କଟକ: ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ) ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣକୁ ନେଇ କିଭଳି ଯତ୍ନବାନ ତାହା କଟକର ଐତିହାସିକ ବାରବାଟୀ ଦୁର୍ଗ ଓ ଗଡ଼ଖାଇର ସ୍ଥିତିକୁ ଦେଖିଲେ ପ୍ରମାଣ ମିଳୁଛି। ୯୦ ଦଶକରେ ଖନନ ହୋଇଥିବା ବାରବାଟୀ ଦୁର୍ଗ ଭିତର ଉଦ୍ଧାର କୀର୍ତ୍ତିରାଜି, ଭଗ୍ନାବଶେଷ ସଂରକ୍ଷିତ ହୋଇ ରହିବା ବଦଳରେ ଭୁଶୁଡି ପଡିଲାଣି। ଚାରିପଟୁ ମାଟି ଧସିଲାଣି। ଖନନ ବେଳେ ଯାହା କିଛି ସନ୍ଧାନ ମିଳିଥିଲା ସେ ସବୁ ନଷ୍ଟ ହେବାକୁ ବସିଲାଣି। ମାତ୍ର ଏ ଖବର ଏଏସ୍ଆଇ ପାଖରେ ନାହିଁ। ଖନନସ୍ଥଳ କେମିତି ଅଛି, ଗଡଖାଇ ଅଛି କି ପୋତି ହୋଇଗଲାଣି ତା’ର ତଦାରଖ କରିବାକୁ ମଧ୍ୟ ଏଏସଆଇ ଅଧିକାରୀଙ୍କ ପାଖରେ ସମୟ ନାହିଁ। ଦୁର୍ଗ ଭିତରେ ଅଫିସ୍ ଖୋଲି ଅଞ୍ଚଳକୁ ସଂରକ୍ଷିତ କୀର୍ତ୍ତିରାଜି ଘୋଷଣା କରି ଏଏସଆଇ କେବଳ ଜାଗା ମାଡ଼ି ବସିଛି। ପ୍ରଶାସନ ବି ଏ ଦିଗ ପ୍ରତି ନଜର ଦେବାକୁ ଭୁଲିଯାଇଛନ୍ତି। ଏଭଳି ସ୍ଥିତିରେ ଦିନକୁ ଦିନ ବାରବାଟୀ ଦୁର୍ଗ ଅସୁରକ୍ଷିତ ହୋଇପଡିଲାଣି। ଖନନସ୍ଥଳିରୁ ମାଟି ଅତଡ଼ା ଖସିଲାଣି। ପଥର ଯୋଡେଇ ଭାଙ୍ଗି ଗଲାଣି। କିଲ୍ଲା ବା ଦୁର୍ଗ ଭିତରେ ଏକ ପାର୍କ ନିର୍ମାଣ କରି ଐତିହ୍ୟକୁ କୁଞ୍ଜବନରେ ପରିଣତ କରି ଦିଆଯାଇଛି। ଖନନ ବେଳେ ଦୁର୍ଗର ଯେତିକି ଭଗ୍ନାବଶେଷ ମିଳିଥିଲା ତାକୁ ସଂରକ୍ଷଣ କରିବା ଦିଗରେ ଏଏସ୍ଆଇ ବିଫଳ ହୋଇଛି। ବାରବାଟୀ ଦୁର୍ଗ ସଂରକ୍ଷିତ କୀର୍ତ୍ତିରାଜି ଭାବେ ଘୋଷଣା ହେବା ପରେ ଓଡ଼ିଶାର ପ୍ରାଚୀନ ଐତିହ୍ୟର ସନ୍ଧାନ ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା। ୧୯୯୦ ଦଶକରେ ଏହାର ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଖନନ ବେଳେ କିଲ୍ଲା ମଧ୍ୟରେ ଏକ ପ୍ରାଚୀନ ଦୁର୍ଗ ବା ମୁଖଶାଳାର ସନ୍ଧାନ କରାଯାଇଥିଲା। ଖମ୍ବ ସଦୃଶ ଏହି ଦୁର୍ଗ ପାହାଡ ବା ମୁଣ୍ଡିଆ ବି ଦେଖିବାକୁ ମିଳିଥିଲା। ଏହା ରାଜାଙ୍କ ମହଲ ବୋଲି ଅନୁମାନ କରାଯାଉଥିଲା। ତେବେ ହଠାତ୍ ଅଧାରୁ ଏହାର ଖନନକୁ ବନ୍ଦ କରିଦିଆଗଲା।
ଯେତିକି ବି ଖନନ ହୋଇଥିଲା ସେ ଭଗ୍ନାବଶେଷ ବା କୀର୍ତ୍ତିରାଜିକୁ ଏଏସଆଇ ସଂରକ୍ଷିତ କରି ରଖିବାରେ ବିଫଳ ହୋଇଛି। ପାର୍କ ଭିତର ତଥା ମୁଣ୍ଡିଆକୁ ଲାଗି ରହିଥିବା ଖନନସ୍ଥଳ ଏବେ ଭୁଶୁଡି ପଡିଲାଣି। ଯେଉଁ ସ୍ଥାନର ଖନନ ହୋଇଥିଲା ତା’ର ଚାରିପାଖରୁ ମାଟି ଅତଡା ଖସିବା, ଯୋଡେଇ ହୋଇଥିବା ପଥର ଭାଂଗିରୁଜି ଗଲାଣି। ସେପଟେ ଗଡ଼ଖାଇକୁ ଖନନ କରି ଏହାର ପୁନରୁଦ୍ଧାର କରାଯିବା ବଦଳରେ ଏହାକୁ ପୋତିବାକୁ ଉଦ୍ୟମ ଆରମ୍ଭ ହେଲାଣି। ସହରର ନିର୍ମାଣ କାମରୁ ବାହାରୁଥିବା ବର୍ଜ୍ୟବସ୍ତୁ, ମାଟି, ଗୋଡି ବାଲି ଏବେ ଗଡ଼ଖାଇରେ ପକାଯାଉଛି। ରିଂ-ବନ୍ଧ ପାର୍ଶ୍ବକୁ ଲାଗି ରହିଥିବା ଗଡ଼ଖାଇ ଧୀରେ ଧୀରେ ପୋତି ହୋଇପଡିଲାଣି। ଏଏସଆଇ ପାଚେରିକୁ ଲାଗି ବର୍ଜ୍ୟବସ୍ତୁ ପକାଯାଉଛି। ସେପଟେ ବିଜୁ ପଟ୍ଟନାୟକ ଛକକୁ ସଂଯୋଗ କରୁଥିବା ଗଡ଼ଖାଇ ରାସ୍ତାରେ ମଧ୍ୟ ବର୍ଜ୍ୟବସ୍ତୁ ପକାଯାଇ ଏହାକୁ ପୋତି ଦିଆଯାଉଛି। ଏ ସଂପର୍କରେ ଦାୟିତ୍ବରେ ଥିବା ଅଧିକାରୀ ସୁମନ୍ତ ବିଶ୍ବାସଙ୍କୁ ପଚାରିବାରୁ ସେ କିଛି ଜାଣି ନଥିବା କହିଛନ୍ତି।
ଏମିତି ଐତିହ୍ୟ ଜଗିଛି ଏଏସ୍ଆଇ : ବର୍ଜ୍ୟରେ ପୋତି ହେଲାଣି ଗଡ଼ଖାଇ

Share Now: