ରହସ୍ୟ ଘେରରେ ଶିଶୁପାଳଗଡ଼ ସୀମା ନିର୍ଦ୍ଧାରଣ : ୨ ବର୍ଷ ପରେ ବି କାର୍ଯ୍ୟକାରୀ ହେଉନି ହାଇକୋର୍ଟଙ୍କ ନିର୍ଦ୍ଦେଶ

ଶିଶୁପାଳଗଡ଼ ସୀମା ନିର୍ଦ୍ଧାରଣ ହେଉନାହିଁ

ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଲା ଏଏସ୍‌ଆଇ

ଭୁବନେଶ୍ୱର : ପୁରାତନ ଐତିହ୍ୟ ତଥା ଏକଦା ‘ଜଳଦୁର୍ଗ’ ନାମରେ ପରିଚିତ ଥିବା ଶିଶୁପାଳଗଡ଼ର ସୁରକ୍ଷା ପ୍ରସଙ୍ଗକୁ ନେଇ ହାଇକୋର୍ଟ ଦେଇଥିବା ଗୁରୁତ୍ବପୂର୍ଣ୍ଣ ରାୟ କାର୍ଯ୍ୟକାରୀ ହେଉନାହିଁ। ୬ମାସ ସମୟ ଦିଆ ଯାଇଥିଲା, ହେଲେ ୨୦୨୨ରୁ ୨୦୨୪ ମସିହା ଅଧା ହେବାକୁ ବସିଲାଣି, କେହି ସେ ବିଷୟରେ ଚିନ୍ତା କରୁଥିବାଭଳି ବି ମନେ ହେଉନାହିଁ। ଏମିତିକି ଗଡ଼ର ସୀମା ନିର୍ଧାରଣ ବି ହୋଇ ପାରୁନାହିଁ। ସଂପୃକ୍ତ ଅଧିକାରୀଙ୍କ ଆନ୍ତରିକତାହୀନ କାର୍ଯ୍ୟକଳାପ ପାଇଁ ମାଫିଆମାନେ ଶିଶୁପାଳଗଡ଼କୁ ସମ୍ପୂର୍ଣ୍ଣ କବ୍‌ଜା କରି ନେବାକୁ ବସିଛନ୍ତି।
ଇତିହାସ ଅନୁସାରେ, ୨୦୦୦ ବର୍ଷ ପୁରୁଣା ଏହି ଗଡ଼ ଗନ୍ଧବତୀ ନଦୀ (ବର୍ତ୍ତମାନର ଗଙ୍ଗୁଆ ନାଳ) କୂଳରେ ଗଢ଼ି ଉଠିଥିଲା। ରାଜା ଖାରବେଳଙ୍କ ରାଜତ୍ୱ ସମୟରେ ଏହାକୁ ଉତ୍କଳ ତଥା କଳିଙ୍ଗ ରାଜ୍ୟର ରାଜଧାନୀ ‘କଳିଙ୍ଗ ନଗରୀ’ କୁହାଯାଉଥିଲା। କିନ୍ତୁ ହଜାର ହଜାର ବର୍ଷର ଏହି ଐତିହ୍ୟ ଏବେ ଜମି ମାଫିଆଙ୍କ ଗଡ଼ରେ ପରିଣତ ହୋଇସାରିଛି। ଜମି ପାଇଁ ଐତିହ୍ୟକୁ ମାଟିରେ ମିଶାଉଛନ୍ତି ମାଫିଆ। ଅସାଧୁ ଅଧିକାରୀଙ୍କୁ ହାତ କରି ସେମାନେ ସରକାରୀ ଜମିକୁ କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି। ଗଡ଼କୁ ଲାଗି ବେଆଇନ ଭାବେ ବଡ଼ ବଡ଼ କୋଠା ନିର୍ମାଣ ହେଉଛି। ଆଉ କିଛିବର୍ଷ ଭିତରେ ଗଡ଼ର ଚିହ୍ନବର୍ଣ୍ଣ ନଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ରାଜଧାନୀ ଉପକଣ୍ଠରେ ଅସ୍ତିତ୍ୱ ହରାଉଥିବା ଏହି ଐତିହ୍ୟର ସୁରକ୍ଷା ପାଇଁ ୨୦୦୭ରେ ଜାତୀୟ କଳା ଓ ସଂସ୍କୃତି ଐତିହ୍ୟ ସୁରକ୍ଷା ନ୍ୟାସ ବା ‘ଇନ୍‌ଟାକ୍‌’ ତରଫରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ସେଥିରେ କେନ୍ଦ୍ର ସରକାର, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ), ରାଜ୍ୟ ସରକାର ତଥା ରାଜ୍ୟର ବିଭିନ୍ନ ସଂସ୍ଥାମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଶିଶୁପାଳଗଡ଼ର ସୁରକ୍ଷା ଦିଗରେ ଚରମ ଅବହେଳା ଉପରେ ବିବରଣୀ ଦେଇ ଏହାର ସୁରକ୍ଷା ପାଇଁ ଆଦେଶ ଦେବାକୁ ନିବେଦନ କରାଯାଇଥିଲା। ହେଲେ ପିଆଇଏଲ୍‌ର ଶୁଣାଣି ବେଳେ ୭ ବର୍ଷ ପର୍ଯ୍ୟନ୍ତ ପକ୍ଷମାନଙ୍କ ଜବାବ ମିଳିଲା ନାହିଁ। ତେଣୁ ଏହାର ଶୁଣାଣିକୁ ୧୫ ବର୍ଷ ଲାଗିଲା। ଶେଷରେ ୨୦୨୨ ସେପ୍ଟେମ୍ବର ମାସରେ ମାନ୍ୟବର କୋର୍ଟ ରାୟ ଦେଲେ। ଏକମାସ ଭିତରେ ବୈଠକ ଡାକିବା ସହ ୬ ମାସ ଭିତରେ ସମସ୍ତ ପ୍ରକ୍ରିୟା ଶେଷ‌ କରିବାକୁ ହାଇକୋର୍ଟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୨ ଅକ୍ଟୋବରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକର ନିଷ୍ପତ୍ତି ମୁତାବକ, ୯୦ ଦିନ ଭିତରେ ଶିଶୁପାଳଗଡ଼ ସଂରକ୍ଷିତ ଘୋଷିତ ଅଞ୍ଚଳର ଯୁଗ୍ମ ସର୍ଭେ ଭୁବନେଶ୍ବର ତହସିଲଦାରଙ୍କ ତଦାରଖରେ ଏବଂ ଏଏସ୍‌ଆଇ ପ୍ରତିନିଧିଙ୍କ ଉପସ୍ଥିତିରେ କରାଯିବ। ଖାଲି ଥିବା ସମସ୍ତ ସରକାରୀ ଜମିକୁ ଅବିଳମ୍ବେ ଏଏସ୍‌ଆଇକୁ ହସ୍ତାନ୍ତର କରାଯିବ। ଘରୋଇ ଜମି ପାଇଁ ଏଏସ୍‌ଆଇ ଜିଲ୍ଲାପାଳଙ୍କ ପାଖରେ ଅଧିଗ୍ରହଣ ପାଇଁ ଦରଖାସ୍ତ କରିବ।
ସରକାରୀ ଜମି ଉପରେ ହୋଇଥିବା ଜବରଦଖଲକୁ ହଟାଯାଇ ତାହା ଏଏସ୍‌ଆଇକୁ ହସ୍ତାନ୍ତର କରାଯିବ। ଏହା ଉପରେ ଏଏସ୍‌ଆଇ ପାଚେରି ନିର୍ମାଣ କରିବା ଭଳି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଗୋଟିଏ କାମ ମଧ୍ୟ ହୋଇନାହିଁ। ଗତବର୍ଷ ଭୁବନେଶ୍ୱର ତହସିଲଦାରଙ୍କର ଏକ ଦଳ କିଛି ଅଞ୍ଚଳ ମାପକରି ଖୁଣ୍ଟ ପକାଇଥିଲେ। ସମ୍ପୂର୍ଣ୍ଣ ମାପ ସରି ନଥିବାରୁ ତାରବାଡ଼ ବି ବୁଲା ଯାଇନଥିଲା। କିଛି ବ୍ୟକ୍ତି ଖୁଣ୍ଟ ପଡ଼ିଥିବା ସ୍ଥାନଠାରୁ ଭିତରକୁ ତାଙ୍କର ଜମିଥିବା ଅଭିଯୋଗ କରିଥି‌ଲେ। ତେଣୁ ପୁନର୍ବାର ଫେବୃଆରୀ ମାସରେ ମାପହେବ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ବିଭିନ୍ନ ଆଳ ଦେଖାଇ ଏଯାଏ ମାପ ହୋଇନାହିଁ। ଏହାପରେ ପୂର୍ବବର୍ଷ ଭଳି ବର୍ଷା ବାହାନା ଦେଖାଇ ମାପକୁ ବନ୍ଦ କରାଯିବ ବୋଲି ଐତିହ୍ୟପ୍ରେମୀ ଅଭିଯୋଗ କରିଛନ୍ତି। ଏ ମାମଲାରେ ଏଏସ୍‌ଆଇର ଭୁବନେଶ୍ବର ମଣ୍ଡଳର ଅଧୀକ୍ଷଣ ପ୍ରତ୍ନତତ୍ତ୍ବବିତ୍‌ ସୁଶାନ୍ତ କୁମାର କର ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି। ସେ କହିଛନ୍ତି, ‘‘ଶିଶୁପାଳଗଡ଼ ମାପ କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ। ଭୁବନେଶ୍ୱର ତହସିଲଦାରଙ୍କୁ ଏ ଦାୟିତ୍ବ ଦିଆଯାଇଛି। କିନ୍ତୁ ସେ କାହିଁକି ମାପ କରୁନାହାନ୍ତି ତାହା ଆମେ ଜାଣିନାହୁଁ।’’ ଅନ୍ୟପଟେ ପ୍ରତିକ୍ରିୟା ଜାଣିବାଲାଗି ଭୁବନେଶ୍ୱର ତହସିଲଦାରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ମତାମତ ମିଳିନାହିଁ।

Share Now:

Kalinga News Beuro

Next Post

ଭୁବନେଶ୍ୱର ପୁଣି ଉତ୍ତପ୍ତ ସହର : ଦିନ ୨ଟା ୩୦ରେ ତାପମାତ୍ରା ୪୩.୨ ଡିଗ୍ରି ରେକର୍ଡ

Sun Apr 28 , 2024
ଭୁ‌ବନେଶ୍ୱର: ଗ୍ରୀଷ୍ମ ପ୍ରବାହରେ ଏକ ସପ୍ତାହ ଧରି ସାରା ଓଡ଼ିଶା ଜଳୁଛି। ଆଜି ମଧ୍ୟ ଏଥିରୁ ନିସ୍ତାର ମିଳି ନାହିଁ। ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ପୁଣି ସବୁଠୁ ଉତ୍ତପ୍ତ ସହର ହୋଇଛି। ରାଜଧାନୀରେ ତାପମାତ୍ରା ୪୩.୨ ଡିଗ୍ରି କେରର୍ଡ କରାଯାଇଛି। କେନ୍ଦୁଝରରେ ୪୨.୭, ଚାନ୍ଦବାଲିରେ ୪୨.୨, ବାଲେଶ୍ୱରରେ ୪୧.୪, ରାଉରକେଲାରେ ୪୦.୬, ଝାରସୁଗୁଡ଼ାରେ ୩୯.୯, ସମ୍ବଲପୁରରେ ୩୯.୪ ଡିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial