟୋ ମାଇନିଂ ପ୍ରକଳ୍ପ ହେବାକୁ ଯୋଜନା ହୋଇଛି। ହେଲେ ପ୍ରକଳ୍ପ କରିବା ପାଇଁ ଚିହ୍ନଟ ହୋଇଥିବା ଘରୋଇ ସଂସ୍ଥା ସହ ଏଯାବତ୍‌ ଚୁକ୍ତିନାମା ହୋଇ ନାହିଁ। ଏହି ପ୍ରକଳ୍ପ ତିଆରି ପାଇଁ ୨ ବର୍ଷ ଲାଗିବ। ଏ ଯାବତ୍‌ ଚୁକ୍ତିନାମା ହୋଇନଥିବାରୁ ଧାର୍ଯ୍ୟ ସମୟ ମଧ୍ୟରେ ଡମ୍ପିଂୟାର୍ଡ ସୁପରିଚାଳନା ମଧ୍ୟ ଅସମ୍ଭବ। ଏଣୁ ଏଥର କେମିତି ରୢାଙ୍କ୍‌ ପାଇବେ? ଅନୁଦାନ ବନ୍ଦ ହେଲେ ସରକାରଙ୍କୁ କି ଉତ୍ତର ଦେବେ?; ହରଡ଼ଘଣାରେ ପଡ଼ିଛନ୍ତି ଅଧିକାରୀ। ପରିମଳ ଦାୟିତ୍ବରେ ଜଣେ ଡେପୁଟି କମିସନର୍‌ ରହିବା ସହ ଜଣେ ଚିଫ୍‌ ଇଞ୍ଜିନିୟର ଅଛନ୍ତି। ଭଲ ରୢାଙ୍କ୍‌ ପାଇବାକୁ ଏଥର ବି ଉଭୟ ଅଧିକାରୀ ଆଶା ବାନ୍ଧିଛନ୍ତି।

Share Now:

Kalinga News Beuro

Next Post

ଭାରସାମ୍ୟ ହରାଇ ଓଲଟିଲା ସରକାରୀ ବସ୍: ୫ ଯାତ୍ରୀ ଆହତ

Tue Dec 28 , 2021
କୋରାପୁଟ: ଜାତୀୟ ରାଜପଥ-୨୬ର ଉମୁରିଠାରେ ଏକ ସରକାରୀ ବସ୍ ଓଲଟିଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଏକ ସରକାରୀ ବସ୍ ଭାରସାମ୍ୟ ହରାଇ ଜୟପୁର ବ୍ଲକର ଉମୁରିଠାରେ ଓଲଟିଥିଲା। ଏହି ବସଟି ବିଶାଖାପାଟଣାରୁ ନବରଙ୍ଗପୁର ଜିଲ୍ଲାର ଉମରକୋଟକୁ ଆସୁଥିଲା। ଏହି ଅଘଟଣରେ ୫ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଅଛନ୍ତି। ଆହତମାନଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। Share Now:
ଓଲଟିଲା ସରକାରୀ ବସ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial