ମହାଖଳାରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ: ଆଜି ସ୍ୱର୍ଣ୍ଣାଦ୍ରି ବିଜେ

 

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଆଜି ମହାଖଳାରେ ଲାଗିଛି। ଅପରାହ୍‌ଣରେ ଗୋସାଗରେଶ୍ୱର ଛକ ନିକଟରୁ ବାହାରି ତିନିମୁଣ୍ଡିଆ ଛକ, ବଡ଼ ଦାଣ୍ଡ, ସାହି ଓ ବଢ଼େଇବାଙ୍କ ଦେଇ ମହାପ୍ରଭୁଙ୍କ ରଥ ମହାଖଳାରେ ପହଞ୍ଚିଥିଲା। ଆଜି ଯାତ୍ରାର ଛ’ଦିନ ପଡ଼ୁଥିବାରୁ ଠାକୁର ମନ୍ଦିରକୁ ପ୍ରବେଶ କରିନଥିଲେ। ଦେବଦେବୀ ରଥରେ ରହିଥିଲେ। ଆସନ୍ତାକାଲି ସନ୍ଧ୍ୟାରେ ପାରମ୍ପରିକ ବାଦ୍ୟ ନୃତ୍ୟରେ ଠାକୁରଙ୍କ ସ୍ୱର୍ଣ୍ଣାଦ୍ରି ବିଜେ ଅନୁଷ୍ଠିତ ହେବ। ଆଜି ଅପରାହ୍‌ଣ ପ୍ରାୟ ୩ଟାରୁ ରଥଟଣା ଆରମ୍ଭ ହୋଇଥିଲା। ହର ହର ମହାଦେବ, ଜୟ ଶ୍ରୀ ଲିଙ୍ଗରାଜ, ଓଁ ନମଃ ଶିବାୟ, ହରିବୋଲ, ହୁଳହୁଳି ସାଙ୍ଗକୁ ସମର୍ଥକଙ୍କ ଘଣ୍ଟଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ରଥ ଦାଣ୍ଡ। ଆଧ୍ୟାତ୍ମିକ ପରିବେଶରେ ଆନନ୍ଦ ଉଲ୍ଲାସରେ ଶ୍ରଦ୍ଧାଳୁମାନେ ରଥକୁ ଟାଣି ନେଇଥିଲେ। ସନ୍ଧ୍ୟା ୫ଟା ୫୫ରେ ରଥ ମହାଖଳାରେ ଲାଗିଥିଲା। ପରେ ଚାରମାଳ ବନ୍ଧାଯିବା ସହ ରଥରେ ଦୁଇପାର୍ଶ୍ୱରେ ଲୁହା ଶିଡ଼ି ଲଗା ଯାଇଥିଲା। ଶହ ଶହ ଭକ୍ତ ରଥ ଉପରେ ଚଢ଼ି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଆଜି ରଥରେ ଚାରମାଳ ମଧ୍ୟ ଦେଇ ରଥ ଉପରକୁ ଯାଉଥିବା ବେଳେ ଲୁହା ଶିଡ଼ି ପଟେ ଓହ୍ଲାଇବା ଦେଖିବାକୁ ମିଳିଥିଲା। ଧାଡ଼ି ବାନ୍ଧି ଶ୍ରଦ୍ଧାଳୁମାନେ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ତେବେ ଶିଡ଼ି ସୁବିଧା ଥିବାରୁ ବହୁ ଭକ୍ତ ରଥ ଉପରକୁ ଚଢ଼ି ଦର୍ଶନ କରିଥିଲେ। ରଥ ପ୍ରତ୍ୟାବର୍ତନ ବେଳେ ଆଜିି ତିନିମୁଣ୍ଡିଆଠାରେ ପହଞ୍ଚିବା ବେଳକୁ ପ୍ରଥମେ ବ୍ରାହ୍ମଣ ନିଯୋଗ ପକ୍ଷରୁ ଦେବଦେବୀଙ୍କୁ ପଣା ଭୋଗ ଲାଗି କରାଯାଇଥିଲା। ସେହିପରି ବଡ଼ଦାଣ୍ଡ ସାହିଠାରେ ପୂଜାପଣ୍ଡା ନିଯୋଗ ପକ୍ଷରୁ ପଣା ଭୋଗ କରାଯାଇଥିଲା। ଶେଷରେ ରଥ ବଢ଼େଇବାଙ୍କ ଛକଠାରେ ପହଞ୍ଚିବା ବେଳେ ବଡ଼ୁ ନିଯୋଗ ପକ୍ଷରୁ ମହାପ୍ରଭୁଙ୍କୁ ପଣା ଭୋଗ ଲାଗି ହୋଇଥିଲା।

ରାଗରେ ରଥ ଭାଙ୍ଗିଲେ ମା’ ପାର୍ବତୀ
ରଥଯାତ୍ରାରେ ସାଙ୍ଗରେ ନ ନେବା ରାଗରେ ମା’ ପାର୍ବତୀ ଆଜି ରୁକୁଣା ରଥ ଭାଙ୍ଗିଥିଲେ। ମା’ ଆଜି ସେବାୟତଙ୍କ ଗହଣରେ ଆସିଥିଲେ। ରଥ ବଢ଼େଇବାଙ୍କ ଛକ ଗୋପଳ ତୀର୍ଥ ମଠ ନିକଟରେ ପହଞ୍ଚିବା ବେଳକୁ ପାଲିଙ୍କିରେ ଆସିଥିଲେ ମା’ ପାର୍ବତୀ। ସେବାୟତଙ୍କ ଗ୍ରହଣରେ ରଥ ପରିକ୍ରମା କରିବା ପରେ ରାଗରେ ମା’ ରଥର ଏକ କାଠକୁ ଭାଙ୍ଗିଥିଲେ।

ଚାହାଣି ମଣ୍ଡପରୁ ଭେଟ ଆଳତି
ଆଜି ରାତି ପ୍ରାୟ ସାଢ଼େ ୧୦ଟା ବେଳକୁ ଦେବଦେବୀଙ୍କ ଭେଟ ଆଳତି ହୋଇଥିଲା। ରଥରେ ମହାପ୍ରଭୁ ଥିବା ବେଳେ ମନ୍ଦିରର ଚାହାଣି ମଣ୍ଡପରେ ଥିଲେ ମା’ ପାର୍ବତୀ। ଗୋଟିଏ ସମୟରେ ଉଭୟ ସ୍ଥାନରେ ମା’ ପାର୍ବତୀ ଓ ଶ୍ରୀଲିଙ୍ଗରାଜଙ୍କ ଭେଟ ଆଳତି କରାଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ଏମ୍‌ଭିଆଇ ଯାଞ୍ଚ ବେଳେ ଦୁର୍ଘଟଣା : ହୋମ୍‌ଗାର୍ଡଙ୍କ ସମେତ ୨ ମୃତ

Fri Mar 30 , 2018
ଭଦ୍ରକ : ଭଦ୍ରକର ଚରମ୍ପା ରେଳ ଓଭରବ୍ରିଜ ନିକଟରେ ଆଜି ଏମ୍‌ଭିଆଇ ଟିମ୍‌ର ଗାଡ଼ି ଯାଞ୍ଚ ବେଳେ ଟ୍ରକ ଧକ୍କା ଦେବାରୁ ଜଣେ ହୋମଗାର୍ଡଙ୍କ ସମେତ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡ ହେଲେ ଅକ୍ଷୟ ଉପାଧ୍ୟାୟ (୪୪)। ଅନ୍ୟ ମୃତକ ଜଣକ ହେଲେ ଜଣେ ଟ୍ରକ ଚାଳକ। ତାଙ୍କ ନାଁ ପ୍ରଶାନ୍ତ ପଣ୍ଡା (୪୫)। ଏହି ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଟ୍ରକ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial