ରୋଗିଣା ବାପାକୁ ମେଡିକାଲ୍‌ ବାରଣ୍ଡାରେ ଛାଡ଼ି ପଳାଇଲା ପୁଅ

ବାପାକୁ ମେଡିକାଲ୍‌ ବାରଣ୍ଡାରେ ଛାଡ଼ି ପଳାଇଲା ପୁଅ

କ୍ୟାନ୍ସର ଆକ୍ରାନ୍ତ ବୃଦ୍ଧଙ୍କୁ ଆଡମିସନ୍‌ କରାଇଲେ ସମାଜସେବୀ ଅଭିମନ୍ୟୁ

ଭୁବନେଶ୍ୱର : ପୁଅର ଦେହ ଖରାପ ହେଲେ କାନ୍ଧରେ ପକାଇ ସେ ଅନେକଥର ପୁଅକୁ ହସ୍ପିଟାଲ୍‌ ନେଇଛନ୍ତି। ବେଡ୍‌ ପାଖରେ ରାତି ରାତି ଅନିଦ୍ରା ରହି ସେବା କରିଛନ୍ତି। ହେଲେ ସେଇ ପୁଅ ତାଙ୍କୁ ଆଣି ହସ୍ପିଟାଲ୍‌ ବାରଣ୍ଡାରେ ଛାଡ଼ି ଦେଇ ପଳେଇଲା। ବୁଢ଼ା ବାପା କ୍ୟାନ୍ସର ଭଳି ବ୍ୟାଧି ସହ ଯୁଝୁଥିଲେ ହେଁ ଏ ଯନ୍ତ୍ରଣାକୁ ସେ ହଜମ କରିଦେଲେ। ହସ୍ପିଟାଲ୍‌ରେ ଆଡମିସନ୍‌ କରିବାକୁ ବି ପୁଅର ଧୈର୍ଯ୍ୟ ନଥିଲା। ଏମିତି ଏକ ଘଟଣା ପରେ ଭାଙ୍ଗି ପଡ଼ିଛନ୍ତି ବଡ଼ମ୍ବାର ମହେନ୍ଦ୍ର ଗୋଚ୍ଛି (୬୫)। ଏସବୁ ସତ୍ତ୍ବେ ସେ ପୁଅକୁ ଦୋଷ ଦେଉନାହାନ୍ତି, ବରଂ ଏ ଅସମୟରେ ପାଖରେ ନ ଥିବାରୁ କେବଳ ପୂର୍ବ କଥାକୁ ମନେ ପକାଇ ଭାଳି ହେଉଛନ୍ତି। ମହେନ୍ଦ୍ରଙ୍କ ସହ ଏ ଦୁର୍ବିସହ ସମୟରେ ଛିଡ଼ା ହୋଇଛନ୍ତି ତାଙ୍କ ପତ୍ନୀ ଗୁଞ୍ଜର ଗୋଚ୍ଛି(୬୦)। ଦୁହିଁଙ୍କୁ ଏପରି ଅସହାୟ ଅବସ୍ଥାରେ ଦେଖିବା ପରେ ସମାଜସେବୀ ଅଭିମନ୍ୟୁ ଦାସ ମହେନ୍ଦ୍ରଙ୍କର ଆଚାର୍ଯ୍ୟ ହରିହର କ୍ୟାନ୍ସର୍‌ ରିସର୍ଚ୍ଚ ସେଣ୍ଟର୍‌‌ରେ ଆଡ୍‌ମିସନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେଠାରେ ତାଙ୍କର ଚିକିତ୍ସା ହେବ ବୋଲି ଜଣାପଡ଼ିଛି। ପୁଅ ପାଖରେ ନଥିଲେ ହେଁ ପୁଅ ଭଳି ଦାୟିତ୍ବ ନିର୍ବାହ କରୁଛନ୍ତି ଅଭିମନ୍ୟୁ। ଜୀବନ ଦୌଡ଼ରେ ଦୌଡ଼ିବା ବେ‌ଳେ ମହେନ୍ଦ୍ର ଯେ ଏମିତି ହଠାତ୍‌ ଥକି ଯିବେ ଜାଣିନଥିଲେ। ମାତ୍ର କିଛି ଦିନ ପୂର୍ବେ ସେ ଜାଣିବାକୁ ପାଇଲେ ତାଙ୍କ ଗୋଡ଼ରେ ବଢ଼ୁଥିବା ଘା’ଟି କ୍ୟାନ୍ସର୍‌ର ରୂପ ନେଇସାରିଛି। କୃଷକ ପରିବାରର ହୋଇଥିବାରୁ ତାଙ୍କ ପାଖେ କିଛି ଚାରା ନଥିଲା। ଭାଗ୍ୟକୁ ଆଦରି ପଡ଼ି ରହିଥିଲେ। ମାତ୍ର ଅସହ୍ୟ ଯନ୍ତ୍ରଣା ଯୋଗୁଁ ସେ ପୁଅକୁ ହସ୍ପିଟାଲ୍‌ରେ ପହଞ୍ଚାଇ ଦେବାକୁ କହିଲେ। ପୁଅ ହସ୍ପିଟାଲ୍‌ ପର୍ଯ୍ୟନ୍ତ ନେଇ ଆସିଥିଲେ ସତ, ହେଲେ ରୋଗିଣା ବାପାଙ୍କୁ ଛାଡ଼ି ସେଇଠୁ ଫେରି ଯାଇଥିଲେ। ପରିବାର ଏତେ ସ୍ବଚ୍ଛଳ ନଥିବାରୁ ପୁଅମାନେ ସେମାନଙ୍କ ଧନ୍ଦାରେ ବ୍ୟସ୍ତ ଥିବେ ବୋଲି କହି ନିଜର ନିଃସହାୟ ଅବସ୍ଥା ଟାଳି ଦେବାକୁ ମହେନ୍ଦ୍ର ଚେଷ୍ଟା କରୁଥିଲେ।

Share Now:

Kalinga News Beuro

Next Post

୮ ବର୍ଷ ହେଲା ଜମି ନେଲାଣି ଏନ୍‌ଟିପିସି, ଖଜଣା ଗଣୁଛନ୍ତି ଚାଷୀ

Fri Dec 4 , 2020
ଲେଫ୍ରିପଡ଼ା: ସୁନ୍ଦରଗଡ଼ ଜିଲ୍ଲାର ଦର୍ଲିପାଲି ଠାରେ ଏନ୍‌ଟିପିସି ପକ୍ଷରୁ ୮୦୦ ମେଗାୱାଟର ୨ଟି ୟୁନିଟ୍ ପ୍ରତିଷ୍ଠା ହୋଇଥିବାବେଳେ ପ୍ରକଳ୍ପ ପାଇଁ ଉର୍ଦ୍ଧିଷ୍ଟ ଜମି ଅଧିଗ୍ରହଣ କରାଯାଇ ଜମିହରାଙ୍କୁ ଆବଶ୍ୟକ କ୍ଷତିପୂରଣ ସହାୟତା ଯୋଗାଇ ଦିଆଯାଇଛି। ବିଗତ ୨୦୧୨ ମସିହାରୁ ଏହି ଜମିଅଧିଗ୍ରହଣ ହୋଇଥିବାବେଳେ ଦର୍ଲିପାଲି ରାଜସ୍ବ ଗ୍ରାମର ପ୍ରାୟ ୧୧୯୮ ଏକର ଜମି ଅଧିଗ୍ରହଣ କରାଯାଇଛି। ସେହିଭଳି ରାଏଡ଼ିହି ଏବଂ ଅନ୍ୟ କେତେକ ଗ୍ରାମରୁ ୨୩୦ ଏକରରୁ ଊର୍ଦ୍ଧ୍ବ ଜମି […]
ଜମି ନେଲାଣି ଏନ୍‌ଟିପିସି, ଖଜଣା ଗଣୁଛନ୍ତି ଚାଷୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial