କଳ୍ପନା ଛକରୁ ରବି ଟକିଜ୍‌: ଭୟଙ୍କର ଟ୍ରାଫିକ୍‌ ସମସ୍ୟା

କଳ୍ପନା ଛକରୁ ରବି ଟକିଜ୍‌

ପୁରୁଣା ଭୁବନେଶ୍ୱର : କଳ୍ପନାରୁ ରବି ଟକିଜ୍‌, ମାଉସୀ ମା’ ଛକରୁ କଳ୍ପନା, ନାଗେଶ୍ବର ଟାଙ୍ଗୀ ଅଞ୍ଚଳ ଏବଂ କୋର୍ଟ ପଛ ପାଖ ସମସ୍ତ ଛୋଟ ବଡ଼ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା। ସକାଳ ୯ଟାରୁ ରାତି ୧୧ଟା ଯାଏ ଭିଡ଼ରୁ ଘଡ଼ିଏ ବି ଫୁରୁସତ୍‌ ମିଳୁନାହିଁ। ଉପଜିଲ୍ଲାପାଳ, ତହସିଲଦାର, ସବ୍‌ରେଜିଷ୍ଟ୍ରାର୍‌ ଅଫିସ୍‌ ଓ କୋର୍ଟକୁ କାମରେ ଆସୁଥିବା ଲୋକଙ୍କ ଗାଡ଼ି ସବୁ ମୁଖ୍ୟ ରାସ୍ତା ସହ ଗଳି କନ୍ଦି‌ରେ ଖୁନ୍ଦି ହୋଇ ଯାଉଛି। ଫଳରେ ଏଠାରେ ରହୁଥିବା ଲୋକେ ଘରୁ ଗାଡ଼ି ବାହାର କରି ପାରୁନାହାନ୍ତି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ବର୍ଷ ବର୍ଷ ଧରି ଟ୍ରାଫିକ୍‌ ସମସ୍ୟା ଲାଗି ରହୁଥିଲେ ହେଁ ସମସ୍ୟାର ସମାଧାନ ପାଇଁ ଯେମିତି କାହାର ଆନ୍ତରିକତା ନାହିଁ। ବିଜେବି କଲେଜ ସମ୍ମୁଖ ତଥା କୋର୍ଟ କୋଠାକୁ ଲାଗି ପୂର୍ବରୁ ଉପଜିଲ୍ଲାପାଳ, ତହସିଲଦାର ଓ ସବ୍‌ରେଜିଷ୍ଟ୍ରାର୍‌ଙ୍କ କାର୍ଯ୍ୟାଳୟ ଥିଲା। ଗୋଟିଏ ସ୍ଥାନରେ ସବୁ ଗୁରୁତ୍ବପୂର୍ଣ୍ଣ ଅଫିସ ଗୁଡ଼ିକ ଥିବାରୁ ଏଠରେ ପ୍ରବଳ ଗହଳି ଲାଗି ରହୁଥିଲା। ଏହାକୁ ଦୃଷ୍ଟିରେ ରଖି କୋର୍ଟ ନିକଟରୁ ଅନ୍ୟ ତିନୋଟି କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଯୋଜନା ହୋଇଥିଲା। ତେଣୁ ୨୦୧୮ ବେଳକୁ କୋର୍ଟ ନିକଟରୁ ଅନ୍ୟ ସମସ୍ତ ଅଫିସ୍‌କୁ ସ୍ଥାନ୍ତାନ୍ତର କରାଯିବା ସହ ନୂତନ କୋଟର୍ ବିଲ୍ଡିଂ ନିର୍ମାଣ ଆରମ୍ଭ ହୋଇଥିଲା। ସୂଚନା ଅନୁସାରେ, ପ୍ରାୟ ୯୦ କୋଟି ଟଙ୍କା‌ରେ ନୂଆ କୋର୍ଟ ବିଲ୍ଡିଂ ନିର୍ମାଣ ୨୦୧୮-୧୯ ମସିହାରୁ ଆରମ୍ଭ ହୋଇ ୨୦୨୦ ମସିହା ଡିସେମ୍ବରରେ ସରିବା କଥା। କିନ୍ତୁ ଏବେ ବି ୩୦ ପ୍ରତିଶତ କାମ ବାକି ଅଛି।
ଆଧା ରାସ୍ତା ଯାଏ ହେଉଛି ବେଆଇନ ଗାଡ଼ି ପାର୍କିଂ‌,କୋର୍ଟ ସମ୍ମୁଖରେ କାମ ଦେଉନି ଟ୍ରାଫିକ୍‌ ନିୟମ। ନୂତନ କୋର୍ଟ କୋଠା ନିର୍ମାଣ ହେବା ପରେ ଏଠାରେ ବସୁଥିବା ମୋହରିଅର, ଷ୍ଟାମ୍ପ ଭେଣ୍ଡର ପ୍ରମୁଖ କିଛି କୋର୍ଟ ପଛ ପାଖକୁ ଚାଲି ଯାଇଥିବା ବେଳେ କିଛି ରାସ୍ତା କଡ଼ରେ ଅସ୍ଥାୟୀ ଟେଣ୍ଟ ବାନ୍ଧି ବସୁଛନ୍ତି। କୋର୍ଟ କୋଠା ନିର୍ମାଣ ସରିଥିଲେ ଏହାର ପାର୍କିଂ ସ୍ଥାନରେ ଅନ୍ତତଃ ଆଇନଜୀବୀ, ପୁଲିସଙ୍କ ଗାଡ଼ି ସବୁ ରହି ଯାଇଥାନ୍ତା। କିନ୍ତୁ ତାହା ସମ୍ଭବ ହୋଇନାହିଁ। ଫଳରେ କୋର୍ଟକୁ ଆସୁଥିବା ଆଇନଜୀବୀ, ପୁଲିସ ଭ୍ୟାନ୍‌ ଓ ଶହ ଶହ ଲୋକ ରାସ୍ତାର ଦୁଇ କଡ଼ରେ ଗାଡ଼ି ରଖିବାକୁ ବାଧ୍ୟ ହେଉଛନ୍ତି। ମୁଖ୍ୟତଃ ପାନ୍ଥ ନିବାସଠାରୁ କଳ୍ପନା, ଅନ୍ୟପଟେ ଭଞ୍ଜ କଳାମଣ୍ଡପଠାରୁ ବିଜେବି କଲେଜ ଶେଷ ପର୍ଯ୍ୟନ୍ତ ଗାଡ଼ି ପାର୍କିଂ କରାଯାଉଛି। କିଛି ଅମାନିଆ ମଝି ରାସ୍ତାରେ ଗାଡ଼ି ଲକ୍‌ କରି ଚାଲି ଯାଉଛନ୍ତି। ଫଳରେ ବାକି ରହୁଥିବା ରାସ୍ତାରେ ଗୋଟିଏ ଚାରିଚକିଆ ଗାଡ଼ି ଯିବା ମଧ୍ୟ କଷ୍ଟକର ହୋଇ ଯାଉଛି। କୌତୁହଳର ବିଷୟ ହେଉଛି, କୋର୍ଟ ସମ୍ମୁଖ ହେଉଥିବାରୁ ଏଠି ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ବେଆଇନ ଗାଡ଼ି ପାର୍କିଂ ଭଳି କମିସନରେଟ୍‌ ପୁଲିସର ସବୁ ନିୟମ ଯେମିତି ଅକାମି ହୋଇଯାଇଛି। ଯିଏ ଯେତେ ସମସ୍ୟାରେ ପଡ଼ିଲେ କିମ୍ବା ଯେତେ‌ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରିବାକୁ ପ୍ରସ୍ତୁତ ନୁହନ୍ତି।
ଅନ୍ୟପଟେ ଏବେ ବିଏମ୍‌ସି ପୁରୁଣା ଅଫିସ୍‌ରେ ସବ୍‌ ରେଜିଷ୍ଟ୍ରାର୍‌ଙ୍କ କାର୍ଯ୍ୟାଳୟ ଏବଂ ଓଡ଼ିଶା ଆଡମିନ୍‌ଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ୍‌ କୋଠାରେ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ କାର୍ଯ୍ୟାଳୟ ଚାଲୁଛି। ତେଣୁ ଏହି ସବୁ କାର୍ଯ୍ୟାଳୟକୁ ଆସୁଥିବା ଲେକେ ପୁରୁଣା ବିଏମ୍‌ସି ଅଫିସ ସମ୍ମୁଖ, କୋର୍ଟ ପଛପାଖ ରାସ୍ତା ଏବଂ ନାଗେଶ୍ୱର ଟାଙ୍ଗୀ ଅଞ୍ଚଳରେ ଗାଡ଼ି ପାର୍କିଂ କରୁଥିବାରୁ ସଂପୂର୍ଣ୍ଣ ଅଞ୍ଚଳରେ ଟ୍ରାଫିକ୍‌ ଜାମ୍‌ ହେଉଛି। ତେବେ ଟ୍ରାଫିକ୍‌ ସମସ୍ୟାକୁ ଦୃଷ୍ଟିରେ ରଖି ନିର୍ମାଣାଧୀନ ନୂତନ କୋର୍ଟ ବିଲ୍ଡିଂ ସମ୍ମୁଖରେ ଥିବା ଖାଲି ସ୍ଥାନରେ ୪୦ କୋଟି ଟଙ୍କା ବ୍ୟୟରେ ଏକ ଭୂ-ତଳ ପାର୍କିଂ କାମ କରାଯାଉଛି। ଏହି କାମ ଆସନ୍ତା ୨୦୨୪ ମାର୍ଚ୍ଚରେ ସରିବ ବୋଲି ସୂଚନା ମିଳିଛି।

Share Now:

Kalinga News Beuro

Next Post

ଚନ୍ଦ୍ରପୃଷ୍ଠରେ ଚାଇନିଜ୍ ଓ ଭାରତୀୟ ରୋଭର ପରସ୍ପରକୁ ଭେଟିବାର ସମ୍ଭାବନା ଅଛି କି? ଆସନ୍ତୁ ଜାଣିବା

Wed Aug 30 , 2023
ନୂଆଦିଲ୍ଲୀ: ଭାରତର ‘ଚନ୍ଦ୍ରଯାନ- ୩’ ମିଶନ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହିତ ଅବତରଣ କରିବାର ଏକ ସପ୍ତାହ ବିତିଗଲାଣି। ଚନ୍ଦ୍ରକୁ ଯିବା ‌ପରେ ‘ଚନ୍ଦ୍ରଯାନ- ୩’ର ପ୍ରଜ୍ଞାନ ରୋଭର ଚନ୍ଦ୍ର ପୃଷ୍ଠରୁ ଅନେକ ତଥ୍ୟ ପଠାଉଛି। ପ୍ରତିଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି। ଭାରତର ରୋଭର ବ୍ୟତୀତ ଚୀନର ରୋଭର ବର୍ତ୍ତମାନ ଚନ୍ଦ୍ର ପୃଷ୍ଠରେ ସକ୍ରିୟ ରହିଛି, ଯାହାର ନାମ ‘ୟୁତୁ-୨’ ରୋଭର। ଏହାକୁ ଚୀନ୍ […]
ଚନ୍ଦ୍ରପୃଷ୍ଠରେ ଚାଇନିଜ୍ ଓ ଭାରତୀୟ ରୋଭର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial