୭୫ବର୍ଷରେ ରାଜଧାନୀ ଭୁବନେଶ୍ବର : ୧୫ ଲକ୍ଷ ରାଜଧାନୀବାସୀଙ୍କ ପାଇଁ କିଛି ଭେଟି ନାହିଁ

ଆଜି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ

ଭୁବନେଶ୍ବର : ଆଜକୁ ଠିକ୍ ୭୫ବର୍ଷ ତଳେ, ସବୁଜିମାରେ ଖୁନ୍ଦି ହୋଇଯାଇଥିବା ଭୁବନେଶ୍ବରକୁ ରାଜଧାନୀର ମାନ୍ୟତା ମିଳିଥିଲା। ସେହିଦିନ ହିଁ ସବୁଜିମାକୁ ଉଜାଡ଼ି ଏକ ଅତ୍ୟାଧୁନିକ ରାଜଧାନୀର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା। ହେଲେ ଏତେ ଜଲ୍‌ଦି ଭୁବନେଶ୍ବର କଙ୍କ୍ରିଟ ଜଙ୍ଗଲରେ ପରିଣତ ହେବ ସେ‌ କଳ୍ପନା କେହି କରିନଥିଲେ। ଏବେ ଦେହରେ ବସନ୍ତର ମଳୟ ପବନ ବଦଳରେ ଉତ୍ତପ୍ତ ଚଟାଣର ହାୱା ବାଜୁଛି। ମନ୍ଦିରମାଳିନୀର ପରିଚୟ କେବଳ ବହିରେ ଲେଖା ହୋଇଥିବା ବେଳେ ସରକାର କ୍ରୀଡ଼ା ରାଜଧାନୀ ଗଢ଼ିବାରେ ଲାଗିଛନ୍ତି। ସଂସ୍କୃତି ଓ ପରମ୍ପରାର ଛାପ ହଜି ଯାଇଥିବା ବେଳେ ଭୁବନେଶ୍ବରକୁ ବାର୍ସିଲୋନା, ପ୍ୟାରିସ୍ ଭଳି ସହରରେ ପରିଣତ କରିବାର ଯୋଜନା ପ୍ରସ୍ତୁତ ହେଉଛି। ଏକ ପାରମ୍ପାରିକ ସହରର ଛାପ ହଜାଇ ଆମ ଭୁବନେଶ୍ବରକୁ ପାଶ୍ଚାତ୍ୟ ସହର ଭଳି ଗଢ଼ାହେଉଛି। ପ୍ରଥମେ ପ୍ରଥମେ କଟକ (ତତ୍କାଳୀନ ରାଜଧାନୀ)ରୁ କର୍ମଚାରୀମାନେ ଆସିବା ଅମଙ୍ଗ ହୋଇଥିଲେ। ଲୋକମାନେ ଏଠାରେ ରହିବା ପସନ୍ଦ କରୁନଥିଲେ। ସରକାର ଗୃହ ନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ ସରକାରୀ ଜମି ୯୯ ବର୍ଷିଆ ଲିଜ୍ ଦେଲେ। ଏହା ପରେ କ୍ୟାପିଟାଲ ସିଟି ପ୍ରତି ଲୋକଙ୍କ ମୋହ ବଢ଼ିଥିଲା। ଏକଦା ୪୦ ହଜାର ଜନସଂଖ୍ୟା ବିଶିଷ୍ଟ ପ୍ରାଶାସନିକ ରାଜଧାନୀ ସହର ଭାବେ ଭୁବନେଶ୍ବରକୁ କଳ୍ପନା କରାଯାଇଥିଲା। କିନ୍ତୁ ରାଜଧାନୀର ବୟସ ବଢ଼ିବା ସହ ଏହା ରାଜ୍ୟର ରାଜନୈତିକ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ଉଭା ହେଲା। ସହରର ଚାରିପଟୁ ଆକାର ବି ବଢ଼ିଲା। ନଭଶ୍ଚୁମ୍ଭୀ ଅଟ୍ଟାଳିକା ଛିଡ଼ା ହୋଲା। ବହୁରାଷ୍ଟ୍ରୀୟ କମ୍ପାନି ଭୁବନେଶ୍ବରରେ କାର୍ଯ୍ୟାଳୟ ଖୋଲିଲେ। ସହରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଲା। ଦେଶର ଯେ କୌଣସି ବିକଶିତ ସହରର ସମକକ୍ଷ ହେବା ପାଇଁ ଭୁବନେଶ୍ବର ଉଦ୍ୟମ କରୁଛି। ଏସବୁ ଭିତରେ କିଛି ମୌଳିକ ସମସ୍ୟା ସହରବାସୀଙ୍କୁ କଲବଲ ବି କରୁଛି। କଂକ୍ରିଟ୍‌ ଜଙ୍ଗଲ ଜଳବନ୍ଦୀ ସମସ୍ୟା‌ ସୃଷ୍ଟି କରିଛି। ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ହେଲେ ଭୁବନେଶ୍ବର ସଫା ହୋଇ ପାରୁନି। ଏମିତି ଖଟା ମିଠା ଅନୁଭବ ନେଇ ରାଜଧାନୀ ଏଥର ୭୫ ବର୍ଷରେ ପଦାର୍ପଣ କରିଛି।
ବିଡମ୍ବନାର ବିଷୟ ଯେଉଁ ରାଜଧାନୀର ଛାତି ଉପରେ ସରକାର ଏତେ ଖ୍ୟାତି ଅର୍ଜନ କରିଛନ୍ତି ତାହାକୁ ୭୫ବର୍ଷ ପୂର୍ତ୍ତି ହେବାର ପାଳନ ସେହିଭଳି ହେଉନି। ରାଜଧାନୀ ଭୁବନେଶ୍ବରକୁ ୭୫ବର୍ଷ ହେବା ନେଇ ଯେଉଁଭଳି ଆନନ୍ଦ ଉଲ୍ଲାସ ଦେଖାଦେବା କଥା ତାହା କାହା ନିକଟରେ ଦେଖାଯାଉନି। କେବଳ ରାଜଧାନୀ ପ୍ରତିଷ୍ଠା ଦିବସରେ ପୂର୍ବ ବର୍ଷଗୁଡ଼ିକରେ ଯେପରି ପାରମ୍ପରିକ ପରେଡ୍‌, ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ ସେତିକିରେ ସୀମିତ। ଜୟଦେବ ଭବନ ବଦଳରେ ଉତ୍କଳ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଦୁଇ ଦିନ ଧରି ଚାଲୁଥିବା କାର୍ଯ୍ୟକ୍ରମ ତିନି ଦିନ ପାଳନ ହେବ। ମାରାଥନ ଓ ସାଇକଲଥନ୍ ଯୋଡ଼ା ହୋଇଛି।
ହେଲେ ରାଜଧାନୀରେ ଯେଉଁ ୧୫ଲକ୍ଷରୁ ଅଧିକ ଲୋକ ବାସ କରୁଛନ୍ତି ସେମାନେ ରାଜଧାନୀକୁ ୭୫ବର୍ଷ ପୂର୍ତ୍ତି ହେବାର ବିଶେଷ ଅନୁଭୂତି କିପରି ପାଇବେ ସେ ବ୍ୟବସ୍ଥା କିଛି ନାହିଁ। ସ୍କୁଲ, କଲେଜ, ସାଂସ୍କୃତିକ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ, ପ୍ଲାଟିନମ୍ ଜୁବଲି ବହୁ ଆଡ଼ମ୍ବରରେ ପାଳନ କରୁଥିବା ବେଳେ ସରକାର ଏଥିପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଦେଉଛନ୍ତି। ବହୁ ପ୍ରକଳ୍ପ ନୂଆ ଭେଟି ଦେଉଛନ୍ତି। ହେଲେ ଭୁବନେଶ୍ବରକୁ ରାଜଧାନୀ ହେବାର ୭୫ବର୍ଷରେ ଏମିତି କୌଣସି ଗୋଟିଏ ବି ଯୋଜନା ନାହିଁ ଯାହା ସମସ୍ତଙ୍କୁ ଆକର୍ଷିତ କରିପାରିବ। ରାଜଧାନୀବାସୀଙ୍କ ପାଇଁ ନା କିଛି ନୂଆ ପ୍ରକଳ୍ପ ଭେଟି ଅଛି ନା କିଛି ନୂଆ ଯୋଜନାର ରୂପରେଖ ପ୍ରସ୍ତୁତ ହେଉଛି।

ରାଜଧାନୀ ଭୁବନେଶ୍ବରକୁ ଉତ୍ସର୍ଗୀକୃତ ସେବା ଯୋଗାଇବା ପାଇଁ ବିଏମ୍‌ସି ଓ ବିଡିଏ ଗଠନ ହୋଇଥିଲା। ହେଲେ ଏହି ଦୁଇ ସଂସ୍ଥା ରାଜଧାନୀ ଭୁବନେଶ୍ବରକୁ ଜନ୍ମଦିନର ଭେଟି ଦେବା ପାଇଁ କିଛି ‌ବି ଗୋଟେ ଯୋଜନା କରିନାହାନ୍ତି। ସ୍ବାୟତ୍ତ ଶାସନ ଦିବସରେ ମାଳମାଳ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରୁଥିବା ବିଏମ୍‌ସି ଗୋଟିଏ ବି ଯୋଜନା ଜନ୍ମଦିନ ପାଇଁ ରଖିନି। ଗତ କିଛି ବର୍ଷ ହେଲା ରାଜଧାନୀବାସୀଙ୍କୁ ନୂଆ ପ୍ରକଳ୍ପ ଭେଟି ଦେଉନଥିବା ବିଡିଏ ବି ଏହି ଧାରାରେ ପଡ଼ିଯାଇଛି। କେବଳ ନିଜ କୋଠାକୁ ସଜାଇ ଦେଇ କର୍ତ୍ତୃପକ୍ଷ ଖୁସ୍‌। ଅପରପକ୍ଷେ, ରାଜଧାନୀ ଭୁବନେଶ୍ବରକୁ ୭୫ବର୍ଷ ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତିକୁ ଛାଡ଼ିଦେଲେ ଆଉ କିଛି ଆଖିଦୃଶିଆ ଉନ୍ନତି ହୋଇପାରିନି। କ୍ରୀଡ଼ା ରାଜଧାନୀରେ କ୍ରୀଡ଼ା ଭିତ୍ତିଭୂମି ବଢ଼ିଛି ହେଲେ କେବଳ ସୀମିତ କ୍ରୀଡ଼ାବିତ୍‌ଙ୍କ ପାଇଁ। ବିଡମ୍ବନାର ବିଷୟ, ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୭ଜଣ ମନ୍ତ୍ରୀ ଅତିଥି ଭାବେ ଯୋଗଦେବେ। କିନ୍ତୁ କୌଣସି ବିଭାଗ ପକ୍ଷରୁ ରାଜଧାନୀବାସୀଙ୍କ ପାଇଁ ଗୋଟିଏ ବି ନୂଆ ଯୋଜନା ନାହିଁ।

Share Now:

Kalinga News Beuro

Next Post

ଖରା ବଢ଼ିଲେ, ପରିସ୍ଥିତି ଦେଖି ପୁଣି ନିଷ୍ପତ୍ତି ନିଆଯିବ : ରାଜସ୍ୱ ମନ୍ତ୍ରୀ

Thu Apr 13 , 2023
ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହର ସମୀକ୍ଷା ପରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଏଥିଲାଗି ଆଗରୁ ପ୍ରସ୍ତୁତ ଅଛନ୍ତି। ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ଶ୍ରମିକମାନଙ୍କ ପାଇଁ ଦିନ ୧୧ଟାରୁ ୩ଟା ଯାଏ କାମ ନ କରିବାକୁ ନିର୍ଦେଶ ରହିଛି। ଜିଲ୍ଲା ଶ୍ରମ ଅଧିକାରୀ ଏହାର ତଦାରଖ କରିବେ। ଶ୍ରମିକମାନଙ୍କ ପାଇଁ କାମ କରୁଥିବା ସ୍ଥାନରେ ଠିକାଦାର ଆଶ୍ରୟସ୍ଥଳୀର ବ୍ୟବସ୍ଥା […]
ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial