ଜନ୍ମାଷ୍ଟମୀରେ ପୁରୀ ପାଇଁ ବିକାଶର ଚିତ୍ର ଆଙ୍କିଲେ ନବୀନ : ଶ୍ରୀମନ୍ଦିର ନିରାପତ୍ତା ଜରୁରୀ

ଫନି କ୍ଷତ ବେଦନାଦାୟକ, ଓଡ଼ିଆଙ୍କୁ ମହାପ୍ରଭୁଙ୍କଠାରୁ କେହି ଅଲଗା କରିପାରିବେ ନାହିଁ

ଭୁବନେଶ୍ୱର: ବର୍ତ୍ତମାନ ସାରା ବିଶ୍ୱ ପାଇଁ ଆତଙ୍କବାଦ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ଆତଙ୍କବାଦର ଧର୍ମ ନାହିଁ। ବିଭିନ୍ନ ଧର୍ମ ଅନୁଷ୍ଠାନକୁ ସେମାନେ ଟାର୍ଗେଟ କରୁଛନ୍ତି। ତେଣୁ ଶ୍ରୀମନ୍ଦିରର ନିରାପତ୍ତା ପାଇଁ ଆସିଥିବା ସୁପାରିସ କାର୍ଯ୍ୟକାରୀ କରାଯିବା ନିହାତି ଜରୁରୀ ଥିଲା। ପୁରୀର ବିକାଶ ଓ ଶ୍ରୀମନ୍ଦିର ଚାରିପାର୍ଶ୍ଵର ୬୦ ମିଟର (କ୍ୟାବିେନଟ୍ ୭୫ ମିଟର ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି ) ପର୍ଯ୍ୟନ୍ତ ଭାଙ୍ଗିବାକୁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତା’ର ଆବଶ୍ୟକତା ସଂପର୍କରେ ସୂଚାଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଏଭଳି ବାର୍ତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରୀ ଜଗନ୍ନାଥ ହେଉଛନ୍ତି, ଓଡ଼ିଆ ଜାତିିର ସବୁଠାରୁ ବଡ଼ ପରିଚୟ। ଆମ ସଂସ୍କୃତି, ଆମ ପରମ୍ପରା ମହାପ୍ରଭୁଙ୍କୁ କେନ୍ଦ୍ର କରି ଗଢ଼ିଉଠିଛି। ସେ ହେଉଛନ୍ତି ଆମ ଅସ୍ମିତାର ପ୍ରତୀକ। ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସୁରକ୍ଷା ଓଡ଼ିଆ ଜାତିର ଧର୍ମ।
ଏହି ପ୍ରକ୍ରିୟାରେ କିଛି ପରିବାର ନିଶ୍ଚିତ ପ୍ରଭାବିତ ହେବେ। କିନ୍ତୁ ଶ୍ରୀମନ୍ଦିର ନିରାପତ୍ତା ପାଇଁ ଏହି ତ୍ୟାଗ ଗୁରୁତ୍ୱପୂର୍ଣ୍ଣ। ପୁରୀ ଧାମର ଗରିମା ବୃଦ୍ଧି ଦିଗରେ ସମସ୍ତଙ୍କ ସହଯୋଗ ମିଳିବା ଉଚିତ। କେବଳ ସେତିକି ନୁେହଁ, ମୁଖ୍ୟମନ୍ତ୍ରୀ ଏକଥା ବି କହିଛନ୍ତି, ଭୀଷଣ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ମାଡ଼ ପରେ ସେ ଯେତେବେଳେ ପୁରୀ ଗସ୍ତରେ ଯାଇଥିଲେ, ସେତେବେଳେ ପୁରୀର ଅବସ୍ଥା ଦେଖି ତାଙ୍କୁ ବହୁତ କଷ୍ଟ ଲାଗିଥିଲା। ସେହିଦିନ ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ିବା ପାଇଁ ସଂକଳ୍ପ ନେଇଥିଲେ।
ଆଜି ସକାଳେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ପୁରୀର ବିକାଶ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ବୈଠକ ଡାକିଥିଲେ। ଏଥିରେ ୫୦୦ କୋଟି ଟଙ୍କାର ପ୍ରକଳ୍ପକୁ ଅନୁେମାଦନ ମିଳିଥିଲା। ତେବେ ପୁରୀର କିଭଳି ବିକାଶ କରିବାକୁ ସରକାର ଚାହୁଁଛନ୍ତି,ସେ ନେଇ ବିଭିନ୍ନ ଅଧିକାରୀ ଭିନ୍ନ ଭିନ୍ନ ପରିକଳ୍ପନା କରି ଚାଲିଥିଲେ। କିଏ ପୁରୀର ବିକାଶ ବାରଣାସୀ ଢାଞ୍ଚାରେ ହେବ ବୋଲି ଗଣମାଧ୍ୟମରେ କହିଥିଲେ ତ ଆଉ କିଏ ଭାଟିକାନ୍ ସିଟି ଭଳି ହେବ ବୋଲି ଜଣାଇଥିଲେ। ପରିଣାମରେ ସ୍ଥାନୀୟ ପୁରୀ ଲୋକଙ୍କ ସମେତ ସମଗ୍ର ରାଜ୍ୟରେ ଅନେକ ଆଶା ଆଶଙ୍କା ପ୍ରକାଶ ପାଇଥିଲା। ବାସ୍ତବରେ ସରକାର କାହାକୁ ଅନୁକରଣ କରି ପୁରୀର ବିକାଶ କରିବେ ନା ନିଜସ୍ୱ କିଛି ଯୋଜନା ଅଛି, ସେ ନେଇ ସବୁ ମହଲରେ ଉତ୍ସୁକତା ପ୍ରକାଶ ପାଇଥିଲା।
ଏଣୁ ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ମହାପ୍ରଭୁଙ୍କ ଲୀଳାେକ୍ଷତ୍ର ପୁରୀର ବିକାଶ ପାଇଁ ସେ ନିଜେ ଯେଉଁ ନକ୍ସା ଆଙ୍କିଛନ୍ତି, ସେ ସଂପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଇ ସହଯୋଗ ଲୋଡ଼ିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତାରେ କହିଥିଲେ, ମହାପ୍ରଭୁଙ୍କ ସେବା ଭାବି ପୁରୀ ବିକାଶରେ ସରକାରଙ୍କୁ ସମସ୍ତେ ସହଯୋଗ କରନ୍ତୁ। ଏଥିପାଇଁ ଯେଉଁମାନେ କିଛି ତ୍ୟାଗ କରୁଛନ୍ତି, ଓଡ଼ିଶା ଜାତି ସବୁଦିନ ପାଇଁ ଏହାକୁ ମନେ ରଖିବ। ବାସଗୃହ ଓ ରୋଜଗାର ହରାଉଥିବା ପୁରୀର ଲୋକମାନଙ୍କୁ ଏ ଆଶ୍ୱାସନା ବି ମୁଖ୍ୟମନ୍ତ୍ରୀ ଦେଇଥିଲେ ଯେ ଶ୍ରୀମନ୍ଦିର ନିରାପତ୍ତା ଜୋନରେ ଯେଉଁମାନଙ୍କ ଘର ବା ଦୋକାନ ଆସୁଛି, ରାଜ୍ୟ ସରକାର ସେମାନଙ୍କର ଠିକ୍‍ ଭାବେ ଥଇଥାନ କରିବେ। ଏପରିକି ମଠଗୁଡିକୁ ପୁଣି ଥରେ ଗଢ଼ିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ। ନବୀନ କହିଥିଲେ, ଓଡ଼ିଶା ଜାତିର ବିଶ୍ୱାସ ରହିଛି, ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି କାମ ଆରମ୍ଭ କଲେ, ସବୁ କାମ ଶୁଭ ହୋଇଥାଏ। ପୁରୀ ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର। ମହାପ୍ରଭୁ ଆମର ଆତ୍ମା। ଶହ ଶହ ବର୍ଷ ଧରି ଶ୍ରୀମନ୍ଦିର ସୁରକ୍ଷା ପାଇଁ ଓଡ଼ିଆ ଜାତି ଅନେକ ତ୍ୟାଗ କରିଆସିଛି। ଅନେକ ବଳିଦାନ ଦେଇଛି। ମହାପ୍ରଭୁଙ୍କୁ ଧରି ଚିଲିକାରୁ ସୋନପୁର ପର୍ଯ୍ୟନ୍ତ ବୁଲିଛି। ଶହ ଶହ ବର୍ଷ ଧରି ମହାପ୍ରଭୁ ପାତାଳି ହୋଇ ରହିଛନ୍ତି। ବହୁ ବର୍ଷ ଧରି ପବିତ୍ର ରଥଯାତ୍ରା ମଧ୍ୟ ବନ୍ଦ ହୋଇଯାଇଥିଲା। କିନ୍ତୁ ଓଡ଼ିଆ ଜାତିକୁ ତାର ଆତ୍ମା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରୁ କେହି ଅଲଗା କରିପାରିନାହିଁ। କରିପାରିବେ ନାହିଁ। ବିଶର ମହାନ୍ତିଙ୍କ ତ୍ୟାଗ ଏ ଜାତି କେବେ ଭୁଲିନାହିଁ। ମଠ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ସେମାନଙ୍କର ଶ୍ରୀମନ୍ଦିର ସହିତ ସ୍ୱତନ୍ତ୍ର ସଂପର୍କ ରହିଛି। ପୁରୀରେ ଥିବ ସବୁ ମଠକୁ ଅବଢା ଯୋଜନାରେ ରାଜ୍ୟ ସରକାର ସାହାଯ୍ୟ ଦେବେ। ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୧୦୦ କୋଟି ଟଙ୍କା ରଖାଯାଇଛି। ମଠ ସଂସ୍କୃତିର ସୁରକ୍ଷା ପାଇଁ ସରକାର ପୂରା ସହଯୋଗ କରିବେ ।
ପୁରୀକୁ କିଭଳି ବିକାଶ କରାଯିବ, ସେ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ନିକଟରେ ପୁରୀର ଭିତ୍ତିଭୂମିର ବିକାଶ ପାଇଁ ସରକାର ୨୬୫ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି। ଆଜି ଆଉ ୫୦୦ କୋଟିର ପ୍ରକଳ୍ପ ଅନୁମୋଦନ ମିଳିଛି। ପୁରୀରେ ରାଜ୍ୟର ପ୍ରଥମ ଟ୍ରମ୍ପେଟ୍‍ ବ୍ରିଜ ତିଆରି କରିବେ। ପୁରୀରେ ଥିବା ପବିତ୍ର ପୋଖରୀର ପୁନରୁଦ୍ଧାର ହେବ। ଅଠରନଳାର ବିକାଶ ହେବ ଓ ମୂଷା ନଦୀର ପୁନରୁଦ୍ଧାର କରାଯାଇ ଏହାକୁ ମଙ୍ଗଳା ନଦୀ ସହିତ ଯୋଡାଯିବ। ପୁରୀରେ ୨୮ ଏକର ଜମିରେ ବହୁତ ବଡ଼ ପୋଖରୀ ନିର୍ମାଣ କରାଯିବ। ଯାତ୍ରୀଙ୍କ ସୁବିଧା ପାଇଁ ପୁରୀକୁ ବହୁ ଲେନ୍‍ ବିଶିଷ୍ଟ ରାସ୍ତା ନିର୍ମାଣ ସହିତ ବଡ ପାର୍କିଂ ବ୍ୟବସ୍ଥା ବି କରାଯିବ।

Share Now:

Kalinga News Beuro

Leave a Reply

Next Post

ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଜନ୍ମାଷ୍ଟମୀ, ମଧ୍ୟରାତିରେ ହେଲା ନାହି କଟା

Sat Aug 24 , 2019
ପୁରୁଣା ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏଥିପାଇଁ ଆଜି ମଧ୍ୟରାତିରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କର ନାହି କଟା ହୋଇଥିଲା। ପରମ୍ପରା ଅନୁଯାୟୀ ଦୁଇଜଣ ସେବାୟତ ଉଗ୍ର‌ସେନ ଓ ବାସୁଦେବ ହୋଇ ଆସଥିଲେ। ଏହି ସମୟରେ ମନ୍ଦିରରେ ସନ୍ଧ୍ୟା ଧୂପ, ନୀତି ପୂଜା ଓ ଆଳତି ହୋଇଥିଲା। ପରେ ଦକ୍ଷିଣୀ ଗୃହରୁ ଶ୍ରୀକୃଷ୍ଣଙ୍କ ପ୍ରତିମା ଅଣାଯାଇ ଜନ୍ମାଷ୍ଟମୀ ନୀତି କରାଯାଇଥିଲା। ଶ୍ରୀକୃଷ୍ଣଙ୍କୁ ପିତ୍ତଳ ପାତ୍ରରେ ଶୁଆଇ ମନ୍ଦିରକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial