ଯାଜପୁର ଜିଲ୍ଲାରେ ବନ୍ୟା ତାଣ୍ଡବ : ବ୍ରାହ୍ମଣୀ ଓ ଖରସ୍ରୋତାରେ ୧୯ ଘାଇ, ହଜାର ହଜାର ଲୋକ ପାଣି ଘେରରେ

ଯାଜପୁର ଜିଲ୍ଲାରେ ବନ୍ୟା ତାଣ୍ଡବ-3

କାନ୍ଥ ପଡ଼ି ଶିଶୁ ମୃତ, ଜଣେ ନିଖୋଜ, ୬ବ୍ଲକ୍‌ରେ ମୋଟ ୨୨ଟି ଘାଇ,ନଦୀ ଗର୍ଭକୁ ଚାଲିଗଲା ୨ ମହଲା ଘର

ଯାଜପୁର/ବରୀ : ଯାଜପୁର ଜିଲ୍ଲାରେ ଆଜି ଜଳପ୍ରଳୟ ଦେଖିବାକୁ ମିଳିଛି। ଗତକାଲି ବୈତରଣୀ ଓ ଶାଖା ନଦୀରେ ୩ଟି ଘାଇ ସୃଷ୍ଟି ହୋଇ ୩ଟି ବ୍ଲକ୍ ଦଶରଥପୁର, ଯାଜପୁର ଓ କେ‌ରୋଇ ପ୍ରଭାବିତ ହୋଇଥିଲା। ଆଜି ବ୍ରାହ୍ମଣୀ ଓ ‌ଖରସ୍ରୋତା ନଦୀରେ ୧୯ଟି ଘାଇ ସୃଷ୍ଟି ହୋଇ ୫ଟି ବ୍ଲକ୍ ବରୀ, ବିଂଝାରପୁର, ରସୁଲପୁର, ଯାଜପୁର ଓ ସୁକିନ୍ଦାରେ ବନ୍ୟାର ପ୍ରକୋପ ‌ଦେଖିବାକୁ ମିଳିଛି। ପ୍ରଳୟଙ୍କରୀ ବନ୍ୟା‌ ଯୋଗୁଁ ଶହ ଶହ ଗ୍ରାମ ପାଣି ଘେରରେ ଥିବା ବେଳେ ଅନେକ ରାସ୍ତାଘାଟ ଉପରେ ବନ୍ୟା ସ୍ରୋତ ଚାଲିଛି। ଶହଶହ ସଂଖ୍ୟାରେ ଘର ମାଟିରେ ମିଶିଯାଇଛି। ଯାଜପୁର ବ୍ଲକ୍ ପଣସା ପଞ୍ଚାୟତ ବାଲିପୋଖରୀ ଅଞ୍ଚଳରେ ମାଟିକନ୍ଥ ପଡ଼ି ଅମର ମାଝୀଙ୍କ ୩ ମାସର ଝିଅ ଲକ୍ଷ୍ମୀ ମାଝିଙ୍କ ମୃତ୍ୟୁ ଘଟିଛି। ସେହିପରି ଯାଜପୁର ପୌରାଞ୍ଚଳ ନିକଟସ୍ଥ ବରାହ ନୂଆପୁର ଅଞ୍ଚଳର ସୂର୍ଯ୍ୟମଣି ରାଉତଙ୍କ ପୁଅ ବୁବୁନା ରାଉତ(୧୮) ବୈତରଣୀରେ ଭାସିଯାଇଛନ୍ତି। ନଦୀ କୂଳରେ ଆଜି ଅପରାହ୍ଣରେ ବନ୍ୟା ପାଣି ଦେଖୁଥିବା ବେଳେ ଗୋଡ଼ ଖସିଯିବାରୁ ଭାସି ଯାଇଥିଲେ।
ଲଘୁଚାପ ବର୍ଷା ଓ ବନ୍ୟାରେ ଜିଲ୍ଲାର ୧୨୪ ପଞ୍ଚାୟତର ୫୩୦ଟି ଗ୍ରାମ ପ୍ରଭାବିତ ହୋଇଛି। ଜିଲ୍ଲାର ୪ଟି ନଦୀରେ ୨୨ଟି ଘାଇ ସୃଷ୍ଟି ହୋଇଛି। ସାଢ଼େ ୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୪୦୯୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ବିପନ୍ନଙ୍କୁ ଖାଦ୍ୟ ପ୍ରଦାନ ପାଇଁ ୧୨୭ଟି କେନ୍ଦ୍ର ଖୋଲାଯାଇଛି। ମହାନଦୀ‌ରେ ବଡ଼ବନ୍ୟା ଆସୁଥିବାରୁ ବଡ଼ଚଣା ଓ ଧର୍ମଶାଳା ବ୍ଲକ୍ ପ୍ରତି ମଧ୍ୟ ଅଧିକ ବିପଦ ଆଶଙ୍କା କରାଯାଇଛି। ଉପର ମୁଣ୍ଡରେ ବର୍ଷା କମିଥିବା ବେଳେ ତଳ ମୁଣ୍ଡରେ ଅନେକ ସ୍ଥାନରେ ଘାଇ ହୋଇଯିବାରୁ ବୈତରଣୀ ,ବ୍ରାହ୍ମଣୀ ନଦୀ ଓ ତାର ଶାଖା ନଦୀଗୁଡ଼ିକ ଜଳସ୍ତର ହ୍ରାସ ପାଇବାରେ ଲାଗିଛି।

ପ୍ରକାଶଥାଉକି, ୨୦୧୧ ବନ୍ୟା ଠାରୁ ଚଳିତ ବନ୍ୟାର ଜଳସ୍ତର ଅଧିକ ନଥିଲେ ମଧ୍ୟ ବେଶ ପ୍ରଭାବ ଦେଖିବାକୁ ମିଳିଛି। ଲଗାଣ ବର୍ଷା ଫଳରେ ବୈତରଣୀ ଓ ବ୍ରାହ୍ମଣୀ ମୁଖ୍ୟ ନଦୀ ସହ ଶାଖା ଖରସ୍ରୋତା, କାଣୀ, ବୁଢ଼ା, ଗେଙ୍ଗୁଟି ଆଦି ନଦୀରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଓ ଆଜି ବନ୍ୟାରେ ଯାଜପୁର ବ୍ଲକର ୨୦ରୁ ଅଧିକ ପଞ୍ଚାୟତ, ଦଶରଥପୁରରେ ୨୦, ବରୀର ୨୯ ପଞ୍ଚାୟତ, ବିଂଝାରପୁରର ୧୩, ରସୁଲପୁରର ୮ପଞ୍ଚାୟତ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ପ୍ରଶାସନିକ ସୂଚନା ଅନୁସାରେ ଯାଜପୁର ବ୍ଲକରେ ୫, ସୁକିନ୍ଦା ବ୍ଲକରେ ୧, ରସୁଲପୁରରେ ୬, ବରୀରେ ୩, ଦଶରଥପୁରର ୩ ଓ ବିଂଝାରପୁର ବ୍ଲକରେ ତିନୋଟି ଘାଇ ସୃଷ୍ଟି ହୋଇଛି। ବ୍ରାହ୍ମଣୀ ଓ ବିରୂପା ନଦୀରେ ବନ୍ୟା ଯୋଗୁଁ ବରୀ ବ୍ଲକ୍‌ର ୨୯ ପଞ୍ଚାୟତ ପ୍ରଭାବିତ ହୋଇଛି। ବ୍ରାହ୍ମଣୀ ନଦୀବନ୍ଧରେ ୬ଟି ଘାଇ ସୃଷ୍ଟି ହୋଇ ବରୀ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ବ୍ରାହ୍ମଣୀର ଗୋଳକୁଣ୍ତ ମଙ୍ଗଳା ମନ୍ଦିର ନିକଟରେ ୫୦ ଓ ୬୦ଫୁଟର ୨ଟି ଘାଇ ସୃଷ୍ଟି ହେଇଥିବା ବେଳେ ଇଶାଣପୁର ଶଙ୍କରାକୂଳରେ ୭୦ଫୁଟ୍, ମାଟିଆପଡ଼ା ଠାରେ ୮୦ ଫୁଟ ଘାଇ ସୃଷ୍ଟି ହୋଇଛି। ମନ୍ଦାରୀ ପଞ୍ଚାୟତର ବେଞ୍ଜରାପୁର ଠାରେ ୫୦ଫୁଟର ଘାଇ ସୃଷ୍ଟି ହେବା ସହ ଅଣିକଣା ଛକ ନିକଟରେ ନଦୀବନ୍ଧ ଉପର ଦେଇ ପାଣି ପ୍ରବାହିତ ହେଉଛି। ରସୁଲପୁର ବ୍ଲକ୍‌ ପ୍ରଥମାଖଣ୍ଡରେ ବ୍ରାହ୍ମଣୀ ନଦୀରେ ୭୦ଫୁଟ ଘାଇ, ଲଙ୍କାବାଲିସାହିରେ ୧ଶହ ଫୁଟ, ବନ୍ଧଡ଼ିହରେ ୧ଶହ ଫୁଟ ଘାଇ ହୋଇଛି। ସେହିପରି ଖରସ୍ରୋତାର ଖଣ୍ଡିତରରେ ୩୦ଫୁଟ୍ ଘାଇ ହୋଇଛି। ଫଳରେ ୮ଟି ପଞ୍ଚାୟତର ୪୦ଟି ଗ୍ରାମ ପ୍ରଭାବିତ ହୋଇଛି। ସେହିପରି ସୁକିନ୍ଦା ବ୍ଲକ୍‌ର ମଙ୍ଗଳପୁର ପଞ୍ଚାୟତର ବଞ୍ଜା ଗ୍ରାମ ବ୍ରାହ୍ମଣୀ ନଦୀ ବନ୍ୟା ଜଳ ଘେରରେ ରହିଛି। ବିଂଝାରପୁର ବ୍ଲକ୍‌ର ଖରସ୍ରୋତାର ଶାଖା ନୂଆ ମାହାରାରେ ନାଉବାଙ୍କ ଗାଁ ନିକଟରେ ୧୫୦ଫୁଟ୍ ଘାଇ ହୋଇଛି। ଏହା ଦ୍ବାରା ୪ଟି ପଞ୍ଚାୟତର ୧୬ଟି ଗାଁରେ ପାଣି ପଶିଯାଇଛି। ସେହିପରି ଖରସ୍ରୋତା ନଦୀର ମଲ୍ଲିପୁର ନିକଟ ୧୦୦ ଫୁଟ୍ ଘାଇ ହୋଇ ୫ଟି ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଘାଇ ମୁହଁ ଗାଁ ଭିତରେ ପଡ଼ିଥିବାର ବହୁ ଲୋକଙ୍କର ଘର ଭାଙ୍ଗିଯାଇଛି।

ବନ୍ୟା ପ୍ରଭାବରେ ରସୁଲପୁର ବ୍ଲକ୍ ବନ୍ଧଢ଼ିହ ଠାରେ ରମଣୀ ରଂଜନ ଜେନାଙ୍କ ଦୁଇ ମହଲା କୋଠ ନଦୀଗର୍ଭରେ ଲୀନ ହୋଇଯାଇଛି। ଉକ୍ତ ଘରଟି ୬ ବଖରା ଥିବା ବେଳେ ଘର ସହ ସମସ୍ତ ଆସବାପତ୍ର ନଦୀ ଗର୍ଭକୁ ଚାଲି ଯାଇଛି। ଘର ମାଲିକଙ୍କ ମତରେ ୨୫ଲକ୍ଷ ଟଙ୍କାର ସମ୍ପତ୍ତି ପାଣି ଭିତରକୁ ଚାଲି ଯାଇଛି। ନିଜର ପିନ୍ଧା ଲୁଗା ବ୍ୟତୀତ ଆଉ ‌କୌଣସି ଜିନିଷ ଉଦ୍ଧାର ହୋଇପାରିନାହିଁ। ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟା ଯୋଗୁ ଯାଜପୁର ଟାଉନ-କୁଆଖିଆ ମୁଖ୍ୟ ରାସ୍ତାରେ ୩ଫୁଟ୍ ଜଳ ପ୍ରବାହିତ ହେଉଥିବାରୁ ଜିଲ୍ଲା ସଦର ମହକୁମାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବିଭିନ୍ନ ନଦୀବନ୍ଧରେ ଗୃହପାଳିତ ପଶୁଙ୍କୁ ନେଇ ଲୋକେ ଖୋଲା ଆକାଶ ତଳେ ରହିଛନ୍ତି।

Share Now:

Kalinga News Beuro

Next Post

ପୁଲୱାମାରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ

Sat Aug 29 , 2020
ପୁଲୱାମା: ଶନିବାର ଦିନ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାରେ ଥିବା ଜଦୁରା ଗ୍ରାମରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହେବା ପରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ନିହତ ହୋଇଥିବା ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ। ଏହା ସହ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଥିବା ଜଣେ ଯବାନ ସହିଦ ହୋଇଛନ୍ତି। ଜମ୍ମୁ-କଶ୍ମୀରରେ ୨୪ଘଣ୍ଟା ମଧ୍ୟରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏହା ହେଉଛି […]
ପୁଲୱାମାରେ ଏନକାଉଣ୍ଟର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial