ପ୍ଲଟିଂ ହେଉଛି ସରକାରୀ ଜମି : ଏକରକୁ କୋଟିଏ,ଘର ବି ମିଳୁଛି

ପ୍ଲଟିଂ ହେଉଛି ସରକାରୀ ଜମି

ପ୍ଲଟିଂ ହେଉଛି ସରକାରୀ ଜମି

ଭୁବନେଶ୍ୱର: ସରକାରୀ ଜମି ପ୍ଲଟିଂ ଚାଲିଛି। ଦର ରହିଛି ଏକରକୁ କୋଟିଏ। ଭୁବନେଶ୍ୱରରେ ଏହି ଜମିକୁ କିଣିବାକୁ ହେଲେ ଅତି କମ୍‌ରେ ୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। କିନ୍ତୁ ୫ ଭାଗରୁ ଭାଗେ ମୂଲ୍ୟରେ ଜମି ମିଳୁଥିବାରୁ ଗ୍ରାହକ ଖୋଜିବାକୁ ପଡ଼ୁନି। ବଡ଼ ବଡ଼ ପ୍ଲଟ୍‌କୁ ଛୋଟ ଛୋଟ କରି ଶସ୍ତାରେ ବିକ୍ରି କରି ଦେଉଥିବାରୁ ଗ୍ରାହକ ଖୋଜିବାକୁ ପଡ଼ୁନି। ଆପଣାଛାଏଁ ଗ୍ରାହକ ଭିଡ଼ ଜମାଉଛନ୍ତି। ସରକାରୀ ଜମି ହେଲେ ବି ଏହା ଉଚ୍ଛେଦ ହେବ ନାହିଁ ବୋଲି ଅଭୟବାଣୀ ମିଳୁଛି। କାରଣ ଦଲାଲଙ୍କ ସହ କେତେକ ସରକାରୀ ଅଧିକାରୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଏଇ କିଛି ଦିନ ହେବ ଉପକଣ୍ଠରେ ଏଭଳି ଦଲାଲ ମାତିଛନ୍ତି। କଳାରାହାଙ୍ଗରେ ୧୨୫ ଏକର ସରକାରୀ ଜମିକୁ ଏଭଳି ଦଲାଲମାନେ ପ୍ଲଟିଂ କରି ବାଣ୍ଟି ନେଇଛନ୍ତି। ଏଥିରେ ଦେଢ଼ କୋଟି ଟଙ୍କାର କାରବାର ହୋଇଛି। କେତେକ ଦଲାଲଙ୍କ ସହ ଦୁଇଜଣ ସରକାରୀ ଅଧିକାରୀ, ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଓ ଜଣେ କୁଜିନେତା ସାମିଲ ଅଛନ୍ତି। ଜବରଦଖଲ ହଟାଇବା ପାଇଁ ବିଡିଏ ଠେଲାଗାଡ଼ି, ଗରିବ ପରିବା ବ୍ୟବସାୟୀ ଓ ଫଳ ବ୍ୟବସାୟୀଙ୍କ ପଛରେ ପଡ଼ିଥିବା ବେଳେ ଏପଟେ କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ହଡ଼ପ ହୋଇଯାଉଛି। ଏଣେ ଜମି ମାଲିକ ତଥା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ମଧ୍ୟ ଆଖି ବୁଜି ଦେଇଛି। ଯାହା ଦଲାଲଙ୍କୁ ସୁହାଇଛି।
ବଡ଼କଥା ହେଉଛି, ଥରେ ଜବରଦଖଲ ହେଲେ ଏହା ଉଚ୍ଛେଦ ହେବା କାଠିକର ପାଠ ହେଉଛି। ୨୦୧୫ ମସିହାରେ ଏଭଳି ଜବରଦଖଲ ହଟାଇବାକୁ ବିଡିଏ ନୟାନ୍ତ ହୋଇଥିଲା। ଚନ୍ଦ୍ରଶେଖରପୁର କନ୍ୟାଶ୍ରମ ନିକଟରେ ସରକାରୀ ପ୍ଲଟ୍‌ରୁ ଜବରଦଖଲ ହଟାଇବାକୁ ବିଡିଏକୁ ବର୍ଷେ ଲାଗିଥିଲା। ଚନ୍ଦ୍ରଶେଖରପୁର ମୌଜା ୩ ନମ୍ବର ପ୍ଲଟ୍‌ରେ ୨୦ ଏକର ଓ ପ୍ଲଟ୍‌ ନମ୍ବର୪ରେ ୧୦୫ ଏକର ଏଭଳି ୧୨୫ ଏକର ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ଥିଲା। ଦଲାଲ୍‌ ପ୍ରାୟ ଶହେ ଘର ନିର୍ମାଣ କରି ବିକି ଦେଇଥିଲା। କେତେକ ଘର ତିଆରି କରି ଭଡ଼ା ଲଗାଇ ଦେଇଥିଲେ। ଅଭିଯୋଗ ହେବା ପରେ ୨୦୧୪ ମସିହାରେ ଜିଏ ବିଭାଗ ବିଡିଏକୁ ଉଚ୍ଛେଦ ପାଇଁ ଚିଠି ଲେଖିଥିଲା। ୨୦୧୪ ଫେବୃଆରୀ ୨ ତାରିଖରେ ଉଚ୍ଛେଦ ପାଇଁ ବିଡିଏର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଯାଇଥିଲା। କିନ୍ତୁ ସେଠାରେ ୩ ଶହରୁ ଉର୍ଦ୍ଧ୍ୱ ଲୋକ ତେଣ୍ଟା, ଧନୁତୀର ଓ ଢେଲା ପଥର ଧରି ବିରୋଧ କରିଥିଲେ। ଦୁଇଜଣ ଅଧିକାରୀଙ୍କୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା। କିନ୍ତୁ ଉଚ୍ଛେଦ ସ୍ଥଗିତ ରହିଥିଲା। ଏଭଳି ୮ଟି ଉଚ୍ଛେଦ କାର୍ଯ୍ୟକ୍ରମ ବିଫଳ ହେବା ପରେ ୨୦୧୫ ଫେବୃଆରୀ ୪ରେ ବିଡିଏ ଏହି ଜବରଦଖଲ ହଟାଇବାକୁ ସକ୍ଷମ ହୋଇଥିଲା। ସରକାରୀ ଜମି ଜବରଦଖଲ ହେବା ପୂର୍ବରୁ ବା ଆରମ୍ଭ ହେବା ବେଳେ ବିଭାଗ ନିରବ ରହୁଥିବାରୁ ଏହି ସମସ୍ୟା ଉପୁଜୁଛି। ଅନେକ ଜାଗା ଏବେ ବି ଉଚ୍ଛେଦ ହୋଇପାରି ନାହିଁ। ନିଜ ନିଜ ଅଞ୍ଚଳରେ ଜବରଦଖଲ ଚିହ୍ନଟ କରି ଅବଗତ କରାଇବା ପାଇଁ ବିଏମ୍‌ସିର ଜୋନ୍‌ ଅଫିସ୍‌ କାମ କରୁଛି। ସମଗ୍ର ଭୁବନେଶ୍ୱରକୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଏହାର ଦାଇତ୍ୱରେ ୩ଜଣ ଡେପୁଟି କମିସନର ଅଛନ୍ତି। ଏମାନେ ନିୟମିତ ସମୀକ୍ଷା କରିବା ସହ ଜବରଦଖଲକୁ ନେଇ ଆସୁଥିବା ଅଭିଯୋଗର ତର୍ଜମା କରିବା କଥା। କିନ୍ତୁ ଏମାନେ ଏ ସବୁ କରୁନାହାନ୍ତି। ଜବରଦଖଲ ହେଉଥିଲେ ମଧ୍ୟ ଦାଇତ୍ୱରେ ଥିବା କର୍ମଚାରୀମାନେ ନଜରକୁ ଆଣୁ ନାହାନ୍ତି। ଏଥିପାଇଁ ମୋଟା ଅଙ୍କର ହାତଗୁଞ୍ଜା ମଧ୍ୟ କାରବାର ହେଉଥିବା ଅଭିଯୋଗ ରହିଛି। ଏ ସବୁ ସମସ୍ତଙ୍କ ଗୋଚରରେ ହେଉଛି।
ତେବେ କେବଳ କଳାରାହାଙ୍ଗ ନୁହେଁ, ବରଂ ସହରର ଉପକଣ୍ଠର ବିଭିନ୍ନ ଜାଗାରେ ଏଭଳି ଜବରଦଖଲ ହେଉଛି। ପଳାସୁଣିରୁ ଉଚ୍ଛେଦ ହୋଇଥିବା କେତେକ ପରିବାର ପାଣ୍ଡରାରେ ରହୁଛନ୍ତି। ସେଠାରେ ବଳକା ଥିବା ପ୍ରାୟ ୨ ଏକର ଜମିକୁ ମାଫିଆ ମାଡ଼ି ବସି ଘର କରି ବିକ୍ରି କରୁଛନ୍ତି। ସୁବୁଦ୍ଧିପୁର ମୌଜାର ପ୍ଲଟ୍‌ ନମ୍ବର ୮୦ ଓ ୧୧୦ରେ ମଧ୍ୟ ୩୦ଏକରରୁ ଅଧିକ ଜାଗା ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ସେହିଭଳି ଗାଡ଼କଣରେ ଥିବା ସାଇନାଥ ବସ୍ତି ଜବରଦଖଲରେ ଥିବାରୁ ‌ନିର୍ମାଣ ହେବାକୁ ଥିବା ସମାନ୍ତରାଳ ରାସ୍ତା ହୋଇପାରୁନାହିଁ। ଭରତପୁରରେ ୩ଏକର ଜାଗା ପ୍ଲଟିଂ ହୋଇଛି। ୫ଟି ପ୍ଲଟ୍‌ରେ ଘର ମଧ୍ୟ ହୋଇଛି। ତିନିଜଣଙ୍କୁ ଦଲାଲ ବିକ୍ରି କରିଦେଇଥିବା ବେଳେ ୨ଜଣ ଭଡ଼ାରେ ରହୁଛନ୍ତି। ସେହିଭଳି ଶ୍ୟାମପୁର ମୌଜାରେ ମଧ୍ୟ ଦଲାଲ୍‌ ନିଜ ଆଧିପତ୍ୟ ବିସ୍ତାର କରିଛନ୍ତି। ଜିଏ ବିଭାଗ ଏ ସବୁ ନ ଜାଣିଲା ଭଳି ଅଭିନୟ କରୁଛି। ବଡ଼କଥା ହେଉଛି, ସରକାରୀ ଜମିରେ ହୋଇଥିବା ଘରକୁ ବିଦ୍ୟୁତ୍‌ ଓ ପାଣି ସଂଯୋଗ ମଧ୍ୟ ହେଉଛି। ଜିଏ, ଟିପିସିଓଡିଏଲ୍‌ ଓ ୱାଟ୍‌କୋ ବିଭାଗର ଅଧିକାରୀ ମିଳିମିଶି ଏହି ବେପାର ବେଶ୍‌ ସୁରୁଖୁରୁରେ ଚଳାଇଛନ୍ତି।

Share Now:

Kalinga News Beuro

Next Post

ହୋଲି କଟକଣା: ରାସାୟନିକ ରଙ୍ଗ ବିକିଲେ କାର୍ଯ୍ୟାନୁଷ୍ଠାନ

Mon Mar 6 , 2023
୬ ସେକ୍ଟର୍‌ ଦାୟିତ୍ୱରେ ୧୫ ପ୍ଲାଟୁନ୍, ନଦୀରେ ଅଗ୍ନିଶମ, ଓଡ୍ରାଫ୍‌ ପାଟ୍ରୋଲିଂ କଟକ: କଟକ ସହରରେ ହୋଲିରେ କୌଣସି ବ୍ୟବସାୟୀ ରାସାୟନିକ ରଙ୍ଗ ବ୍ୟବହାର କରିପାରିବେ ନାହିଁ। କେବଳ ହର୍ବାଲ୍‌ ରଙ୍ଗ ବ୍ୟବହାର କରିବେ। କେହି ବ୍ୟବସାୟୀ ନିୟମ ଭାଙ୍ଗିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପୁଲିସ ଚେତାବନୀ ଦେଇଛି। ସୂଚନା ଅନୁଯାୟୀ, ହୋଲିରେ ରାସାୟନିକ ରଙ୍ଗ ଉପରେ କଟକଣା ଲାଗିଥିବା ବେଳେ ଆଇନଶୃଙ୍ଖଳା ଉପରେ ମଧ୍ୟ କଡ଼ା […]
ରାସାୟନିକ ରଙ୍ଗ ବିକିଲେ ଫସିବେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial