ଖୋଲା ଆକାଶ ତଳେ ଶହଶହ ନିରାଶ୍ରୟ: ସୁପ୍ରିମକୋର୍ଟଙ୍କ ଆଦେଶ ଧର୍ମକୁ ଆଖିଠାର

ଖୋଲା ଆକାଶ ତଳେ ଶହଶହ ନିରାଶ୍ରୟ

ଭୁବନେଶ୍ୱର: ସହରର ଖୋଲା ଆକାଶ ତଳେ କେହି ଶୋଇବେନି। ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେବା ପରେ ସହରାଞ୍ଚଳ ବାସହୀନଙ୍କ ପାଇଁ ତିଆରି ହୋଇଥିଲା ‘ସହରାଞ୍ଚଳ ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳୀ’(ଏସ୍‌ୟୁଏଚ୍‌)। ରାଜ୍ୟର ସମସ୍ତ ପୌରସଂସ୍ଥାଙ୍କ ସହ ବିଏମ୍‌ସି ଅଞ୍ଚଳରେ ଜାତୀୟ ସହରାଞ୍ଚଳ ଜୀବୀକା ମିସନ୍‌ (ଏନ୍‌ୟୁଏଲ୍‌ଏମ୍‌)ଅଧୀନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏସ୍‌ୟୁଏଚ୍‌ ନିର୍ମାଣ ହୋଇଥିଲା। ହେଲେ ନିରାଶ୍ରୟଙ୍କ ଭାଗ୍ୟ କିନ୍ତୁ ପରିବର୍ତ୍ତନ ହେଲାନି। ରାସ୍ତାକଡ଼ରେ ସେମିତି ପଡ଼ି ରହିଲେ। ଫୁଟ୍‌ପାଥ୍‌ରେ ଶୋଇଥିବା ବେଳେ ଗାଡ଼ି ଚଢ଼ିଯିବାରୁ ଜୀବନ ବି ଚାଲିଗଲା। ଗତ ମାସ ୩୦ ତାରିଖରେ ରାଜମହଲ ଓଭରବ୍ରିଜ୍‌ ତଳେ ଶୋଇଥିବା ଜଣେ ଦିନ ମଜୁରିଆଙ୍କ ଉପରେ ଗାଡ଼ି ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ତଥାପି ବିଏମ୍‌ସି ଚେତିଲା ନାହିଁ। କେବଳ ଗୋଟିଏ ‌ବୈଠକରେ ତନାଘନା କରିବା ପରେ ବସି ପଡ଼ିଛି। ଏବେ ବି ରାଜଧାନୀର ଖୋଲା ଆକାଶ ତଳେ ଫୁଟ୍‌ପାଥ୍‌ରେ ଲୋକମାନେ ଶୋଉଛନ୍ତି। ତେଣୁ ସୁପ୍ରିମକୋର୍ଟଙ୍କ ଆଦେଶ ଧର୍ମକୁ ଆଖି ଠାର ଭଳି ହୋଇଛି ବୋଲି ମତ ପ୍ରକାଶ ପାଇଛି।
ରାଜଧାନୀର ବିଭିନ୍ନ ସ୍ଥାନରେ ୭ଟି ସହରାଞ୍ଚଳ ଏସ୍‌ୟୁଏଚ୍‌ ରହିଛି। ମାଳିସାହି, ଭୀମପୁର, ଗଙ୍ଗନଗର, ଘାଟିକିଆ, ଅଶୋକନଗର, ଚନ୍ଦ୍ରଶେଖରପୁର ଓ ୟୁନିଟ୍‌-୩ ସୋସିଓ ଇକ୍ୟୁଟି ସେଣ୍ଟରରେ ଏସ୍‌ୟୁଏଚ୍‌ କାର୍ଯ୍ୟକ୍ଷମ ହୋଇଛି। ଏହାକୁ ପରିଚାଳନା କରିବା ପାଇଁ ବାର୍ଷିକ ୫୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ପୂର୍ବରୁ ସୁଡା(ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା) ଜରିଆରେ ଏହାର ପରିଚାଳନା କରୁଥିଲା। ସରକାର ଏହାର ଖର୍ଚ୍ଚ ବହନ କରୁଥିଲେ। କିନ୍ତୁ ଗତ ବର୍ଷ ଜୁଲାଇ ୨୧ ତାରିଖରେ ସରକାର ଏହି ସବୁ ଏସ୍‌ୟୁଏଚ୍‌ର ଖର୍ଚ୍ଚ ବହନ କରିବା ସହ ପରିଚାଳନା କରିବାକୁ ବିଏମ୍‌ସିକୁ ଚିଠି ଲେଖିଥିଲେ। ଏହି ଚିଠି ଆଧାରରେ ବିଏମ୍‌ସି ନିଜ ପାଣ୍ଠିରୁ ବର୍ଷକୁ ୫୪ ଲକ୍ଷରୁ ଅଧିକ ଖର୍ଚ୍ଚ କରୁଛି। ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ପ୍ରତ୍ୟେକ ଲକ୍ଷେ ଜନସଂଖ୍ୟାରେ ଶହେ ଶଯ୍ୟା ବିଶିଷ୍ଟ ଗୋଟିଏ ଏସ୍‌ୟୁଏଚ୍‌ ନିର୍ମାଣ ହେବା କଥା। କିନ୍ତୁ ଭୁବନେଶ୍ୱରରେ ୭ଟି ରହିଛି। ସହରରେ ଏବେ ଜନସଂଖ୍ୟା ୧୫ଲକ୍ଷ ଛୁଇଁଥିବାରୁ ଏଠାରେ ୧୫ଟି ଏସ୍‌ୟୁଏଚ୍‌ରେ ୧୫୦୦ ଶଯ୍ୟା ରହିବା କଥା। ପୁଣି ବିଏମ୍‌ସି ଘରୋଇ ସଂସ୍ଥାଙ୍କ ହାତରେ ଏଗୁଡ଼ିକର ପରିଚଳାନା ଭାର ଛାଡ଼ି ଦେଇ ବସିଯାଇଛି। ନିରାଶ୍ରୟମାନଙ୍କ ବାବଦରେ କୌଣସି ଅନୁଧ୍ୟାନ କରାଯାଉନାହିଁ। ଅଧିକ ଏସ୍‌ୟୁଏଚ୍‌ ଆବଶ୍ୟକତା ଥିବା ବେଳେ ନିର୍ମାଣ ହେଉ ନାହିଁ। ଏସ୍‌ୟୁଏଚ୍‌ ଦାୟିତ୍ବରେ ଥିବା ବିଏମ୍‌ସିର ଅଧିକାରୀଙ୍କୁ ଏଭଳି ଅନେକ ପ୍ରଶ୍ନ କାଠଗଡ଼ାକୁ ଟାଣିଛି। ତେବେ ସମୀକ୍ଷା ହୋଇଛି, ନିୟମିତ ନିରାଶ୍ରୟଙ୍କୁ ଉଠାଯିବା ସହ ସୁବ୍ୟବସ୍ଥିତ କରିବାକୁ ଯୋଜନା ହୋଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Share Now:

Kalinga News Beuro

Next Post

ରାଜ୍ୟରୁ ମୌସୁମୀ ବିଦାୟ : ଅନୁଭୂତ ହେଉଛି ଅସହ୍ୟ ଗରମ ଆଉ ଗୁଳୁଗୁଳି

Tue Oct 10 , 2023
ଭୁବନେଶ୍ୱର: ସଂପ୍ରତି ରାଜ୍ୟରୁ ମୌସୁମୀର ବିଦାୟ ପର୍ବ ଆରମ୍ଭ ହୋଇଯାଇଥିବା ବେଳେ ରାଜ୍ୟରେ ସର୍ବତ୍ର ଅସହ୍ୟ ଗରମ ଅନୁଭୂତ ହେଉଛି। ପାଣିପାଗର ଏପ୍ରକାରର ସ୍ଥିତିରେ ଖରାଦିନ ଭଳି ଗରମ ଆଉ ଗୁଳୁଗୁଳିରେ ଏବେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ବିଶେଷକରି ଦିନର ତାପମାତ୍ରା ୩୫ ଡିଗ୍ରି ପାଖାପାଖି ରହୁଛି। ଅନ୍ୟପକ୍ଷରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଉତ୍ତର ପଶ୍ଚିମ ଭାରତରୁ ଧୀରେ ଧୀରେ ଅପସାରିତ ହେଉଥିବା ବେଳେ ଉତ୍ତର ପଶ୍ଚିମ ଭାରତରେ […]
ରାଜ୍ୟରୁ ମୌସୁମୀ ବିଦାୟ ବେଳେ ଅସହ୍ୟ ଗରମ ଆଉ ଗୁଳୁଗୁଳି

ଆହୁରି ପଢ଼ନ୍ତୁ

Most Read

Social media & sharing icons powered by UltimatelySocial