ହସ୍ପିଟାଲକୁ ରେମଡେସିଭିର ଦେବ ଔଷଧ ନିଗମ : ଟଳିବ ରେମଡେସିଭିର ସଂକଟ

ହସ୍ପିଟାଲକୁ ରେମଡେସିଭିର ଦେବ ଔଷଧ ନିଗମ

ଭୁବନେଶ୍ବର : ରାଜ୍ୟରେ ଖୋଲା ବଜା‌ରରେ ରେମଡେସିଭିର ସଂକଟ ଦେଖା ଦେଇଛି। ରାଜଧାନୀର ଅଧିକାଂଶ ଘରୋଇ ହସ୍ପିଟାଲରେ ରୋଗୀମାନଙ୍କୁ ରେମଡେସିଭିର ମିଳିପାରୁ ନାହିଁ। ସେମାନଙ୍କ ସଂପର୍କୀୟମାନେ ଟ୍ବିଟରରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ବାସ୍ଥ୍ୟମନ୍ତ୍ରୀ, ବିଏମ୍‌ସିଙ୍କୁ ଟ୍ୟାଗ୍ କରି ‌ସାହାଯ୍ୟ ଲୋଡ଼ୁଛନ୍ତି। ତେବେ ଯଥେଷ୍ଟ ପରିମାଣର ‌ରେମଡେସିଭର ଓ ଫାବିପିରାଭିର ବଟିକା ରାଜ୍ୟ ଔଷଧ ନିଗମ ନିକଟରେ ମହଜୁଦ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଘରୋଇ ହସ୍ପିଟାଲରେ ଥିବା ଗୁରୁତର ରୋଗୀମାନଙ୍କୁ ରେମଡେସିଭିର ଇଞ୍ଜେକସନ୍ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି। ଯାହା ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ପାଇଁ ଆଶ୍ବସ୍ତି ଆଣି ଦେଇଛି।
ରାଜ୍ୟ‌ରେ କରୋନାର ଦ୍ବିତୀୟ ଲହରରେ ଦ୍ରୁତ ସଂକ୍ରମଣ ଜାରି ରହିଛି। ବହୁ ସଂଖ୍ୟାରେ ରୋଗୀ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଗୁରୁତର ରୋଗୀଙ୍କ ପାଇଁ ରେମଡେସିଭିର ଇଞ୍ଜେକସନର ଆବଶ୍ୟକତା ପଡ଼ୁଛି। ମାତ୍ର ରାଜ୍ୟରେ ଥିବା ସଂପୃକ୍ତ କମ୍ପାନିର ଡିଷ୍ଟ୍ରିବ୍ୟୁଟରଙ୍କ ନିକଟରେ ଏହା ଉପଲବ୍ଧ ହେଉନାହିଁ। ବେଶ୍ କିଛିଦିନ ହେବ ଏହାର ଅଭାବ ଦେଖିବାକୁ ମିଳିଛି। ଡ୍ରଗ୍‌ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ କହିଛନ୍ତି, କେନ୍ଦ୍ର ସରକାର ନିଜେ ଏହାର ବିତରଣ କରୁଛନ୍ତି। ଚଳିତମାସ ୨୧ ତାରିଖରୁ ୩୦ତାରିଖ ଯାଏ ରାଜ୍ୟକୁ ୨୧ ହଜାର ଭାଏଲର ରେମଡେସିଭିର ଦେବାକୁ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ପ୍ରତିଦିନ କିଛି କିଛି ଭାଏଲର ଇଞ୍ଜେକସନ୍ ଆସୁଛି। ଗତକାଲି ରାଜ୍ୟରେ ୨ ହଜାର ଭାଏଲର ଆବଶ୍ୟକତା ଥିଲା ମାତ୍ର ୯୨ ଭାଏଲ ମିଳିଛି। ରାଜ୍ୟରେ ଥିବା ଘରୋଇ ହସ୍ପିଟାଲକୁ ଏହି ଇଞ୍ଜେକସନ୍ ଦିଆଯାଉଛି। ମାତ୍ର ସରକାରୀ କୋଭିଡ୍‌ ବ୍ୟବସ୍ଥାକୁ ରାଜ୍ୟ ଔଷଧ ନିଗମ ଏହାକୁ ‌ଯୋଗାଇ ଦେଇଛି। ହେଲେ ଘରୋଇ ମେଡିସିନ ଦୋକାନ ଏହି ଇଞ୍ଜେକସନ୍‌କୁ ରଖିପାରିବେ ନାହିଁ। ମାତ୍ର ରାଜ୍ୟରେ ଫାବିଫ୍ଲୁର ଅଭାବ ନାହିଁ। ରାଜ୍ୟରେ ଏଥିପାଇଁ ୧୧୨୦ଟି ଦୋକାନକୁ ଚିହ୍ନଟ କରାଯାଇଛି। ଏଥିରେ ଭୁବନେଶ୍ବରର ୪୦ଟି ଦୋକାନ ରହିଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ସମସ୍ତେ ଦାୟିତ୍ବ ନେଇ କୋଭିଡ୍‌କୁ ଜିତିବା: ନବୀନ

Wed Apr 28 , 2021
ଭୁବନେଶ୍ବର : ଗୋଟିଏ ସଂକ୍ରମଣ କମିଲେ, ଗୋଟିଏ ଆଇସିୟୁ ଓ ଗୋଟିଏ ଶଯ୍ୟା ଉପରୁ ଚାପ କମିଥାଏ। ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ଏବଂ ଗୋଟିଏ ଗୋଟିଏ ଜୀବନ ରକ୍ଷା ପାଇଁ ଆମେ ସର୍ବୋତ୍ତମ ଚେଷ୍ଟା ଜାରି ରଖିଛୁ। କିନ୍ତୁ କେହି ଏକଥା ଭୁଲିବା ଉଚିତ୍ ନୁହେଁ ଯେ କୋଭିଡ୍ ବିେରାଧରେ ଲଢେଇ ଏକ ଲମ୍ବା ଲଢେଇ। କୋଭିଡର ଏହି ଦ୍ବିତୀୟ ଲହର ଆମକୁ ସୂଚାଇ ଦେଇଛି ଯେ […]
ସମସ୍ତେ ଦାୟିତ୍ବ ନେଇ କୋଭିଡ୍‌କୁ ଜିତିବା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial