ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହର୍ଷି ଦୟାନନ୍ଦ ସରସ୍ଵତୀଙ୍କ ୨୦୦ତମ ଜୟନ୍ତୀର ଶୁଭ ଉଦ୍ଘାଟନ

୨୦୦ ତମ ଜନ୍ମ ବାର୍ଷିକୀ ଉତ୍ସବ-1

ନୂଆଦିଲ୍ଲୀ : ଆର୍ଯ୍ୟସମାଜର ସଂସ୍ଥାପକ ମହର୍ଷି ଦୟାନନ୍ଦ ସରସ୍ଵତୀଙ୍କ ୨୦୦ତମ ଜୟନ୍ତୀର ୨ ବର୍ଷ ଧରି ଵିଶ୍ଵଵ୍ୟାପୀ ସମାରୋହର ଶୁଭାରମ୍ଭ ଅଵସରରେ ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରଵିଵାର, ୧୨ ଫେବୃଆରୀ ୨୦୨୩ରେ ଇନ୍ଦିରା ଗାନ୍ଧି ଇଣ୍ଡୋର୍ ଷ୍ଟାଡିୟମ, ନୂଆଦିଲ୍ଲୀରେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଯାହା ଆସନ୍ତା ଦୁଇ ବର୍ଷ ପାଇଁ ଚାଲୁ ରହିବ। ମହର୍ଷି ଦୟାନନ୍ଦ ଆଧୁନିକ ବିଶ୍ଵ ଇତିହାସର ସର୍ବୋତ୍ତମ ବେଦବେତ୍ତା, ବେଦଜ୍ଞ, ବେଦ ପ୍ରଚାରକ, ବେଦୋଦ୍ଧାରକ, ବେଦମୂର୍ତି, ବେଦର୍ଷି, ବେଦଭାଷ୍ୟକାର, ବେଦରକ୍ଷକ ଓ ବେଦକୁ ଈଶ୍ଵର ପ୍ରଦତ୍ତ ଜ୍ଞାନ ମାନିବା ତଥା ନିଜର ଏହି ମାନ୍ୟତାକୁ ତର୍କ, ପ୍ରମାଣ ଦ୍ଵାରା ସତ୍ୟ ସିଦ୍ଧ କରିଥିବା ଅପୂର୍ଵ ମହାପୁରୂଷ ଅଟନ୍ତି। ଏ ସମସ୍ତ ଗୁଣ ସହିତ ଋଷି ଦୟାନନ୍ଦ ମହାନ ଦେଶଭକ୍ତ, ଦେଶକୁ ସର୍ଵପ୍ରଥମ ସ୍ଵରାଜ୍ୟ ବା ସ୍ୱତନ୍ତ୍ରତାର ବିଚାର ପ୍ରଦାନ କରିଥିବା ସ୍ଵରାଜ୍ୟର ପ୍ରଥମ ଉଦ୍ଘୋଷକ, ଋଷି ମନୁ, ପତଂଜଳି, କପିଳ, କଣାଦ, ଗୌତମ, ବ୍ୟାସ, ଜୈମିନୀ ଆଦିଙ୍କ ପ୍ରତି ଶ୍ରଦ୍ଧାବାନ, ନିଜ ଗୁରୁ ଦଣ୍ଡୀ ସ୍ଵାମୀ ବିରଜାନନ୍ଦଙ୍କ ଅତି ପ୍ରିୟ, ସ୍ଵୟଂ ତଥା ନିଜ ଗୁରୁଙ୍କ ଯଶ ଏବଂ କୀର୍ତ୍ତିକୁ ଦିଗ ଦିଗନ୍ତ ପ୍ରସାରିତ କରିଥିବା, ସିଦ୍ଧ ଯୋଗୀ, ସତ୍ୟକୁ ହିଁ ଧର୍ମର ପର୍ଯ୍ୟାୟ ଭାବେ ଗ୍ରହଣ କରିଥିବା ଅଦ୍ଵିତୀୟ ଏବଂ ଅପୂର୍ଵ ସମାଜ ସୁଧାରକ, ଅଛୂତୋଦ୍ଧାରର ଜନକ, ସ୍ତ୍ରୀ ଏବଂ ଶୂଦ୍ରଙ୍କୁ ବେଦାଧ୍ୟୟନର ଅଧିକାର ପ୍ରଦାନ କରିଥିବା, ନାରୀ ସମ୍ମାନ ଏବଂ ସେମାନଙ୍କ ମାନ ମର୍ୟାଦାର ରକ୍ଷକ, ନାରୀ ଉଦ୍ଧାରକ, ସମଗ୍ର ମାନବ ଜାତିରେ ସମାନତାର ପୋଷକ, ଅଜ୍ଞାନ-ଅନ୍ଧବିଶ୍ଵାସ-କୁରୀତି-ଅନ୍ୟାୟ ନିବାରକ ଆଦି ଅନେକାନେକ ଗୁଣ ଦ୍ୱାରା ବିଭୂଷିତ ଏବଂ ପରିପୂର୍ଣ୍ଣ ମହାପୁରୁଷ ଥିଲେ।

ସ୍ୱାମୀ ଦୟାନନ୍ଦ ସରସ୍ଵତୀ ଙ୍କ ଜନ୍ମ ଫାଲ୍ଗୁନ କୃଷ୍ଣ ପକ୍ଷ ଦଶମୀ ସଂବତ୍ ୧୮୮୧ ଅର୍ଥାତ୍ ୧୨ ଫେବୃଆରୀ ୧୮୨୫ ଶନିବାର ଦିନ ଗୁଜୁରାଟ ପ୍ରଦେଶର ରାଜକୋଟ ଜିଲ୍ଲା କାଠିୟାୱାଡ଼ କ୍ଷେତ୍ର ନିକଟସ୍ଥ ମୋରବୀ ରିୟାସତ ଅନ୍ତର୍ଗତ ଟଂକାରାଗାଓଁରେ ହୋଇଥିଲା। ଦେଶର ସ୍ଵଧର୍ମ, ସ୍ଵଭାଷା, ସ୍ଵରାଷ୍ଟ୍ର, ସ୍ଵସଂସ୍କୃତି ଏବଂ ସ୍ଵଦେଶୋନ୍ନତିର ଅଗ୍ରଦୂତ ହେଉଛନ୍ତି ମହର୍ଷି ଦୟାନନ୍ଦ ସରସ୍ବତୀ।

Share Now:

Kalinga News Beuro

Next Post

ଭୂମିକମ୍ପ ରିଲିଫ୍‌ ପାଇଁ ଭାରତ ପ୍ରତି କୃତଜ୍ଞତା ଜଣାଇଲେ ତୁର୍କୀ ରାଷ୍ଟ୍ରଦୂତ

Mon Feb 13 , 2023
ନୂଆଦିଲ୍ଲୀ: ଭୂମିକମ୍ପ ପ୍ରପୀଡ଼ିତ ତାଙ୍କ ଦେଶକୁ ରିଲିଫ୍‌ ସାମଗ୍ରୀ ପଠାଇଥିବାରୁ ଆଜି ଭାରତସ୍ଥିତ ତୁର୍କୀର ରାଷ୍ଟ୍ରଦୂତ ଫିରାତ୍‌ ସୁନେଲ୍‌ ଭାରତ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଟୁଇଟର୍‌’ରେ ସୁନେଲ୍‌ ଲେଖିଛନ୍ତି: ଭାରତବାସୀଙ୍କ ତରଫରୁ ଆଉ ଗୋଟାଏ ବ୍ୟାଚ୍‌ ଜରୁରୀକାଳୀନ ସହାୟତା ତୁର୍କୀ ଯାଉଛି। ଏହି ସହାୟତା ସାମଗ୍ରୀଗୁଡ଼ିକୁ ତୁର୍କୀ ଏୟାର୍‌ଲାଇନ୍‌ ଦୈନିକ ମାଗଣାରେ ଭୂମିକମ୍ପ ପ୍ରଭାବିତ ଅଞ୍ଚଳକୁ ନେଇ ଯାଉଛି।ଥ୍ୟାଙ୍କ୍‌ ୟୁ ଇଣ୍ଡିଆ! ଅଗଣିତ ଭୂମିକମ୍ପ-ପ୍ରପୀଡ଼ିତଙ୍କ ପାଇଁ […]
କୃତଜ୍ଞତା ଜଣାଇଲେ ତୁର୍କୀ ରାଷ୍ଟ୍ରଦୂତ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial