ପୁଲିସ ପଞ୍ଝାରେ ୫ ହାଇୱେ ଲୁଟେରା, ଗଞ୍ଜେଇ ଗାଡ଼ିକୁ ଦେଉଥିଲେ ଏସ୍କର୍ଟ

ଖଣ୍ଡଗିରି: ୧୬ ନମ୍ବର ଜାତୀୟ ରାଜପଥରେ ଦାମୀ ଦାମୀ ବାଇକ୍‌ ଛଡ଼ାଇ ନେଉଥିବା ୫ଜଣିଆ ଏକ ଲୁଟେରା ଗ୍ୟାଙ୍ଗ୍‌କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ, କଟକ ତିଗିରିଆ ଥାନା ପଙ୍କାଳର ଅର୍ବାଜ୍ ଖାଁ ଓରଫ୍ ରକି(୧୯), ସେହି ଥାନା ଜେମାଦେଇପୁରର ବିଶ୍ୱନାଥ ବାରିକ ଓରଫ୍ ମଣ୍ଟୁ(୨୨), ନୟାଗଡ଼ ଫତେଗଡ଼ ଥାନା ବାଇଗିଣିଆ ବଡ଼ସାହିର ଯୋଗେଶ୍ୱର ଦାସ ଓରଫ ପପୁ(୨୫), ବରମୁଣ୍ଡା ମହାବୀର ବସ୍ତିରେ ରହୁଥିବା ପୁରୀ ନିମାପଡ଼ା ଚାରିଛକର ରାଜେଶ ସାମଲ ଓରଫ ରାଜୁ(୨୪) ଓ ୟୁନିଟ୍‌-୮ ତୁଳସୀ ବସ୍ତିର ସଂଜୀବ ବାରିକ ଓରଫ ସୋନୁ(୨୩)। ପୁଲିସ୍‌ ଏମାନଙ୍କଠାରୁ ୪ଟି ଚୋରା ଦାମୀ ବାଇକ୍‌ ଓ ଭଡ଼ାରେ ଆଣି ଲୁଟ୍‌ରେ ବ୍ୟବହାର କରୁଥିବା ଏକ ସ୍କର୍ପିଓ ଜବତ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।
ପୁଲିସ ସୂଚନାନୁସାରେ, ଗଞ୍ଜେଇ ଚାଲାଣ କରୁଥିବା ଗାଡ଼ିମାନଙ୍କୁ ଏସ୍କର୍ଟ ଯୋଗାଉଥିବା ଏହି ଯୁବକମାନେ ମଉକା ଦେଖି ୧୬ ନମ୍ବର ଜାତୀୟ ରାଜପଥରେ ଲୁଟ୍‌ପାଟ୍‌ କରୁଥିଲେ। ଜୟଦେବ ବିହାରସ୍ଥିତ ଏକ ସଂସ୍ଥାରୁ ସ୍କର୍ପିଓ ଭଡ଼ାରେ ଆଣି ସେମାନେ ଏହି କାଣ୍ଡ ଭିଆଉଥିଲେ। ଦୁଇ ସପ୍ତାହ ଭିତରେ ଖଣ୍ଡଗିରି ଓ ନୂଆପଲ୍ଲୀ ଥାନା ସୀମାରେ ପୁଲିସକୁ ଚ୍ୟାଲେଞ୍ଜ କଲା ଭଳି ଦୁଇ ଦୁଇଟି ଦାମୀ ବାଇକ୍‌ ଲୁଟି ନେଇଥିଲେ। ତେବେ ଲୁଟ୍‌ର ଶିକାର ହୋଇଥିବା ଜଣେ ଯୁବକ ଉକ୍ତ ସ୍କର୍ପିଓର ୭୦୭୦ ନମ୍ବରକୁ ମନେ ରଖିବାରେ ସକ୍ଷମ ହୋଇଥିଲେ। ତେଣୁ ପୁଲିସ ଏହି ଗାଡ଼ିକୁ ଖୋଜିବାରେ ଲାଗିଥିଲା। ବିଳମ୍ବିତ ରାତିରେ ବୁଲୁଥିବା ସବୁ ୭୦୭୦ ନମ୍ବର ଥିବା ବଲେରୋ ବା ସ୍କର୍ପିଓ ଭଳି ଗାଡ଼ିକୁ ଟାର୍ଗେଟ୍‌ କରାଯାଇଥିଲା। ଗତ ୧୬ ତାରିଖ ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ପୁଲିସ ପାତ୍ରପଡ଼ାଠାରେ ବ୍ଲକିଂ କରୁଥିବା ବେଳେ ଏହି ଗାଡ଼ିଟି ପୁଲିସ ହାବୁଡ଼ରେ ପଡ଼ିଥିଲା। ପୁଲିସ ନିର୍ଦ୍ଦେଶ ସତ୍ତ୍ୱେ ଗାଡ଼ିଟି ସେଠାରେ ନ ଅଟକି ଦ୍ରୁତ ବେଗରେ ଖୋର୍ଦ୍ଧା ଦିଗରେ ପଳାଇଥିଲା। ତେବେ ପିସିଆର୍ ପିଛା କରିବାରୁ ଅଭିଯୁକ୍ତମାନେ ଯାଁଳା ନିକଟରେ ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଥିଲେ। ପୁଲିସ ଗାଡ଼ିକୁ ଜବତ କରି ଯାଞ୍ଚ କରିବା ପରେ ଏହି ଗ୍ୟାଙ୍ଗର ପର୍ଦାଫାସ୍‌ ହୋଇଥିଲା। ଅପରାଧ ଦୁନିଆରେ ନୂଆ ନୂଆ ପାଦ ରଖିଥିଲେ ମଧ୍ୟ ଚୋରା ଗଞ୍ଜେଇ ଚାଲାଣ ବାବଦରେ ଏହି ଗ୍ୟାଙ୍ଗଠାରୁ ପୁଲିସକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାଯାଇଛି।

Share Now:

Kalinga News Beuro

Leave a Reply

Next Post

ଚିଦମ୍ବରମଙ୍କୁ ଉଠାଇନେଲେ

Thu Aug 22 , 2019
ଅମିତ ଶାହଙ୍କ ପ୍ରତିଶୋଧ!, ଚିଦମ୍ବରମ ସ୍ୱରାଷ୍ଟ୍ରମନ୍ତ୍ରୀ ଥିବାବେଳେ ଜେଲ୍‌ ଯାଇଥିଲେ ଶାହ ନୂଆଦିଲ୍ଲୀ : ଆଜି ରାତିରେ ଏକ ନାଟକୀୟ ଘଟଣାକ୍ରମେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦମ୍ବରମଙ୍କୁ ସିବିଆଇ ତାଙ୍କ ବାସଭବନରୁ ଗିରଫ କରିଛି। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଆଗୁଆ ଜାମିନ ଦେବାକୁ ମନା କରିଦେବା ପରେ ଚିଦମ୍ବରମ ଗତକାଲି ଠାରୁ ଉଭାନ ହୋଇଯାଇଥିଲେ। ଦୀର୍ଘ ୨୭ ଘଣ୍ଟା ପରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial