ସହର ଭିତରେ ହାତୀ : ଶିଖରଚଣ୍ଡୀ ପାହାଡ଼ ନିକଟରେ କରୁଛନ୍ତି ଉତ୍ପାତ

ଶିଖରଚଣ୍ଡୀ ପାହାଡ଼ ନିକଟରେ ହାତୀ

ଲୋକେ ଡାକିଲେ ଆସୁନାହାନ୍ତି ବନ କର୍ମଚାରୀ

ଚନ୍ଦ୍ରଶେଖରପୁର: ଡ୍ୟୁଟିରେ ଅଛନ୍ତି ବନ କର୍ମଚାରୀ। ମାତ୍ର ଜଙ୍ଗଲ ମାଟି ମାଡ଼ୁନାହାନ୍ତି। କେଉଁ ବାଟରେ ଶିକାରୀ ଜଙ୍ଗଲକୁ ପଶୁଛନ୍ତି ତାହା ଉପରେ କାହାର ଦୃଷ୍ଟି ନାହିଁ। ହାତୀ, ବାଘ, ଭାଲୁ କୁଆଡ଼େ ଗଲେ, କାହାକୁ ମାରିଲେ ତାହା ଉପରେ ମଧ୍ୟ ସେମାନଙ୍କର ନଜର ନାହିଁ। ନିଜ ସୁରକ୍ଷା ଦାବିରେ ବନ କର୍ମଚାରୀମାନେ ପ୍ରତୀକାତ୍ମକ ଧର୍ମଘଟକୁ ଓହ୍ଲାଇବା ପରେ ଏବେ ଓଡ଼ିଶା ଜଙ୍ଗଲରେ ଏମିତି ସ୍ଥିତି ଉପୁଜିଛି। ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ, ସୁନ୍ଦରଗଡ଼ରେ ହାତୀଙ୍କ ଉତ୍ପାତ ବଢ଼ିଥିବା ବେଳେ ଦୁଇ ଦିନ ହେଲା ଭୁବନେଶ୍ୱର ଉପକଣ୍ଠରେ ହାତୀ ପଲ ସାଧାରଣ ଲୋକଙ୍କୁ କଲବଲ କରୁଛନ୍ତି। ଗତକାଲି ରାତିରେ ୩ଟିକିଆ ହାତୀପଲ ଶିଖରଚଣ୍ଡୀ ନିକଟ ଗଣେଶ ବିହାରରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଲୋକଙ୍କ ଘର ପାଚେରି ଭାଙ୍ଗିବା ସହ ବ୍ୟାପକ ଗଛ ନଷ୍ଟ କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସହର ଉପକଣ୍ଠରେ ହାତୀ ପଲ ପଶିଥିବା ନେଇ ଅଞ୍ଚଳବାସୀ ବନ ବିଭାଗ କର୍ମଚାରୀଙ୍କୁ ଅବଗତ କରିଥିଲେ ମଧ୍ୟ କାହାର ଦେଖା ମିଳି ନ ଥିଲା। ଘଉଡ଼ାଇବାକୁ କେହି ଆସି ନ ଥିଲେ। ଆଜି ରାତିରେ ପୁଣିଥରେ ୩ଟିକିଆ ହାତୀପଲ ଶିଖରଚଣ୍ଡୀ ପାହାଡ଼ଠାରୁ କିଛି ଦୂରରେ ବୁଲୁଥିବା ଦେଖିବାକୁ ମିଳିଛି। ରାତି ପ୍ରାୟ ୧୧ଟା ବେଳେ ଗୋଟିଏ ଦନ୍ତା ଓ ଦୁଇଟି ମାଈ ହାତୀ ପଥରଗାଡ଼ିଆ ନିକଟ ୨୦୦ ଫୁଟିଆ ରାସ୍ତା ପାର ହେଉଥିବା ଲୋକେ ଦେଖିବାକୁ ପାଇଛନ୍ତି। ଲୋକଙ୍କ ଘର ନିକଟରେ ସେମାନେ ଚଳପ୍ରଚଳ କରୁଥିବାରୁ ସମସ୍ତେ ଭୟଭୀତ ରହିଛନ୍ତି। ବାରମ୍ବାର ଫୋନ୍‌ କରିବା ସତ୍ତ୍ୱେ ବନ ବିଭାଗ କର୍ମଚାରୀଙ୍କଠାରୁ କୌଣସି ଉତ୍ତର ମିଳୁ ନ ଥିବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି। ଯଦି ରାଜ୍ୟ ରାଜଧାନୀରେ ଏମିତି ସ୍ଥିତି ତେବେ ଉପାନ୍ତ ଅଞ୍ଚଳରେ କିଭଳି ପରିସ୍ଥିତି ହୋଇଥିବ ତାହା ସ୍ପଷ୍ଟ ଅନୁମେୟ।
ବନ କର୍ମଚାରୀଙ୍କ ଆନ୍ଦୋଳନ ପରେ ବନ୍ୟଜନ୍ତୁଙ୍କଠାରୁ ଲୋକଙ୍କ ପ୍ରତି ବିପଦ ବଢ଼ିବାରେ ଲାଗିଛି। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଏଭଳି ସ୍ଥିତି ଲାଗିରହିଲେ ଭବିଷ୍ୟତରେ ବନ୍ୟଜନ୍ତୁ ଓ ମଣିଷ ଲଢ଼େଇ ବଢ଼ିଯିବାର ଆଶଙ୍କା ରହିଛି। ଗତ ଦୁଇ ଦିନ ହେଲା ହାତୀ ପଲକୁ ଟ୍ରାକିଂ କରାଯାଉ ନ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଥିବା ଖବର ଆସୁଛି। ରାଜଧାନୀ ଉପକଣ୍ଠରେ ଦୁଇଦିନ ହେଲା ହାତୀ ବୁଲିବା ଚିନ୍ତା ବଢ଼ାଇଛି। କେତେବେଳେ ଯେ ସେମାନେ ସହର ଭିତରକୁ ପ୍ରବେଶ ନ କରିବେ ତାହା କେହି କହିପାରିବେ ନାହିଁ। ଏଭଳି ସ୍ଥିତିର ମୁକାବିଲା ପାଇଁ ବନ ଅଧିକାରୀମାନେ ପାଟ୍ରୋଲିଂକୁ ଓହ୍ଲାଇବା ଆବଶ୍ୟକ। ଦରକାର ପଡ଼ିଲେ, ପୋଲିସ ଫୋର୍ସକୁ ମୁତୟନ କରାଯାଉ।

Share Now:

Kalinga News Beuro

Next Post

ମୋଦୀ, ଶାହ ଓ ନୀତୀଶ କୁମାରଙ୍କୁ ହତ୍ୟା ଧମକ

Wed Jun 21 , 2023
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା କରିବେ ବୋଲି ଜଣେ ବ୍ୟକ୍ତି ଆଜି ଦିଲ୍ଲୀ ପୁଲିସର ‘ଆଉଟର୍‌ ଡିଷ୍ଟ୍ରିକ୍ଟ୍‌’ ପୁଲିସକୁ ଦୁଇଟି ‘ପିସିଆର୍‌’ କଲ୍‌ କରିଥିବା କଥା ‘ଇଣ୍ଡିଆ ଟିଭି’ ରିପୋର୍ଟ କରିଛି। ଅନୁସନ୍ଧାନ କରି ଫୋନ୍‌ କରିଥିବା ବ୍ୟକ୍ତିଙ୍କୁ ଠାବ କରିବା ଲାଗି ପୁଲିସ ଟିମ୍‌ ମୁତୟନ କରାଯାଇଥିବା କଥା ଦିଲ୍ଲୀ ପୁଲିସ କହିଛି।ପୁଲିସ କହିବା ଅନୁସାରେ, […]
ମୋଦୀ,ଶାହ ଓ ନୀତୀଶଙ୍କୁ ହତ୍ୟା ଧମକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial