ଜରାଜୀର୍ଣ୍ଣ ଅବସ୍ଥାରେ କାଳୀଗାଡ଼ିଆ ଓ କପିଳେଶ୍ବର ମଶାଣି

ଜରାଜୀର୍ଣ୍ଣ ଅବସ୍ଥାରେ କାଳୀଗାଡ଼ିଆ ଓ କପିଳେଶ୍ବର ମଶାଣି

ଭୁବନେଶ୍ବର: ରାଜଧାନୀର ସତ୍ୟନଗର ଶ୍ମଶାନରେ କରୋନା ମୃତକଙ୍କ ଶବଦାହ ହେଉଥିବାରୁ ଏହା ଉପରେ ଅଧିକ ଚାପ ପଡ଼ୁଛି। ଫଳରେ ବିଭିନ୍ନ ଅଞ୍ଚଳରେ ଅଣକୋଭିଡ୍‌ରେ ମୃତ୍ୟୁବରଣ କରୁଥିବା ଲୋକଙ୍କର ସ୍ଥାନୀୟ ଶ୍ମଶାନରେ ଶବଦାହ କରାଯାଉଛି। କିନ୍ତୁ ବର୍ତ୍ତମାନ ରାଜଧାନୀ ବିଭିନ୍ନ ସ୍ଥାନରେ ଥିବା ଛୋଟ ଛୋଟ ମଶାଣିର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡ଼ିଛି। ବିଏମସି ଅଧୀନରେ ଥିବା ଏହି ମଶାଣି ଗୁଡ଼ିକରେ କେଉଁଠି ପାଣିର ସୁବିଧା ନାହିଁ ତ’ ଆଉ କେଉଁଠି ଆଲୋକ ବ୍ୟବସ୍ଥା ନାହିଁ। କେଉଁଠାରେ ଆବର୍ଜନା ଭର୍ତ୍ତି ହୋଇ ରହିଛି ଆଉ କେଉଁ ଠାରେ ଜବରଦଖଲରେ ମଶାଣି ଅଞ୍ଚଳ। ଏଭଳି ଜରାଜୀର୍ଣ୍ଣ ଅବସ୍ଥା ଦେଖିବାକୁ ମିଳିଛି ପୁରୁଣା ଭୁବନେଶ୍ବରସ୍ଥିତ କାଳୀଗାଡ଼ିଆ ଓ କପିଳେଶ୍ବର ମଶାଣିରେ।
ମହତାବ ରୋଡସ୍ଥିତ କାଳୀଗାଡ଼ିଆ ମଶାଣିରେ ନା ଅଛି ଆଲୋକ ବ୍ୟବସ୍ଥା ନା ଅଛି ପାଣିର ସୁବିଧା। ମଶାଣି ଚାରିପଟେ କୁଢ଼ କୁଢ଼ ଅଳିଆ। ପାଚେରି ଭାଙ୍ଗି ଯାଇଥିବାରୁ ସ୍ଥାନୀୟ ଲୋକ ମାନେ ମଶାଣି ଭିତରେ ନିଜ ଯାନବାହନ ରଖି ଜବରଦଖଲ କରିଥିବା ଅଭିଯୋଗ ହେଉଛି। ମଶାଣି ମଧ୍ୟରେ ଏକ କୂଅ ରହିଥିଲେ ସୁଦ୍ଧା ଏହାର ପାଣି ବ୍ୟବହାର ଉପଯୋଗୀ ନୁହେଁ। କିଛି ସ୍ବେଚ୍ଛାସେବୀ ସଂଗଠନ ଏହି ମଶାଣିକୁ ନିଜ ଉଦ୍ୟମରେ ସଫା କରି କୂଅରେ ବ୍ଲିଚିଂ ପାଉଡର ପକାଇଥିଲେ ମଧ୍ୟ ସ୍ଥାନୀୟ ଅଧିବାସୀ ଓ ଶବଦାହ ପାଇଁ ଆସୁଥିବା ଲୋକ ମାନେ କୂଅରେ ପୁଣି ଅଳିଆ ଆବର୍ଜନା ପକାଇ ପାଣି ଦୂଷିତ କରି ଦେଉଥିବା ଅଭିଯୋଗ କରିଛନ୍ତି ସ୍ବେଚ୍ଛାସେବୀ ପ୍ରଦୀପ କୁମାର ପୃଷ୍ଟି। ସେ କହିଛନ୍ତି, ବର୍ଷା ଦିନେ ଏଠାରେ ଶବଦାହ କରିବା ପାଇଁ ବହୁ ଅସୁବିଧା ହୋଇଥାଏ। ପିଣ୍ଡିରେ ଗୋଟିଏ ମାତ୍ର ଚୁଲି ଓ ଅନ୍ୟ ଦୁଇଟି ବାହାରେ ଥିବାରୁ ବର୍ଷାଦିନେ ଶବଦାହ ପାଇଁ ଅସୁବିଧା ହେଉଛି।
ସେହିପରି କପିଳେଶ୍ବର ମଶାଣିରେ ସମାନ ଅବସ୍ଥା। ମଶାଣି ଚାରିପଟେ ପାଚେରି ନଥିବାରୁ କିଛି ଲୋକ ଜବରଦଖଲ କରି ରହୁଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି। ଏହା ସହ ମଶାଣିରେ ଆଲୋକ ସହ ପାଣି ବ୍ୟବସ୍ଥା ନଥିବା ଅଭିଯୋଗ କରିଛନ୍ତି ନୀଳମଣି ମିଶ୍ର। ଟାଙ୍କି ଥିବା ସତ୍ତ୍ୱେ ଏଥିରେ ପାଣି ରହୁନାହିଁ। ଆଲୋକୀକରଣର ବ୍ୟବସ୍ଥା ନାହିଁ। ବହୁ ଦିନରୁ ସଫା ସୁତରା ହୋଇନଥିବାରୁ ପିଣ୍ଡି ଚାରିପଟେ ଅନାବନା ଗଛ ଉଠି ଯାଇଛି। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯିବାକୁ ସାଧାରଣରେ ଦାବି ହେଉଛି।

Share Now:

Kalinga News Beuro

Next Post

କୋଣାର୍କ ବ୍ରହ୍ମଗୁଣ୍ଡିସ୍ଥିତ ବାଣ ଗୋଦାମରେ ପ୍ରଚଣ୍ଡ ବିସ୍ଫୋରଣ

Thu Jun 3 , 2021
ଭୁବନେଶ୍ବର : ପୁରୀ ଜିଲ୍ଲା କୋଣାର୍କ ଚାରିଛକ ନିକଟରେ ଥିବା ବ୍ରହ୍ମଗୁଣ୍ଡିସ୍ଥିତ ଏକ ବାଣ ଗୋଦାମରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ପ୍ରଚଣ୍ଡ ବିସ୍ଫୋରଣ ପରେ ସମଗ୍ର ବାଣଗୋଦାମ ଜଳୁଥିବାର ଦେଖାଯ଼ାଇଛି। ନିଆଁକୁ ଆୟତ୍ତ କରିବାକୁ ୫ଟି ଦମକଳ ଗାଡ଼ିକୁ ଲଗାଯ଼ାଇଛି। ବାଣ ଗୋଦାମରେ ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯ଼ାଇଛି। ତେବେ ଏହି ବିସ୍ଫୋରଣରେ ମୃତାହତ ନେଇ କୌଣସି ସୂଚନା ମିଳିପାରିନାହିଁ। Share Now:
ବ୍ରହ୍ମଗୁଣ୍ଡିସ୍ଥିତ ବାଣ ଗୋଦାମରେ ପ୍ରଚଣ୍ଡ ବିସ୍ଫୋରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial