ରାଜଧାନୀରେ ୩୪ ‘ଅଧିବର୍ଷ ଶିଶୁ’, ପ୍ରତି ୪ବର୍ଷରେ ଥରେ ପାଳିବେ ଜନ୍ମଦିନ

ଭୁବନେଶ୍ୱର : ଗତକାଲି ଥିଲା ଫେବ୍ରୁଆରି ୨୯ତାରିଖ ଅର୍ଥାତ୍ ଅଧିବର୍ଷ। ପ୍ରତି ୪ବର୍ଷରେ ଥରେ ଫେବ୍ରୁଆରି ୨୮ ତାରିଖ ବଦଳରେ ୨୯ ତାରିଖ ପଡ଼ିଥାଏ। ଏ ଦୃଷ୍ଟିରୁ ଏହାକୁ ଅଧିବର୍ଷ ବା ଲିପ୍ ଇୟର୍‌ କୁହାଯାଇଥାଏ। ତେବେ ଗତକାଲି ଯେଉଁ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି, ତାଙ୍କ ପାଇଁ ଏହି ଦିନଟି ସ୍ୱତନ୍ତ୍ର। ସେମାନଙ୍କୁ ‘ଲିପ୍ ଇୟର୍‌ ବେବି’ ବା ‘ଅଧିବର୍ଷ ଶିଶୁ’ ବୋଲି ସମ୍ବୋଧନ କରାଯାଇଥାଏ। ଯେଉଁମାନେ ଓଡ଼ିଆ ତିଥି ଅନୁସାରେ ଜନ୍ମଦିନ ପାଳନ କରିବେ, ସେମାନଙ୍କ ପାଇଁ ହୁଏତ ଏହା ସ୍ୱତନ୍ତ୍ର ହୋଇ ନ ପାରେ, ମାତ୍ର ଇଂରାଜୀ ତାରିଖ ଅନୁସାରେ ଜନ୍ମଦିନ ପାଳନ କରୁଥିବା ଶିଶୁମାନଙ୍କୁ ନିଜ ଜନ୍ମଦିନ ପାଳନ କରିବା ପାଇଁ ୪ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ସେହିପରି ଆଜିର ଦିନରେ ବିବାହ କରୁଥିବା ପୁଅ/ଝିଅ ମଧ୍ୟ ତାରିଖ ଅନୁସାରେ ୪ବର୍ଷ ପରେ ସେମାନଙ୍କ ବିବାହବାର୍ଷିକୀ ପାଳନ କରିବେ।
ଗତକାଲି ରାଜଧାନୀର କିଛି ଡାକ୍ତରଖାନାରୁ ଗଣମାଧ୍ୟମକୁ ମିଳିଥିବା ତଥ୍ୟ ଅନୁଯାୟୀ, ୩୪ଜଣ ଲିପ୍ ଇୟର ବେବି ଜନ୍ମ ଗ୍ରହଣ କରିଛନ୍ତି। ରାତି ୯ଟା ସୁଦ୍ଧା ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା‌ କ୍ୟାପିଟାଲ ହସ୍ପିଟାଲରେ ୨୦ଜଣ ପୁଅ ଓ ୧୧ଜଣ ଝିଅଙ୍କୁ ମିଶାଇ ସମୁଦାୟ ୩୧ଜଣ ଜନ୍ମଗ୍ରହଣ କରିଛନ୍ତି। ସେହିପରି ଆପୋଲୋ ହସ୍ପିଟାଲରେ ୩ଜଣ ଜନ୍ମ ନେଇଛନ୍ତି। ରାତି ୧୨ଟା ପର୍ଯ୍ୟନ୍ତ ଅନେକ ମହିଳା ପ୍ରସବ ଅପେକ୍ଷାରେ ରହିଥିଲେ ହେଁ ସେମାନଙ୍କ ତଥ୍ୟକୁ ହିସାବକୁ ନିଆଯାଇନାହିଁ। ତେବେ ଅନ୍ଧବିଶ୍ୱାସ ଯୋଗୁଁ ରାଜଧାନୀର ଘରୋଇ ଡାକ୍ତରଖାନାରେ କିଛି ବ୍ୟକ୍ତି ଆସନ୍ନ ପ୍ରସବାମାନଙ୍କୁ ମଧ୍ୟ ଆସନ୍ତାକାଲି ପ୍ରସବ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରୁଥିବା ସୂଚନା ମିଳିଛି। ସେହିପରି ରାଜଧାନୀରେ ଗତକାଲି ୪/୫ ବାହାଘର ଅନୁଷ୍ଠିତ ହୋଇଛି। ‘ଅଧିବର୍ଷ ଶିଶୁ’ କିଛି ନୂଆ କଥା ନୁହେଁ। ଦେଶ ତଥା ପୃଥିବୀରେ ଅନେକ ସୁନାମଧନ୍ୟ ତଥା ପ୍ରତିଷ୍ଠିତ ବ୍ୟକ୍ତି ଆଜିର ଦିନରେ ଜନ୍ମଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ‌ ମୋରାଜୀ ଦେଶାଇ ୧୮୯୬ ମସିହା ଫେବ୍ରୁଆରି ୨୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେହିପରି ଭରତନାଟ୍ୟମ୍‌ ନୃତ୍ୟଶିଳ୍ପୀ ରୁକ୍ମିଣୀ ଦେବୀ ୧୯୦୪ ମସିହା, ଗଣିତଜ୍ଞ ସି.ଏସ୍‌ ଶେଷାଦ୍ରୀ ୧୯୩୨ ମସିହା, ବାଂଲାଦେଶର ପ୍ରସିଦ୍ଧ ଅଭିନେତା ମମୁନୁର ରସିଦ ୧୯୪୮ ମସିହା, ଭାରତୀୟ ହକି ତାରକା ଆଡମ ସନକ୍ଲେୟାର ୧୯୮୪ ମସିହା, ୧୪୯୮ ମସିହାରେ ପୋପ୍ ପଲ୍‌-୩, ବ୍ରିଟିସ୍‌ ଅଭିନେତ୍ରୀ ୱିଣ୍ଡେଲ୍ ପିଟର୍ସ ୧୯୬୮ ମସିହା, ହଲିଉଡ୍‌ ଅଭିନେତା ଆଣ୍ଟୋନିଓ ସାବତୋ ଜୁନିଅର ୧୯୭୨ ମସିହା, ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ଦିନା ସୋର ୧୯୧୬ ମସିହା, ଲେଖକ ଟୋନି ରବିନ୍‌ସ ୧୯୬୦ ମସିହା‌ରେ ମଧ୍ୟ ଜନ୍ମଗ୍ରହଣ କରିଥିଲେ।

Share Now:

Kalinga News Beuro

Leave a Reply

Next Post

ଆରମ୍ଭ ହେଲା ଚଢ଼ଉ : ବିଭିନ୍ନ ସ୍ଥାନରେ ଉତ୍ତେଜନା,କଥା କଟାକଟି

Mon Mar 2 , 2020
ଭୁବନେଶ୍ୱର : ୬ ମାସର ବିରତି ପରେ ଆଜିଠାରୁ ନୂଆ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହୋଇଛି। କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ଓ ଆର୍‌ଟିଓ ପକ୍ଷରୁ ଆଜି ଆଇନ ଉଲ୍ଲଂଘନକାରୀଙ୍କ ଉପରେ ଜୋରଦାର ଚଢ଼ଉ ହୋଇଛି। ରାଜଧାନୀର ବିଭିନ୍ନ ଛକରେ ଛିଡ଼ା ହୋଇ ଅଧିକାରୀମାନେ ଆଇନ ଭାଙ୍ଗୁଥିବା ଚାଳକକୁ ଧରି ଜରିମାନା କଷିଛନ୍ତି। ପୁଲିସ ପକ୍ଷରୁ ୬ଟି ସ୍ଥାନରେ ଚଢ଼ଉ ହୋଇଥିବା ବେଳେ ଭୁବନେଶ୍ୱରରେ ଥିବା ଦୁଇ ଆର୍‌ଟିଓ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial