କମିସନରେଟ୍‌ ପୁଲିସକୁ ଦୁଷ୍କର୍ମ ଦୁଶ୍ଚିନ୍ତା : ରାଜଧାନୀରେ କଟକର ଦୁଇଗୁଣା

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ବଢ଼ି ଚାଲିଥିବା ଦୁଷ୍କର୍ମ ମାମଲା କମିସନରେଟ୍‌ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଟୁଇନ୍‌ସିଟି କଟକ ଓ ଭୁବନେଶ୍ୱରରେ ଏଭଳି ମାମଲା ପ୍ରତିବର୍ଷ ବଢ଼ି ବଢ଼ି ଚାଲିଥିବାବେଳେ ରାଜଧାନୀରେ ଏହା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କଟକରେ ଏଭଳି ମାମଲା ପ୍ରତିବର୍ଷ ବଢ଼ୁଥିଲେ ବି ରାଜଧାନୀରେ ଏହି ମାମଲାର ବର୍ଧିତ ହାର କଟକ ତୁଳନାରେ ବେଶ୍‌ ଅଧିକ। ସମାନ ପରିମାଣରେ ଚୋରି ଓ ରାହାଜାନୀ ବଢ଼ୁଥିଲେ ବି ବଳାତ୍କାର ମାମଲା ଭୁବନେଶ୍ୱର ପୁଲିସ ପାଇଁ ଚିନ୍ତାର କାରଣ ବୋଲି ବହୁ ବରିଷ୍ଠ ଅଧିକାରୀଙ୍କ ମତ।
କମିସନରେଟ୍‌ ପୁଲିସ ପକ୍ଷରୁ ପ୍ରକାଶ ପାଇଥିବା ବାର୍ଷିକ ଅପରାଧ ମାମଲା ସମୀକ୍ଷା ରିପୋର୍ଟ ଅନୁସାରେ ୨୦୧୭ ମସିହାରେ ଟୁଇନ୍‌ ସିଟିରେ ଘଟିଥିବା ୧୮୧ ଦୁଷ୍କର୍ମ ମାମଲା ମଧ୍ୟରୁ କେବଳ ଭୁବନେଶ୍ୱରରେ ୧୨୫ଟି ଘଟିଛି ଓ କଟକରେ ୫୬ଟି। ତେଣୁ ଏହି ପରିସଂଖ୍ୟାନ ଦୃଷ୍ଟିରୁ ବଳାତ୍କାର ମାମଲାରେ ଭୁବନେଶ୍ୱର କଟକର ଦୁଇଗୁଣା। ଗତବର୍ଷ ଅର୍ଥାତ୍‌ ୨୦୧୬ ମସିହାରେ କଟକରେ ୬୧ଟି ବଳାତ୍କାର ମାମଲା ହୋଇଥିବାବେଳେ ରାଜଧାନୀରେ ୭୭ଟି ମାମଲା ହୋଇଥିଲା। ସେହିଭଳି ୨୦୧୩ ଓ ୨୦୧୪ ମସିହା କଥାକୁ ହିସାବକୁ ନେଲେ ଦେଖାଯାଏ ସବୁବେଳେ ବଳାତ୍କାର ମାମଲାରେ ରାଜଧାନୀ ହିଁ କଟକଠାରୁ ଆଗରେ ରହି ଆସିଛି। ଏହାର କାରଣ ବାବଦରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା କଥା ରାଜଧାନୀ ହେଉଛି ବସ୍ତିବହୁଳ ଅଞ୍ଚଳ। ଗରିବ ବାପାମା ମୂଲମଜୁରି ପାଇଁ ଦିନବେଳା ଘରୁ ବାହାରିଯିବା ପରେ ଘରେ ଏକାକୀ ରହିଯାଉଥିବା ଯୁବତୀ କିମ୍ବା ନାବାଳିକାମାନେ ଦୁଷ୍କର୍ମର ଶିକାର ହେଉଛନ୍ତି। ସେହିଭଳି ରୋଜଗାର ପାଇଁ ରାଜଧାନୀକୁ ଧାଇଁ ଆସୁଥିବା ଯୁବତୀମାନେ ମଧ୍ୟ ଏଭଳି ମାମଲାର ଶିକାର ହେଉଛନ୍ତି। କିନ୍ତୁ ପୁଲିସ ରେକର୍ଡଭୁକ୍ତ ହେଉଥିବା ମାମଲା ବାଦ୍‌ ଆହୁରି ବହୁ ମାମଲା ବିଭିନ୍ନ କାରଣରୁ ପୁଲିସର ନଜର ଅଢ଼ୁଆଳରେ ରହି ଯାଉଥିବା କଥାକୁ ଉକ୍ତ ପୁଲିସ ଅଧିକାରୀ ସ୍ୱୀକାର କରିଛନ୍ତି। ଯଦି ପ୍ରକୃତରେ ଘଟୁଥିବା ସବୁ ଦୁଷ୍କର୍ମ ମାମଲା ପୁଲିସର ରେକର୍ଡଭୁକ୍ତ ହୁଅନ୍ତା, ତେବେ ଏହି ସଂଖ୍ୟା ରାଜଧାନୀରେ କେବଳ ୨୦୦କୁ ଟପିଯାଆନ୍ତା। କିଛି ମାମଲା ଆପୋସ ବୁଝାମଣା କ୍ଷେତ୍ରରେ ସମାଧାନ ହୋଇଯାଉଛି ଓ ଆଉ କିଛି କ୍ଷେତ୍ରରେ ଯୁବତୀମାନେ ଲୋକଲଜ୍ଜା ଭୟରେ ପୁଲିସର ଦ୍ୱାରସ୍ଥ ହେଉନାହାନ୍ତି। ରାଜଧାନୀର ବିଭିନ୍ନ ପାର୍କ ଯଥା ଜୟଦେବ ବାଟିକା, ଏକାମ୍ର ପାର୍କ, ଫରେଷ୍ଟ ପାର୍କ ଭଳି ସ୍ଥାନରେ ବହୁ ସମୟରେ ଯୁବତୀମାନେ ଅସଦାଚରଣର ଶିକାର ହେଉଥିଲେ ବି ପୁଲିସ ପାଖକୁ ଅଭିଯୋଗ ଆସେନାହିଁ। ଏହା ପୁଲିସ ପାଇଁ ଆଶ୍ୱସ୍ତିର କଥା ହୋଇଥିଲେ ବି ରାଜଧାନୀରେ ବଳାତ୍କାର ମାମଲାର ସଂଖ୍ୟା ଭୁବନେଶ୍ୱର କମିସନରେଟ୍‌ ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇରହିଛି। ସେହିଭଳି ଚୋରି ଓ ରାହାଜାନୀ ବାବଦରେ ପୁଲିସ ଯେଉଁ ତଥ୍ୟ ଦେଇଛି, ତାହା ତୁଳନାରେ ମାମଲା ସଂଖ୍ୟା ବେଶ୍‌ ଅଧିକ। କାରଣ କମିସନରେଟ୍‌ ପୁଲିସ ବହୁ ବାଇକ୍‌ ଚୋରିକୁ ରେକର୍ଡଭୁକ୍ତ କରୁନାହିଁ। ବୀମା ନଥିବା ବାଇକ୍‌ ଚୋରି ହେଲେ ପୁଲିସ କେବଳ ଏକ ଷ୍ଟେସନ ଡାଏରି କରି ବସି ପଡ଼ୁଛି। ସେହିଭଳି ବହୁ ସିନ୍ଧି ଚୋରି ବା ଛିନ୍‌ତାଇ ମାମଲାକୁ ମଧ୍ୟ ପୁଲିସ ଚାପି ଦେଉଥିବା ନଜିର ରହିଛି। ତେଣୁ ହତ୍ୟା ଭଳି କିଛି ବଡ଼ ବଡ଼ ଅପରାଧ ମାତ୍ରା ହ୍ରାସ ପାଇଥିଲେ ବି ଦୁଷ୍କର୍ମ, ଚୋରି ଓ ଛିନ୍‌ତାଇ ମାମଲା ଭୁବନେଶ୍ୱର କମିସନରେଟ୍‌ ଅଞ୍ଚଳରେ ଦ୍ରୁତବେଗରେ ବଢ଼ି ଚାଲିଛି।

Share Now:

Kalinga News Beuro

Leave a Reply

Next Post

ଶଙ୍ଖ ଧରିବେ ଅଂଶୁମାନ!

Sun Apr 8 , 2018
କେନ୍ଦ୍ରାପଡ଼ା ରାଜନୀତି ସରଗରମ   ରାଜନଗର : ରାଜନଗର ବିଧାୟକ ଅଂଶୁମାନ ମହାନ୍ତିି କଂଗ୍ରେସରେ ରହିବେ ନା ବିଜେଡିକୁ ଯିବେ? ଏ ପ୍ରସଙ୍ଗ ଏବେ ରାଜନଗର ରାଜନୀତିକୁ ସରଗରମ କରିଛି। କିନ୍ତୁ ଅଂଶୁମାନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ସ୍ଥିତି ସ୍ପଷ୍ଟ ହୋଇପାରୁ ନାହିଁ। ଗତକାଲି ବ୍ଲକ କଂଗ୍ରେସ ବୈଠକରେ ବି ଏ ନେଇ ଜୋରଦାର ଆଲୋଚନା ହୋଇଥିଲା। କଂଗ୍ରେସର ସାଂଗଠନିକ ସ୍ଥିତି, ୱାର୍ଡକମିଟି ଗଠନ ଓ ସ୍ୱର୍ଗତ ନଳିନୀକାନ୍ତ ମହାନ୍ତିଙ୍କ ଶ୍ରାଦ୍ଧଉତ୍ସବ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial