ଶିକୁଳିରେ ବନ୍ଧା ବାର୍ଦ୍ଧକ୍ୟ : ପତ୍ନୀଙ୍କ ମୃତ୍ୟୁ ପରେ ଜିଉଛନ୍ତି ବନ୍ଦୀ ଜୀବନ

ଶିକୁଳିରେ ବନ୍ଧା ବାର୍ଧକ୍ୟ

ଚିକିତ୍ସାପାଇଁ ସହଯୋଗ ଲୋଡିଲେ ପୁଅ

ଭୁବନେଶ୍ୱର : ଯୋଉ ଘର ଦିନେ ତାଙ୍କୁ ମୁରବି ଆସନ ଦେଇଥିଲା, ଆଜି ସେଇ ଘରର ଏକ କୋଣରେ ସେ ବନ୍ଦୀ। ଏବେ ଆଉ ତାଙ୍କ ହୁକୁମ ଚଳୁନି, ବରଂ ଶିକୁଳି ଫାଶରେ କବର ନେଇଛି ତାଙ୍କର ସବୁ ଆକଟ। ଯେବେଠୁ ତାଙ୍କ ଧର୍ମପତ୍ନୀ ସରସ୍ବତୀ ଆରପାରିକୁ ଚାଲି ଗଲେ, ତା’ ପରଠୁ ସରସ୍ବତୀଙ୍କୁ ଝୁରିଝୁରି ବାଉରୀବନ୍ଧୁଙ୍କର ଏହି ଅବସ୍ଥା। ପାଗଳ ହୋଇଯିବା ପରେ ଘରକୋଣରେ ବସି ଖାଲି ଗୁଣୁଗୁଣୁ ହେଉଛନ୍ତି। ମାନସିକ ଅବସ୍ଥା ଠିକ୍‌ ନଥିବାରୁ କିଛି କହିପାରୁନାହାନ୍ତି। ହେଲେ ଆଖିରୁ ନିଗିଡ଼ି ଆସି ଓଠ ଛୁଉଁଥିବା ଶୁଖିଲା ଲୁହ ଧାର ସବୁକିଛି ବୟାନ କରିଦେଉଛି। ସେ ହେଉଛନ୍ତି ବାଉରୀବନ୍ଧୁ ରାଉତ। ବୟସ ୭୦। ଘର ନାହାଳପୁର ଗୁଣାଦୋଳ ଗ୍ରାମ। ଗତ ମେ’ ମାସ ପର୍ଯ୍ୟନ୍ତ ବାଉରୀବନ୍ଧୁଙ୍କ ସଂସାର ସୁରୁଖୁରୁରେ ଚାଲିଥିଲା। ହଠାତ୍‌ ତାଙ୍କ ପତ୍ନୀ ସରସ୍ବତୀଙ୍କୁ ବାତ ମାରିଲା। ଡାକ୍ତର ଦେଖେଇଲେ। ଔଷଧ ଖୁଆଇଲେ। କିନ୍ତୁ ଶେଷରେ ସରସ୍ବତୀଙ୍କ ଦେହାନ୍ତ ହୋଇଗଲା। ଏହା ପରେ ୧୧ଦିନ ପର୍ଯ୍ୟନ୍ତ ବାଉରୀବନ୍ଧୁ ଗୁମ୍‌ସୁମ୍‌ ରହୁଥିଲେ। କିନ୍ତୁ ୧୨ଦିନ ବେଳକୁ ସେ ମାନସିକ ଭାରସାମ୍ୟ ହରାଇ ବସିଲେ। ଦିନେ ଦିନେ ଘରୁ ବାହାରି ଯାଉଥିଲେ ଯେ ୩ ଦିନ ଯାଏ ଫେରୁ ନଥିଲେ। ମାନସିକ ସ୍ଥିତି ଠିକ୍‌ ନଥିବାରୁ ଯଦି କାହାକୁ ଗାଳି କରି ଦେଉଥିଲେ, ତେବେ ମାଡ଼ ଖାଉଥିଲେ। ଏ ଚିତ୍ର ଯେବେ ତାଙ୍କୁ ପୁଅ ବିଦ୍ୟାଧର ରାଉତଙ୍କ ଦୃଷ୍ଟିରେ ପଡ଼ିଲା, ଆଉ ସେ ସମ୍ଭାଳି ହେଲେନି। ବାହାର ଲୋକଙ୍କଠୁ ମାଡ଼ ଖାଇବା ଅପେକ୍ଷା ନିଜ ଘରେ ଶିକୁଳିରେ ବାନ୍ଧି ରଖିବାକୁ ଉଚିତ ମଣିଲେ। ଏତିକିରେ ସରିନି ବାଉରୀବନ୍ଧୁଙ୍କ ପରିବାରର ଦୁଃଖ। ତାଙ୍କ ପୁଅ ବିଦ୍ୟାଧର ଛୋଟକାଟର ଟେଣ୍ଟ୍ ତଥା ସାଉଣ୍ଡ୍‌ ବ୍ୟବସାୟ କରି ପରିବାର ଚଳାଉଥିଲେ। ତେବେ କରୋନା ଯୋଗୁଁ ବାହାଘର ଓ ଉତ୍ସବରେ କଟକଣା ଲାଗିବା ପରେ ତାଙ୍କ ରୋଜଗାର ବନ୍ଦ। ତେଣୁ ବୃଦ୍ଧା ବାପାଙ୍କ ମାନସିକ ଅବସ୍ଥା ଠିକ୍‌ ପାଇଁ ତାଙ୍କୁ ଡାକ୍ତର ଦେଖାଇବାକୁ ବି ନେଇପାରୁନାହାନ୍ତି। ଏଣେ ବିଦ୍ୟାଧରଙ୍କ ପତ୍ନୀ ୯ ମାସର ଗର୍ଭବତୀ। ତାଙ୍କୁ ମଧ୍ୟ ସେ ଡାକ୍ତରୀ ପରୀକ୍ଷା ପାଇଁ ନେବାକୁ ସାହସ ଜୁଟାଇ ପାରିନାହାନ୍ତି। ଏହା ମଧ୍ୟରେ ସେ ସରପଞ୍ଚ, ବିଡିଓଙ୍କଠୁ ନେଇ ବିଧାୟକଙ୍କ ପାଖେ ପହଞ୍ଚି ସହାୟତା ପାଇଁ ନେହୁରା ହୋଇଛନ୍ତି। ବାପାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଗୁହାରି କରିଛନ୍ତି। ହେଲେ କେହି ବି ସଦୟ ହୋଇନାହାନ୍ତି। କରୋନା ଯୋଗୁଁ ଅନ୍ୟ କାମ କରିବା ପାଇଁ ସେ ଚେଷ୍ଟା କରିଥିଲେ ବି କାମ ପାଇ ପାରିନାହାନ୍ତି। ତେଣୁ କରୋନାରେ ତାଙ୍କର କରଜ ବଢ଼ିଗଲାଣି। ମାନସିକ ବିକାରଗ୍ରସ୍ତ ବାପାଙ୍କ ବାର୍ଦ୍ଧକ୍ୟ ଭତ୍ତା ହିଁ ସେମାନଙ୍କ ସାହାରା ପାଲଟିଛି। ତେଣୁ ସେ ନିଜ ବାପାଙ୍କ ଚିକିତ୍ସା ପାଇଁ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଲୋଡ଼ିଛନ୍ତି। ବିଦ୍ୟାଧରଙ୍କୁ ମୋବାଇଲ୍‌ ନମ୍ବର ୭୯୭୮୯୮୧୮୨୭ ଯୋଗେ ସହୃଦୟ ବ୍ୟକ୍ତି ଯୋଗାଯୋଗ କରି ସବିଶେଷ ବୁଝି ସହାୟତାର ହାତ ବଢ଼ାଇ ପାରି‌‌‌ବେ। ବିଦ୍ୟାଧର କହିଛନ୍ତି, ଯାହା ମୋ ସହ ଘଟିଛି, ସେମିତି ଅବସ୍ଥା କାହାର ବି ନହେଉ। ଏ ଘଟଣା ଯେତିକି ଦୁଃଖ ଦେଉଛି, ନିଜର ଲୋକମାନେ ଓ ସ୍ଥାନୀୟ ନେତୃମଣ୍ଡଳୀଙ୍କଠାରୁ ଜବାବ ଶୁଣି ଯନ୍ତ୍ରଣା ଆହୁରି ବଳି ଯାଇଛି।

Share Now:

Kalinga News Beuro

Next Post

ଆଜି ଜାତିସଂଘ ଦିବସ

Sat Oct 24 , 2020
ଭୁବନେଶ୍ୱର : ପ୍ରତି ବର୍ଷ ଅକ୍ଟୋବର‌ ୨୪ ତାରିଖରେ ପାଳିତ ହୁଏ ‘ଜାତିସଂଘ ଦିବସ’। ପ୍ରତି ବର୍ଷ ଅକ୍‌ଟୋବର‌ ୨୦-୨୬ ମଧ୍ୟରେ ପାଳିତ ହେଉଥିବା ‘ଜାତିସଂଘ ସପ୍ତାହ’ର ଏହା ଏକ ଅଂଶ। ୧୯୪୮ରେ ‘ଜାତିସଂଘ’ର ସାଧାରଣ ପରିଷଦ ଏହି ଦିନକୁ ‘ଜାତିସଂଘ ସନନ୍ଦର ଜନ୍ମ ବାର୍ଷିକୀ’ ଭାବେ ପାଳିତ କରିବା ପାଇଁ ଘୋଷଣା କରିଥିଲା। ‘ଜାତିସଂଘ’ ଅନୁଯାୟୀ ଏହା ଏକ ଅନ୍ତର୍ଜାତୀୟ ଛୁଟି ଦିବସ। ୧୯୭୨ରୁ ଏହି ଦିନରେ ପାଳିତ […]
ଆଜି ଜାତିସ˚ଘ ଦିବସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial