ବିଧାନସଭାରେ ଉଠିଲା ଭିତରକନିକା ସୀମା ବିବାଦ : ପୁନର୍ବିଚାର ଦାବି କଲେ ୩ ବିଧାୟକ

ବିଧାନସଭାରେ ଉଠିଲା ଭିତରକନିକା ସୀମା ବିବାଦ

ରୁଲିଂ ଦେଲେ ବାଚସ୍ପତି, କମିଟି ଗଠନ ପାଇଁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ

କେନ୍ଦ୍ରାପଡ଼‌ା/ରାଜନଗର : ଦୀର୍ଘ ୪୫ବର୍ଷ ପରେ ଭିତରକନିକା ଅଭୟାରଣ୍ୟର ହୋଇଥିବା ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ ନେଇ ବିରୋଧ ଜାରି ରହିଛି। କେଉଁ ନିୟମ ଆଧାରରେ ୫୨ଟି ଗାଁକୁ ବାଦ୍‌ ଦିଆଯାଇ ଅନ୍ୟ ଅଞ୍ଚଳଗୁଡ଼ିକୁ ଅଭୟାରଣ୍ୟ ଆଇନ ପରିସରଭୁକ୍ତ ରଖାଯିବା ସହ ନୂଆ କରି ମହାକାଳପଡ଼ା ତହସିଲର କିଛି ଅଞ୍ଚଳକୁ ସାମିଲ୍ କରାଗଲା, ତାକୁ ନେଇ ଗଣମାଧ୍ୟମରେ ଲଗାତାର ଖବର ପ୍ରକାଶ ପାଇବା ପରେ ଗାଁ ଗାଁରେ ଅସନ୍ତୋଷ ମୁଣ୍ଡ ଟେକିଛି। ଅଭୟାରଣ୍ୟ ଆଇନ ପରିସରଭୁକ୍ତ ଥିବା ଗାଁର ଲୋକମାନେ ବନ ବିଭାଗର ଏଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ବିରୋଧ କରି ସୀମା ନିର୍ଦ୍ଧାରଣର ପୁନର୍ବିଚାର କରିବାକୁ ଦାବି କରି ଆସୁଥିବା ବେଳେ ଗତକାଲି ଏହି ପ୍ରସଙ୍ଗ ବିଧାନସଭାରେ ଉଠିଛି। ଜିଲ୍ଲାର ତିନି ବିଧାୟକ ମହାକାଳପଡ଼ାର ଅତନୁ ସବ୍ୟସାଚ୍ଚୀ ନାୟକ, ଆଳିର ପ୍ରତାପ କେଶରୀ ଦେବ ଏବଂ ରାଜନଗରର ଧୃବଚରଣ ସାହୁ ବିଧାନସଭା ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ସୀମା ନିର୍ଦ୍ଧାରଣ ପୁନର୍ବିଚାର କରିବାକୁ ଦାବି କରିଛନ୍ତି। ବାଚସ୍ପତି ମାମଲାକୁ ଗମ୍ଭୀରତାର ସହ ନେବା ପୂର୍ବକ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ନେଇ ଏକ କମିଟି ଗଠନ କରି ପୁନଃ ସୀମା ନିର୍ଧାରଣ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାଚସ୍ପତିଙ୍କ ଏପ୍ରକାର ରୁଲିଂ ପରେ ଭିତକନିକା ସୀମା ନିର୍ଧାରଣ ପୁନଃ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ୧୯୭୫, ଏପ୍ରିଲ ୨୨ରେ ଭିତରକନିକାର ୬୭୨ବର୍ଗ କିମି ଅଞ୍ଚଳକୁ ରାଜ୍ୟ ସରକାର ଅଭୟାରଣ୍ୟ ଘୋଷଣା କରିଥିଲେ। ମାତ୍ର ଭିତରକନିକାର ସୀମା ଚିହ୍ନଟ କରି ଅଭୟାରଣ୍ୟ ଘୋଷଣା କରିବା ପରିବର୍ତେ କନିକା ରାଜାଙ୍କ ଶାସିତ ଅଞ୍ଚଳକୁ ଅଭୟାରଣ୍ୟ ଘୋଷଣା କରିଦିଆଯାଇଥିବାରୁ ରାଜନଗର ତହସିଲ୍‌ଦାର ସମସ୍ତ ୨୭୮ଟି ଗାଁ ଏବଂ ରାଜକନିକା ତହସିଲ୍‌ର ୧୨ଟି ପଞ୍ଚାୟତର ୯୦ଟି ଗାଁ ଅଭୟାରଣ୍ୟ ଆଇନ ପରିସରଭୁକ୍ତ ହୋଇଥିଲା। ‌ଦୀର୍ଘ ସାଢ଼େ ଚାରି ଦଶନ୍ଧି ବର୍ଷ ପରେ ହୋଇଥିବା ଏହି ପୁନଃ ସୀମା ନିର୍ଧାରଣ ପ୍ରକ୍ରିୟା ସଂପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଲୋକମାନେ ବିରୋଧ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ରାଜନଗର, ରାଜକନିକା ଓ ମହାକାଳପଡ଼ା ଅଞ୍ଚଳ ରେ କ୍ରମଶଃ ଜନ ଅସନ୍ତୋଷ ତେଜୁଥିବାରୁ ଅଭୟାରଣ୍ୟ ଭିତରେ ଆସୁଥିବା ତିନି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ବିଧାନସଭାରେ ଏହାକୁ ଉଠାଇଥିଲେ। ତିନି ବିଧାୟକ ଯୁକ୍ତି ବାଢ଼ିଥିଲେ ଯେ, ୧୯୭୫ ମସିହାରେ ଭିତରକନିକାକୁ ଯେତେବେଳେ ଅଭୟାରଣ୍ୟ ଘୋଷଣା କରାଯାଇଥିଲା, ସାରା ଦେଶରେ ଜରୁରିକଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା। କେନ୍ଦ୍ରାପଡାର ଲୋକ ପ୍ରତିନିଧି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜେଲ୍‌ରେ ଥିଲେ। ଏହି ସମୟରେ ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ ଆକ୍ଟ-୧୯୭୨, ଧାରା-୫୩ ଉପଧାରା ୧୮କୁ ଉଲ୍ଲଂଘନ କରି ଅଭୟାରଣ୍ୟ ଘୋଷଣା କରାଯାଇଥିଲା। ଏହାକୁ ବିରୋଧ କରି ବହୁ ଆନ୍ଦୋଳନ ହେବା ସହିତ ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଯିବା ପରେ ଏବେ ସୀମା ପୁନଃ ନିର୍ଦ୍ଧାରଣ କରାଯାଇଛି। ମାତ୍ର ୧୯୭୫ ମସିହାର ପୁରୁଣା ଭୁଲକୁ ଏଥିରେ ପୁଣି ଦୋହରା ଯାଇଛି। ଯେତିକି ଅଞ୍ଚଳ ବାଦ ଦିଆଯାଇଛି, ତାଠୁ ଅଧିକ ଅଞ୍ଚଳ ସାମିଲ୍‌ କରାଯାଇଛି। ଅର୍ଥାତ୍ ରାଜନଗର ନିର୍ବାଚନମଣ୍ଡଳୀର ୨୫ଟି ପଞ୍ଚାୟତର ୨୨୬ଟି ଗାଁ, ଆଳି ନିର୍ବାଚନମଣ୍ତଳୀର ୧୨ଟି ପଞ୍ଚାୟତର ୯୮ ଗାଁ ଏବଂ ନୂଆକରି ମହାକାଳପଡାର ୮ଟି ଅଂଚଳକୁ ସାମିଲ କରିଦିଆଯାଇଛି। ଅଭୟାରଣ୍ୟ ଆଇନ ପରିସରଭୁକ୍ତ ହେଇଯାଇଥିବାରୁ ଗାଁରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସ୍ଥାନୀୟ ଜନସାଧାରଣ ଓ ବନ ବିଭାଗ ମଧ୍ୟରେ ଲଢେଇ ପରିସ୍ଥିତି ସୃଷ୍ଟି ହେଉଥିବା ତିନି ବିଧାୟକ ଯୁକ୍ତି ବାଢ଼ି ଆଉଥରେ ଭିତରକନିକା ଅଭୟାରଣ୍ୟ ସୀମା ପୁନଃ ନିର୍ଦ୍ଧାରଣ କରିବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥ‌ିଲେ। ଏ କଥା ବି କହିଥିଲେ ଯେ ସୀମା ନିର୍ଧାରଣର ପୂର୍ବରୁ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଉ। ବାଚସ୍ପତି ପ୍ରସଙ୍ଗର ଗୁରୁତ୍ବ ଅନୁଭବ କରି ବିଭାଗୀୟ ମନ୍ତ୍ରୀଙ୍କୁ ରୁଲିଂ ଦେଇଥିବାରୁ ଭିତରକନିକାର ପୁନଃ ସୀମା ନିର୍ଦ୍ଧାରଣ ଦିଗରେ କି ପଦକ୍ଷେପ ନିଆଯାଉଛି, ତା’ରି ଉପରେ ସଭିଙ୍କ ନଜର ରହିଛି।

Share Now:

Kalinga News Beuro

Next Post

ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ମାମଲା : ୩ ବିଜେଡି ନେତାଙ୍କ ସମେତ ୮ ଜଣଙ୍କୁ କ୍ରାଇମ୍‌ବ୍ରାଞ୍ଚର ଜେରା

Tue Dec 1 , 2020
ବ୍ରହ୍ମପୁର : ଗୋପାଳପୁର ନିର୍ବାଚନମଣ୍ଡଳୀର ୬୮ଜଣ ଯୁବକଯୁବତୀଙ୍କୁ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗର ତଦନ୍ତକୁ ଜୋର୍‌ଦାର କରିଛି କ୍ରାଇମ୍‌ବ୍ରାଞ୍ଚ୍‌‌। ଏହି ଠକେଇ ମାମଲାରେ ଆକାଶ ପାଠକଙ୍କ ସହ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିବାରୁ ଆଜି ୩ ବିଜେଡି ନେତାଙ୍କ ସମେତ ଠକେଇର ଶିକାର ହୋଇଥିବା ୫ଜଣଙ୍କୁ ଡାକି ମାରାଥନ୍ ଜେରା କରାଯାଇଛି। ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ […]
ଟାଟା ମୋଟର୍ସ‌ ନାଁରେ ଠକେଇ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial