ରାଜଧାନୀରେ ରେକର୍ଡ ଭାଙ୍ଗିଲା ବର୍ଷା

ରାଜଧାନୀରେ ବର୍ଷାବିତ୍ପାତ

ଏକାମ୍ର କ୍ଷେତ୍ର ଜଳମଗ୍ନ, ଘରେ ଘରେ ପାଣି

ଭୁବନେଶ୍ୱର : ରାଜଧାନୀରେ ରବିବାର ରେକର୍ଡ ବର୍ଷା ହୋଇଛି। ସକାଳ ସାଢ଼େ ୮ଟାରୁ ଆଜି ପାହାନ୍ତା ୪.୩୦ ମଧ୍ୟରେ ଭୁବନେଶ୍ବରରେ ୧୯୫.୦ ମିଲିମିଟର ବର୍ଷା ହୋଇଛି। ୧୯୫୮ ମସିହା ସେପ୍ଟେମ୍ବର ମାସରେ ସର୍ବାଧିକ ୧୬୩ମିମି ବର୍ଷା ହୋଇଥିବା ରେକର୍ଡ ହୋଇଥିଲା। କିନ୍ତୁ ଏବେ ସେ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି ହୋଇଛି। ବର୍ଷବର୍ଷ ବିତିବା ପରେ ବି ସ୍ବତନ୍ତ୍ର ଡ୍ରେନେଜ୍‌ ପ୍ଲାନ୍‌ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ତେଣୁ ରାଜଧାନୀରେ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି। ସ୍ପଞ୍ଜ ‌ଟେକ୍ନୋଲୋଜି ବ୍ୟବହାର କରାଯାଇ ଇସ୍କନ ସମୁଖରେ ବର୍ଷା ପାଣି ଜମିବା ସମସ୍ୟାର ସମାଧାନ କରିବାକୁ ଯୋଜନା ହୋଇଛି। କିନ୍ତୁ ଏହାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି।

ଘରେ ଘରେ ପାଣି
ବମିଖାଲରେ ବର୍ଷା ଅଚଳାବସ୍ଥା ସୃଷ୍ଟି କରିଥିଲା। ସନ୍ତୋଷୀ ମା’ ମନ୍ଦିରଠାରୁ ଗାୟତ୍ରୀନଗର ଭିତରକୁ ବନ୍ୟା ଭଳି ସୁଅ ପଡ଼ିଥିଲା। ସେହିଭଳି ନବୀନ ନିବାସ ପଛ ନ୍ୟୁ ଫରେଷ୍ଟ ପାର୍କ କଲୋନିରେ ଡ୍ରେନ୍‌ ଜଳ ରାସ୍ତାରେ ପ୍ରଖର ସୁଅରେ ବହିଲା ଓ ଘରେ ଘରେ ପଶିଥିଲା। ଉଭୟ ଜାଗାରେ କଲୋନି ଭିତରକୁ ପଶିବା ଓ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଥିଲା। ଜୟଦେବବିହାର ଲେନ୍‌-୫ ସହ ଅନ୍ୟ ସମସ୍ତ ଜାଗା ଜଳମଗ୍ନ ହୋଇଥିଲା। ରାଜପଥରୁ ନୂଆପଲ୍ଲୀ ବେହେରାସାହି ଭିତରକୁ ପାଣି ସୁଅ ଛୁଟିଥିଲା। ଫ୍ଲାଏ ଓଭରବ୍ରିଜ୍‌ ଉପରେ ମଧ୍ୟ ବିଭିନ୍ନ ଜାଗାରେ ପାଣି ଜମିଥିଲା। ସତ୍ୟନଗରରେ ପାଣି ଲହଡ଼ି ମାରୁଥିଲା। ପର୍ବତାରୋହୀ ଗଣେଶ ଚନ୍ଦ୍ର ଜେନାଙ୍କ ଘ‌ରେ ବି ପାଣି ପଶି ଯାଇଥିଲା। ସୋସିଆଲ ମିଡିଆରେ ସେ ଏକ ଭିଡିଓ ସେୟାର କରି ନିଜ ଘରର ସ୍ଥିତି ଦେଖାଇଥିଲେ।

ଏକାମ୍ର କ୍ଷେତ୍ର ଜଳମଗ୍ନ, ଯାତାୟାତ ଠପ୍, ଲାଗିଲା ପାଣିପମ୍ପ
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଏକାମ୍ର କ୍ଷେତ୍ରରେ ପ୍ରାୟ ସବୁ ରାସ୍ତା ଆଜି ଜଳମଗ୍ନ ହୋଇଯାଇଥିଲା। କେତେକ ରାସ୍ତାରେ ଅଢ଼େଇ ଫୁଟ୍‌ର ଉଚ୍ଚ ପାଣି ଜମି ରହିବାରୁ ଲୋକେ ଜଳବନ୍ଦୀ ହୋଇଯାଇଥିଲେ। ଯାତାୟାତରେ ମଧ୍ୟ ଘୋର୍‌ ଅସୁବିଧା ହୋଇଥିଲା। ଗୋସାଗରେଶ୍ବର ଛକ, ଲୁଇସ୍ ରୋଡ୍‌‌ରେ ଗ୍ୟାରେଜ୍‌ ଛକରୁ ସାମନ୍ତରାପୁର ଛକ ପର୍ଯ୍ୟନ୍ତ ରାସ୍ତାରେ ପାଖାପାଖି ୩ରୁ ୪ ଘଣ୍ଟା ଧରି ଯାତାୟାତ ବନ୍ଦ ହୋଇଯାଇଥିଲା। ସେହିପରି ନୂଆଗାଁ ରାସ୍ତା, ବିବେକାନନ୍ଦମାର୍ଗ ରାସ୍ତା, ଟଙ୍କପାଣି ରୋଡ୍‌ ମେଘେଶ୍ବର ମନ୍ଦିର ନିକଟ, ଖରାଖିଆ ବୈଦ୍ୟନାଥ ଲେନ୍‌, ମେଘେଶ୍ବର କଲୋନି, ପୁରୁଣା ଭୁବନେଶ୍ବର କୁଞ୍ଜପାଟଣା ସାହି, ରଥରୋଡ୍‌, ଭୀମଟାଙ୍ଗି ତଳଫେଜ୍ ବସ୍ତି, ନାରାୟଣୀ କ୍ଲବ୍‌ ରୋଡ୍‌, ଭୀମଟାଙ୍ଗି ଉପର ଫେଜ୍ ଅଟାକଳ ଗଳିରେ ପାଣି ଜମି ରହିଥିଲା। ତଳ ଫେଜ୍‌ରେ ମଧ୍ୟ କିଛି ଲୋକଙ୍କ ଘରେ ବର୍ଷା ପାଣି ପଶି ଯାଇଥିଲା। ଫଳରେ ବିଏମ୍‌ସି ପକ୍ଷରୁ ପାଣିପମ୍ପ ଜରିଆରେ ପାଣି ନିଷ୍କାସନ କରାଯାଇଥିଲା।
ମନ୍ଦିରରୁ ଗଳିଲା ପାଣି
ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭ ଗୃହରେ ପାଣି ଧାର ଲାଗିଥିଲା। ସେହିପରି ଭୋଗମଣ୍ଡପ, ଜଗମୋହନ, ପାର୍ବତୀ ମନ୍ଦିର, ଭୁବନେଶ୍ବରୀ ମନ୍ଦିର, ଜଗନ୍ନାଥ ମନ୍ଦିର, ବିଶ୍ବକର୍ମା ମନ୍ଦିର, ବଡ଼ଗଣେଶ ମନ୍ଦିର, ବୈଦ୍ୟନାଥ ମନ୍ଦିର, ବୃଷଭ ମନ୍ଦିର, ସିଦ୍ଧିବିନାୟକ ମନ୍ଦିରରୁ ପାଣି ଗଳିଥିଲା। ସେହିପରି ମେଘେଶ୍ୱର ମନ୍ଦିର, ରାମେଶ୍ବର ମନ୍ଦିର, ପର୍ଶୁରାମେଶ୍ବର ମନ୍ଦିରରୁ ପାଣି ଗଳିଥିଲା। ବଡ଼ଦାଣ୍ଡ ସାହିରେ ଥିବା ବୈତାଳ ମନ୍ଦିର, ଶିଶିରେଶ୍ୱର ମନ୍ଦିର, ଗୋସାଗରେଶ୍ୱର ମନ୍ଦିର ପରିସରରେ ପାଣି ଜମି ରହିଥିଲା। କେତେକ ସ୍ଥାନରୁ ପାଣିପମ୍ପ ଲଗାଯାଇ ପାଣି ବାହାର କରାଯାଇଥିଲା।

ଲାଗିଲା ୩୦ ପମ୍ପ
ବର୍ଷାଜଳ ନିଷ୍କାସନ ପାଇଁ ସହରର ୩୦ ସ୍ଥାନରେ ପାଣିପମ୍ପ ଲଗାଯାଇଥିଲା। ଅଗ୍ନିଶମ ବିଭାଗ ପକ୍ଷରୁ ୧୦ଟି ପମ୍ପ ଲଗାଯାଇଥିବା ବେଳେ ବିଏମ୍‌ସି ନିଜର ୫ଟି ଓ ୧୫ଟି ଭଡ଼ାରେ ଆଣି ନିୟୋଜିତ କରିଥିଲା। ବମିଖାଲ ଗାୟତ୍ରୀନଗର, ଜୟଦେବବିହାର ପବିତ୍ର ଗେଷ୍ଟ୍‌ହାଉସ୍‌, ଗୌରୀଗାର୍ଡେନ୍‌, ପାଣ୍ଡରା, ବମିଖାଲ ଦୁର୍ଗାପୂଜାମଣ୍ଡପ, ଟ୍ରେଡ୍‌ ଛକ, ପଟିଆ ଅହଲ୍ୟାନଗର, ନିଉ ଫରେଷ୍ଟପାର୍କ କଲୋନି, ଶ୍ରୀରାମ ସିଟି ଆଦି ସ୍ଥାନରେ ଏସବୁ ପମ୍ପ ଯୋଗେ ଜଳ ନିଷ୍କାସନ କରାଯାଇଥିଲା।

Share Now:

Kalinga News Beuro

Next Post

ପ୍ରବଳ ବର୍ଷା ସତ୍ତ୍ୱେ ବିଜେପି ପକ୍ଷରୁ କଟକରେ ବିକ୍ଷୋଭ ପ୍ରଦର୍ଶନ

Mon Sep 13 , 2021
୧୨ ଘଣ୍ଟିଆ କଟକ ବନ୍ଦ, ଏଣେ ଲଗାଣ ବର୍ଷା ଯୋଗୁଁ ସହର ଜଳମଗ୍ନ କଟକ: ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି। ଲଗାଣ ବର୍ଷା ସତ୍ତ୍ୱେ କଟକ ବାଦାମବାଡ଼ି ଠାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ସହରର ବିଭିନ୍ନ ଅଞ୍ଚଳରେ ମଧ୍ୟ୍ୟ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ କଟକ ବନ୍ଦ ଡାକରା ଦିଆଯାଇଥିବାବେଳେ ଲଗାଣ ବର୍ଷା ଯୋଗୁଁ ସହରରେ ଏହି […]
ବିଜେପି ପକ୍ଷରୁ କଟକରେ ବିକ୍ଷୋଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial