୬ ଲେନ୍‌ ବିଶିଷ୍ଟ ହେବ ଦୟା ୱେଷ୍ଟ କେନାଲ ରାସ୍ତା: କଟକ-ପୁରୀ ରୋଡ୍‌ରୁ ରବି ଟକିଜ୍‌ ପର୍ଯ୍ୟନ୍ତ ଭିଡ଼ କମିବ

୬ ଲେନ୍‌ ବିଶିଷ୍ଟ ହେବ ଦୟା ୱେଷ୍ଟ କେନାଲ ରାସ୍ତା

ଭୁବନେଶ୍ୱର: ଜୟଦେବ ବିହାର ନନ୍ଦନ କାନନ ରାସ୍ତାରୁ ଭିଡ଼ କମାଇବା ପାଇଁ ଲଗାତାର ଉଦ୍ୟମ ହେଲା। ନା ଦୁଇଶହ ଫୁଟିଆ ସମ୍ପୂର୍ଣ୍ଣ ହୋଇ ପାରିଲା ନା ସମ୍ପ୍ରସାରଣ ପାଇଁ ପ୍ରସ୍ତୁତ ନକ୍ସା କାର୍ଯ୍ୟକ୍ଷମ ହେଲା। ଲୋକ ଯେମିତି ଯମଯନ୍ତ୍ରଣା ଭୋଗୁଥିଲେ ସେମିତି ଭୋଗିଲେ। ଦିନକୁ ଦିନ ଏହି ରାସ୍ତାରେ ଟ୍ରାଫିକ୍‌ କଷ୍ଟ ବଢ଼ିବାରେ ଲାଗିଛି। ଏଣେ ଉପକଣ୍ଠରେ ନିର୍ମାଣ ବଢ଼ିଥିବାରୁ ପୁରୀ-କଟକ ବାଇପାସ୍‌ ରୋଡ୍‌ରୁ ରବି ଟକିଜ୍‌ ପର୍ଯ୍ୟନ୍ତ ରାସ୍ତାରେ ମଧ୍ୟ ପ୍ରବଳ ଭିଡ଼ ସାଧାରଣ ଲୋକଙ୍କୁ ନୟାନ୍ତ କରିଛି। ଏଣୁ ଦୟା ୱେଷ୍ଟ କେନାଲ ସଂଲଗ୍ନ ରାସ୍ତାର ଉନ୍ନତୀକରଣ ପାଇଁ ଯୋଜନା ହୋଇଛି। ଏହି ରାସ୍ତାକୁ ୬ ଲେନ୍‌ ବିଶିଷ୍ଟ କରାଯିବାକୁ ଯୋଜନା ହୋଇଛି। ଏହି ରାସ୍ତା ପ୍ରଶସ୍ତୀକରଣ ହେଲେ କଟକର ବାରଙ୍ଗ ଓ ଜଟଣୀର ରେତଙ୍ଗ ମଧ୍ୟରେ ସିଧାସଳଖ ସଡ଼କ ସଂଯୋଗ ହେବା ସହ ଦୂରତା କମିବ। କଟକ ପୁରୀ ରୋଡରୁ ରବି ଟକିଜ ଓ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଟ୍ରାଫିକ୍ ଭିଡ କମିବ ବୋଲି ଆଶା ପ୍ରକାଶ ପାଇଛି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଏହି ସଡ଼କର ଉନ୍ନତୀକରଣ ନେଇ ସୂଚନା ଦେଇଛନ୍ତି। ଏହି କେନାଲ ସଂଲଗ୍ନ ୪ଟି ଷ୍ଟ୍ରେଚରେ ୬ ଲେନ ବିଶିଷ୍ଟ ହେବ। ପ୍ରାୟ ୩୮ କିଲୋମିଟର ଲମ୍ବାର ରାସ୍ତା ନିର୍ମାଣ କରାଯିବ। ଏଥି ପାଇଁ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ କରାଯିବ। ପ୍ରଥମ ଷ୍ଟ୍ରେଚ୍‌ରେ ୧୩. ୭୪ କିଲୋମିଟର, ଦ୍ୱିତୀୟ ଷ୍ଟ୍ରେଚ୍‌ରେ ୭.୨୯କିଲୋମିଟର, ତୃତୀୟ ଷ୍ଟ୍ରେଚ୍‌ରେ ୩.୧୬ ଓ ଚତୁର୍ଥ ଷ୍ଟ୍ରେଚ୍‌ରେ ୧୩.୮୪ କିଲୋମିଟର ରାସ୍ତା ନିର୍ମାଣ ହେବାକୁ ଯୋଜନା ହୋଇଛି। ଦୟା ୱେଷ୍ଟ କେନାଲ ଜଳସମ୍ପଦ ବିଭାଗ ଅଧୀନରେ ରହିଛି। ଏଣୁ ଜଳ ସଂପଦ ବିଭାଗ ସହ ସମନ୍ୱୟ ରକ୍ଷା କରି ପୂର୍ତ୍ତ ବିଭାଗ ଏହି ଉନ୍ନତୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ। ଏହି ରାସ୍ତା କଡ଼ରେ ଥିବା ବସ୍ତିବାସିନ୍ଦାଙ୍କୁ ଆବଶ୍ୟକ ଥଇଥାନ କରିବାକୁ ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ଏହି ଉନ୍ନତୀକରଣ ଦ୍ୱାରା ସହର ଭିତରେ ଓ ଉପକଣ୍ଠରେ ଥିବେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜାଗାମାନଙ୍କ ମଧ୍ୟରେ ଦୂରତା କମିବ। ରାସ୍ତା ପ୍ରସ୍ତୁତ ହେଲେ କୂଆଖାଇ ଓ ଦୟାନଦୀ ମଝିରେ ଥିବା ଅଞ୍ଚଳର ଗୁରୁତ୍ୱ ମଧ୍ୟ ବଢ଼ିବ। ବମିଖାଲ, ଜିଜିପି କଲୋନି, ଲକ୍ଷ୍ମୀସାଗର, ପୁରୁଣା ଭୁବନେଶ୍ୱର, କପିଳେଶ୍ୱର, ସୁନ୍ଦରପଦାରୁ ପଟିଆ ଓ ମଞ୍ଚେଶ୍ୱର ରେଳ ଷ୍ଟେସନକୁ ସିଧାସଳଖ ଏହି ପ୍ରଶସ୍ତରାସ୍ତା ଜରିଆରେ ନିରବଚ୍ଛିନ ଯୋଗାଯୋଗ ସମ୍ଭବ ହେବ। ଏହି ରାସ୍ତା ବହୁଳ ବ୍ୟବହାର ହେଲେ କେନାଲ୍‌ରୁ ଉତ୍ପନ୍ନ ହେଉଥିବା ମଶାଙ୍କ ପ୍ରାଦୃର୍ଭାବ ମଧ୍ୟ ହ୍ରାସ ପାଇବ ବୋଲି ବିଭାଗୀୟ ସଚିବ ଆଶା ପ୍ରକାଶ କରିଛନ୍ତି। ବୈଠକରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବିଡ଼ିଏ ଉପାଧ୍ୟକ୍ଷ ବଲଓ୍ୱନ୍ତ ସିଂ, ପୂର୍ତ୍ତ ବିଭାଗ ସ୍ୱତନ୍ତ୍ର ସଚିବ ହେମନ୍ତ କୁମାର ଦତ୍ତ, ଜଳ ସଂପଦ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ସୁରେଶ ମହାପାତ୍ର ହେଲେ ଓଇଆରସି ଅଧ୍ୟକ୍ଷ : ୨୮ରେ ମୁଖ୍ୟ ଶାସନ ସଚିବ ପଦରୁ ନେବେ ଅବସର

Sun Feb 26 , 2023
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ ମିଳିଛି। ସେ ଓଡ଼ିଶା ବିଦ୍ୟୁତ ନିୟାମକ ପ୍ରାଧିକରଣ (ଓଇଆରସି)ର ପରବର୍ତ୍ତୀ ଅଧ୍ୟକ୍ଷ ହେବେ। ଶକ୍ତି ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।। ଆସନ୍ତା ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ପଦରୁ ସୁରେଶ ମହାପାତ୍ର ଅବସର ନେଲା ପରେ ନୂତନ ଦାଇତ୍ୱ ଗ୍ରହଣ କରିବେ। ସୂଚନାଯୋଗ୍ୟ, ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ୨୦୨୧ […]
ସୁରେଶ ମହାପାତ୍ର ହେଲେ ଓଇଆରସି ଅଧ୍ୟକ୍ଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial