ବିଜେପି ବୈଠକରେ ଅଭାବନୀୟ କାଣ୍ଡ : ଜିଲ୍ଲା ସଭାପତିଙ୍କୁ ଚାପୁଡ଼ା

କେନ୍ଦୁଝର : ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସଭାପତିଙ୍କୁ ଚଟକଣି ମାଡ଼। ଅନ୍ୟ କେହି ନୁହେଁ, ଖୋଦ୍‌ ଜିଲ୍ଲା ଉପସଭାପତି ଅଖିଳ ପାତ୍ର ଦଳୀୟ ସାଂଗଠନିକ ବୈଠକରେ ଅଧ୍ୟକ୍ଷତା କରୁଥିବା କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତଙ୍କ କାନମୁଣ୍ଡାକୁ ଦେଇଛନ୍ତି ଶକ୍ତ ଚାପୁଡ଼ା। ଅଖିଳଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ ସଂପର୍କରେ ରାଜ୍ୟ ନେତୃତ୍ୱଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି ଜିଲ୍ଲା ସଭାପତି ରାଧାକାନ୍ତ। ରାଜ୍ୟ ନେୃତୃତ୍ୱଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲେ ହେଁ ଏହି ଘଟଣାକୁ କେନ୍ଦ୍ର କରି ଆଜି ଦିନତମାମ ଜିଲ୍ଲାବ୍ୟାପୀ ଦଳୀୟ ରାଜନୀତି ଚର୍ଚାରେ ରହିଥିଲା।

ସୂଚନା ଅନୁସାରେ, ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆସନ୍ତା ୧୭ରୁ ଆରମ୍ଭ ହେବାକୁୁ ଥିବା ନାରୀ ସୁରକ୍ଷା ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ବସିଥିଲା। ବୈଠକରେ ବରିଷ୍ଠ ବିଜେପି ନେତା ତଥା ଜିଲ୍ଲା ପ୍ରଭାରୀ ବିରଞ୍ଚି ତ୍ରିପାଠୀ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଦିଲ୍ଲୀପ ମଲ୍ଲିକଙ୍କ ସମେତ ଅନ୍ୟ ବରିଷ୍ଠ ନେତୃବର୍ଗ ଉପସ୍ଥିତ ଥିଲେ। ଆଲୋଚନା ବେଳେ ଉପସଭାପତି ଶ୍ରୀ ପାତ୍ର ଦଳୀୟ ସଭାପତିଙ୍କ କାର୍ଯ୍ୟଧାରା ନେଇ କେତେକ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଜିଲ୍ଲା ସଭାପତି ଏବଂ ଉପସଭାପତିଙ୍କ ମଧ୍ୟରେ କଥା କଟାକଟି ସାଙ୍ଗକୁ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଉପସଭାପତି ଶ୍ରୀ ପାତ୍ର ନିଜ ଉପରୁ ନିୟନ୍ତ୍ରଣ ହରାଇ ସର୍ବସମ୍ମୁଖରେ ଜିଲ୍ଲା ସଭାପତି ଶ୍ରୀ ମହାନ୍ତଙ୍କୁ ଏକ ଶକ୍ତ ଚଟକଣି ପକାଇଥିଲେ। ବିଜେପି ଜିଲ୍ଲା ସଂଗଠନରେ ଦୀର୍ଘ ଦିନ ହେଲା ନେତୃତ୍ୱ କନ୍ଦଳ ଲାଗି ରହିଥିବା ବେଳେ ଏହା କୁହୁଳୁଥିବା ଅସନ୍ତୋଷର ପ୍ରତିଫଳନ ବୋଲି କର୍ମୀ ମହଲରେ ଆଲୋଚିତ ହେଉଛି।

Share Now:

Kalinga News Beuro

Leave a Reply

Next Post

ଥାନା ଅବସ୍ଥା ଦେଖି ହାଇକୋର୍ଟ ବିଚାରପତି କ୍ଷୁବ୍ଧ : ମହିଳା ଡେସ୍କ ତାଲା ଖୋଲୁନି, ଚେୟାରରେ ଧୂଳି ଆସ୍ତରଣ, ଅଧ ଘଣ୍ଟା ବର୍ଷିଲେ, ଏସ୍‌ପିଙ୍କୁ ଡକାଇଲେ

Sun May 13 , 2018
ବ୍ରହ୍ମପୁର : ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ୍‌ ଜିଲ୍ଲା ପୁଲସ ଅପରାଧୀ ଦମନ ଅଭିଯାନ ଓ ଏନ୍‌କାଉଣ୍ଟର କ୍ଷେତ୍ରରେ ରେକର୍ଡ଼ କରିଛି। କିନ୍ତୁ ଜନତାଙ୍କ ବିଶ୍ୱାସ ଜିତି ପାରୁନି କି ମହିଳାଙ୍କୁ ସୁରକ୍ଷା ଦେଇପାରୁନି। ସାଧାରଣ ଲୋକଙ୍କ ଆସ୍ଥା ଜିତିବାକୁ ଆଉ ଏକ ନୂଆ ଯୋଜନା ‘ସ୍ୱୟଂସିଦ୍ଧା’ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଥାନାରେ ମହିଳା ଓ ଶିଶୁ ଡେସ୍କ ୧୨ ବର୍ଷ ହେଲା କୋମାରେ। ଆଜି ଓଡ଼ିଶା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial