ଏମ୍‌ଭିଆଇ ଯାଞ୍ଚ ବେଳେ ଦୁର୍ଘଟଣା : ହୋମ୍‌ଗାର୍ଡଙ୍କ ସମେତ ୨ ମୃତ

ଭଦ୍ରକ : ଭଦ୍ରକର ଚରମ୍ପା ରେଳ ଓଭରବ୍ରିଜ ନିକଟରେ ଆଜି ଏମ୍‌ଭିଆଇ ଟିମ୍‌ର ଗାଡ଼ି ଯାଞ୍ଚ ବେଳେ ଟ୍ରକ ଧକ୍କା ଦେବାରୁ ଜଣେ ହୋମଗାର୍ଡଙ୍କ ସମେତ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡ ହେଲେ ଅକ୍ଷୟ ଉପାଧ୍ୟାୟ (୪୪)। ଅନ୍ୟ ମୃତକ ଜଣକ ହେଲେ ଜଣେ ଟ୍ରକ ଚାଳକ। ତାଙ୍କ ନାଁ ପ୍ରଶାନ୍ତ ପଣ୍ଡା (୪୫)। ଏହି ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଟ୍ରକ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ହଠାତ୍‌ ୪ଟି ଟ୍ରକ୍‌ ପରସ୍ପର ମଧ୍ୟରେ ଧକ୍କା ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ସୂଚନା ମୁତାବକ ଭଦ୍ରକ ଏମ୍‌ଭିଆଇ ଗୋପାଳ ଦାସ ଆଜି ସକାଳ ୬ଟା ବେଳେ ଚରମ୍ପା ରେଳ ଓଭରବ୍ରିଜ ନିକଟରେ ଗାଡି ଯାଞ୍ଚ କରୁଥିଲେ। ଯାଞ୍ଚ ଟିମ୍‌କୁ ଦେଖି ଜାତୀୟ ରାଜପଥରେ ଯାଉଥିବା କିଛି ଦ୍ରୁତଗାମୀ ଟ୍ରକ୍‌ ଖସିଯିବାକୁ ଉଦ୍ୟମ କରିବା ବେଳେ ଭାରସାମ୍ୟ ହରାଇ ପରସ୍ପର ସହ ଧକ୍କା ଖାଇଥିଲେ। ଏକ ଟ୍ରକ ଏମଭିଆଇ ଚେକିଂ ଡ୍ୟୁଟିରେ ଥିବା ହୋମଗାର୍ଡ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲଟୁଆ ପଞ୍ଚାୟତ ଅନ୍ତର୍ଗତ ବଗମରା ଗ୍ରାମର ଅକ୍ଷୟଙ୍କ ଉପରେ ମାଡିଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେମିତି ଦୁର୍ଘଟଣାରେ ଅନ୍ୟ ଏକ ଟ୍ରକର ଚାଳକ ବାସୁଦେବପୁର ଇରମର ବାସିନ୍ଦା ପ୍ରଶାନ୍ତଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଟ୍ରକର ଅଣଓଡିଆ ଡ୍ରାଇଭର ବିରଞ୍ଚି କିଶୋର ରାୟ ଓ ଲକ୍ଷ୍ମଣ ବିନ୍ଧାଣି ଗୁରୁତର ହୋଇଛନ୍ତି। ଦୁହିଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ଦେଖି ଏମଭିଆଇ ଶ୍ରୀ ଦାସ ଘଟଣାସ୍ଥଳରୁ ଲୁଚିି ପଳାଇଥିଲେ।

ଏମଭିଆଇ ଯାଞ୍ଚ ପାଇଁ ଦୁର୍ଘଟଣା ହେଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରି ଏମଭିଆଇଙ୍କୁ ତୁରନ୍ତ ଗିରଫ କରିବା, ମୃତକ ପରିବାରକୁ କ୍ଷତିପୂରଣ ଓ ହୋମଗାର୍ଡଙ୍କ ପରିବାରରୁ ଜଣଙ୍କୁ ଚାକିରି ଦାବିରେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ। ଭଦ୍ରକ ଟାଉନ ଓ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ। ମୃତ ହୋମଗାର୍ଡଙ୍କ ପରିବାରଙ୍କୁ ଜିଲ୍ଲା ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଲକ୍ଷେ ଟଙ୍କାର ସହାୟତା ପ୍ରଦାନ ପାଇଁ ସୁପାରିଶ କରିଛି ପ୍ରଶାସନ। ମୃତ ହୋମ୍‌ଗାର୍ଡଙ୍କ ପରିବାରରୁ ଜଣଙ୍କୁ ଚାକିରି ଦିଆଯିବ ବୋଲି ଭଦ୍ରକ ଏସପି ପ୍ରତିଶ୍ରୁତି ଦେଇଛନ୍ତି। ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ମୃତ ଡ୍ରାଇଭର ଓ ହୋମଗାର୍ଡଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଭଦ୍ରକ ଟାଉନ ପୁଲିସ ଏମଭିଆଇ ଶ୍ରୀ ଦାସଙ୍କୁ ଥାନାକୁ ଡକାଇ ପଚରା ଉଚରା ଜାରି ରଖିଛି।

Share Now:

Kalinga News Beuro

Leave a Reply

Next Post

ଛାଡିଲେ ହାତ ,ଧରିବେ ଶଙ୍ଖ :ଚନ୍ଦ୍ରଶେଖର, ବିକ୍ରମ, ଭଗବାନ

Fri Mar 30 , 2018
ବ୍ରହ୍ମପୁର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଏଆଇସିସି ସଦସ୍ୟ ତଥା ପିସିସି ସାଧାରଣ ସଂପାଦକ ବିକ୍ରମ କୁମାର ପଣ୍ଡା ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ ନିଜ ସମର୍ଥକଙ୍କ ସହ ଆଜି ବିଧିବଦ୍ଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେମାନେ ଆଜି ସଂଧ୍ୟାରେ ଏଆଇସିସି ଅଧ୍ୟକ୍ଷ ଓ ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଦୀର୍ଘ ୪୦ ବର୍ଷ କଂଗ୍ରେସରେ ରହି ଆସିଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial