ଶୁଖିଲା ପଡ଼ିଛି ଜଳାଶୟ, ଅଭୟାରଣ୍ୟରେ ପାଣି ପାଇଁ ବୁଲୁଛନ୍ତି ୩୭ ହାତୀ
ମେଣ୍ଢାଶାଳ : ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥମୁନି ଜଙ୍ଗଲ ନିଆଁ। ବନ ବିଭାଗ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଲାଗି ପଡ଼ିଥିଲେ ବି ନିଆଁକୁ ପ୍ରତିଦିନ କେଉଁଠି ନା କେଉଁଠି ଜଙ୍ଗଲ ଜଳୁଛି। କେତେବେଳେ ଡମପଡ଼ା ରେଞ୍ଜରେ ଲାଗୁଛି ତ ଆଉ କେତେବେଳେ କୁମ୍ଭାରଖୁଣ୍ଟି ବିଟ୍ରେ ଗଛ ଜଳିପୋଡ଼ି ପାଉଁଶ ହୋଇଯାଉଛି। ଦୁଇ ମାସ ହେଲା ଅଭୟାରଣ୍ୟରେ ବାରମ୍ବାର ନିଆଁ ଲାଗୁଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କୁ ଠାବ କରିବାରେ ବନ ବିଭାଗ ସକ୍ଷମ ହେଉନାହିଁ। ଫଳରେ ଗୋଟିଏ ସ୍ଥାନରୁ ନିଆଁ ଲିଭୁ ଲିଭୁ ଅନ୍ୟ ସ୍ଥାନରେ ନିଆଁ ଜଳୁଛି। ବନ୍ୟପ୍ରାଣୀଙ୍କ ଲାଗି ଏବେ ବିପଦ ସୃଷ୍ଟି ହୋଇଥିବାରୁ ସେମାନେ ଗାଁ ଓ ସହରମୁହାଁ ହେଲେଣି। ହରିଣ, କୁଟୁରା, ବାର୍ହା, ମୟୂର ଭଳି ବନ୍ୟପ୍ରାଣୀ ଗାଁ ଗଣ୍ଡାକୁ ଚାଲି ଆସୁଥିବା ଦେଖିବାକୁ ମିଳିଛି। କେବଳ ନିଆଁ ନୁହେଁ, ଅଭୟାରଣ୍ୟରେ ଏବେ ପାଣି ସମସ୍ୟା ଦେଖାଦେଲାଣି। ଡେରାସ, ଝୁମୁକା ଭଳି ଡ୍ୟାମ୍ର ଜଳସ୍ତର ପୂର୍ବବର୍ଷ ତୁଳନାରେ ୨ରୁ ୩ଫୁଟ୍ ତଳକୁ ଖସିଥିବା ଅଭୟାରଣ୍ୟ ସ୍ଥିତି ଅନୁଧ୍ୟାନ ସମୟରେ ଦେଖିବାକୁ ମିଳିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ କେବଳ ମାର୍ଚ୍ଚ ମାସରେ ଅଭୟାରଣ୍ୟର ୪୨ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହେଲାଣି। ସେଥିମଧ୍ୟରୁ ଡମପଡ଼ା ରେଞ୍ଜ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଅଭୟାରଣ୍ୟରେ ଯେତିକି ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି, ସେଥିମଧ୍ୟରୁ ଅର୍ଦ୍ଧାଧିକ କେବଳ ଡମପଡ଼ା ରେଞ୍ଜରେ ହିଁ ଦେଖିବାକୁ ମିଳିଛି। ଅବଶ୍ୟ ସେଭଳି ବଡ଼ଧରଣର ଜଙ୍ଗଲ ନିଆଁ ନଜରକୁ ଆସିନାହିଁ। ତଥାପି ଜଙ୍ଗଲ ନିଆଁରେ ଛୋଟଛୋଟ ଗଛ ପ୍ରଭାବିତ ହୋଇଛି। ୨୫ ତାରିଖ ଦିନ ଏହି ରେଞ୍ଜର ୩ଟି ସ୍ଥାନରେ ଜଙ୍ଗଲ ଜଳୁଥିବା ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ତଥ୍ୟ କହୁଛି। ତେବେ ଚନ୍ଦକା ପାର୍ଶ୍ବରେ ନିଆଁ ଆୟତ୍ତାଧୀନ ରହିଛି।

ଶେଷଥର ଲାଗି ଗତ ୧୭ତାରିଖରେ କୁମ୍ଭାରଖୁଣ୍ଟିଠାରେ ନିଆଁ ଚିହ୍ନଟ ହୋଇଥିଲା। ନିଆଁ ଲାଗିବା ଦ୍ବାରା ଅନେକ ଔଷଧୀୟ ବୃକ୍ଷ ନଷ୍ଟ ହୋଇଛି। ବଡ଼ ଗଛଗୁଡ଼ିକ ନିଆଁରୁ ରକ୍ଷା ପାଇ ଯାଇଥିଲେ ମଧ୍ୟ ପତ୍ର ଓ ଡାଳ କେତେକ ସ୍ଥାନରେ ଜଳିପୋଡ଼ି ପାଉଁଶ ହୋଇଥିବା ଦେଖିବାକୁ ମିଳିଛି। ଏ ପର୍ଯ୍ୟନ୍ତ କୌଣସି ସ୍ଥାନରେ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇ ନଥିବା ଜଙ୍ଗଲ ବିଭାଗ ପକ୍ଷରୁ ଗଠନ ହୋଇଥିବା ଟାସ୍କଫୋର୍ସ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ବନ୍ୟଜନ୍ତୁଙ୍କ ଲାଗି ଏବେ ପାଣି ସମସ୍ୟା ସୃଷ୍ଟି ହୋଇଛି। ମାର୍ଚ୍ଚ ମାସରୁ ଅଭୟାରଣ୍ୟର ଅଧିକାଂଶ ସ୍ଥାନରେ ଜଳାଶୟ ଶୁଖି ଗଲାଣି। ଡେରାସ ଓ ଝୁମୁକା ଡ୍ୟାମ୍ର ଜଳସ୍ତର ତଳକୁ ଖସି ଯାଇଛି। ଛୋଟ ଛୋଟ ଜଳଶୟ ମାଟି ଫାଟି ଆଁ କରିଛି। ବିଶେଷକରି ଫେବୃଆରୀ ଠାରୁ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବା ଓ ୪ ମାସ ହେଲା ଅସରାଏ ବର୍ଷା ନହେବା ଜଳାଶୟ ଶୁଖିଲା ପଡ଼ିବାର ଅନ୍ୟତମ କାରଣ ବୋଲି କୁହାଯାଉଛି।

ଯେଉଁଥିପାଇଁ ମୟୂର, ହରିଣ, କୁଟରା ପରି ବନ୍ୟପ୍ରାଣୀ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଶୁଖିଲା ଭୂଇଁରେ ପାଣି ଖୋଜୁଛନ୍ତି। ଗତ ସପ୍ତାହରେ ବାରଙ୍ଗ ଅଞ୍ଚଳରେ ଏକ କୁଟୁରା ଉଦ୍ଧାର ହୋଇଥିଲା। ଆଗକୁ ଏପ୍ରିଲ ଓ ମେ’ ମାସରେ ପ୍ରବଳ ଖରା ହେବାକୁ ଥିବାରୁ ସ୍ଥିତି ଭୟଙ୍କର ରୂପ ନେବ ବୋଲି ବନ ବିଭାଗ କର୍ମଚାରୀ ଆକଳନ କରିଛନ୍ତି। ଅଭୟାରଣ୍ୟରେ ଏବେ ୩୭ଟି ହାତୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ଭରତପୁର ସଂରକ୍ଷିତ ଜଙ୍ଗଲରେ ୧୫ଟି ହାତୀ ଅଛନ୍ତି। ବାକି ୨୨ଟି ହାତୀ ଚନ୍ଦକା ଓ ଡମପଡ଼ା ଅଭୟାରଣ୍ୟ ଭିତରେ ଚଳପ୍ରଚଳ କରୁଛନ୍ତି। ଏହି ହାତୀମାନେ ଗତ କିଛି ଦିନ ହେଲା ଆଠଗଡ଼ ଜଙ୍ଗଲରୁ ଆସିଥିବା ବେଳେ ସେମାନଙ୍କ ଲାଗି ପିଇବା ପାଣି ସଙ୍କଟ ଦେଖାଦେଇଛି। ତାହାର ମୁକାବିଲା କରିବା ପାଇଁ ଭରତପୁରରେ ଜଙ୍ଗଲ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ଜଳଯୋଗାଣ ହେଉଛି।
ମିଳିଥିବା ସୂଚନାନୁସାରେ, କର୍ମଚାରୀ ଅଭାବରୁ ଜଙ୍ଗଲ ସୁରକ୍ଷା ଠିକଣା ଢ଼ଙ୍ଗରେ ହୋଇପାରୁନାହିଁ। ଚନ୍ଦକା ଡିଭିଜନ୍ରେ ଆବଶ୍ୟକ ୫୦ଫରେଷ୍ଟ ଗାର୍ଡ ମଧ୍ୟରୁ ମାତ୍ର ୧୫ଜଣ କାମ କରୁଛନ୍ତି। ସେହିପରି ୨୪ଫରେଷ୍ଟର୍ଙ୍କ ମଧ୍ୟରୁ ୨୦ଜଣ ଅଛନ୍ତି। ଫଳରେ ଜଙ୍ଗଲରେ ସକ୍ରିୟ ଥିବା କାଠମାଫିଆ ଓ ଶିକାରୀମାନଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ। ଏବେ ମହୁଲ ଫୁଲ ଜଙ୍ଗଲ ପାଇଁ ବଡ଼ ବିପଦ ସାଜିଛି। ମହୁଲ ଫୁଲ ସଂଗ୍ରହ କରିବାକୁ ମାଫିଆମାନେ ନିଆଁ ଲଗାଉଥିବା କୁହାଯାଉଛି। କିନ୍ତୁ ଜଗିବାକୁ କେହି ନାହିଁ। ସେହିଭଳି ଜଙ୍ଗଲରୁ କାଠ ଚୋରି କରୁଥିବା ମାଫିଆମାନେ ମଧ୍ୟ ନିଆଁ ଲଗାଉଥିବା ଜଣାପଡ଼ିଛି। ନିଆଁ ଲିଭାଇବା କାର୍ଯ୍ୟରେ କର୍ମଚାରୀମାନେ ବ୍ୟସ୍ତ ରହିବା ଭିତରେ କାଠ ଚୋରମାନେ ଶାଳୁଆ ଗଛ କାଟି ନେଉଛନ୍ତି ବୋଲି ଅଭିଯୋଗ ହେଉଛି। ଜଙ୍ଗଲ ଭିତରେ ରହୁଥିବା ୫ଟି ଗାଁର ଲୋକେ ମଧ୍ୟ ପଶୁ ଶିକାରୀ ଓ କାଠ ମାଫିଆଙ୍କୁ ସହଯୋଗ କରୁଥିବା ନେଇ ମଧ୍ୟ ଅଭିଯୋଗ ହେଉଛି।