ବନ୍ୟାପାଣି ଦେଖିଯିବି କହି ଘରୁ ବାହାରିଥିଲେ ଗଗନ : ନଈକୁ ଡେଇଁ ନିଖୋଜ, ସମୁଦ୍ରକୁ ଭାସି ଯାଇଥିବା ଆଶଙ୍କା

ନଈକୁ ଡେଇଁ ନିଖୋଜ

ପୁରୀ: ବନ୍ୟାପାଣି ଦେଖିବାକୁ ଯାଇ ଆଜି ସନ୍ଧ୍ୟାରେ ଜଣେ ବ୍ୟକ୍ତି ନଈକୁ ଡେଇଛନ୍ତି। ସେ ସମୁଦ୍ରକୁ ଭାସି ଯାଇଥିବା ଆଶଙ୍କା କରାଯାଉଛି। ସୂଚନା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପୁରୀ ସହରର ମେରାଇନ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ନିଖୋଜ ବ୍ୟକ୍ତି ହେଲେ ଗଗନ ପ୍ରଧାନ (୫୦)। ସୂଚନା ଅନୁସାରେ ମେରାଇନ ଥାନା ଅନ୍ତର୍ଗତ ବାଲିଗୁଆଳିର ଗଗନ ପ୍ରଧାନ ନାମକ ଜଣେ ବ୍ୟକ୍ତି ନୂଆନଈକୁ ବନ୍ୟାପାଣି ଦେଖିଯିବି ବୋଲି ପରିବାର ଲୋକଙ୍କୁ କହିଥିଲେ। ସେ ଆଜି ଅପରାହ୍ନ ପ୍ରାୟ ୪ଟାରେ ଘରୁ ବାହାରିଥିଲେ ଏବଂ ପ୍ରାୟ ଏକ ଘଣ୍ଟା ପରେ ନଈରେ ପ୍ରବାହିତ ବନ୍ୟାପାଣିକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପାଣି ସୁଅର ବେଗ ଅଧିକ ଥିବାରୁ ବ୍ୟକ୍ତି ଜଣକ ସମୁଦ୍ର ଆଡ଼କୁ ଭାସିଯାଇଥିବା ଦେଖେଣାହାରୀମାନେ କହିଛନ୍ତି। ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କରିବାକୁ ଉଦ୍ୟମ କରିଛନ୍ତି। ତେବେ ସନ୍ଧ୍ୟା ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ପହଞ୍ଚିଛି। ଲଗାଣ ବର୍ଷା ପରେ ବନ୍ୟା ଯୋଗୁଁ ନୂଆନଈରେ ଏବେ ୨୦ ଫୁଟରୁ ଅଧିକ ଉଚ୍ଚର ଜଳ ପ୍ରବାହିତ ହେଉଛି। ପ୍ରତିଦିନ ନୂଆନଈ ବ୍ରିଜ୍‌ ଉପରେ ବନ୍ୟା ପାଣି ଦେଖିବାକୁ ଲୋକଙ୍କର ଭିଡ଼ ଲାଗୁଛି। ଗଗନ ପ୍ରଧାନ ମଧ୍ୟ ଆଜି ପାଣି ଦେଖିବାକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ସୂଚନାଯୋଗ୍ୟ, ଗଗନ ପ୍ରଧାନଙ୍କ ହୃଦଘାତ ଜନିତ ସମସ୍ୟା ନେଇ ଗତକାଲି (ଶନିବାର) ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇବାରେ ଟଙ୍କା ଖର୍ଚ୍ଚ ହୋଇଥିଲା। ଏନେଇ ଗତକାଲି ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ଗଗନଙ୍କର ପାଟିତୁଣ୍ଡ ମଧ୍ୟ ହୋଇଥିଲା। ସେଥିପାଇଁ ମାନସିକ ଭାରସାମ୍ୟ ହରାଇ ଗଗନ ଆଜି ନଈକୁ ଡେଇଁ ପଡ଼ିଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି।

Share Now:

Kalinga News Beuro

Next Post

ରାଜଧାନୀରେ ଚାଞ୍ଚଲ୍ୟ: ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Sun Aug 21 , 2022
ଭୁବନେଶ୍ବର: ରାଜଧାନୀରେ ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏକ ଭଡା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ଏଭଳି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳରେ। ଯୁବତୀଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ମୃତ ଯୁବତୀଜଣକ ଭଦ୍ରକ ଅଞ୍ଚଳର ଶ୍ଵେତା ଉତ୍କଳ କୁମାରୀ ବୋଲି ଜଣାଯାଇଛି। ଘଟଣା ସଂପର୍କରେ ମୃତ ଯୁବତୀଙ୍କ ପରିବାର ଲୋକଙ୍କୁ ପୁଲିସ୍ ଜଣାଇଛି। […]
ମହିଳା ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial