ଆଜି ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା : ଚାପଡ଼ଙ୍ଗା କଣା, ବିନ୍ଦୁସାଗର ଦଳଭର୍ତି

ଭୁବନେଶ୍ୱର: ଆସନ୍ତାକାଲି ଶୁକ୍ରବାର ଅକ୍ଷୟ ତୃତୀୟା। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ। ଏହି ଅବସରରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବ ବିନ୍ଦୁସାଗରରେ ଚାପ ଖେଳିବା ବିଧି ରହିଛି। ତେବେ ସେବାୟତଙ୍କ ବିବାଦ ଯୋଗୁଁ ଦୀର୍ଘ ୯ବର୍ଷ ହେଲା କପିଳନାଥ ମହାପ୍ରଭୁଙ୍କର ବିନ୍ଦୁସାଗରକୁ ଆସିବା ହେଉନାହିଁ, ଯଦିଓ ତାଙ୍କ ଆଗମନ ମୂଳ ପରଂପରାର ଅଂଶବିଶେଷ। ତେବେ ଚନ୍ଦନ ଯାତ୍ରା ପାଇଁ ଆସନ୍ତାକାଲି ଶ୍ରୀଲିଙ୍ଗରାଜ ମନ୍ଦିରରେ ସମସ୍ତ ନୀତିକାନ୍ତି ସମାପନ କରାଯାଇ ଦେବଦେବୀମାନେ ବାହାରିବେ। ସେମାନେ ବିନ୍ଦୁସାଗର ବ୍ରହ୍ମାଘାଟକୁ ଯିବେ। ସେଠାରେ ଚାପଡଙ୍ଗାରେ ପ୍ରଥମେ ପୂଜାପଣ୍ଡା ସେବାୟତ ଛେରାପହଁରା କରିବେ, ଏହାପରେ ପାଳିଆ ବଡ଼ୁ ସେବାୟତ ଠାକୁରଙ୍କୁ ମଣେଇବା ପରେ ଦେବଦେବୀ ଚାପଡଙ୍ଗାର ସିଂହାସନରେ ବସିବେ। ସମ୍ମୁଖ ସିଂହାସନରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଓ ମା’ ଦୁର୍ଗା ବସିବେ। ସେହିପରି ଦୁଇକଡରେ ଥିବା ସିଂହାସନରେ ବାସୁଦେବ ବସି ଯାତ୍ରା କରିବେ। ସେମାନେ ପୁଷ୍କରିଣୀରେ ଚାପ ଖେଳି ୨୨ଦିନ ଧରି ମଠଘାଟରେ ଭୋଗ ଖାଇବେ। ତେବେ ଅକ୍ଷୟ ତୃତୀୟା ଦିନ ମହନୀଘାଟରେ ଭୋଗ ଖାଇବେ। ଏହାପରେ ୮ଘେରା ଭଉଁରି ଖେଳି ଜଗତିକୁ ଯିବେ। ସେଠାରେ ନୀତିପୂଜା କରାଯାଇ ଠାକୁରମାନେ ଚନ୍ଦନ ପାଣିରେ ବୁଡିବେ। ତା’ପରେ ଜଗତିରୁ ବାହାରି ଜଗତି ଚାରିପଟେ ଡଙ୍ଗାରେ ଭଉଁରି ଖେଳି ଫେରିବେ।
ଗଲା ୫ଦିନ ଧରି ଚାପଡ଼ଙ୍ଗା ପ୍ରସ୍ତୁତି ଚାଲିଛି। ମହାରଣା ସେବାୟତମାନେ ସେ କାମରେ ଲାଗିଛନ୍ତି। ଆଜି ଚାପଡ଼ଙ୍ଗା ପ୍ରସ୍ତୁତି ସରିବା ପରେ ସିଂହାସନ ଲାଗିବା ପୂର୍ବରୁ ଚାପଡ଼ଙ୍ଗାକୁ ପରୀକ୍ଷା କରାଯାଇଥିଲା। ମହାରଣା ସେବାୟତ ଡଙ୍ଗାକୁ ଜଗତି ନିକଟକୁ ନେଇଥିଲେ। ଜଗତିକୁ ଯିବା ପୂର୍ବରୁ ଡଙ୍ଗାରୁ ପାଣି ବାହାର କରି ଡଙ୍ଗା ଚଳାଇଥିଲେ। ହେଲେ କିଛି ବାଟ ଯିବାପରେ ଡଙ୍ଗାରେ ପୁଣି ପାଣି ପଶିଥିଲା। ଏପରି ଡଙ୍ଗା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। କାରଣ ମହାପ୍ରଭୁଙ୍କ ଚାପଖେଳ ବେଳେ ଏହି ପାଣି ସମସ୍ୟା କରିବ। ଚାପଡ଼ଙ୍ଗା ଠିକଣା ଭାବେ ତିଆରି ହୋଇନଥିବାରୁ ଏପରି ହୋଇଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏକାମ୍ର ଜନ ଜାଗରଣ ମଞ୍ଚ ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି, ‘‘ଏପରି କଣାଡ଼ଙ୍ଗାରେ କୌଣସି ଅଘଟଣ ହୋଇପାରେ। ଏଥିପାଇଁ ପ୍ରଶାସନ କିଛି ଗୁରୁତ୍ବ ଦେଉନି କି ନଜର ରଖୁନାହିଁ। ଡଙ୍ଗା ପ୍ରସ୍ତୁତି ବେଳେ ପରୀକ୍ଷା କରାଯାଉ ନାହିଁ। ରାତି ପାହିଲେ ଚନ୍ଦନ ଯାତ୍ରା ଥିବାରୁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ଉଚିତ।’’ ସେହିପରି ବ୍ରାହ୍ମଣ ନିଯୋଗ ସମ୍ପାଦକ କହିଲେ, ‘‘ଗତବର୍ଷ ମଧ୍ୟ ଏପରି ଡଙ୍ଗାରେ କଣା ହୋଇଥିଲା। ଡଙ୍ଗାକୁ ଠିକଣା ଭାବେ ରଖା ନଯିବାରୁ ଏପରି ଅବସ୍ଥା ହେଉଛି। ପାଣିରେ ବୁଡ଼ି ରହିବାରୁ ଡଙ୍ଗା ଖତ ଖାଉଛି।’’ ତେବେ ଏନେଇ ମହାରଣା ସେବାୟତଙ୍କ ମତ ହେଉଛି, ‘‘ଡଙ୍ଗାରେ ମାତ୍ର ୫ ଆଙ୍ଗୁଳି ପାଣି ବାହାରୁଛି। ଏନେଇ କୌଣସି ଅସୁବିଧା ହେବନାହିଁ।’’ ସେମିତି ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କହିଲେ, ‘‘ଏଥିପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ।’’
 ଚନ୍ଦନକୁଣ୍ଡରେ ବୁଡ଼ିବେ ଠାକୁର
ଦେବଦେବୀ ଚାପଖେଳି ଜଗତିକୁ ଯିବେ। ସେଠାରେ ପ୍ରସ୍ତୁତ ଥିବା ସୁଗନ୍ଧିତ ଚନ୍ଦନକୁଣ୍ଡରେ ବୁଡ଼ିବେ। ଚନ୍ଦନ, ଅଗୁରୁ, କର୍ପୁର, ମଲ୍ଲୀଫୁଲ, ଚମ୍ପାଫୁଲ ପକାଯାଇ ସେ କୁଣ୍ଡର ଜଳକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରା ଯାଇଥିବ। ନିଜ ଦେହର ଶୀତଳତା ପାଇଁ ଠାକୁରମାନେ ସେଥିରେ ବେକ ପର୍ଯ୍ୟନ୍ତ ବୁଡ଼ି ରହିବେ। ସେଠାରେ ଗୋଟିଏ କୁଣ୍ଡରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ବୁଡ଼ିବା ବିଧି ରହିଥିବା ବେଳେ ବାସୁଦେବ ସ୍ୱତନ୍ତ୍ର ଗୋଟିଏ କୁଣ୍ଡରେ ବୁଡ଼ିବେ। ତା’ପରେ ଠାକୁରମାନେ କୁଣ୍ଡରୁ ବାହାରି ପୁଣି ଚାପଖେଳକୁ ପ୍ରତ୍ୟାବର୍ତନ କରିବେ। ଅସହ୍ୟ ଗରମ ଓ ଗୁଳୁଗୁଳି କାରଣରୁ ମହାପ୍ରଭୁ ଏହି ଚନ୍ଦନ ଯାତ୍ରା କରିଥାନ୍ତି ବୋଲି କିମ୍ୱଦନ୍ତି ରହିଛି। ସେହିପରି ଏହାର କିଛିଦିନ ପୂର୍ବରୁ ପଡୁଥିବା ରୁକୁଣା ରଥଯାତ୍ରାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ରଥଯାତ୍ରା ସାରି ମନ୍ଦିରକୁ ଫେରିବା ବେଳେ ତାଙ୍କୁ ଯାତ୍ରାରେ ନେଇ ନଥିବା କାରଣରୁ ମା’ ପାର୍ବତୀ ‌ରୋଷକରି ମନ୍ଦିରର କବାଟ ବନ୍ଦ କରିବାର ବିଧି ରହିଛି। ଉଭୟଙ୍କ ଭିତରେ ଏହି କାରଣରୁ ବଚନିକା ହୁଏ। ତେବେ ମହାପ୍ରଭୁଙ୍କ ନିକଟରୁ ଚନ୍ଦନ ଯାତ୍ରାର ପ୍ରତିଶ୍ରୁତି ପାଇବା ପରେ ମା’ ପାର୍ବତୀ କବାଟ ଖୋଲି ତାଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଦିଅନ୍ତି। ଚନ୍ଦନ ଯାତ୍ରା ଏହି କାରଣରୁ ଅନୁଷ୍ଠିତ ହୁଏ।
 ରଥଦାଣ୍ଡରେ ଆମିଷ ବାରଣ
୨୨ଦିନ ପର୍ଯ୍ୟନ୍ତ ଠାକୁରଙ୍କ ଚନ୍ଦନ ଯାତ୍ରା ବେଳେ ବଡ଼ଦାଣ୍ଡରେ କେହି ଆମିଷ ବିକ୍ରି କରି ପାରିବେନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ମାଇକ୍‌ ଯୋଗେ ପ୍ରଚାର କରାଯାଇଛି।
 ଅଧା ବିନ୍ଦୁସାଗର ଦଳଭର୍ତି
ଚନ୍ଦନଯାତ୍ରାକୁ ଆଖି ଆଗରେ ରଖି ବିଏମ୍‌ସି ପକ୍ଷରୁ ବିନ୍ଦୁସାଗରରୁ ଦଳ ସଫା କରାଯାଇଛି। ଏଥିସହ ଜଗତିକୁ ମଧ୍ୟ ସଫା କରାଯାଇଛି। ପ୍ରାପ୍ତ ସୂଚନାଅନୁସାରେ, ବିଏମ୍‌ସି ପକ୍ଷରୁ ବିନ୍ଦୁସାଗରରୁ ଦଳକଢ଼ା ପାଇଁ ଓ ଜଗତକୁ ସଫା କରିବାକୁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରା ଯାଇଛି। ହେଲେ ଚାପଡ଼ଙ୍ଗା ଯିବା ସ୍ଥାନ ଓ ଜଗତି ଚାରିପଟେ ହିଁ ଦଳ ସଫା କରାଯାଇଛି। ବିନ୍ଦୁସାଗରର ଉତ୍ତର ପାର୍ଶ୍ବରେ ଥିବା ଉତ୍ତରେଶ୍ବର ଘାଟ ଓ ଏକାମ୍ରବନ ଘାଟ ଏବେ ବି ଦଳରେ ପୋତି ହୋଇ ରହିଛି।

Share Now:

Kalinga News Beuro

Next Post

ପୁଲିସ୍‌ ହେପାଜତରେ ଗଲେ ବିଜେପି ନେତା ଜି ଦେବରାଜେ ଗୌଡ଼

Sat May 11 , 2024
ନୂଆଦିଲ୍ଲୀ: ଜେଡି (ଏସ) ସାଂସଦ ପ୍ରଜ୍ଜ୍ବଳ ରେବନ୍ନାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ବିଜେପି ନେତା ଜି ଦେବରାଜେ ଗୌଡ଼ଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଗିରଫ କରାଯାଇ ପୁଲିସ୍‌ ହେପାଜତରେ ନିଆଯାଇଛି। ସେ ବେଙ୍ଗାଲୁରୁରୁ ଚିତ୍ରଦୂର୍ଗା ଅଭିମୁଖେ ଯାତ୍ରା କରୁଥିବା ବେଳେ ତାଙ୍କୁ ମଧ୍ୟ ‌‌ଯୌନ ଶୋଷଣ ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ରହିଛି। ଜଣେ ୩୬ ବର୍ଷୀୟା ମହିଳା ଜି ଦେବରାଜେଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ […]
ପୁଲିସ୍‌ ହେପାଜତରେ ଜି ଦେବରାଜେ ଗୌଡ଼

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial