ମିଛ ଓ ଉତ୍ତେଜକ ଖବର ଉପରେ ନଜର : କ୍ରାଇମ୍‌ବ୍ରାଞ୍ଚର ସ୍ୱତନ୍ତ୍ର ସାଇବର ସେଲ୍‌ ଗଠିତ

ଭୁବନେଶ୍ୱର: ଫେସ୍‌ବୁକ, ଏକ୍ସ, ହ୍ବାଟ୍‌ସଆପ୍‌ ଅଥବା ଇନ୍‌ଷ୍ଟାଗ୍ରାମ୍‌ ଭଳି ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ନିର୍ବାଚନ ସଂକ୍ରାନ୍ତୀୟ କୌଣସି ମିଥ୍ୟା ଖବର ପୋଷ୍ଟ ଓ ସେୟାରକୁ ବରଦାସ୍ତ କରାଯିବ ନାହିଁ। ଏଥିସହିତ ଛାପା ଗଣମାଧ୍ୟମ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ ମଧ୍ୟ ନିର୍ବାଚନ ସମ୍ପର୍କିତ ମିଥ୍ୟା ଖବର, ଗୁଜବ ବା ନିର୍ବାଚନକୁ ପ୍ରଭାବିତ କଲାଭଳି ଖବର ପ୍ରସାରଣ ହୋଇପାରିବ ନାହିଁ। ଏହାକୁ ଗୁରୁତ୍ବର ସହ ନେଇଛି କ୍ରାଇମ୍‌ବ୍ରାଞ୍ଚ ସ୍ବତନ୍ତ୍ର ଆଇଟି ସେଲ୍‌। ମିଥ୍ୟା‌ ଖବର ବା ହିଂସା ଉସୁକାଉଥିବା ଭଳି ଖବର ପୋଷ୍ଟ, ସେୟାର ଏବଂ ପ୍ରସାରଣ ଉପରେ ତୀକ୍ଷ୍ମ ନଜର ରଖିବ ଏହି ଟିମ୍‌। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ କ୍ରାଇମବ୍ରାଞ୍ଚ (ସାଇବର) ଆଇଜି ସଫିନ ଅହମ୍ମଦ କେଙ୍କୁ ଦାୟିତ୍ବ ଦିଆଯାଇଛି। ନିର୍ବାଚନ ନୋଡାଲ ଅଫିସର ଭାବେ ସେ ସୋସିଆଲ ମିଡିଆ ଓ ଫେକ୍‌ ନ୍ୟୁଜର ତଦାରଖ କରିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନେତା ମୈଦାନରେ ଯେତିକି କସରତ କରୁଛନ୍ତି ତା’ଠାରୁ ନିଜ ନିଜ ସୋସିଆଲ୍‌ ମିଡିଆରେ ଢେର ସକ୍ରିୟ ହୋଇଛନ୍ତି। ସେମାନଙ୍କ ପେଜ୍‌, ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଉତ୍ତେଜନାମୂଳକ ପୋଷ୍ଟ, ଭିଡିଓ, ଅଡିଓ ସେୟାର କରିବାର ବହୁ ସମ୍ଭାବନା ରହିଛି। ଏହାକୁ ନେଇ ହିଂସା ଘଟିବାର ଆଶଙ୍କା ମଧ୍ୟ ରହିଛି। ତେଣୁ ଏସବୁ ଉପରେ କିଭଳି ଅଙ୍କୁଶ ଲଗାଯିବ, ସେନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଭୁବନେଶ୍ବର ସ୍ଥିତ ସାଇବର ଭବନର ସ୍ବତନ୍ତ୍ର ସାଇବର ସେଲ୍‌। ଆଇଜି ଅହମ୍ମଦଙ୍କ ନେତୃତ୍ବର ଏହାର ଏକ ସ୍ବତନ୍ତ୍ର ସେଲ୍‌ ଗଠନ କରାଯାଇଛି। ଡିଏସ୍‌ପି ପାହ୍ୟାର ଅଫିସର୍‌ ସମ୍ପଦ ଦାସଙ୍କୁ ଏହି ସେଲ୍‌ର ଦାୟିତ୍ବ ଦିଆଯାଇଛି। ସେଥିରେ ବୈଷୟିକ ଜ୍ଞାନ ଓ ଅଭିଜ୍ଞତା ଥିବା ପ୍ରାୟ ୧୨ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।
ସେହିପରି ସମସ୍ତ ଜିଲ୍ଲା ଏସ୍‌ପିଙ୍କ କାର୍ଯ୍ୟାଳୟରେ ମଧ୍ୟ ସାଇବର ସେଲ୍‌ ଖୋଲାଯାଇଛି। ସେଥିରେ ୩ରୁ୪ ଆଇଟି ଅଭିଜ୍ଞ ପୁଲିସ କର୍ମଚାରୀଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ନିଜ ନିଜ ଜିଲ୍ଲା ଖବର ଉପରେ ନଜର ରଖିବେ। ଯଦି କୌଣସି ନିର୍ବାଚନଜନିତ ମିଥ୍ୟା ଖବର କିମ୍ବା ସମ୍ବେଦନଶୀଳ ଖବର ଥାଏ, ତା’ର ତର୍ଜମା କରି ରି‌ପୋର୍ଟ ଦେବା ସହ ସ୍କ୍ରିନ୍‌ ସଟ୍ ବା ପେପର୍‌ କଟିଂକୁ ଭୁବନେଶ୍ବର ସ୍ଥିତ ସ୍ବତନ୍ତ୍ର ସାଇବର ସେଲ୍‌କୁ ପଠାଇବେ। ରିପୋର୍ଟ ଆଧାରରେ ତୁରନ୍ତ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ସୋସିଆଲ୍‌ ମିଡିଆରେ ପୁଲିସକୁ ଟ୍ୟାଗ୍‌କରି ପୋଷ୍ଟ୍‌ କରାଯାଉଥିବା ସୂଚନା ବା ତଥ୍ୟର ମଧ୍ୟ ଯାଞ୍ଚ ଓ ତର୍ଜମା କରାଯିବ। କୌଣସି ଖବର ଗୁଜବ ବା ନିର୍ବାଚନକୁ ପ୍ରଭାବିତ କଲା ଭଳି ହୋଇଥିଲେ ତୁରନ୍ତ ଜିଲ୍ଲା ଏସ୍‌ପିଙ୍କ ଦ୍ୱାରା ତଦନ୍ତ କରାଯିବ। ମିଥ୍ୟା ଖବର ହୋଇଥିଲେ ପୋଷ୍ଟ୍‌କୁ ଡିଲିଟ କରାଯିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ଫେସ୍‌ବୁକ୍‌, ୟୁଟ୍ୟୁବ୍‌, ଏକ୍ସ, ଇନ୍‌ଷ୍ଟାଗ୍ରାମ୍‌, ହ୍ବାଟ୍ସଆପ୍‌ ଓ ବିଭିନ୍ନ ସେବା ପ୍ରଦାନକାରୀଙ୍କ ସହ ମଧ୍ୟ ଏହି ସେଲ୍‌ ଯୋଗାଯୋଗରେ ରହିଛି।

Share Now:

Kalinga News Beuro

Next Post

ଦୁଷ୍କର୍ମ ପୀଡ଼ିତାଙ୍କୁ ପୋଷାକ କାଢ଼ି କ୍ଷତ ଦେଖାଇବାକୁ କହିଲେ ମାଜିଷ୍ଟ୍ରେଟ୍ : ରୁଜୁ ହେଲା ଏତଲା

Thu Apr 4 , 2024
ନୂଆଦିଲ୍ଲୀ: ବୟାନ ରେକର୍ଡ ବେଳେ ଦୁଷ୍କର୍ମ ପୀଡ଼ିତାଙ୍କୁ ପୋଷାକ କାଢ଼ି କ୍ଷତ ଦେଖାଇବାକୁ କହିଲେ ମାଜିଷ୍ଟ୍ରେଟ୍। ରୁଜୁ ହେଲା ଏତଲା।ମାର୍ଚ୍ଚ ୩୦ରେ ରାଜସ୍ଥାନରେ ଏହି ଘଟଣା ଘଟିଥିଲା। ଗଣଦୁଷ୍କର୍ମର ଶିକାର ହେବା ପ‌ରେ ପୀଡ଼ିତା ବୟାନ ରେକର୍ଡ କରିବାକୁ ମାଜିଷ୍ଟ୍ରେଟଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ତାଙ୍କ ସହ ଏଭଳି ଘଟଣା ଘଟିଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତଜଣକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial