କେନ୍ଦ୍ରାପଡ଼ାରେ ବିପର୍ଯ୍ୟୟ: ବିପଦସଙ୍କେତ ଉପରେ ଚାଲିଛି ପାଣି

ବେଣିପୁର ଘେରି ବନ୍ଧ (1)

ଭାଙ୍ଗିଲା ଡେରାବିଶ ବ୍ଳକ୍‌ର ବେଣିପୁର ଘେରି ବନ୍ଧ,୨୦୦୦ରୁ ଅଧିକ ଲୋକ ଜଳବନ୍ଦୀ

କେନ୍ଦ୍ରାପଡ଼ା : ଲଘୁଚାପଜନିତ ବର୍ଷା ପରେ ଏବେ ବନ୍ୟା କେନ୍ଦ୍ରାପଡ଼ାରେ ବିପର୍ଯ୍ୟୟ ସୃଷ୍ଟି କଲାଣି। ରାଜକନିକା, ଆଳି, ପଟ୍ଟାମୁଣ୍ତାଇ, ଡେରାବିଶ ବ୍ଳକ୍‌ର ବିଭିନ୍ନ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ଗତକାଲି ସନ୍ଧ୍ୟାରେ ଡେରାବିଶ ବେଣିପୁର ଘେରି ବନ୍ଧ ଭାଙ୍ଗି ଯାଇଛି। ୧୦୦ଫୁଟ୍‌ର ଘାଇ ସହିତ ବନ୍ଧ ଭାଙ୍ଗିଯିବାରୁ ବେଣିପୁର ଗାଁକୁ ପାଣି ପଶିଯାଇଛି। ୨୦୦୦ରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ଓଡ୍ରାଫ୍‌ ଟିମ୍‌ ସେମାନଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛି। ଦୁଇଜଣ ଲୋକ ବଢିପାଣିରେ ଭାସିଯାଇ ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଆହତ ହୋଇଛନ୍ତି। ତିନୋଟି ମୋଟର ସାଇକେଲ ସହିତ ଗୋଟିଏ ଟାଟା ମ୍ୟାଜିକ ଭାସିଯାଇଥିବାର ଖବର ମିଳିଛି। ହୀରାକୁଦରେ ବର୍ତ୍ତମାନ ସୁଦ୍ଧା ୪୪ଟି ଗେଟ ଖୋଲାଯାଇଥିବାରୁ ଆଗକୁ ସ୍ଥିତି ଆହୁରି ସଂଗୀନ ହୋଇପାରେ ବୋଲି ଅନୁମାନ କରାଯାଉଛି।

ସେପଟେ ଜିଲ୍ଲାର ପ୍ରାୟତଃ ସବୁ ନଦୀରେ ଜଳସ୍ତର ବୃଦ୍ଧି ପାଇ ଚାଲିଥିବା କେତେକ ଚିତ୍ରୋତ୍ପଳା, ଲୁଣା, ବିରୂପା, ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତାରେ ଜଳସ୍ତର ବିପଦସଂକେତ ଉପରେ ପ୍ରବାହିତ ହେଉଛି। ଏଭଳି ସ୍ଥିତିରେ ପୁଣି ମୁଣ୍ତଳୀ ଓ ରେଙ୍ଗାଲୀ ଡ୍ୟାମ୍‌ରୁ ଆହୁରି ପାଣି ଛଡ଼ାଯାଇଥିବା ବେଳେ ଆସନ୍ତାକାଲି ଏକାଦଶୀଠୁ ପୂର୍ଣ୍ଣିମା ଯାଏ ସମୁଦ୍ର ପାଣି ନ ଟାଣିବା ଆଶଙ୍କା ଜିଲ୍ଲାରେ ବଡ଼ଧରଣର ବନ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଖୋଦ୍‌ ପ୍ରଶାସନିକ ସ୍ତରରେ ସମ୍ଭାବ୍ୟ ବନ୍ୟା ମୁକାବିଲାକୁ ନେଇ ଜୋରଦାର‌୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗତକାଲିଠୁ ପଟ୍ଟାମୁଣ୍ତାଇକୁ ଏକ ୨୨ଜଣିଆ ଓଡ୍ରାଫ୍‌ ଟିମ୍‌ ପଠାଇ ଦିଆଯାଇଥିବା ବେଳେ ଆଜି ବନ୍ୟା ଘେରରେ ଥିବା ରାଜକନିକା ବ୍ଲକ୍‌ ପଧାନପଡ଼ା ପଞ୍ଚାୟତର ବାଲିସାହିରୁ ୪୩୦ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଶାସନିକ ତଥ୍ୟ କହୁଛି ଗଲା ତିନି ଦିନ ହେବ ମହାନଦୀ ସମେତ ଏହାର ଶାଖା ନଦୀ ଲୁଣା, କରାଣ୍ତିଆ, ଚିତ୍ରତ୍ପୋଳା, ପାଇକା ସମେତ ବିରୂପା, ବ୍ରାହ୍ମଣୀ, ବୈତରଣୀ ଏବ˚ ଖରସ୍ରୋତା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଜିର ତଥ୍ୟ ଅନୁସାରେ ଲୁଣା ନଦୀର ପୂବଂଶ, ଦାନପୁରରେ ବିପଦସଂକେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ହେଁ, ଜଳସ୍ତର ସ୍ଥିର ରହିଛି। କିନ୍ତୁ ବସପୁରରେ ଜଳସ୍ତର ବଢ଼ିବାରେ ଲାଗିଛି। ସେହିପରି ଚିତ୍ରୋତ୍ପଳାର ମାର୍ଶାଘାଇରେ ବିପଦସଂକେତଠୁ ମାତ୍ର ୩୦ ସେଣ୍ଟିମିଟର‌୍‌ ତଳେ ପାଣି ପ୍ରବାହିତ ହେଉଥିବାବେଳେ ପାଟକୁରାରେ ବିପଦସଂକେତ ଉପରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବ୍ରାହ୍ମଣୀ ଓ ବିରୂପାରେ ବି ସମାନ ଚିତ୍ର ଦେଖିବାକୁ ମିଳିଛି।

Share Now:

Kalinga News Beuro

Next Post

ଯାଜପୁର ଜିଲ୍ଲାରେ ବନ୍ୟା ତାଣ୍ଡବ : ବ୍ରାହ୍ମଣୀ ଓ ଖରସ୍ରୋତାରେ ୧୯ ଘାଇ, ହଜାର ହଜାର ଲୋକ ପାଣି ଘେରରେ

Sat Aug 29 , 2020
କାନ୍ଥ ପଡ଼ି ଶିଶୁ ମୃତ, ଜଣେ ନିଖୋଜ, ୬ବ୍ଲକ୍‌ରେ ମୋଟ ୨୨ଟି ଘାଇ,ନଦୀ ଗର୍ଭକୁ ଚାଲିଗଲା ୨ ମହଲା ଘର ଯାଜପୁର/ବରୀ : ଯାଜପୁର ଜିଲ୍ଲାରେ ଆଜି ଜଳପ୍ରଳୟ ଦେଖିବାକୁ ମିଳିଛି। ଗତକାଲି ବୈତରଣୀ ଓ ଶାଖା ନଦୀରେ ୩ଟି ଘାଇ ସୃଷ୍ଟି ହୋଇ ୩ଟି ବ୍ଲକ୍ ଦଶରଥପୁର, ଯାଜପୁର ଓ କେ‌ରୋଇ ପ୍ରଭାବିତ ହୋଇଥିଲା। ଆଜି ବ୍ରାହ୍ମଣୀ ଓ ‌ଖରସ୍ରୋତା ନଦୀରେ ୧୯ଟି ଘାଇ ସୃଷ୍ଟି ହୋଇ ୫ଟି […]
ଯାଜପୁର ଜିଲ୍ଲାରେ ବନ୍ୟା ତାଣ୍ଡବ-3

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial