ଭେଣ୍ଡିଂ ଜୋନ୍‌ରୁ ହାତଗୁଞ୍ଜା ନେଉଛି କିଏ ? ବର୍ଷକୁ ବିଏମ୍‌ସିର ୩୦ କୋଟି ରାଜସ୍ୱହାନି

ବେଆଇନ୍‌କୁ ସ୍ୱିକୃତୀ ମିଳୁନି କି ଉଚ୍ଛେଦ ହେଉନି

ଭୁବନେଶ୍ୱର: ରାସ୍ତା କଡ଼ରେ ବ୍ୟବସାୟୀମାନେ ବସିବା ପରେ ଭେଣ୍ଡିଂ ଜୋନ୍‌ର ନାମକରଣ ହେଉଛି। ବିଏମ୍‌ସି ଉଚ୍ଛେଦ କରିବାକୁ ଗଲେ ବ୍ୟବସାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ହାଇକୋର୍ଟ ଦେଇଥିବା ଆଦେଶପତ୍ର ଦେଖାଉଛନ୍ତି। କିନ୍ତୁ ବେଆଇନ ହୋଇଥିବାରୁ ଭଡ଼ା ମଧ୍ୟ ଆଦାୟ କରିପାରୁ ନାହିଁ। କେତେକ ଜାଗାରେ ହାଇକୋର୍ଟଙ୍କ ଆଦେଶ ନଥିଲେ ମଧ୍ୟ ବିଏମ୍‌ସି ଉଚ୍ଛେଦ କରୁନାହିଁ। ଏଣେ ଗୋଟିଏ ମାମଲା ଫଇସଲା ହେବାକୁ ବସିଥିବା ବେଳେ ଏଥିରେ ଗୋଟିଏ ‘ଆଇଏ’ ମାମଲା ସଂଲଗ୍ନ ହେଉଛି। ଏଣୁ ମାମଲା ଗଡ଼ିବାରେ ଲାଗିଛି। ମାମଲା ନାଁରେ ବିଏମ୍‌ସି ଖସି ଯାଉଛି। କିନ୍ତୁ ଏ ବାବଦରେ ବିଏମ୍‌ସିର ବାର୍ଷିକ ୩୦ କୋଟି ରାଜସ୍ୱହାନି ହେଉଥିବା ବେଳେ ଦାଇତ୍ୱରେ ଥିବା ଅଧିକାରୀମାନେ ମୋଟାଅଙ୍କର ହାତଗୁଞ୍ଜା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଏହାର ଏକ ବଡ଼ ଉଦାହରଣ ହେଉଛି ୱାର୍ଡ ନମ୍ବର ୧୩ରେ ଥିବା ଲକ୍ଷ୍ମୀନାରାୟଣ ‌ଭେଣ୍ଡିଂ ଜୋନ୍‌। ୨୦୦୯ ମସିହାରେ ତତ୍‌କାଳୀନ କମିସନର ତଥା ବର୍ତ୍ତମାନର ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏଠା‌ରେ ବ୍ୟବସାୟୀମାନଙ୍କୁ ଲୁହା ଷ୍ଟ୍ରକ୍‌ଚରରେ ଦୋକାନ କରିବାକୁ ସ୍ୱିକୃତୀ (ଚିଠି ନଂ.୧୭୩୦୪/୬.୭.୨୦୦୯) ଦେଇଥିଲେ। ବର୍ଷେ ପରେ ୨୦୧୦ ମସିହାରେ ବିଏମ୍‌ସି ଏହି ସ୍ୱିକୃତୀକୁ ବାତିଲ କରିଦେଲା। କିନ୍ତୁ ଉଚ୍ଛେଦ କଲାନି କିମ୍ବା ଥଇଥାନ ବି କଲାନି। ବରଂ କୋର୍ଟ ଯିବାକୁ ସୁଯୋଗ ଦେଲା। ମାମଲା କୋର୍ଟରେ ପହଞ୍ଚିବା ପରେ ଏହା ଉପରେ ସ୍ଥିତାବସ୍ଥା ଜାରି ହୋଇଛି। ଅର୍ଥାତ୍‌ ଭେଣ୍ଡିଂ ଜୋନ୍‌ ଯେମିତି ଅଛି ସେମିତି ରହିଛି। ବିଏମ୍‌ସି ଭାଙ୍ଗି ପାରୁନି କି ସ୍ୱିକୃତୀ ମଧ୍ୟ ଦେଇପାରୁନି। ୧୬ ବର୍ଷ ହେଲା ଏଠାରୁ ଟଙ୍କାଟିଏ ରାଜସ୍ୱ ଆସୁନାହିଁ। କେୟାର ହସ୍‌ପିଟାଲ୍‌ ସାମ୍ନା ରାସ୍ତା କଡ଼ରେ ୩୦ଟି ଦୋକାନ ରହିଛି। ଏହାକୁ ମଧ୍ୟ ବିଏମ୍‌ସି ବେଆଇନ ଘୋଷଣା କରିଛି। ୨୦୧୭ ମସିହାରୁ ଏହି ବ୍ୟବସାୟୀମା‌ନେ ବେପାର କରିଆସୁଛନ୍ତି। ବିଏମ୍‌ସି ବେଆଇନ ଘୋଷଣା କରି ଉଚ୍ଛେଦ କରିବାକୁ ଚାହିବାରୁ ବ୍ୟବସାୟୀମାନେ କୋର୍ଟ ଯାଇଛନ୍ତି। ହାଇକୋର୍ଟରୁ ସୁରକ୍ଷା ମିଳିଛି। ୨୦୧୭ ମସିହାରେ ପ୍ରଥମ ମାମଲା ରୁଜୁ ହୋଇଥିଲା। ଏହା ପରେ ୨୦୧୮ ଜାନୁଆରି ମାସରେ ଏଥିରେ ଏକ ‘ଆଇଏ’ ମାମଲା ଯୋଡ଼ା ହେଲା। ଏହା ପରେ ଚଳିତବର୍ଷ ଜାନୁଆରି ମାସରେ ଆଉ ଏକ ‘ଆଇଏ’ ମାମଲା ଯୋଡ଼ା ହୋଇଛି। ଫଳରେ ନିକଟ ଭବିଷ୍ୟତରେ ଏହି ମାମଲା ଫଇସଲା ହେବା ଦିଶୁନାହିଁ। ଏଥିରେ ଆଉ ଏକ ବଡ଼ ଅଭିଯୋଗ ହେଉଛି ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଏହି ଦୋକାନ କରିନାହାନ୍ତି। ବରଂ ଅନ୍ୟ ଜଣେ ‌ଲୋକ ଘର ତିଆରି କରି ଭଡ଼ା ଲଗାଇଛି। କୋର୍ଟ ଓ ଅଧିକାରୀଙ୍କ ହାତଗୁଞ୍ଜା ବାବଦକୁ ସମସ୍ତ ଖର୍ଚ୍ଚ ସେ ବହନ କରୁଛନ୍ତି।
କଳ୍ପନା ଛକରେ ଫଳ ଦୋକାନୀମାନେ ଭେଣ୍ଡିଂ ଜୋନ୍‌ ତିଆରି କରି ବ୍ୟବସାୟ କରୁଛନ୍ତି। ଏହାକୁ ମଧ୍ୟ ବିଏମ୍‌ସି ବେଆଇନ ଘୋଷଣା କରିଛି। ଏହି ଅଞ୍ଚଳରୁ ସମସ୍ତ ଫଳ ଦୋକାନୀଙ୍କ ପାଇଁ ବିଏମ୍‌ସି ମାର୍କେଟ୍‌ ବିଲ୍ଡିଂ ଅଞ୍ଚଳରେ ବହୁତଳ କୋଠା ନିର୍ବାଣ କରି ଥଇଥାନ ବ୍ୟବସ୍ଥା କରିଛି। କିନ୍ତୁ ସେଠାକୁ କେହି ଯାଉ ନାହାନ୍ତି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ କୋଠା ଖତ ଖାଉଥିବା ବେଳେ ଏହି ପ୍ରମୁଖ ରାସ୍ତାକଡ଼ରୁ ଜବରଦଖଲ ହଟାଇବା ପାଇଁ ଯେଉଁ ଯୋଜନା ହୋଇଥିଲା ତାହା ସଫଳ ହୋଇ ନାହିଁ। କେବଳ ଏହି ଗୋଟିଏ ବା ଦୁଇଟି ଭେଣ୍ଡିଂ ‌ଜୋନ୍‌ ନୁହେଁ, ବରଂ ଭୁବନେଶ୍ୱରରେ ଏଭଳି ୪୦ଟି ବେଆଇନ ବଜାର ରହିଥିବା ବିଏମ୍‌ସି ହିସାବ କରିଛି। ଯାହାକୁ ନା ସ୍ୱିକୃତୀ ଦେଉଛି ନା ଉଚ୍ଛେଦ କରୁଛି ନା ଥଇଥାନ କରୁଛି। ଏହି ସ୍ଥିତି ସ୍ୱାଭାବିକ ଲାଗୁଥିଲେ ମଧ୍ୟ ଏହା ପଛରେ ମାଷ୍ଟରମାଇଣ୍ଡ କାମ କରୁଛି। କେତେବେଳେ କୋର୍ଟ ଯିବାକୁ ହେବ? ଏଥିରେ ଆଉ ଗୋଟିଏ ମାମଲା କିଭଳି ‌ଯୋଡ଼ି ହେବ? ମାର୍କେଟ୍‌ ଦାଇତ୍ୱରେ ରହୁଥିବା ବିଏମ୍‌ସି ଅଧିକାରୀଙ୍କୁ କିଭଳି ସନ୍ତୁଷ୍ଟ କରାଯିବ ତାହା ଏକ ସ୍ୱତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ଚାଲିଛି।

Share Now:

Kalinga News Beuro

Next Post

ସୀମାନ୍ତରେ ମାତିଲେ ମାଓବାଦୀ : ଯୁବକଙ୍କୁ ଗୁଳି କରି ହତ୍ୟା କଲେ

Wed Jan 10 , 2024
ରାଉରକେଲା: ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ଜରେଇକେଲା ସମଠା ଗାଁରେ ସଶସ୍ତ୍ର ମାଓବାଦୀ ହିଂସାକାଣ୍ଡ ଭିଆଇଛନ୍ତି। ପୁଲିସ ଇନଫର୍ମର ସନ୍ଦେହରେ ଘରେ ପଶି ଜଣେ ଯୁବକଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏମିତି ଘଟଣା ଘଟିଛି। ମୃତକ ହେଲେ ମେନସନ ଭେଙ୍ଗରା (୩୦)। ମାଓବାଦୀ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ତାଙ୍କ ମୁଣ୍ଡ ଓ ଅନ୍ୟ ଗୁଳି ଛାତିରେ ବାଜିଥିଲା। ସେଠାରେ ମାଓବାଦୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial