ରାଜଧାନୀରେ ଭିଡ଼ କମାଇବାକୁ ମାଷ୍ଟରପ୍ଲାନ୍‌ : କଳ୍ପନା ଛକରୁ ରବି ଟକିଜ୍‌ ଫ୍ଲାଏଓଭର

କଳ୍ପନା ଛକରୁ ରବି ଟକିଜ୍‌ ଫ୍ଲାଏଓଭର

ଭୁବନେଶ୍ୱର : ରାଜଧାନୀରେ ଗମନାଗମନକୁ ସୁଗମ କରିବା ଲାଗି ରାଜ୍ୟ ସରକାର ବଡ଼ ପଦକ୍ଷେପ ହାତକୁ ନେଇଛନ୍ତି। ଏକାଧିକ ରିଂ-ରୋଡ ନିର୍ମାଣ ସହ ଡଜନ୍‌ ଅଧିକ ଫ୍ଲାଏ ଓଭର, ଅନେକ ରାସ୍ତା ନିର୍ମାଣ କରାଯିବ। ଗୋଟିଏ ଅଞ୍ଚଳକୁ ଅନ୍ୟ ‌ଅଞ୍ଚଳକୁ କିଭଳି ଯୋଡ଼ାଯିବ ସେଥିପାଇଁ ଭୁବନେଶ୍ୱରର ରାସ୍ତାଗୁଡ଼ିକୁ ମୁଖ୍ୟତଃ ତିନି ଭାଗ ଯଥା ଓଡିଆର୍‌(ଅନ୍ୟାନ୍ୟ ଜିଲ୍ଲା ରାସ୍ତା), ଏମ୍‌ଡିଆର(ପ୍ରମୁଖ ଜିଲ୍ଲା ରାସ୍ତା) ଓ ଭିଆର୍‌(ଗ୍ରାମ୍ୟ ରାସ୍ତା)ରେ ବିଭକ୍ତ କରାଯାଇଛି। ଏଥିସହ ଚାଷ ଜମିରେ ନୂଆ ରାସ୍ତା ନିର୍ମାଣ କରିବା ଲାଗି ମଧ୍ୟ ରୂପରେଖ ପ୍ରସ୍ତୁତ ହୋଇଛି। ଅଧିକାଂଶ ପ୍ରକଳ୍ପ ବିସ୍ତୃତ ଉନ୍ନତୀକରଣ ଯୋଜନା(ସିଡିପି)ରେ ରହିଥିବା ବେଳେ କିଛି ପ୍ରକଳ୍ପ ଲାଗି ଇତି ମଧ୍ୟରେ ସର୍ଭେ କାର୍ଯ୍ୟ ଶେଷ ହୋଇଛି। କେତେକ ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୧୦୪.୦୫ କିମି ରାସ୍ତା ନିର୍ମାଣ ଲାଗି ପ୍ରସ୍ତାବ ରହିଥିବା ବେଳେ ୧୭୫.୬ କିମିର ରିଂରୋଡ୍‌ କରାଯିବ। ରାଜଧାନୀର ପ୍ରମୁଖ ରାସ୍ତାରେ ଭିଡ଼ କମାଇବା ଲାଗି ଏକାଧିକ ଫ୍ଲାଏ ଓଭର ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି। ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ପ୍ରମୁଖ ଛକଗୁଡ଼ିକରେ ଫ୍ଲାଏ ଓଭର ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି। ୧୨.୫୭ କିମି ଏହି ରାସ୍ତାରେ ୫ଟି ଫ୍ଲାଏ ଓଭର କରିବାକୁ ପ୍ରସ୍ତାବ ରହିଛି, ଯାହାକି ଏବେ ସିଡିପିରେ ରହିଛି। ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ବାମପାର୍ଶ୍ଵ ସମାନ୍ତରାଳ ରାସ୍ତା ୧୩.୫୮ କିମି ମଧ୍ୟରୁ ଅଧିକାଂଶ କାର୍ଯ୍ୟ ଶେଷ ହୋଇଛି। ଗଣିତ ପ୍ରତିଷ୍ଠାନ ଠାରୁ ପଥରଗାଡ଼ିଆ ଏବଂ ଓଇଆରସି ଠାରୁ ହାତିଆଶୁଣି ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଶେଷ ହୋଇଛି। ବାକି ଥିବା ପଥରଗାଡ଼ିଆରୁ ଓଇଆରସି ଓ ହାତିଆଶୁଣିରୁ ଏକାମ୍ରକାନନ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉଛି। ହାତିଆଶୁଣିରୁ ଜାଭିଅର ଛକ ଓ ଲୁମ୍ବିନୀ ବିହାରରୁ ହୋଟେଲ ସୂର୍ଯ୍ୟାଂଶ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଜାରି ରହିଛି। ସହରର ଅତ୍ୟତମ ଜନଗହଳିପୂର୍ଣ୍ଣ ଛକ ଭାବେ ପରିଚିତ କଳ୍ପନା ଛକରୁ ରବି ଟକିଜ୍‌, ସଂଗ୍ରହାଳୟ ଛକ ଓ ମାଉସୀମା ଛକରେ ମଧ୍ୟ ଫ୍ଲାଏ ଓଭର ନିର୍ମାଣ କରାଯିବ। ପୂର୍ତ୍ତ ବିଭାଗର ପକ୍ଷରୁ ଉକ୍ତ ତିନୋଟି ଫ୍ଲାଏ ଓଭରର ପ୍ରାଥମିକ ସର୍ଭେ ଚାଲିଛି।
ଦୟା ବାମ ପାର୍ଶ୍ଵ ୩୮.୨୦ କିମି ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ଯାହାକି ପଟିଆ ଷ୍ଟେସନ ଛକ କେନାଲ ବନ୍ଧଠାରୁ ପ୍ରସ୍ତାବିତ ସୁଆଙ୍ଗ ମଉଜା ପର୍ଯ୍ୟନ୍ତ ଭୟା ଜାତୀୟ ରାଜପଥ-୧୬ ମଧ୍ୟ ଦେଇ ଯିବ। ଏହି ପ୍ରକଳ୍ପ ଏବେ ସିଡିପିରେ ଥିବା ବେଳେ ପ୍ରାରମ୍ଭିକ ସର୍ଭେ କାର୍ଯ୍ୟ ଚାଲୁ ରହିଥିବା ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଖଣ୍ଡଗିରି ଛକରୁ ଗଣ୍ଡମୁଣ୍ଡା ଛକ ପର୍ଯ୍ୟନ୍ତ ୧.୭୬ କିମି ରାସ୍ତା, ପାହାଳ ଛକରୁ ଜୟପୁର ଓ ଜୋହଳ ପର୍ଯ୍ୟନ୍ତ ୧.୪୨ କିମି ଏବଂ ଏହି ରାସ୍ତାରୁ ନିଆଳି ରୋଡକୁ ସଂଯୋଗ କରୁଥିବା ୧.୧୨ କିମି ରାସ୍ତା ଏବେ ସିଡିପି ପ୍ରସ୍ତାବରେ ଅଟକିଛି। ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାଥମିକ ସର୍ଭେ କାର୍ଯ୍ୟ ଚାଲିଛି। ଏମ୍‌ସଠାରୁ ପ୍ରସ୍ତାବିତ ରିଂ-ରୋଡ ପର୍ଯ୍ୟନ୍ତ ୦.୭୯ କିମି, କପିଳପ୍ରସାଦରୁ ଜଟଣୀ ରୋଡ ପର୍ଯ୍ୟନ୍ତ ୧୪.୦୬ କିମି ରାସ୍ତାର ପ୍ରସ୍ତାବ ସିଡିପିସ୍ତରରେ ରହିଛି। ଜଟଣୀ ରାସ୍ତା ଲାଗି ଖୁବ୍‌ଶୀଘ୍ର ଟେଣ୍ଡର ଆହ୍ଵାନ କରାଯିବ। ପଥରଗାଡ଼ିଆରୁ ନନ୍ଦନକାନନ ରୋଡ ପର୍ଯ୍ୟନ୍ତ ୩.୨୫ କିମି ଏବଂ ଶିଖରଚଣ୍ଡୀରୁ ଦାରୁଠେଙ୍ଗ ପର୍ଯ୍ୟନ୍ତ ୪.୦୫ କିମି ରାସ୍ତା ଏବଂ ପଟିଆ ଷ୍ଟେସନକୁ ସଂଯୋଗ କରୁଥିବା ୧.୪୧ କିମି ଏବେ ସିଡିପି ସ୍ତରରେ ଥିବା ବେଳେ ପ୍ରାଥମିକ ସର୍ଭେ ଚାଲିଛି। ନାଇଜର୍‌କୁ ସଂଯୋଗ କରୁଥିବା ୬.୧୪ କିମି ରାସ୍ତା ଲାଗି ଡିପିଆର ପ୍ରସ୍ତୁତ ସରିଛି। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ)ଙ୍କ ପକ୍ଷରୁ ୧୧୧.୨୦ କିମିର କ୍ୟାପିଟାଲ ରିଜନ୍‌ ରିଂ ରୋଡର ବିକାଶ କରାଯିବ। କ୍ୟାପିଟାଲ ରିଂ-ରୋଡ(ବାରଙ୍ଗ-ଇଞ୍ଜଣା-ପାହାଳ-ଧଉଳି-ତମାଣ୍ଡୋ-ପାଇକରାୟପୁର-ବାରଙ୍ଗ) ୬୪.୪୦ କିମି ମଧ୍ୟରୁ ତମାଣ୍ଡୋରୁ ପାଇକରାପୁର ପର୍ଯ୍ୟପ୍ତ ରାସ୍ତା ଲାଗି ଟେଣ୍ଡର ଡକାଯାଇଥିବା ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଏକ ପ୍ରଶ୍ନରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ବିଧାନସଭାରେ ଉତ୍ତର ରଖିଛନ୍ତି। ଭୁବନେଶ୍ୱରର ବିଭିନ୍ନ ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକୁ ଦୁଇଥାକିଆ କରାଯାଇଛି। ଗୋଠପାଟଣା ଶିଳ୍ପାଞ୍ଚଳକୁ ନାକା ଗେଟ୍‌ଠାରୁ କାଟେଣୀ ପର୍ଯ୍ୟନ୍ତ ୫.୬୫୬ କିମି, କଳିଙ୍ଗ ଷ୍ଟୁଡିଓ ଛକରୁ ସମ୍‌ ହସ୍ପିଟାଲ ଦେଇ ନୂଆଗାଁ ପର୍ଯ୍ୟନ୍ତ ୨.୯୫୨ କିମି, ନୂଆଗାଁ ଛକରୁ ଡିଏଭି ସ୍କୁଲ ଦେଇ କେ୭ ପର୍ଯ୍ୟନ୍ତ ୧.୦୮୮ କିମି, କଳିଙ୍ଗନଗର-୨ ବସ୍‌ଷ୍ଟପ୍‌ରୁ କେ୭ ବସ୍‌ଷ୍ଟପ୍‌ ଦେଇ ଆପିଜେ ସ୍କୁଲ ପର୍ଯ୍ୟନ୍ତ ୧.୨୯୫ କିମି ରାସ୍ତା ନିର୍ମାଣ ହୋଇଛି। ଅଁଳାପାଟଣା ଶିଳ୍ପାଞ୍ଚଳକୁ ସଂଯୋଗ ଲାଗି ସୀତାରାମ ଛକରୁ ଚନ୍ଦକା ଓ ଚନ୍ଦକା ଛକରୁ ପିତାପଲ୍ଲୀ ପର୍ଯ୍ୟନ୍ତ, ଭଗବାନପୁର ଶିଳ୍ପାଞ୍ଚଳକୁ ସଂଯୋଗ ଲାଗି ଆରକେ ଷ୍ଟିଲ୍‌ ଛକରୁ କଳିଙ୍ଗ ନଗର-୭ ବସ୍‌ଷ୍ଟପ୍‌ ପର୍ଯ୍ୟନ୍ତ, ତ୍ରିଶୁଳିଆରୁ ବାରଙ୍ଗ ରାସ୍ତା କାର୍ଯ୍ୟ ସରିଛି। ରସୁଲଗଡ଼ ଶିଳ୍ପାଞ୍ଚଳକୁ ମଧ୍ୟ ରାସ୍ତା ସଂଯୋଗ ହୋଇଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି।

Share Now:

Kalinga News Beuro

Next Post

ପୁରୀରେ ମଧ୍ୟପ୍ରଦେଶର ଯୁବତୀଙ୍କ ପୋଡା ମୃତଦେହ : ସିବିଆଇ ତଦନ୍ତ ଦାବି କଲେ ସାଧ୍ବୀ ପ୍ରଜ୍ଞା ସିଂହ

Wed Nov 30 , 2022
ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଜଣେ ଯୁବତୀଙ୍କ ମୃତଦେହ ପୁରୀରେ ମିଳିବା ଘଟଣାକୁ ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ। ସମୁଦ୍ର କୂଳରୁ ସନ୍ଦେହଜନକ ଅବସ୍ଥାରେ ଏହି ଯୁବତୀଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ତାଙ୍କର ପରିବାର ସଦସ୍ୟ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କୁ ମଧ୍ୟ ଭେଟିଛନ୍ତି। ଆଉ ସେମାନଙ୍କ ସହ ଭୋପାଳ ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ମଧ୍ୟ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଭେଟି […]
ସିବିଆଇ ତଦନ୍ତ ଦାବି କଲେ ସାଧ୍ବୀ ପ୍ରଜ୍ଞା ସିଂହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial