ରାଜ୍ୟରେ ହେବନି ପ୍ଲାଜ୍‌ମାଥେରାପି: ସପ୍ତାହକୁ ୭୦ହଜାର କୋଭିଡ୍ ଟେଷ୍ଟ

ରାଜ୍ୟରେ ଆଉ ହେବନି ପ୍ଲାଜ୍‌ମାଥେରାପି

କୋଭିଡ୍‌ ସ୍ଥିତି ନିୟନ୍ତ୍ରଣାଧୀନ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଗାମୀ ସପ୍ତାହ ମଧ୍ୟରେ ଟେଷ୍ଟ ସଂଖ୍ୟା ୭୦ ହଜାରକୁ ବୃଦ୍ଧି କରାଯିବ। ରାଜ୍ୟରେ ଆଉ ପ୍ଲାଜମାଥେରାପି କରାଯିବ ନାହିଁ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋଭିଡ୍ ସମୀକ୍ଷା ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସଂକ୍ରମଣ ରୋକିବାକୁ ଆସନ୍ତା ୨୪ ରୁ ଆରମ୍ଭ ହେବାକୁ ଥିବା ସର୍ଭେ ଯେପରି ସଂପୂର୍ଣ୍ଣ ତ୍ରୁଟିଶୂନ୍ୟ ହେବ, ତାକୁ ଆଖି ଆଗରେ ରଖି ଜିଲ୍ଲାପାଳମାନେ ଯୋଜନା ପ୍ରସ୍ତୁତ କରନ୍ତୁ। କେବଳ ସେତିକି ନୁହେଁ, ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରାଯାଇଥିବା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ସହିତ ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ ସୂଚନା ଦେବା ଏବଂ ଟିକାକରଣ କେନ୍ଦ୍ରମାନଙ୍କରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ କୋଭିଡ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି। ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କ ଠାରୁ ଅଧିକ ରହୁଛି। ଗତ ସପ୍ତାହରୁ କେତେକ ଜିଲ୍ଲାରେ ସଂକ୍ରମଣ କମିବା ମଧ୍ୟ ଆରମ୍ଭ କରିଛି। ରାଜ୍ୟରେ ପଜିଟିଭ୍ ହାର ମଧ୍ୟ କମିଛି। ଏସବୁ ପାଇଁ ଶ୍ରେୟ ଲକ୍‌ଡାଉନ ଓ ଲୋକଙ୍କ ମଧ୍ୟରେ ସଚେତନତାକୁ ଯିବ। ସଂକ୍ରମଣ ହାରକୁ ସଂପୂର୍ଣ୍ଣ କମାଇବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ ଅବଧିକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିଛନ୍ତି। ଯଦି ସମସ୍ତେ କୋଭିଡ ନିୟମ ମାନି ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲିବା ବନ୍ଦ କରିଦେବା, ତେବେ ଆମେ ନିଶ୍ଚୟ ଏହି ଲଢେଇ ଜିତିପାରିବା। ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ କୋଭିଡ୍‌ ଯୋଗୁ ଅନେକ ପରିବାର ଛାରଖାର ହୋଇଯାଇଛି। ତେଣୁ କୋଭିଡ୍‌ ମୃତକଙ୍କ ବିଧବା ଏବଂ ବାପା-ମା’ଙ୍କୁ ହରାଇଥିବା ପିଲାମାନେ ଯେପରି ତୁରନ୍ତ ସହାୟତା ପାଇପାରିବେ, ସେଥିପାଇଁ ତୁରନ୍ତ ପଦକ୍ଷେପ ନିଆଯିବା ଦରକାର। ସେହିପରି ଏଥିରେ ପଞ୍ଚାୟତ ଓ ଗାଁ କଲ୍ୟାଣ ସମିତି ମାନଙ୍କୁ ସକ୍ରିୟ ଭାବେ ସାମିଲ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। କୋଭିଡ୍‌ରେ ପୀଡିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସଂପର୍କୀୟ ରୋଗୀଙ୍କ ଅବସ୍ଥା ସଂପର୍କରେ ଯେପରି ସଠିକ ସୂଚନା ପାଇପାରିବେ, ସେକଥା ଜିଲ୍ଲାପାଳ ଦେଖିବେ। ସେଥିପାଇଁ ହେଲ୍ପ ଡେସ୍କ ବ୍ୟବସ୍ଥାରେ ଉନ୍ନତି ଆଣିବା ସହିତ ନିୟୋଜିତ କର୍ମଚାରୀମାନଙ୍କୁ ମାନବିକ ଦୃଷ୍ଟିଭଙ୍ଗୀ ନେଇ କାର୍ଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଟିକାକରଣ କୋଭିଡ୍‌ ନିୟନ୍ତ୍ରଣ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଟିକାକରଣ କେନ୍ଦ୍ର ମାନଙ୍କରେ ସାମାଜିକ ଦୂରତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଲୋକମାନେ ଯେପରି ସୁବିଧାରେ ଟିକାକରଣ କେନ୍ଦ୍ରରେ ପହଞ୍ଚି ଟିକା ନେଇପାରିବେ, ସେଥିପାଇଁ ସେମାନଙ୍କୁ ଟିକାକରଣ କେନ୍ଦ୍ରର ସ୍ଥାନ ଓ ସମୟ ସଂପର୍କରେ ପୂର୍ବରୁ ସୂଚନା ଦେବା ପାଇଁ ପରାମର୍ଶ ଦେଇଥିଲେ। କୋଭିଡ ସଂକ୍ରମଣ ରୋକିବାରେ ଠିକ୍‌ ଭାବରେ ମାସ୍କ ପିନ୍ଧିବାର ବିଶେଷ ଗୁରୁତ୍ବ ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହା ଉପରେ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ। ଗରିବ ଲୋକମାନେ ଯେପରି ସୁବିଧାରେ ମାସ୍କ ପାଇପାରିବେ, ସେଥିପାଇଁ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଧାୟକମାନେ ଖର୍ଚ୍ଚ କରି ମିସନ ଶକ୍ତି ଗୃପରୁ ସଂଗ୍ରହ କରିବାକୁ ପଦଷେପ ନିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମଇ ୨୪ ତାରିଖରୁ ଘରକୁ ଘର ସର୍ଭେ ଆରମ୍ଭ କରାଯିବ। ଏଥିପାଇଁ ସଂପୃକ୍ତ ବିଭାଗକୁ ଆବଶ୍ୟକ ଗାଇଡଲାଇନ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର କୋଭିଡ ପରିସ୍ଥିତି ଉପରେ ଉପସ୍ଥାପନା ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଥିଲେ ଯେ ସାରା ଦେଶରେ ବର୍ତ୍ତମାନ କୋଭିଡ ସଂକ୍ରମଣ କମିବାରେ ଲାଗିଛି। ଭାରତରେ ମଇ ୮ ତାରିଖରେ ଏହା ସର୍ବାଧିକ (ପିକ୍‌) ୪ଲକ୍ଷ୧୪ ହଜାର ୧୮୮ ହୋଇଥିଲା। ଆଜି ଏହା ୨ଲକ୍ଷ ୬୩ ହଜାର ୨୧ ଅଛି। ସେହିପରି ଓଡିଶାରେ ମଧ୍ୟ ସଂକ୍ରମଣ କମିବାରେ ଲାଗିଛି। ଓଡିଶାରେ ସଂକ୍ରମଣ ମଇ ୧୩ ତାରିଖରେ ସର୍ବାଧିକ ହୋଇଥିଲା ଏବଂ ତା ପରଠାରୁ ଏହା କମିବାରେ ଲାଗିଛି। ରାଜ୍ୟରେ ପଜିଟିଭିଟି ହାର ଗତ ସପ୍ତାହରେ ୨୧ ପ୍ରତିଶତ ଥିବାବେଳେ ଏବେ ଏହା ୧୮ ପ୍ରତିଶତକୁ କମିଛି। ଟେଷ୍ଟ ସଂଖ୍ୟା ବୃଦ୍ଧି ପାଇବା ସତ୍ତ୍ବେ, ପଜିଟିଭିଟି କମିବା ଏକ ଭଲ ସୂଚନା ବୋଲି ସେ କହିଥିଲେ। ସେହିଭଳି ମୃତ୍ୟୁହାର ୦.୪୦ରୁ କମି ୦.୩୭ ହୋଇଛି। ଗତ ୧୫ ଦିନର ମୃତ୍ୟୁହାରକୁ ଲକ୍ଷ୍ୟ କଲେ ଏହା ୦.୧୬ ଅଛି, ଯାହାକି ସାରା ଭାରତରେ ସର୍ବନିମ୍ନ ବୋଲି ସେ କହିଥିଲେ । ରାଜ୍ୟରେ ଖୁବ୍‌ଶୀଘ୍ର ଆଉ ୩୬୮ଟି ଆଇସିୟୁ ବେଡ୍‌ର ବ୍ୟବସ୍ଥା କରାଯିବ।
ପୁଲିସ ମହାନିର୍ଦ୍ଦେଶକ ଅଭୟ କହିଥିଲେ ଯେ ଓଡିଶାରୁ ଅନ୍ୟ ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ୮୬୮ଟି ଟ୍ୟାଙ୍କର ଜରିଆରେ ୧୫୯୧୨ ମେଟ୍ରିକ ଟନ୍‌ ଅକ୍‌ସିଜେନ ପଠାଯାଇଛି। ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଏମ୍‌. ଅକ୍ଷୟ କହିଥିଲେ ଯେ ଅଗ୍ନି ସୂରକ୍ଷା ପାଇଁ ୬୨ଟି କୋଭିଡ ହସ୍‌ପିଟାଲରେ ଅଗ୍ନିଶମ ସେବା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ବୈଠକରେ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ପର୍ଯ୍ୟବେକ୍ଷକ ନିକୁଞ୍ଜ ବିହାରି ଧଳ, କଳାହାଣ୍ଡି-ନୂଆପଡାର ପର୍ଯ୍ୟବେକ୍ଷକ ସତ୍ୟବ୍ରତ ସାହୁ, ଅନୁଗୁଳ-ଢେଙ୍କାନାଳର ପର୍ଯ୍ୟବେକ୍ଷକ ବିଷ୍ଣୁପଦ ସେଠୀ, ଅନୁଗୁଳ, କେନ୍ଦୁଝର ଓ ମୟୁରଭଞ୍ଜର ଜିଲ୍ଲାପାଳ, କଟକ ଓ ଭୁବନେଶ୍ବର ମ୍ୟୁନିସପାଲ କମିସନରମାନେ ସେମାନଙ୍କ ଜିଲ୍ଲାରେ କୋଭିଡ ପରିଚାଳନା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ସଂଚାଳନ କରିଥିଲେ।

Share Now:

Kalinga News Beuro

Next Post

ରାଜଧାନୀରେ ମିଳୁନି ଆଇସିୟୁ‌ ଓ ଭେଣ୍ଟିଲେଟର ଶଯ୍ୟା: ଆଇସିୟୁ ନ ପାଇ ଆକ୍ରାନ୍ତ ମରୁଛନ୍ତି

Wed May 19 , 2021
ଆଇସିୟୁ ଶଯ୍ୟା ହିସାବ ଦେବାକୁ ନାରାଜ ବିଏମସି ଭୁବନେଶ୍ବର: ରାଜଧାନୀରେ ଏବେ ପ୍ରତିଦିନ ହଜାରେରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨୭୩ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କର ପ୍ରାୟ ୮୫% ଗୃହ ସଙ୍ଗରୋଧରେ ଥିଲେ ବି ହଠାତ୍ ଅକ୍ସିଜେନ୍ ମାତ୍ରା କମିଯାଉଥିବାରୁ ବହୁ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। କିନ୍ତୁ ହସ୍ପିଟାଲରେ ଏବେ ଆଇସିୟୁ ଓ ଭେଣ୍ଟିଲେଟର ଶଯ୍ୟା ନାହିଁ। ସବୁ ଭର୍ତ୍ତି ହୋଇଯାଇଛି। ଯେଉଁଥିପାଇଁ […]
ରାଜଧାନୀରେ ମିଳୁନି ଆଇସିୟୁ‌ ଓ ଭେଣ୍ଟିଲେଟର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial