ସ୍କୁଟି ଓ ମାଲିକ ଭୁବନେଶ୍ୱରରେ : ଚାଲାଣ ଗଜପତିରୁ

ସ୍କୁଟି ଭୁବନେଶ୍ବରରେ, ଚାଲାଣ ଗଜପତିରୁ

‘ରାଜ୍ୟରେ ବୁଲୁଛି ୩ ଲକ୍ଷରୁ ଉର୍ଦ୍ଧ୍ଵ ନକଲି ନମ୍ବର’, ପ୍ରତିଦିନ ୨୦ରୁ ଅଧିକ ଅଭିଯୋଗ

ଭୁବନେଶ୍ୱର : ରାଜଧାନୀରେ ସ୍କୁଟି ଗଡ଼ୁଛି, କିନ୍ତୁ ଚାଲାଣ କଟିଛି ଗଜପତି ଆର୍‌ଟିଓରୁ। ହଜାରେ କି’ ଦୁଇ ହଜାର ନୁହେଁ, ଏକାବେଳକେ ୧୧ ହଜାର ଟଙ୍କାର ଚାଲାଣ। ଏହା ଦେଖି ଗାଡ଼ି ମାଲିକ ରଘୁନାଥ ହୁମ୍‌ଙ୍କ ଅକଲ ଗୁଡ଼ୁମ୍‌ ହୋଇଯାଇଛି। କ’ଣ କରିବେ, ମୁଣ୍ଡକୁ କିଛି ବୁଦ୍ଧିବାଟ ଦିଶୁନି। ଭୁବନେଶ୍ୱର ଟ୍ରାଫିକ୍‌ ଥାନାଠାରୁ ଆରମ୍ଭ କରି ପରିବହନ ବିଭାଗ ସବୁଆଡ଼ ଘୂରି ଆସିଲେଣି, କିନ୍ତୁ କେହି ସହାୟତା କରିବାକୁ ନାରାଜ। କୋର୍ଟର ଆଶ୍ରୟ ନିଅ କହି କାନ୍ଧରୁ ଦୋଷ ଖସାଇ ଦେଉଛନ୍ତି। ଗାଡ଼ି ଚଳାଚଳକୁ ବ୍ୟବସ୍ଥିତ କରିବା, ନମ୍ବର ନକଲିକୁ ରୋକିବା, ଚୋରା ଗାଡ଼ି ଧରାପଡ଼ିଯିବା ଆଦି ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ହାଇ-ସିକ୍ୟୁରିଟି ନମ୍ବର ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି)ର ପ୍ରଚଳନ କଲେ। କିନ୍ତୁ ଏହା ସତ୍ତ୍ୱେ ଏପରି ଘଟଣା ପଦାକୁ ଆସିବା, ଏଚ୍‌ଏସ୍‌ଆର୍‌ପି ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମିଳିଥିବା ସୂଚନାନୁଯାୟୀ, ଝାରପଡ଼ାର ରଘୁନାଥଙ୍କ ମୋବାଇଲ୍‌କୁ ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ପରିବହନ ବିଭାଗରୁ ଏକ ମେସେଜ୍‌ ଆସିଥିଲା। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ତାଙ୍କ ଗାଡ଼ି ନମ୍ବରରେ ୧୧ ହଜାର ଟଙ୍କାର ଚାଲାଣ କଟିଛି, ତୁରନ୍ତ ତାହା ପୈଠ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ଦେଖି ରଘୁନାଥଙ୍କ ବିଶ୍ୱାସ ହୋଇ ନଥିଲା। ଭୁଲ୍‌ରେ ତାଙ୍କ ନମ୍ବରରେ ଚାଲାଣ କଟିଯାଇଥିବା ଭାବି ସେ ଭୁବନେଶ୍ୱର ଟ୍ରାଫିକ୍‌ ଥାନାରେ ଯୋଗାଯୋଗ କରିଥିଲେ। କିନ୍ତୁ ସେଠାରେ ତାଙ୍କୁ ଜଣାଇ ଦିଆଯାଇଥିଲା ଯେ ଏ ଚାଲାଣ ଭୁବନେଶ୍ୱରରୁ ନୁହେଁ, ବରଂ ଗଜପତି ଆର୍‌ଟିଓରୁ କଟିଛି। ତାହା ପୁଣି ଏକ ବାଇକ୍‌ ନମ୍ବରରେ। ରଘୁନାଥ ୟା’ ଭିତରେ ନା ଗଜପତି ଯାଇଛନ୍ତି, ନା ତାଙ୍କ ଗାଡ଼ି ଯାଇଛି। ତେଣୁ ଏତେ ଟଙ୍କାର ଚାଲାଣ କିଭଳି କଟିଲା, ସେ ସଂପର୍କରେ ସେ ଭୁବନେଶ୍ୱର ଆର୍‌ଟିଓରେ ଯୋଗଯୋଗ କରିଥିଲେ। ସେଠି ବି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।
ପରେ ରଘୁନାଥ ଓ ତାଙ୍କ ବନ୍ଧୁ କଟକସ୍ଥିତ ପରିବହନ କାର୍ଯ୍ୟାଳୟକୁ ଯାଇ ଅତିରିକ୍ତ ପରିବହନ କମିସନର ଲାଲ୍‌ମୋହନ ସେଠୀଙ୍କୁ ଭେଟି ଅଭିଯୋଗ କରିଥିଲେ। ହେଲେ ସେ କହିଥିଲେ, ଯେ ରାଜ୍ୟରେ କେବଳ ତମର ନୁହେଁ, ୩ ଲକ୍ଷରୁ ଅଧିକ ନକଲି ନମ୍ବର ଗାଡ଼ି ଚାଲିଛି। ତାଙ୍କ ନିକଟକୁ ପ୍ରତିଦିନ ଏଭଳି ୨୦ରୁ ୩୦ ଅଭି‌ଯୋଗ ଆସୁଛି। ଗଜପତି ଯାଇ ଆର୍‌ଟିଓଙ୍କ ସହ ଯୋଗାଯୋଗ କର ନଚେତ୍‌ କୋର୍ଟର ଦ୍ୱାରସ୍ଥ ହେବାକୁ ସେ ପରାମର୍ଶ ଦେଇଥିଲେ। ଏଭଳି ପ୍ରତିକ୍ରିୟା ଶୁଣିବା ପରେ ରଘୁନାଥ କାନମୁଣ୍ଡ ଆଉଁସି ଫେରି ଆସିଥିଲେ। ତେବେ ଏ ସଂପର୍କରେ ଗଣମାଧ୍ୟମ ପକ୍ଷରୁ ଅତିରିକ୍ତ ପରିବହନ କମିସନର ଶ୍ରୀ ସେଠୀଙ୍କୁ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ବି ଉତ୍ତର ମିଳି ପାରିନଥିଲା। ନିକଟ ଅତୀତରେ ଗାଡ଼ି ଚଳାଚଳ ନିୟମରେ ଅନେକ ସଂଶୋଧନ କରାଯାଇଛି। ଆର୍‌ଟିଓରୁ ରେଜି‌ଷ୍ଟ୍ରେସନ୍‌ ନମ୍ବର ନ ଆସିଲେ, ଗାଡ଼ି ସୋ’ରୁମ୍‌ରୁ ବାହାରୁନି। ରେଜିଷ୍ଟ୍ରେସନ୍‌ ପାଇବା ପାଇଁ ଲୋକକଙ୍କୁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ୁଛି। ଏଚ୍‌ଏସ୍‌ଆର୍‌ପି ନମ୍ବର ନଥିଲେ ରାସ୍ତାରେ ଗାଡ଼ି ଗଡ଼ିବାକୁ ବାରଣ କରାଯାଇଛି। ବିନା ଏଚ୍‌ଏସ୍‌ଆର୍‌ପି ନମ୍ବର ଗାଡ଼ି ଗଡ଼ିଲେ, ତଣ୍ଡ ଗଣିବାକୁ ପଡ଼ୁଛି। କିନ୍ତୁ ଏତେ ନିୟମ, କଟକଣା ସତ୍ତ୍ୱେ କିପରି ପୁଳାପୁଳା ନକଲି ଗାଡ଼ି ଗଡ଼ୁଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

Share Now:

Kalinga News Beuro

Next Post

ଫେରାର ସ୍ତ୍ରୀ ହତ୍ୟାକାରୀ ସ୍ୱାମୀ ଗିରଫ

Sun Jul 9 , 2023
ଲକ୍ଷ୍ମୀପ୍ରସାଦ: ସ୍ତ୍ରୀକୁ ପିଟିପିଟି ମାରି ଫେରାର ହୋଇଥିବା ସ୍ୱାମୀକୁ ବାନ୍ଧିଛି ପୁଲିସ। ଅଭିଯୁକ୍ତ ପୂର୍ଣ୍ଣ ପ୍ରଧାନ ଗିରଫ ହୋଇଥିବା ଜଣାଯାଇଛି। ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଚନ୍ଦ୍ରପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଶୁକ୍ରବାର ରାତିଟେ ସ୍ତ୍ରୀକୁ ପିଟି ପିଟି ମାରି ଫେରାର ହୋଇଥିଲା। ବୌଦ୍ଧ ଆଦର୍ଶ ଥାନା ପୁଲିସ ହତ୍ୟା ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲା। ସ୍ୱତନ୍ତ୍ର ଦଳ ଗଠନ କରି ବିଭିନ୍ନ ସମ୍ଭାବ୍ୟ ସ୍ଥାନରେ ଚଢ଼ଉ କରୁଥିଲା। […]
ସ୍ତ୍ରୀ ହତ୍ୟାକାରୀ ଫେରାର ସ୍ବାମୀ ଗିରଫ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial