ପୁଣି ଭାସିବ ଭୁବନେଶ୍ୱର : ଆଣ୍ଠେଇଛି ଜମି ଅଧିଗ୍ରହଣ

ଭୁବନେଶ୍ୱର: ମୌସୁମୀ ଆସୁଛି। ଅସରାଏ ବର୍ଷା ହେଲେ ଯେଉଁଠି ରାଜଧାନୀ ଉବୁଟୁବୁ ହୁଏ, ସେଠାରେ ମୌସୁମୀ ଜନିତ ଲଗାଣ ବର୍ଷା ହେଲେ ଅବସ୍ଥା କ’ଣ ହେବ ଆଶଙ୍କା କରି ରାଜଧାନୀବାସୀଙ୍କ ମନରେ ଛନକା ପଶିଛି। କିଛି ଦିନ ତଳେ ବିଏମ୍‌ସିରେ ଡ୍ରେନ୍ ସଫେଇର ସମୀକ୍ଷା ହେବା ବେଳେ ବିଚିତ୍ର ତଥ୍ୟ ପଦାକୁ ଆସିଛି। ମାତ୍ର ୩୦ ପ୍ରତିଶତ ନଳା ସଫା ହୋଇଛି। ଯେଉଁ ମୁଖ୍ୟ ନଳା ପୂର୍ତ୍ତ ବିଭାଗରୁ ବିଏମ୍‌ସି ଅଧୀନକୁ ଆସିଛି ତାହା କେତେ ସଫା ହୋଇଛି କାହା ପାଖରେ ହିସାବ ନାହିଁ। ଏଭଳି ବିଚିତ୍ର ସ୍ଥିତିରେ ଆଉ ଏକ ସାଂଘାତିକ ଚିତ୍ର ବିଏମ୍‌ସିର ଅପାରଗତାକୁ ପଦାରେ ପକାଇଛି। ଯେଉଁଥିପାଇଁ ସହରବାସୀ ଏହି ମୌସୁମୀ ବର୍ଷାରେ ଜଳବନ୍ଦୀ ଯନ୍ତ୍ରଣା ଭୋଗିବାକୁ ଯାଉଛନ୍ତି। ସହରରୁ ବର୍ଜ୍ୟଜଳ ଓ ବର୍ଷା ଜଳ ନିଷ୍କାସନ କରୁଥିବା ପ୍ରମୁଖ ପ୍ରାକୃତିକ ନଳା ସମ୍ପ୍ରସାରଣ ପାଇଁ ଯେଉଁ ଜମି ଅଧିଗ୍ରହଣ ଯୋଜନା ହୋଇଥିଲା ତାହା ଆଣ୍ଠେଇଛି। ଏ ବର୍ଷ ମାତ୍ର ଦେଢ ଏକର ଜମି ଅଧିଗ୍ରହଣ ହୋଇଛି। ସମ୍ବେଦନଶୀଳ ଜାଗା ଚିହ୍ନଟ କରି ବିଏମ୍‌ସି ୭୪ଟି ପମ୍ପସେଟ୍ କିଣିବାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବର୍ଷ ବର୍ଷ ଧରି ଏହି ଜମି ଅଧିଗ୍ରହଣ ବା ପ୍ରାକୃତିକ ନଳା ସମ୍ପ୍ରସାରଣ ଯୋଜନା ପ୍ରତି କାହିଁକି ତତ୍ପରତା ପ୍ରକାଶ କରୁନାହିଁ ତାହା ବୁଝାପଡ଼ୁ ନାହିଁ। ବଡ଼ଡ୍ରେନ୍ ଉପରୁ ଜବରଦଖଲ ହଟାଇବା ଓ ପୁନରୁଦ୍ଧାର କରିବା ପାଇଁ ବିଏମ୍‌ସି ତିନି ବର୍ଷ ହେଲା ଉଦ୍ୟମ କରୁଛି। ହେଲେ ସଫଳ ହୋଇ ପାରୁନାହିଁ। ୨୦୨୨ ମସିହା ଅକ୍ଟୋବର ମାସରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ବୈଠକରେ ଜମି ଅଧିଗ୍ରହଣ ନେଇ ଚୂଡ଼ାନ୍ତ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ରାଜଧାନୀର ୧୦ଟି ପ୍ରମୁଖ ଡ୍ରେନ୍, ୨ଟି ଶାଖା ଡ୍ରେନ୍, ମୁଖ୍ୟ ଡ୍ରେନ୍‌କୁ ସଂଯୋଗ ହୋଇପାରୁନଥିବା ଡ୍ରେନ୍‌କୁ ସଂଯୋଗ କରିବା ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧୪ ଏକର ଜମି ଅଧିଗ୍ରହଣ ହେବାକୁ ସ୍ଥିର ହୋଇଥିଲା। ଏଥିରେ ୧୩ଟି ରାଜସ୍ୱ ଗ୍ରାମରେ ୮୩ଟି ଜମିରୁ ପ୍ରାୟ ୭ଏକର ଜମି ଅଧିଗ୍ରହଣ ହେବା ପାଇଁ ଯୋଜନା ଥିଲା। ଏଥିପାଇଁ ୧୧୮କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା।
ଏହି ପ୍ରକ୍ରିୟା ଆରମ୍ଭ ହେଲା। କିନ୍ତୁ ଏଥିରେ ବିଚିତ୍ର ପରିସ୍ଥିତି ସୃଷ୍ଟି ହେଲା। କ୍ଷତିପୂରଣ ପାଇବାକୁ ବିଳମ୍ବ ହେବାରୁ କେତେକ ଜମି ମାଲିକ ହାଇକୋର୍ଟ ଗଲେ। କେଉଁଠି ଜିଲ୍ଲା କ୍ଷତିପୂରଣ ପରାମର୍ଶଦାତା କମିଟି(ଡିସିଏସି) ଦର ଧାର୍ଯ୍ୟ କରିବାରେ ବିଳମ୍ବ କରୁଥିବାରୁ ପ୍ରବଳ ବିରୋଧ ମଧ୍ୟ ହେଲା। ଫଳରେ ଅଧିଗ୍ରହଣ ବିଳମ୍ବ ହେଲା। ବର୍ଷେ ବିତିଗଲେ ମଧ୍ୟ ଅଧିଗ୍ରହଣ ଆଖିଦୃଶିଆ ହେଲା ନାହିଁ କିମ୍ବା ରାଜଧାନୀ ଜଳବନ୍ଦୀରୁ ମୁକୁଳିପାରିଲା ନାହିଁ। ବର୍ଷା ପୂର୍ବରୁ ପୁଣି ଥରେ ବିଏମ୍‌ସି ମାନସମନ୍ଥନ କଲା। ୨୦୨୩ ମେ’ ମାସ କର୍ପୋରେସନ ବୈଠକରେ ବିଏମ୍‌ସି ଏକ ଐତିହାସିକ ନିଷ୍ପତ୍ତି ନେଲା। ନିଷ୍ପତ୍ତି ଅନୁସାରେ ପ୍ରଥମେ ବେଞ୍ଚ ମାର୍କ ଭାଲ୍ୟୁଏସନ ଆଧାରରେ ‘ଆଭରେଜ୍ ସେଲ୍ ପ୍ରାଇସ୍’ରେ ବିଏମ୍‌ସି ଜମି କିଣିବ। ପରେ ଧାର୍ଯ୍ୟ ହୋଇଥିବା ଡିସିଏସି ଦର ଯଦି ଏହି ଆଭରେଜ୍ ସେଲ୍ ପ୍ରାଇସ୍‌ରୁ ଅଧିକ ହେବ ତେବେ ସେହି ଅଧିକ ପରିମାଣ କ୍ଷତିପୂରଣ ସ୍ୱରୂପ ଜମି ମାଲିକଙ୍କୁ ଦିଆଯିବ। ଯେଉଁମାନେ ଜମି ଦେବାକୁ ଅରାଜି ହେବେ ସେମାନଙ୍କ ଜମି ପୌର ଆଇନ-୨୦୦୩ର ଦଫା ୨୮୮ ବଳରେ କମିସନର ଅଧିଗ୍ରହଣ କରିବେ। ଏହି ବ୍ୟବସ୍ଥାକୁ ମଧ୍ୟ ବର୍ଷେ ବିତିଗଲା। ମୌସୁମୀ ଆସିବା ସମୟ ହୋଇଯିବାରୁ ବିଏମ୍‌ସି ପୁଣି ଥରେ ତତ୍ପରତା ପ୍ରକାଶ କରିଛି। କିନ୍ତୁ ଆଉ ବେଳ ନାହିଁ। ଏ ପର୍ଯ୍ୟନ୍ତ ମାତ୍ର ଦେଢ଼ ଏକର ଜମି କିଣା ହୋଇଛି। ଯାହା ଚଳିତ ମୌସୁମୀ ବର୍ଷାରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ। ଭୁବନେଶ୍ୱର ପୁଣି ଭାସିବ।
ବଦଳିଲେ ବିଏମ୍‌ସି ଡ୍ରେନେଜ୍‌ ଏସ୍‌ଇ
ବିଏମ୍‌ସି ଡ୍ରେନେଜ୍‌ ବିଭାଗ ଏସ୍‌ଇ (ସୁପରଟେଣ୍ଡିଂ ଇଞ୍ଜିନିୟର) ଗୌତମଚନ୍ଦ୍ର ଦାସଙ୍କର ବଦଳି ହୋଇଛି। ସହକାରୀ ମୁଖ୍ୟ ଯନ୍ତ୍ରୀ(ଏସିଇ) ଭାବରେ ପଦୋନ୍ନତି ମିଳିବା ପରେ ତାଙ୍କୁ ବ୍ରହ୍ମପୁର ମେଗା ଲିଫ୍ଟ ସର୍କଲରେ ଯୋଗ ଦେବା ପାଇଁ ଜଳସମ୍ପଦ ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କାର୍ଯ୍ୟରେ ତୁରନ୍ତ ଯୋଗ ଦେବା ପାଇଁ ନିର୍ଦ୍ଦେଶ ରହିଛି। କିନ୍ତୁ ତାଙ୍କ ଜାଗାରେ କୌଣସି ଏସ୍‌ଇଙ୍କୁ ନିଯୁକ୍ତି ମିଳିନାହିଁ। ଏଣୁ ଏହି ପଦ ଏବେ ଖାଲି ରହିବ। ମୌସୁମୀ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ଡ୍ରେନେଜ୍‌ ବିଭାଗର ଦାୟିତ୍ୱ ବଢ଼ିଯାଇଛି। ଏଭଳି ସ୍ଥିତିରେ ଅଧିକାରୀଙ୍କ ବଦଳି ହେବା ଓ ପଦ ଖାଲି ପଡ଼ିବା ନେଇ ଚିନ୍ତା ପ୍ରକାଶ ପାଇଛି।

Share Now:

Kalinga News Beuro

Next Post

ପ୍ରଶାସନକୁ ଷ୍ଟ୍ରଙ୍ଗରୁମ୍ ଚିନ୍ତା : ନୀଳଗିରିରେ ସିସିଟିଭି ବନ୍ଦ ଅଭିଯୋଗ

Mon Jun 3 , 2024
ଭୁବନେଶ୍ୱର: ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପୁଲିସ ପ୍ରଶାସନକୁ ଷ୍ଟ୍ରଙ୍ଗରୁମ ଚିନ୍ତା। ପୁଲିସର କଡା ନଜରରେ ରହିଛି ଭୁବନେଶ୍ୱର ବିଜେବି କଲେଜ। ଅନ୍ୟପଟେ ଷ୍ଟ୍ରଙ୍ଗରୁମର ସିସିଟିଭି ବନ୍ଦ ହେବାକୁ ନେଇ ନୀଳଗିରିରେ ଉତ୍ତେଜନା ଦେଖା ଦେଇଛି। ସୁରକ୍ଷା କର୍ମୀ ଓ ପୋଲିଂ ଅଧିକାରୀଙ୍କ ସହ କର୍ମୀଙ୍କ ମଧ୍ୟରେ ଏହାକୁ ଝଗଡା ଦେଖିବାକୁ ମିଳିଛି। ସିସଟିଭି ବନ୍ଦ କରି ଇଭିଏମ ଟ୍ୟାମ୍ପରିଂ କରଯାଉଥିବା ଅଭିଯୋଗ ଆଣିଛନ୍ତି କର୍ମୀ। ଯାହାକୁ ନେଇ ଘଟଣା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial