ମିଛ ଧରାଇଲା ଡ୍ରୋନ୍ ସର୍ଭେ : ବର୍ଷ ବର୍ଷ ଧରି ସଫା ହୋଇନି ୭ ନମ୍ବର ଡ୍ରେନ୍

ମିଛ ଧରାଇଲା ଡ୍ରୋନ୍ ସର୍ଭେ

ଭୁବନେଶ୍ୱର : ସାମାନ୍ୟ ବର୍ଷା ହେଲେ ପୁରୁଣା ଭୁବନେଶ୍ୱର ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଉଛି। ରଥ ରୋଡ, ବ୍ୟାଙ୍କ୍ କଲୋନିଠାରୁ ଆରମ୍ଭ କରି ଶ୍ରୀରାମନଗର ଛକ ଭଳି ବିଭିନ୍ନ ସ୍ଥାନରେ ପାଣି ଜମୁଥିବାରୁ ଲୋକେ ଦୟନୀୟ ଅବସ୍ଥା ଭୋଗୁଛନ୍ତି। ଏମିତିକି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିସରରେ ଦୀର୍ଘ ସମୟ ଧରି ପାଣି ଜମି ରହୁଛି। ବର୍ଷାରେ ନର୍ଦ୍ଦମା ପାଣି ଘରେ ପଶୁଥିବାରୁ ପୁରୁଣା ଭୁବନେଶ୍ୱରବାସୀ ତ୍ରାହି ତ୍ରାହି ଡାକୁଛନ୍ତି। ଦର୍ଶନ କରିବାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ହୀନସ୍ତା ହେଉଛନ୍ତି। ଡ୍ରେନେଜ୍‌ ବ୍ୟବସ୍ଥା ଠିକ୍‌ ନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ସତ ପରଖିଥିଲା କଳିଙ୍ଗ ନ୍ୟୁଜ ଟିମ୍। ବରମୁଣ୍ଡାରୁ ବାହାରିଥିବା ୭ ନମ୍ବର ଡ୍ରେନ୍‌ ଦେଇ ପୁରୁଣା ଭୁବନେଶ୍ୱର ଅଞ୍ଚଳର ଅତ୍ୟଧିକ ବର୍ଷା ପାଣି ଯାଇଥାଏ। ଏହି ବଡ଼ ଡ୍ରେନ୍‌ ବରମୁଣ୍ଡା ଅଞ୍ଚଳରୁ ବାହାରି ନବୀନ ନିବାସ ପଛପଟ ଦେଇ ବ୍ୟାଙ୍କ କଲୋନି ଓ ବାରିକସାହି ମଝି ଦେଇ ରଥରୋଡ୍‌ର ଅସୁଲକିଆରୀଠାରେ ରାସ୍ତା ପାର୍‌ ହୋଇଛି। ଏହାପରେ ସାନିଟାରିୟମ୍‌ ଛକ ଦେଇ କେଦାରଗୌରୀ ଛକ, କୋଟିତୀର୍ଥ ରୋଡ୍‌, ଲୁଇସ୍ ରୋଡ୍‌ ଦେଇ ଗଙ୍ଗୁଆ ନାଳରେ ମିଶିଛି। କିନ୍ତୁ ବର୍ଷ ବର୍ଷ ଧରି ଏହି ଡ୍ରେନ୍‌କୁ ଭଲ ଭାବେ ସଫା କରାଯାଉ ନଥିବା ଦେଖିବାକୁ ମିଳୁଛି। ପ୍ରତିବର୍ଷ ଡ୍ରେନ୍‌ ସଫା ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି, ହେଲେ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଅର୍ଥ ଆତ୍ମସାତ କରାଯାଉଛି। ରେଲୱେ କଲଭର୍ଟଠାରୁ ରଥରୋଡ ଏବଂ ରଥରୋଡଠାରୁ ସାନିଟାରିୟମ୍‌ ଛକ ଏହି ଦୁଇଟି ସ୍ଥାନକୁ ଦେଖିଲେ ସବୁ ସ୍ପଷ୍ଟ ବାରି ହୋଇଯାଉଛି।
ରେଲୱେ କଲଭର୍ଟଠାରୁ ରଥରୋଡ ପର୍ଯ୍ୟନ୍ତ ୭ ନମ୍ବର ଡ୍ରେନ୍‌ ବାରିକ ସାହି ଏବଂ ବ୍ୟାଙ୍କ ‌କଲୋନି ମଝିରେ ଯାଇଛି। ହେଲେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା, ଏହି ସ୍ଥାନଗୁଡ଼ିକୁ କେବେ କେହି ସଫା କରିନାହାନ୍ତି। ଦକ୍ଷିଣ ପାଖରେ ରେଲୱେ ବନ୍ଧ ରହିଛି, ଅନ୍ୟ ତିନି ପଟରେ କଲୋନିର ଘର ରହିଛି। ମଝିରେ ଏକର ଏକର ପ୍ରଭୁ ଲିଙ୍ଗରାଜଙ୍କ ଜମି ରହିଛି। ବର୍ଷ ବର୍ଷ ଧରି ଏହି ସ୍ଥାନକୁ ସଫା କରାଯାଉନଥିବାରୁ ଏବେ ବଣରେ ପରିଣତ ହୋଇଗଲାଣି। ଏହା ଭିତର ଦେଇ ଯାଇଥିବା ଡ୍ରେନ୍‌ ଏକ ପ୍ରକାର ପୋତି ହୋଇ ଗଲାଣି। ବ୍ୟାଙ୍କ୍‌ କଲୋନି‌ରେ ବାସ କରୁଥିବା ଯଦୁମଣୀ ବେହେରା କହିଛନ୍ତି, ଉପରମୁଣ୍ଡରୁ ଆସୁଥିବା ନର୍ଦ୍ଦମା ପାଣି ଖାଲିସ୍ଥାନରେ ମାଡ଼ି ମାଡ଼ି ଆଗକୁ ଯାଉଛି। ଫଳରେ ଏଠାରେ ମଶା ଓ ମାଛି ବଂଶ ବୃଦ୍ଧି ପାଉଛି। ଏଠି ଦିନବେଳା ମଧ୍ୟ ମଶା କାମୁଡ଼ୁଛନ୍ତି। ଖାଲି ଏତିକି ନୁହେଁ, ବର୍ଷାହେଲେ ବ୍ୟାଙ୍କ କଲୋନିର ଶତାଧିକ ଘରେ ପାଣି ପଶି ଲକ୍ଷାଧିକ ଟଙ୍କାର ଆସବାପତ୍ର ନଷ୍ଟ ହୋଇଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି।
ରଥରୋଡଠାରୁ ସାନିଟାରିୟମ୍‌ ଛକ (ଅସୁରକିଆରି) ମଧ୍ୟରେ ମଧ୍ୟ ସମାନ ଅବସ୍ଥା। ଏଠାରେ ମଧ୍ୟ ଡ୍ରେନ୍‌ ସଙ୍କୁଚିତ ହୋଇଯାଇଛି। ବଡ଼ ଡ୍ରେନ୍‌ ଅତିକମ୍‌ରେ ୧୦ ଫୁଟ ଗଭୀର ଓ ୧୦ରୁ ୧୫ ଫୁଟ ଗଭୀର ରହିବା କଥା। କିନ୍ତୁ କିଛି ସ୍ଥାନରେ ଡ୍ରେନ୍‌ ମାତ୍ର ୨ ଫୁଟ ଚଉଡ଼ା ରହିଥିବା ‘ଡ୍ରୋନ୍‌ ସର୍ଭେ’ରେ ଦେଖିବାକୁ ମିଳିଛି। ଏମିତିକି ରାସ୍ତା କଡ଼ରେ ଡ୍ରେନ୍‌ ୫ ଫୁଟରୁ ଅଧିକ ଗଭୀର ପୋତି ହୋଇ ଯାଇଥିବା ଦେଖିବାକୁ ମିଳିଛି। ତେଣୁ ବଡ଼ ବର୍ଷା ସମୟରେ ୧୦ ଫୁଟିଆ ଡ୍ରେନ୍‌ରେ ଆସୁଥିବା ପାଣି ୨ଫୁଟ ଥିବା ସ୍ଥାନରେ ସହଜରେ ଯାଇ ପାରୁନାହିଁ। ମୁଖ୍ୟତଃ ଏହିସବୁ କାରଣୁ ବଡ଼ ବର୍ଷା ହେଲେ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ସମସ୍ୟା ସୃଷ୍ଟି ହେଉଥିବା କୁହା ଯାଉଛି। ବର୍ଷାରେ ପାଣି ଜମି ରହୁଥିବାରୁ ଡ୍ରେନ୍‌ ଓ ରାସ୍ତା ଏକାକାର ହୋଇଯାଉ ଥିବାରୁ ଦୁର୍ଘଟଣା ଘଟୁଛି ଏବଂ ଧନଜୀବନ ନଷ୍ଟ ହେଉଛି। ଏଥିପ୍ରତି ବିଏମ୍‌ସି ଦୃଷ୍ଟି ଦେବାକୁ ସ୍ଥାନୀୟବାସୀନ୍ଦା ଦାବି କରିଛନ୍ତି।

Share Now:

Kalinga News Beuro

Next Post

ନଳକୂପ ସଜାଡ଼ିବାର କ୍ଷମତା ସରପଞ୍ଚଙ୍କର ନାହିଁ : ସରପଞ୍ଚ ସଂଘ

Sat Sep 23 , 2023
ଭୁବନେଶ୍ୱର: ଗତ ୧୫ ତାରିଖରେ ୧୫ ଦଫା ଦାବି ନେଇ ସରପଞ୍ଚ ମହାସଂଘ ଆନ୍ଦୋଳନ କରିଥିବାବେଳେ ଆଉ ଗତକାଲି ଠାରୁ ଲୋୟର ପିଏମଜି ରେ ନିଜର ଦାବି ନେଇ ବସିଛି ସଂଘ। ମୌଳିକ ଅଧିକାର ସମେତ ସରପଞ୍ଚମାନଙ୍କୁ ସମ୍ପୂର୍ଣ୍ଣ କ୍ଷମତା ଦାବି ନେଇ ରାଜ୍ୟର ସରପଞ୍ଚମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆନ୍ଦୋଳନରତ ସରପଞ୍ଚଙ୍କ କହିବା କଥା ଯେ ନିୟମ ଅନୁଯାୟୀ କିଭଳି ନିଜ ପଞ୍ଚାୟତ ଅନ୍ତର୍ଗତ ଅଞ୍ଚଳଗୁଡିକର ଉନ୍ନତିମୂଳକ କାର୍ଯ୍ୟ କରାଯିବ […]
ନଳକୂପ ସଜାଡ଼ିବାର କ୍ଷମତା ସରପଞ୍ଚଙ୍କର ନାହିଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial