ୟୁରୋପ ପାଇଁ ବିଶ୍ୱ ଆଜି କରୋନାମୟ:କାଳ ହେଲା ‘ଚୀନୀଙ୍କୁ ଆଲିଙ୍ଗନ କର’ ଭଳି ଲଜ୍ଜାକର ନୀତି

ନୂଆଦିଲ୍ଲୀ: କହାଯାଉଛି ଯେ କୋଭିଡ୍‌-୧୯ ଭୂତାଣୁ ଚୀନ୍‌ରେ ଜନ୍ମିତ ଓ ଇଟାଲିରେ ପ୍ରସ୍ତୁତ। କାରଣ ଯେତେବେଳେ ଜାନୁଆରି ୨୦୨୦ରେ ଚୀନ୍‌ରେ ଏକ ନୂଆ ପ୍ରକାର ଭୂତାଣୁ ସଂକ୍ରମଣର ତଥ୍ୟ ସାମନାକୁ ଆସିଲା, ସେତେବେଳେ ତୁରନ୍ତ ମଙ୍ଗୋଲିଆ, ରୁଷିଆ ଓ ଉତ୍ତରକୋରିଆ ନିଜର ଅନ୍ତର୍ଜାତୀୟ ସୀମାକୁ ବନ୍ଦ କରିଦେଇଥିଲେ ଏବଂ ଚୀନ୍‌ରୁ କେହି ସେଇ ଦେଶକୁ ଆସିବାକୁ ନିଷେଧ କରିଥିଲେ। କିନ୍ତୁ ୟୁରୋପୀୟ ରାଷ୍ଟ୍ରସମୂହ ଏଥିରେ ଅବହେଳା କରିଥିଲେ। ଜଗତୀକରଣ ଯୁଗରେ ଚୀନ୍‌ ଆଉ ଚୀନ୍‌ ଭିତରେ ସୀମିତ ରହିନାହିଁ। ବରଂ ସାରା ବିଶ୍ୱକୁ ବ୍ୟାପିଯାଇଛି। ଇଟାଲିର ସଂଖ୍ୟାଧିକ ଶ୍ରମଶକ୍ତି ଚୀନ୍‌ରୁ ଆଗତ। ଇଟାଲି ହେଉଛି ୟୁରୋପର ପ୍ରବେଶ ଦ୍ୱାର। ”ମେଡ୍‌ ଇନ୍‌ ଇଟାଲି” ଉଲ୍ଲେଖ ରହୁଥିଲେ ବି ଇଟାଲିରେ ସବୁକିଛି ନିର୍ମିତ ହୋଇଆସୁଛି ଦକ୍ଷ ଓ ଅଣଦକ୍ଷ ଚୀନା ଶ୍ରମଶକ୍ତି ଦ୍ୱାରା। ଯଦି ଆମେ ଇତିହାସ ଉପରେ ନଜର ପକାଇବା, ତେବେ ଜାଣିପାରିବା ଯେ ପ୍ରାକ୍‌-ଜଗତୀକରଣ ଯୁଗରେ ଯେତେବେଳେ ଇଟାଲି ନିଜର ଦୁର୍ବଳ ଆର୍ଥିକ ସ୍ଥିତିରେ ଶସ୍ତା ଲୋକବଳ ବା ଶସ୍ତା ଶ୍ରମଶକ୍ତି ଲୋଡ଼ୁଥିଲା, ସେତେବେଳେ ଚୀନ୍‌ ନିଜକୁ ସବୁଠୁ ଶସ୍ତା ବୋଲି ଉପସ୍ଥାପିତ କରିଥିଲା। ଚୀନ୍‌ର କମ୍ୟୁନିଷ୍ଟ ସରକାରଙ୍କ ସହଯୋଗ ଓ ସମର୍ଥନରେ ଚୀନା ଶ୍ରମିକମାନେ ଏକ ନବ୍ୟ ସାମ୍ରାଜ୍ୟବାଦର ଉତ୍ସ ପାଲଟିଗଲେ। ଇଟାଲୀୟ ମାଲିକାନା ସବୁକୁ ଚୀନାମାନେ ଅଧିଗ୍ରହଣ କରିଗଲେ। ଇଟାଲୀୟ ବଜାରର ଧନକୁ ଚୀନା ଶ୍ରମଶକ୍ତି ଓ ଚୀନା ନିର୍ମାତାମାନେ ଆହରଣ କରିବାରେ ଲାଗିଗଲେ। ଏବେ ଇଟାଲି ଅର୍ଥନୀତି ଦୁର୍ବଳ ହୋଇଥିଲା ବେଳେ ଚୀନୀ ଅନୁକମ୍ପା ଓ ସହାୟତା ଉପରେ ବହୁ ଭାବରେ ନିର୍ଭରଶୀଳ। ଏତେ ଘନିଷ୍ଠତା ଭିତରେ ସାମାଜିକ ଦୂରାବସ୍ଥାନର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀକୁ ବଜାୟ ରଖିବାରେ ଇଟାଲି କେବଳ ଅସମର୍ଥ ହୋଇନାହିଁ। ବରଂ ନିଜର ଅଜ୍ଞତାକୁ ହାଟରେ ପକାଇ ଦାଣ୍ଡରେ ଗ଼ଡ଼ାଇଛି। ”ଦୈନିକ ଜଣେ ଚୀନୀଙ୍କୁ ଆଲିଙ୍ଗନ କର” ଭଳି ଲଜ୍ଜାକର ନୀତି ଲାଗୁ କରିଛି। ଫେବ୍ରୁଆରି ପ୍ରଥମ ସପ୍ତାହରେ ଏଭଳି ନୀତି ଲାଗୁ ହୋଇଥିଲା ଯେତେବେଳେ ଚୀନ୍‌ରେ ସେଇ ଭୂତାଣୁ ସଂକ୍ରମଣରେ ୪୦୦ ଜଣଙ୍କର ଜୀବନ ଯାଇସାରିଥିଲା। ଉହାନ୍‌ ନଗରୀରୁ ଫେରିଥିବା ଏକ ଚୀନା ଦମ୍ପତିଙ୍କଠାରୁ ଯେତେବେଳେ ସଂକ୍ରମଣ ବ୍ୟାପିଥିଲା ସେତେବେଳେ ଇଟାଲିର ଚେତା ପଶିଥିଲା ଏବଂ ଚୀନ୍‌ ସହ ସମସ୍ତ ବିମାନ ଉଡାଣ ସଂପର୍କକୁ ଇଟାଲି ବନ୍ଦ କରିଦେଇଥିଲା। ନେଡ଼ିଗୁଡ଼ କହୁଣୀକୁ ବୋହିଯାଇଥିଲେ ସୁଦ୍ଧା ୟୁରୋପ ମହାଦେଶର ଅନ୍ୟ ପ୍ରାନ୍ତରୁ ଚୀନ୍‌ ସହ ବିମାନ ଉଡ଼ାଣ ଘାଇଁଘାଇଁ ଚାଲିଥିଲା। କୋଭିଡ୍‌-୧୯ ସିଧାସଳଖ ଚୀନ୍‌ରୁ ସାରା ୟୁରୋପ୍‌କୁ ବ୍ୟାପିଯାଇଥିଲା। ଭାରତକୁ ପ୍ରଥମେ ଯେଉଁ କୋଭିଡ-୧୯ ସଂକ୍ରମିତ ଆସିଥିଲେ, ସେ ଚୀନ୍‌ର ଉହାନ ଫେରନ୍ତା ହୋଇଥିଲେ ସୁଦ୍ଧା ସେ ୟୁରୋପରୁ ସଂକ୍ରମିତ ହୋଇ ଆସିଥିଲେ। ମାର୍ଚ ୧୮ ତାରିଖ ବେଳକୁ ଭାରତ ସମଗ୍ର ୟୁରୋପ ଓ କିଛି ମଧ୍ୟପ୍ରାଚ୍ୟ ରାଷ୍ଟ୍ର ସହ ବିମାନ ସଂପର୍କ ପୂରା ବନ୍ଦ କରିଦେଇଥିଲା। ସେତେବେଳକୁ ୟୁରୋପ ଏକ ଅଜ୍ଞ କରୋନାଭୁତାଣୁ ରପ୍ତାନୀକାରୀ ପାଲଟିସାରିଥିଲା। ମାର୍ଚ ୧୦ ତାରିଖରେ କୋଭିଡ୍‌-୧୯ ଭୂତାଣୁ ଚିହ୍ନଟ ହୋଇସାରିଥିଲେ ସୁଦ୍ଧା ବିମାନ ଚଳାଚଳ ଉପରେ ନିଷେଧାଜ୍ଞା ଲାଗୁ କରିନଥିଲା। ଏ କ୍ଷେତ୍ରରେ ଆମେରିକା ମଧ୍ୟ କମ୍‌ ଦୋଷୀ ନୁହେଁ। ଅଥଚ ଚୀନ୍‌ ସୀମାକୁ ଲାଗିଥିବା ମଙ୍ଗୋଲିଆ ଏହାର ପ୍ରଥମ କରୋନା ଆକ୍ରାନ୍ତ ପାଇଥିଲା ଜଣେ ଫ୍ରାନ୍ସ ଫେରନ୍ତା ନାଗରିକଙ୍କ ଠାରୁ। ଚୀନ୍‌ ପଟୁ ନୁହେଁ। ଏପରିକି ଅନ୍ୟତମ ପଡୋଶୀ ରାଷ୍ଟ୍ର ଉତ୍ତର କୋରିଆ କୋଭିଡ୍‌-୧୯ ସଂକ୍ରମଣର କୌଣସି ଉଦାହରଣ ଏବେ ସୁଦ୍ଧା ପାଇ ନାହିଁ। ତେବେ ବିଶ୍ୱକୁ ଉତ୍ତର କୋରିଆ କହୁଥିବା ଏହି କଥାକୁ ଅନେକ ଲୋକ ଏବେ ସୁଦ୍ଧା ବିଶ୍ୱାସକୁ ନେଉ ନାହାନ୍ତି। କିନ୍ତୁ ଏହା ହିଁ ସତ୍ୟ।

Share Now:

Kalinga News Beuro

Leave a Reply

Next Post

ଦିଲ୍ଲୀ ବିମାନ ବନ୍ଦରରୁ ଧରାପଡ଼ିଲେ ମାଲେସିଆ ଖସିଯିବାକୁ ଚେଷ୍ଟା କରୁଥିବା ୮ଜଣ ବିଦେଶୀ

Sun Apr 5 , 2020
ନୂଆଦିଲ୍ଲୀ: ମାଲେସିଆ ଖସିଯିବାକୁ ଉଦ୍ୟମ କରୁଥିବା ଆଠଜଣ ବ୍ୟକ୍ତି ରବିବାର ଦିନ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଧରାପଡ଼ିଛନ୍ତି। ସେମାନେ ସମସ୍ତେ ମାଲେସିଆର ନାଗରିକ। ନିକଟ ଅତୀତରେ ସେମାନେ ନିଜାମୁଦ୍ଦିନରେ ଅନୁଷ୍ଠିତ ତବଲିଗି ଜମାତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କଥା ଲୁଚାଉଥିବା ସନ୍ଦେହ କରାଯାଉଛି। ଭାରତରୁ ମାଲେସିଆ ଯାଉଥିବା ମାଲିଣ୍ଡୋ ଏୟାରୱେଜର ଏକ ରିଲିଫ୍ ବିମାନରେ ସେମାନେ ଚଢ଼ିବାକୁ ଉଦ୍ୟମ କରୁଥିଲେ। ଏଠାରେ ସ୍ମରଣ କରାଇ ଦିଆଯାଇ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial