ଭୁବନେଶ୍ବର: ଆଜି ବିଧାନସଭାରେ ଉଠିଛି ବେକାରୀ ପ୍ରସଙ୍ଗ। ରାଜ୍ୟରେ ବଢୁଛି ବେକାରୀ ସଂଖ୍ୟା। ଅକ୍ଟୋବର ମାସ ସୁଦ୍ଧା ରାଜ୍ୟରେ ୮ଲକ୍ଷ ୯୬ହଜାର ୮୩୮ଜଣ ପଂଜିକୃତ ବେକାର ଥିବା ଜଣାପଡ଼ିଛି। ଏନେଇ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଗୃହରେ ଲିଖିତ ଉତ୍ତର ରଖିଛନ୍ତି। ସେହିପରି ୬ବର୍ଷ ଭିତରେ ୧୩ ଲକ୍ଷ ୬୬ହଜାର ୧୬୬ ଜଣ ଯୁବକ ଓ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଅନ୍ୟପଟେ ବିଧାନସଭାରେ ସ୍କୁଲ ବନ୍ଦ ନେଇ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ସ୍କୁଲ ମିଶ୍ରଣ ପ୍ରସଙ୍ଗରେ କେନ୍ଦ୍ର ଉପରେ ଦୋଷ ଲଦିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। ଏଭଳି ଚିନ୍ତାଧାରା କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି । ୨୦୧୭ଠୁ ନୀତି ଆୟୋଗ ମିଶ୍ରଣ ପାଇଁ କହିଛି। ସ୍କୁଲ ମିଶ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ କମିଟି କରିଛନ୍ତି। ଅଭିଯୋଗ କଲେ ସମାଧାନର ରାସ୍ତା ବାହାର କରାଯାଉଛି। ଉଦ୍ଦେଶ୍ୟମୂଳକ ଭାବେ କୌଣସି ସ୍କୁଲକୁ ବନ୍ଦ କରାଯାଉନାହିଁ ବୋଲି ପ୍ରତାପ ଦେବ କହିଛନ୍ତି। ସେହିପରି ସରକାରୀ ଦଳର ମୁଖ୍ୟ ସଚେତକ କହିଛନ୍ତି, ବିଭିନ୍ନ ସ୍ଥାନରେ ୮ଟି ପିଲାରେ ଦୁଇ ଜଣ ଶିକ୍ଷକ ରହୁଛନ୍ତି। ଏହା ଯଥାର୍ଥ ନୁହେଁ। ଯଦି କାହାର ଅଭିଯୋଗ ରହିଛି, ସେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଅଭିଯୋଗ କରିପାରିବେ। ସେଇଠି ସମାଧାନ ହୋଇପାରିବ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି। ସେପଟେ ବିରୋଧୀ ଦଳ ଉପନେତା ସ୍କୁଲ ବନ୍ଦକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି। ସ୍କୁଲ ବନ୍ଦ ନିଷ୍ପତ୍ତି ଅଗଣତାନ୍ତ୍ରିକ। ସାଢେ ୧୧ ହଜାର ସ୍କୁଲ ବନ୍ଦ ହେଲେ ଭବିଷ୍ୟତରେ ଏହା ଆତ୍ମଘାତୀ ହେବ ବୋଲି ସେ କହିଛନ୍ତି।
ବିଧାନସଭାରେ ଉଠିଲା ସ୍କୁଲ ବନ୍ଦ ଓ ବେକାରୀ ପ୍ରସଙ୍ଗ

Share Now: