ଅସମ୍ଭାଳ ହେବ ସତ୍ୟନଗର ସ୍ଥିତି : ପଟିଆ ଓ ଆଇଗିଣିଆରେ ମଶାଣି କେବେ?

ଅସମ୍ଭାଳ ହେବ ସତ୍ୟନଗର ସ୍ଥିତି

କାମରେ ଲାଗୁନି ଭରତପୁର ଓ ସୁନ୍ଦରପଦାର ବଡ଼ ଶ୍ମଶାନ

ଭୁବନେଶ୍ବର : ରାଜଧାନୀରେ ଏବେ ଯେପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ସେହି ଅନୁସାରେ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କର ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହେଲାଣି ଯେ ସତ୍ୟନଗର ଶ୍ମଶାନରେ ଏବେ ଦିନକୁ ୨୦ରୁ ଅଧିକ ଶବଦାହ ହେଉଛି। ତେଣୁ ଆଗକୁ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିଲେ ସତ୍ୟନଗର ସ୍ଥିତି ଯେ ସାଂଘାତିକ ହେବ, ଏଥିରେ ସନ୍ଦେହ ନାହିଁ। ପୂର୍ବରୁ ସତ୍ୟନଗର ଶ୍ମଶାନରେ କେବଳ କୋଭିଡ ଆକ୍ରାନ୍ତଙ୍କର ଶବଦାହ ହେଉଥିବାରୁ ଏହାକୁ ବିରୋଧ କରି ସତ୍ୟନଗର ବାସିନ୍ଦା ରାସ୍ତାକୁ ଓହ୍ଲାଇଥିଲେ। ଏପରିକି ମାନବାଧିକାର କମିସନଙ୍କୁ ଭେଟି ଅଭିଯୋଗ କରିଥିଲେ। ଏହା ପରେ ବିଏମ୍‌ସି ପକ୍ଷରୁ କେବଳ ଭୁବନେଶ୍ବରରେ ପ୍ରାଣ ହରାଉଥିବା ଆକ୍ରାନ୍ତଙ୍କର ଶବଦାହ କରାଗଲା। ପରେ ରାଜଧାନୀରେ ଆଉ ଦୁଇଟି ଉନ୍ନତମାନର ଶ୍ମଶାନ ନିର୍ମାଣ କରିବାକୁ ଯୋଜନା ହୋ‌ଇଥିଲା। କିନ୍ତୁ ଗତ ଅକ୍ଟୋବରରେ ଦୁଇଟି ଶ୍ମଶାନର ଯୋଜନା କରିଥିବା ବିଏମ୍‌ସି ୭ ମାସରେ ବି ଗୋଟିଏ ଶ୍ମଶାନକୁ ସତ୍ୟନଗର ଶ୍ମଶାନର ବିକଳ୍ପ ଭାବେ ପ୍ରସ୍ତୁତ କରିପାରିଲାନି। ଯେଉଁଥିପାଇଁ ଖୁବ୍‌ଶୀଘ୍ର ଶବ ସତ୍କାରକୁ ନେଇ ଜଟିଳ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, କୋଭିଡ୍‌ର ପ୍ରଥମ ଲହରରେ ଏମିତି ସ୍ଥିତି ଉପୁଜିଥିଲା ଯେ ସତ୍ୟନଗରରେ ଦିନକୁ ୪୦ରୁ ୪୫ଟି ଶବଦାହ ହେଉଥିଲା। ଦିନ ଦିନ ଧରି ଜୁଇ ଲିଭିଲାନି। ଏପରିକି ‌ବିଏମ୍‌ସି କର୍ମଚାରୀ ଶବଦାହ ପାଇଁ ୩ରୁ ୪ଘଣ୍ଟା ଅପେକ୍ଷା କରୁଥିଲେ। ଚୁଲା ନ ମିଳିବାରୁ ଗୋଟିଏ ଚୁଲାରେ ଏକସଙ୍ଗେ ଦୁଇରୁ ତିନିଟି ଶବ ଜଳିଲା। ଗତବର୍ଷ ଅପେକ୍ଷା ଏବେ ସ୍ଥିତି ଅଧିକ ଭୟଙ୍କର ହୋଇଛି। ଆକ୍ରାନ୍ତଙ୍କ ଓ ମୃତକଙ୍କ ସଂଖ୍ୟା ବଢ଼ୁଛି। ଏପଟେ ସ୍ବର୍ଗଦ୍ବାରକୁ ପୁରୀ ଜିଲ୍ଲା ବ୍ୟତୀତ ବାହାର ଜିଲ୍ଲାର ଶବ ଆସିପାରିବନି ଜିଲ୍ଲା ପ୍ରଶାସନ କଟକଣା ଲଗାଇଥିବାରୁ ସତ୍ୟନଗରରେ ଅଣକୋଭିଡ୍‌ ମୃତକଙ୍କ ଶବଦାହ ବି ବଢ଼ିବାରେ ଲାଗିଲାଣି। ସତ୍ୟନଗର ଶ୍ମଶାନ ଭିଡ଼ କମାଇବା ପାଇଁ ବିକଳ୍ପ ଶ୍ମଶାନ ଏବେଠୁ ଲୋଡ଼ା ପଡ଼ିଲାଣି। ଅପରପକ୍ଷେ ବିଏମ୍‌ସି ପକ୍ଷରୁ ପ୍ରାୟ କୋଟିଏ ଟଙ୍କା ଲେଖାଏଁ ଖର୍ଚ୍ଚ କରି ଭରତପୁର ଓ ସୁନ୍ଦରପଦାରେ ଶ୍ମଶାନ ନିର୍ମାଣ କରାଯାଇଛି। ହେଲେ ଏଠାରେ ଆବଶ୍ୟକ ସୁବିଧାସୁଯୋଗ ଉପଲବ୍ଧ ନଥିବାରୁ ଏଠାକୁ କେହି ଶବଦାହ ପାଇଁ ନେଉନାହାନ୍ତି। ଏଠାରେ ଯଦି ବିଏମ୍‌ସି/ଓଡ଼ିଶା ବନନିଗମ ପକ୍ଷରୁ କାଠ, ପୂଜା ସାମଗ୍ରୀ, ପୂଜକ, ପାଣିର ବ୍ୟବସ୍ଥା କରାଯାଆନ୍ତା, ତେବେ ବହୁ ଲୋକ ସତ୍ୟନଗର ନଯାଇ ଏଠାକୁ ଆସନ୍ତେ। କିନ୍ତୁ ବିଏମ୍‌ସି ସେତିକି ଯୋଗାଇ ପାରୁନି। ଯେଉଁଥିପାଇଁ ସତ୍ୟନଗର ଶ୍ମଶାନରେ କୋଭିଡ୍‌ ଓ ଅଣକୋଭିଡ୍‌ଙ୍କ ଜୁଇ ଏକାଠି ଜଳୁଛି। ବହୁ ଅଣକୋଭିଡ୍‌ ଲୋକ ଏଠାକୁ ଯାଉଥିବାରୁ ସେମାନେ କରୋନା ଆକ୍ରାନ୍ତ ହେବାର ଭୟ ସୃଷ୍ଟି ହେଉଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା‌ ହେଲା, ବିଏମ୍‌ସି ନିଜ ଅବହେଳାରୁ ୭ ମାସ ମଧ୍ୟରେ ପଟିଆ ଓ ଆଇଗିଣିଆରେ ଅତ୍ୟାଧୁନିକ ଶ୍ମଶାନ ନିର୍ମାଣ କରିପାରିଲାନି। ବିଏମ୍‌ସିର ଯୋଜନା ଅନୁଯାୟୀ, ପଟିଆରେ ଗ୍ୟାସ୍‌ ଚୁଲା, ଆଇଗିଣିଆ‌‌ରେ ବିଦ୍ୟୁତ୍‌ ଚୁଲା ବସିଥା’ନ୍ତା। ଏଠାରେ ବି ସତ୍ୟନଗର ଭଳି କୋଭିଡ୍‌ ଆକ୍ରାନ୍ତଙ୍କର ଶବଦାହ ହୋଇଥା’ନ୍ତା। ଏହାବାଦ୍‌ ଭବିଷ୍ୟତରେ ଲୋକମାନେ ଯେପରି କାଠରେ ଶବଦାହ ନକରି ବିଦ୍ୟୁତ୍‌ ଓ ଗ୍ୟାସ୍‌ ଚୁଲାରେ କରିବେ, ସେନେଇ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥାନ୍ତା। କିନ୍ତୁ ୭ମାସରେ ଏହା ହୋଇପାରିଲାନି।
ବିଏମ୍‌ସିର ଇଞ୍ଜିନିୟରିଂ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ପଟିଆରେ ୱାର୍ଡ-୩ରେ ଏକ ଗ୍ୟାସ୍‌ଚୁଲା ନିର୍ମାଣ କରାଯାଉଛି। ଏଥିପାଇଁ ୫୩ ଲକ୍ଷର ଟେଣ୍ଡର୍‌ ପାଇଛି ଏକ ଘରୋଇ ସଂସ୍ଥା। ସଂସ୍ଥା ଗ୍ୟାସ୍‌ ଚୁଲା ଲଗାଇବା ସହ ୫ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣଠାରୁ ଆରମ୍ଭ କରି ଶବଦାହ ପର୍ଯ୍ୟନ୍ତ ସବୁ କାମ କରିବ। ଚୁଲା ଲଗାଇବା ଓ ଏହାର ରକ୍ଷଣାବେକ୍ଷଣ କାମ ପାଇଁ ଟେଣ୍ଡର୍‌ ଆହ୍ବାନ ହୋଇଥିଲା। ଏହା ୮ରୁ ୧୦ଦିନରେ କାର୍ଯ୍ୟକ୍ଷମ ହୋଇଯିବ। ସେହିପରି ଆଇଗିଣିଆ ଆଳୁଗଦି ନିକଟରେ ଏକ ଅତ୍ୟାଧୁନିକ ବିଦ୍ୟୁତ୍‌ ଚୁଲା ସ୍ଥାପନ ହେବ। ଏଥିପାଇଁ ଜାଗା ମିଳିବାରେ ବିଳମ୍ବ ହେବାରୁ ଏହା ଏ ପର୍ଯ୍ୟନ୍ତ ହୋଇପାରିନି। ଏବେ ଏଠାରେ ୫ ଏକର ଜାଗା ଚିହ୍ନଟ ହୋଇଛି। ୨୮ ତାରିଖରେ ଏହାର ମାପଚୁପ ଦକ୍ଷିଣ-ପଶ୍ଚିମ ଜୋନାଲ୍‌ ଡେପୁଟି କମିସନରଙ୍କ ଉପସ୍ଥିତି‌ରେ ହେବ। ଏଠାରେ ବିଦ୍ୟୁତ୍‌ ଚୁଲା ବସାଇବା, ଏଥିପାଇଁ ଘର ନିର୍ମାଣ କରିବା, ଶ୍ମଶାନ ଚାରିକଡ଼େ ପାଚେରି କରିବା ପାଇଁ ଜଣେ ଉଦ୍ୟୋଗପତି ତାଙ୍କ ସିଏସ୍‌ଆର୍ ପାଣ୍ଠିରୁ ୬୫ଲକ୍ଷ ଟଙ୍କା ଦେଇଛନ୍ତି। ମାସେରୁ ଦେଢ଼ମାସ ଭିତରେ ଏଠାରେ ଅତ୍ୟାଧୁନିକ ଶ୍ମଶାନ ନିର୍ମାଣ ହୋଇଯିବ।

Share Now:

Kalinga News Beuro

Next Post

ହସ୍ପିଟାଲକୁ ରେମଡେସିଭିର ଦେବ ଔଷଧ ନିଗମ : ଟଳିବ ରେମଡେସିଭିର ସଂକଟ

Wed Apr 28 , 2021
ଭୁବନେଶ୍ବର : ରାଜ୍ୟରେ ଖୋଲା ବଜା‌ରରେ ରେମଡେସିଭିର ସଂକଟ ଦେଖା ଦେଇଛି। ରାଜଧାନୀର ଅଧିକାଂଶ ଘରୋଇ ହସ୍ପିଟାଲରେ ରୋଗୀମାନଙ୍କୁ ରେମଡେସିଭିର ମିଳିପାରୁ ନାହିଁ। ସେମାନଙ୍କ ସଂପର୍କୀୟମାନେ ଟ୍ବିଟରରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ବାସ୍ଥ୍ୟମନ୍ତ୍ରୀ, ବିଏମ୍‌ସିଙ୍କୁ ଟ୍ୟାଗ୍ କରି ‌ସାହାଯ୍ୟ ଲୋଡ଼ୁଛନ୍ତି। ତେବେ ଯଥେଷ୍ଟ ପରିମାଣର ‌ରେମଡେସିଭର ଓ ଫାବିପିରାଭିର ବଟିକା ରାଜ୍ୟ ଔଷଧ ନିଗମ ନିକଟରେ ମହଜୁଦ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଘରୋଇ ହସ୍ପିଟାଲରେ ଥିବା ଗୁରୁତର […]
ହସ୍ପିଟାଲକୁ ରେମଡେସିଭିର ଦେବ ଔଷଧ ନିଗମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial