ଖୋର୍ଦ୍ଧାରେ ‘ତାଲା ବନ୍ଦ’: ସକାଳ ସାଢ଼େ ୬ ଟାରୁ ସାଢ଼େ ୯ ଓ ସଂଧ୍ୟା ୪ରୁ ୬ ଘରୁ ବାହାରିବାକୁ ଅନୁମତି

ସହରର ସମସ୍ତ ପ୍ରବେଶ ପଥରେ ନାକାବନ୍ଦୀ, ୬ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ, ୩୦ ଅଧିକାରୀ ନିୟୋଜିତ

ଖୋର୍ଦ୍ଧା: କୋଭିଡ-୧୯ ସଂକ୍ରମଣ ଚିହ୍ନଟ କରାଯାଇଥିବା ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ସମେତ ଦେଶର ୭୫ଟି ଜିଲ୍ଲାରେ ଲକ୍‌ ଡାଉନ୍ କରିବାକୁ କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ରାଜ୍ୟ ସରକାର ମଧ୍ୟ ଗୋଷ୍ଠୀଗତ ସଂକ୍ରମଣ ବ୍ୟାପିବା ସମ୍ଭାବନା ଥିବା ୫ଟି ଜିଲ୍ଲା ଓ ୭ଟି ସହରକୁ ସଂପୂର୍ଣ୍ଣ ତାଲା ବନ୍ଦ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଧାରାରେ ଗତକାଲି ଜନତା କର୍ଫ୍ୟୁ ପରେ ଆଜି ଖୋର୍ଦ୍ଧା ସହରରେ ତାଲା ବନ୍ଦ ଲାଗୁ କରାଯାଇଛି। ସହରର ପ୍ରବେଶ ଓ ନିର୍ଗମନ ପଥରେ ନାକାବନ୍ଦୀ କରାଯାଇ ସହରରୁ ବାହାରକୁ ଯିବା ଓ ସହରରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।
ଆଜି ସକାଳେ ସହରର ପରିବା ବଜାର, ଦୋକାନ ଆଦି ଖୋଲିଥିଲା। ଏହା ପରେ ପୁଲିସ୍‌, ଉପଜିଲ୍ଲାପାଳ ବିଭିନ୍ନ ସ୍ଥାନ ବୁଲି ଦୋକାନ ବଜାର ବନ୍ଦ କରିବା ସହ ଲୋକଙ୍କୁ ଘରୁ ନବାହାରିବାକୁ ବୁଝାଇଥିଲେ। ତେବେ ଲୋକଙ୍କ ଅନୁରୋଧରେ ହାବେଳୀ ପଡ଼ିଆରେ ପରିବା ବେପାରୀଙ୍କୁ ସାମୟିକ ଭାବେ ପରିବା ବିକ୍ରି କରିବାକୁ ଅନୁମତି ଦିଆଯାଇଥିଲା। ମୁକୁନ୍ଦପ୍ରସାଦ, ଚଣ୍ତିଚୁଆ, ନୂଆବସ୍‌ଷ୍ଟାଣ୍ତ ଛକ, ନୟାଗଡ଼–ଖୋର୍ଦ୍ଧା ଛକ ଆଦି ସ୍ଥାନରେ ପୁଲିସ ନାକାବନ୍ଦୀ କରି ସହରରୁ ବାହାରକୁ ଓ ସହର ମଧ୍ୟକୁ ଯାନବାହାନ ପ୍ରବେଶ ବନ୍ଦ କରିଥିଲେ। ଏନେଇ ଉପଜିଲ୍ଲାପାଳ ଶାନ୍ତନୁ ମହାନ୍ତି କହିଛନ୍ତି ଯେ ଆସନ୍ତାକାଲି ଠାରୁ ସହରରେ ତାଲା ବନ୍ଦ ଦୃଢ଼ ଭାବେ ଲାଗୁ କରାଯିବ। ଯେଉଁମାନେ ଏହାକୁ ଅମାନ୍ୟ କରିବେ ସେମାନଙ୍କୁ ଆଇନାନୁସାରେ ଜରିମାନା ଓ ଦଣ୍ତିତ କରାଯିବ। ତେବେ ସାଧାରଣ ଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ ସକାଳ ୬ରୁ ୯ ଓ ସଂଧ୍ୟା ୪ରୁ ୬ ପରିବା ବଜାର ଖୋଲା ରହିବ। ସହରରେ ଔଷଧ, ଖାଦ୍ୟଦ୍ରବ୍ୟ ଆଦି ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ, ହୋଟେଲ୍ ଆଦି ଖୋଲିବାକୁ ବାରଣ କରାଯାଇଛି। ତାଲା ବନ୍ଦ ସମ୍ପର୍କରେ ସୂଚନା ଦେଇ ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ୱାଇଁ କହିଛନ୍ତି ଯେ ଏନେଇ ଜିଲ୍ଲାରେ ୬ ପ୍ଲାଟୁନ୍ ଅତିରିକ୍ତ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଏହା ସହିତ ଏସ୍‌ପିଙ୍କ ନେତୃତ୍ବରେ ୩୦ଜଣ ପଦାଧିକାରୀ ମଧ୍ୟ ନିୟୋଜିତ ଅଛନ୍ତି। ଜନସାଧାରଣ ଯେଭଳି ଏହି କଟକଣାକୁ ମାନି ଘରୁ କେବଳ ଅତ୍ୟାବଶ୍ୟକ କାର୍ଯ୍ୟରେ ବାହାରିବେ ସେଥିପାଇଁ ଏସ୍‌ପି ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରଖ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି:ଘୋଷଣା କଲେ ଅର୍ଥମନ୍ତ୍ରୀ

Tue Mar 24 , 2020
ନୂଆଦିଲ୍ଲୀ: ସଂପ୍ରତି କରୋନା ଭାଇରସ୍‌କୁ କେନ୍ଦ୍ରକରି ସମଗ୍ର ଦେଶରେ ଏକ ଅଦ୍ଭୂତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି। କରୋନା ଭାଇରସ୍‌ର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଲକ୍‌ ଆଉଟ୍‌ ଠାରୁ ଆରମ୍ଭ କରି କର୍ଫ୍ୟୁ ପର୍ଯ୍ୟନ୍ତ ଘୋଷଣା କରିଥିବା ବେଳେ ସମଗ୍ର ଦେଶରେ ଜୀବନ ଯାତ୍ରା ଏକରକମ ଠପ୍‌ ହୋଇପଡ଼ିଛି। ସାଂପ୍ରତିକ ସ୍ଥିତି ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial