ବୃଦ୍ଧ ଦମ୍ପତିଙ୍କ ଟଙ୍କା ଲୁଚେଇ ଶିକ୍ଷୟିତ୍ରୀ ହଟହଟା:ସ୍କୁଲ୍‌ ଆଲମାରିରୁ ଟଙ୍କା ଜବତ କଲା ପୁଲିସ

ଖଣ୍ଡଗିରି: ଜଣେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କ କଳଙ୍କିତ କାହାଣୀକୁ ନେଇ ମଙ୍ଗଳବାର ଯାଁଳା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୂଲ ଲାଗି ଚଳୁଥିବା ବୃଦ୍ଧ ଦମ୍ପତିଙ୍କ କଷ୍ଟାର୍ଜିତ ୩୨ ହଜାର ଟଙ୍କାକୁ ବିଦ୍ୟାଳୟ ଆଲ୍‌ମିରାରେ ଲୁଚାଇ ରଖି ପରେ ପୁଲିସ ହାତରେ ଧରାପଡ଼ିବା ଭଳି ଏକ ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଲୋକେ ଶିକ୍ଷୟିତ୍ରୀଙ୍କୁ ଛି’ଛାକର କରିଛନ୍ତି। ଅପରପକ୍ଷେ ଗରିବ ବୃଦ୍ଧ ଦମ୍ପତି ଟଙ୍କା ଫେରି ପାଇବା ପରେ ଶିକ୍ଷୟିତ୍ରୀଙ୍କୁ କ୍ଷମା କରିଦେବା ଓ ମାମଲାକୁ ଆଗକୁ ନ ବଢ଼ାଇବାକୁ ପୁଲିସକୁ ନିବେଦନ କରିବା ମଧ୍ୟ ଅଧିକ ଚର୍ଚ୍ଚାର ବିଷୟ ହୋଇଛିି।

ଘଟଣାଟି ଏମିତି
ଯାଁଳା ଫାଣ୍ଡି ଅନ୍ତର୍ଗତ ଗୌଡ଼କାଶୀପୁର ଗାଁ ଆଦିବାସୀ ସାହିର ଗୋକୁଳ ନାଏକ(୭୫) ଓ ତାଙ୍କ ସ୍ତ୍ରୀ ବିମଳା(୭୨) ମୂଲ ଲାଗି ପାଇଥିବା ଟଙ୍କାକୁ ଗାଁ ଲୋକଙ୍କ ପାଖରେ ସାଇତି ରଖନ୍ତି ଓ ଅଧିକ ହେଲେ ମେଣ୍ଢାଶାଳସ୍ଥିତ ଏକ ବ୍ୟାଙ୍କରେ ଜମା କରାନ୍ତି। ଏପରି ଭାବେ ସଞ୍ଚିତ ୩୨ ହଜାର ଟଙ୍କାକୁ ସଂଗ୍ରହ କରି ଆଜି ସ୍ୱାମୀ-ସ୍ତ୍ରୀ ମେଣ୍ଢାଶାଳ ବ୍ୟାଙ୍କକୁ ବାହାରିଥିଲେ। ଟଙ୍କା ଓ ବ୍ୟାଙ୍କ ଜମାଖାତାକୁ ଏକ ବ୍ୟାଗ୍‌ରେ ରଖିଥିଲେ। ଘର ପାଖରେ ଗାଁ ପ୍ରାଥମିକ ବିଦ୍ୟାଳୟ। ବିମଳାଙ୍କୁ ବିଦ୍ୟାଳୟ ହତାରେ ଥିବା ଏକ ଗଛମୂଳେ ବସାଇ ଗୋକୁଳ ଅଟୋ ଡାକିବା ପାଇଁ ଗାଁ ଭିତରକୁ ଯାଇଥିଲେ। ମାତ୍ର ଫେରିବାରେ ବିଳମ୍ବ ହେବା ଦେଖି ବିମଳା ତାଙ୍କୁ ଡାକିବା ପାଇଁ ଗାଁ ଭିତରକୁ ବାହାରିଥିଲେ। ମାତ୍ର ଭୁଲ୍‌ରେ ଟଙ୍କା ବ୍ୟାଗ୍‌କୁ ସେଠାରେ ଥିବା ଜଣେ ଶିକ୍ଷୟିତ୍ରୀଙ୍କ ସ୍କୁଟି ସିଟ୍‌ ଉପରେ ରଖି ଦେଇଥିଲେ। ଗାଁ ଭିତରେ ଗୋକୁଳଙ୍କୁ ଦେଖିବା ପରେ ଟଙ୍କା ବ୍ୟାଗ୍‌ ଛାଡ଼ି ଦେଇଥିବା କଥା ତାଙ୍କର ମନେ ପଡ଼ିଲା। ସେମାନେ ତରବର ହୋଇ ବିଦ୍ୟାଳୟ ପାଖକୁ ଆସିବା ବେଳକୁ ଟଙ୍କା ବ୍ୟାଗ୍‌ ନଥିଲା। ଫଳରେ ବୃଦ୍ଧ ଦମ୍ପତି ମୁଣ୍ଡରେ ହାତ ଦେଇ ବସି ପଡ଼ିଥିଲେ। ଶିକ୍ଷୟିତ୍ରୀଜଣଙ୍କ ଶ୍ରେଣୀଗୃହରୁ ବାହାରି ଆସି ସେମାନଙ୍କୁ ବ୍ୟାଗ୍‌ଟିକୁ ଫେରାଇଥିଲେ। ବ୍ୟାଗ୍‌ ପାଇ ବୃଦ୍ଧ ଦମ୍ପତି କ୍ଷଣିକ ପାଇଁ ଖୁସି ହୋଇଥିଲେ ସିନା ଭିତରେ ଟଙ୍କା ନ ଦେଖି ପୁଣି ବିଚଳିତ ହୋଇ ପଡ଼ିଥିଲେ। ବ୍ୟାଗ୍‌ରେ ଖାଲି ବ୍ୟାଙ୍କ ଜମା ଖାତାଟି ଥିଲା। ବିମଳା ବେହୋସ୍‌ ହୋଇ ପଡ଼ିଥିଲେ। ଶିକ୍ଷୟିତ୍ରୀଜଣଙ୍କ ବ୍ୟାଗ୍‌ରେ ଟଙ୍କା ଥିବା କଥାକୁ ମୋଟେ ସ୍ୱୀକାର କରି ନଥିଲେ। ଖବର ପ୍ରଚାରିତ ହେବା ପରେ ବିଦ୍ୟାଳୟ ନିକଟରେ ଗାଁ ଲୋକଙ୍କ ଭିଡ଼ ଜମିଥିଲା ଓ ଖବର ପାଇ ଯାଁଳା ଫାଣ୍ଡି ପୁଲିସ ସେଠାରେ ପହଞ୍ଚିଥିଲା। ଶିକ୍ଷୟିତ୍ରୀଙ୍କ ଏକା ଜିଦ୍‌ ସେ ଖାଲି ବ୍ୟାଗ୍‌ ପାଇଥିଲେ। ପରେ ପୁଲିସ ବିଦ୍ୟାଳୟ ଆଲ୍‌ମିରା ଯାଞ୍ଚ କରିଥିଲା ଓ ସେଥିରୁ ୩୨ ହଜାର ଟଙ୍କା ମିଳିଥିଲା।

Share Now:

Kalinga News Beuro

Leave a Reply

Next Post

ମହଙ୍ଗା ପଡ଼ିଲା ଓଡ଼ିଶା, ଓଡ଼ିଆ ଓ ବିଧାୟକମାନଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ: ଦିଲ୍ଲୀରୁ ଗିରଫ ହେଲେ ଅଭିଜିତ ଆୟାର ମିତ୍ର

Thu Sep 20 , 2018
ନୂଆଦିଲ୍ଲୀ: ଓଡ଼ିଶା, ଓଡ଼ିଅା ଓ ଓଡ଼ିଶାର ବିଧାୟକମାନଙ୍କ ପ୍ରତି ଆକ୍ଷେପମୂଳକ ଓ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ଓଡ଼ିିଶା ପୁଲିସ ନୂଆଦିଲ୍ଲୀର ନିଜାମ୍ମୁଦ୍ଦିନ ଥାନା ଅଞ୍ଚଳରୁ ଗିରଫ କରିଥିବା ଜଣାପଡ଼ିଛି। ଏ ନେଇ ଅଭିଜିତଙ୍କ ବନ୍ଧୁ ଆରତି ଟିକୋ ସିଂହ ଟ୍ଵିଟ୍‌ କରିବା ପରେ ଘଟଣା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଆଜି ଅଭିଜିତଙ୍କ ମନ୍ତବ୍ୟ ନେଇ ଆଜି ବିଧାନସଭାରେ ସରଗରମ ଆଲୋଚନା ହେବା ସହିତ ତାଙ୍କ ବିରୋଧରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial