୧୪ ବର୍ଷ ପରେ ବାଲେଶ୍ବରରେ ଭୟଙ୍କର ବନ୍ୟା ଆଶଙ୍କା

ବାଲେଶ୍ବରରେ ଭୟଙ୍କର ବନ୍ୟା

୪ ପ୍ରଭାବିତ ବ୍ଲକ ପାଇଁ ୫ ନୋଡାଲ ଅଫିସର, ୨୭ଟି ରେସପନ୍ସ ଟିମ୍

ବାଲେଶ୍ବର: ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜ୍‌ରେ ଗତକାଲି ୧୬ଟି ଗେଟ୍‌ ଏବଂ ଆଜି ଆଉ ୪ଟି ଖୋଲାଯାଇଥିବାରୁ ଉତ୍ତର ବାଲେଶ୍ବରରେ ଭୟଙ୍କର ବନ୍ୟା ଆଶଙ୍କା ଦେଖାଦେଇଛି। ବନ୍ୟା ହେଲେ ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକରେ ଏହାର ଭୟଙ୍କର ପ୍ରଭାବ ପଡ଼ିବ। ଆଜି ଅପରାହ୍ନରୁ ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଏହାର ପ୍ରଭାବ ଅଧିକ ରହିବ ବୋଲି ଜଣାଯାଇଥିବା ବେଳେ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ୪ଟି ବ୍ଲକ ଉପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଆରମ୍ଭ ହୋଇଯାଇଛି। ଏଥିସହ ସମ୍ଭାବ୍ୟ ପ୍ରବଳ ବନ୍ୟା ସମୟରେ ଉପୁଜିବାକୁ ଥିବା ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଆଜି ଏସ୍‌ଆର୍‌ସି କ୍ଷମତା ପ୍ରଦାନ କରାଯାଇଛି। ବାଲେଶ୍ୱରରେ ସ୍ଥିତିର ମୁକାବିଲା କରିବା ପାଇଁ ଏକ ହେଲିକପ୍ଟର ମୁତୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକତା ଅନୁସାରେ ଜରୁରୀକାଳୀନ ସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲାପାଳ ଏହି ହେଲିକପ୍ଟର ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇପାରିବେ ବୋଲି କୁହାଯାଇଛି। ପ୍ରବଳ ବନ୍ୟାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲାରେ ୧ ଏନ୍‌ଡିଆର୍‌ଏଫ୍‌, ୧ ଓଡ୍ରାଫ୍ ଓ ୧୨ ଅଗ୍ନିଶମ ବାହିନୀ ମୁତୟନ ରହି ତଳି ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଆବଶ୍ୟକତା ଦୃଷ୍ଟିରୁ ଜିଲ୍ଲା ବାହାରୁ ୩ଟି ଏନ୍‌ଡିଆରଏଫ୍‌, ୨ଟି ଓଡ୍ରାଫ୍‌ ଏବଂ ୮ ଟି ଅଗ୍ନିଶମ ଟିମ୍‌ ଅଣାଯାଇ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ୪ ପ୍ରଭାବିତ ବ୍ଲକ ପାଇଁ ୫ ଜଣ ନୋଡାଲ ଅଫିସର ନିୟୋଜିତ ହୋଇଛନ୍ତି। ଉଦ୍ଧାର କରାଯାଉଥିବା ଲୋକମାନଙ୍କ ପାଇଁ ପ୍ରଭାବିତ ଅଞ୍ଚଳରେ ଥିବା ସମସ୍ତ ବହୁମୂଖୀ ଆଶ୍ରୟସ୍ଥଳୀ ସମେତ ଦୁଇମହଲା ବିଶିଷ୍ଟ ସରକାରୀ ସ୍କୁଲ ଏବଂ ସରକାରୀ ଘରଗୁଡ଼ିକ ପ୍ରସ୍ତୁତ ରଖାଯାଇଛି। ଅପରାହ୍ନ ୪ଟା ସୁଦ୍ଧା ୫ ହଜାର ଲୋକଙ୍କୁ ଉପରମୁଣ୍ଡକୁ ଅଣାଯାଇଥିବା ବେଳେ ଆସନ୍ତାକାଲି ସୁଦ୍ଧା ଦେଢ଼ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି। ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆଡଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି। ଆରୁହାବୃତ୍ତି, ଖରିଦପିପଳ, ନାଛିନ୍ଦା, କୁମ୍ଭାରଗଡ଼ି ଓ ଗବଗାଁରେ ଥିବା ସିଏଚସି ଏବଂ ପିଏଚ୍‌ସିଗୁଡ଼ିକରେ ୧୪ ଜଣ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ଆଲର୍ଟ ହୋଇ ରହିଛନ୍ତି। ସେହିପରି ବାଲିଆପାଳ ବ୍ଲକରେ ୨ଟି ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଟିମ୍‌ ଯେଉଁଥିରେ ଡାକ୍ତର, ଷ୍ଟାଫ୍‌ ନର୍ସ ଓ ଫାର୍ମାସିଷ୍ଟଙ୍କୁ ମିଶାଇ ୪ ଜଣ ଅଛନ୍ତି ଏବଂ ବସ୍ତା ବ୍ଲକରେ ୨ଟି ଭ୍ରାମ୍ୟମାଣ ମେଡିକାଲ ଟିମ୍‌ ଯେଉଁଥିରେ ଡାକ୍ତରଙ୍କ ସମେତ ଷ୍ଟାଫ୍‌ ଓ ଫାର୍ମାସିଷ୍ଟଙ୍କୁ ମିଶାଇ ୪ ଜଣ ଅଛନ୍ତି, ସେମାନଙ୍କୁ ଉଦ୍ଧାରକାରୀ ଦଳ ସହ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅପରାହ୍ନ ୩ଟା ବେଳକୁ ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଙ୍କେତ ଡେଇଁ ୧୦. ୪୧ ମିଟରରେ ପ୍ରବାହିତ ହେଉଥିବା ବେଳେ ବୁଢ଼ାବଳଙ୍ଗ ନଦୀରେ ପାଣି ବିପଦ ସଙ୍କେତ ତଳକୁ ୭.୩୬ ମିଟରରେ ପ୍ରବାହିତ ହେଉଥିଲା। ଜଳକାରେ ପାଣି କମୁଥିଲେ ହେଁ ବିପଦ ସଙ୍କେତ ଉପରେ ପାଣି ପ୍ରବାହିତ ହେଉଛି। ଜଳକାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିବା ବେଳେ ଅପରାହ୍‌ଣ ୩ଟା ବେଳେ ୬.୭୪ ମିଟରରେ ପା‌ଣି ପ୍ରବାହିତ ହେଉଥିବା ଜଣାଯାଇଛି। ପୂର୍ବରୁ ୨୦୦୮ ମସିହାରେ ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଙ୍କେତ ଡେଇଁ ୧୨ ମିଟର ଉପରେ ଅର୍ଥାତ୍‌ ସାଢ଼େ ୩ ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହୋଇଥିଲା। ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ହେଲେ ଏଥର ସାଢ଼େ ୫ରୁ ୬ ଲକ୍ଷ କ୍ୟୁସେକ୍‌ ପାଣି ଆସିବାର ସମ୍ଭାବନା ରହିଥିବାରୁ ବଡ଼ ବନ୍ୟା ହେବ ବୋଲି ଆଶଙ୍କା କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଦ୍ବି’ ପ୍ରହର ସମୟରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଜଳେଶ୍ବର ଏବଂ ଭୋଗରାଇ ବ୍ଲକର ଦୁର୍ବଳ ନଦୀବନ୍ଧ ବୁଲି ଦେଖିବା ପରେ ବାଲିଆପାଳ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମରେ ଆଜି ବା‌ଲେଶ୍ବର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବ ବାଲେଶ୍ବରରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ପ୍ରଥମେ ଦଳର ବିଧା‌ୟକ ଏବଂ ବରିଷ୍ଠ ନେତୃମଣ୍ଡଳୀଙ୍କୁ ଡାକି ବନ୍ୟା ମୁକାବିଲା ସମ୍ପର୍କରେ କଥା ହୋଇଥିଲେ। ପରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବରିଷ୍ଠ ଅଧିକାରୀଙ୍କୁ ଡାକି ବନ୍ୟା ସ୍ଥିତି ଉପରେ ସମୀକ୍ଷା କରିଥିଲେ। ଏହାପରେ ଅପରାହ୍‌ଣ ସମୟରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ମିଶି ଶ୍ରୀ ଦେବ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏପଟେ ଜଳକା ନଦୀ ବିପଦ ଉପରେ ପାଣି ଚାଲୁଥିବାରୁ ବସ୍ତା ଓ ସଦର ବ୍ଲକର ଅନେକ ୬୦ରୁ ଅଧିକ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚାଷଜମି ସହିତ ଗାଁ ଗାଁରେ ଲୋକଙ୍କ ଘର ଓ ରାସ୍ତା ବୁଡ଼ି ଯାଇ ନାହିଁ ନଥିବା ସମସ୍ୟା ଦେଖାଦେଇଛି। ବୁଢ଼ା‌ବଳଙ୍ଗ ନଦୀରେ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିପାରିନାହିଁ। କିଛି ସ୍ଥାନରେ ଜଳକା ଏବଂ ବୁଢ଼ାବଳଙ୍ଗ ନଦୀରୁ ଜଳସ୍ତର କମିବା ଆରମ୍ଭ ହୋଇଛି। ତେଣୁ ବୁଢ଼ାବଳଙ୍ଗରେ ବନ୍ୟା ସ୍ଥିତି ଉପଜିବାର ଆଶଙ୍କା ନଥିଲେ ବି ଦୁର୍ବଳ ନଦୀବନ୍ଧ ଏବଂ ବେଆଇନ୍‌ ଜବରଦଖଲ ଯୋଗୁଁ ଅନେକ ସ୍ଥାନରେ ଘରଦ୍ବାର, ଚାଷଜମି ଓ ରାସ୍ତାଘାଟ ଆଦି ସବୁ ବୁଡ଼ିଯାଇଥିବା ଦେଖାଯାଇଛି। ବୁଢ଼ାବଳଙ୍ଗ, ସୋନ ଏବଂ ଗଙ୍ଗାହାର ନଦୀ ଜଳରେ ରେମୁଣା ଏବଂ ସଦର ବ୍ଲକର ୧୦ ହଜାରରୁ ଅଧିକ ହେକ୍ଟର ଚାଷଜମି ସମ୍ପୂର୍ଣ୍ଣ ‌ନଷ୍ଟ ହୋଇଯାଇଥିବା ବେଳେ ଚାଷ ଉପରେ ନିର୍ଭରଶୀଳ ଥିବା ଏ ଅଞ୍ଚଳର ଚାଷୀ ଆଗକୁ ଆଉ ଧାନ କିମ୍ବା ପନିପରିବା ଚାଷ କରିବେ ନା ନାହିଁ ସେନେଇ ଚିନ୍ତାରେ ଥିବା କହିଛନ୍ତି।

Share Now:

Kalinga News Beuro

Next Post

ବନ୍ୟାପାଣି ଦେଖିଯିବି କହି ଘରୁ ବାହାରିଥିଲେ ଗଗନ : ନଈକୁ ଡେଇଁ ନିଖୋଜ, ସମୁଦ୍ରକୁ ଭାସି ଯାଇଥିବା ଆଶଙ୍କା

Sun Aug 21 , 2022
ପୁରୀ: ବନ୍ୟାପାଣି ଦେଖିବାକୁ ଯାଇ ଆଜି ସନ୍ଧ୍ୟାରେ ଜଣେ ବ୍ୟକ୍ତି ନଈକୁ ଡେଇଛନ୍ତି। ସେ ସମୁଦ୍ରକୁ ଭାସି ଯାଇଥିବା ଆଶଙ୍କା କରାଯାଉଛି। ସୂଚନା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପୁରୀ ସହରର ମେରାଇନ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ନିଖୋଜ ବ୍ୟକ୍ତି ହେଲେ ଗଗନ ପ୍ରଧାନ (୫୦)। ସୂଚନା ଅନୁସାରେ ମେରାଇନ ଥାନା ଅନ୍ତର୍ଗତ ବାଲିଗୁଆଳିର ଗଗନ ପ୍ରଧାନ ନାମକ […]
ନଈକୁ ଡେଇଁ ନିଖୋଜ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial