ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍

ଅଗଷ୍ଟ ୧ ଯାଏଁ ରହିବ କଟକଣା

ଶୁକ୍ରବାରଠାରୁ ଅନ୍ତଃରାଜ୍ୟ ବସ୍ ସେବା ଆରମ୍ଭ, ଖୋଲିବ ସେଲୁନ୍‌-ସ୍ପା

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହାର ୩ ପ୍ରତିଶତ ରହିଛି। ଅର୍ଥାତ ପ୍ରତି ଶହେ ଜଣଙ୍କର ନମୁନାରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ କରୋନାର ସ୍ଥିତି ପୂର୍ବାପେକ୍ଷା ସୁଧୁରିଛି। କିନ୍ତୁ ସ୍ଥିତି ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରଣକୁ ଆସି ନଥିବାରୁ ଆଂଶିକ ଲକଡାଉନକୁ ଆହୁରି ୨ ସପ୍ତାହ ବଢ଼ାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଆଧାରରେ ଆଗାମୀ ଅଗଷ୍ଟ ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକ୍‌ଡାଉନ ଜାରି ରହିବ। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି, କୋଭିଡ-୧୯ର ସ୍ଥିତିକୁ ଦୃଷ୍ଟିରେ ରଖି ଗତଥର ଭଳି ଏଥର ମଧ୍ୟ ରାଜ୍ୟକୁ ୨ ଭାଗରେ ବିଭାଗ କରାଯାଇଛି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଥିବା ଜିଲ୍ଲାକୁ କାଟାଗୋରୀ-ଏ (ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର)ରେ ଏବଂ ଉପକୂଳ ଓ ଉତ୍ତର ଓଡ଼ିଶାରେ ଥିବା ଜିଲ୍ଲା ତଥା କାଟାଗୋରୀ-ବି (କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ) ରେ ଭାଗ କରାଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲା ତଥା ଖୋର୍ଦ୍ଧା, ପୁରୀ, କଟକ ଆଦି ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିପାରି ନାହିଁ। କେବଳ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ରାଜ୍ୟର ସଂକ୍ରମଣର ୪୦ ପ୍ରତିଶତ ରହୁଛି। ରାଜ୍ୟ ସରକାର ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ରେ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। କାଟାଗୋରୀ-ଏ ଜିଲ୍ଲାରେ ଦୋକାନ-ବଜାର ଗୁଡ଼ିକ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲିବ। କାଟାଗୋରୀ-ବି ଜିଲ୍ଲାଗୁିକରେ ଦେକାନ ଗୁଡ଼ିକ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ। କାଟାଗୋରୀ ଏ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରହିବାକୁ ଥିବା ବେଳେ କାଟାଗୋରୀ-ବି ଜିଲ୍ଲାଗୁଡ଼ିକରେ ଏହା ସନ୍ଧ୍ୟା ୫ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ ହେବ। କାଟାଗୋରୀ-ବି ଜିଲ୍ଲା ଗୁଡ଼ିକରେ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ। କିନ୍ତୁ କାଟାଗୋରୀ-ଏ ଜିଲ୍ଲା ଗୁଡ଼ିକ ପାଇଁ ଏହା କୋହଳ କରାଯାଇଛି। ଜୁଲାଇ ୧୬ ତାରିଖ ଠାରୁ ଅନ୍ତଃରାଜ୍ୟ ବସ ସେବା ଆରମ୍ଭ ହୋଇଯିବ। କିନ୍ତୁ ବସ୍ ଗୁଡ଼ିକରେ କେବଳ ସିଟରେ ଯାତ୍ରୀ ଯାଇପାରିବେ। ବସ ଚଳାଚଳ ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟ ନାହିଁ। ଅର୍ଥାତ ବସ୍ ଗୁଡ଼ିକ ଯେକୌଣସି ସମୟରେ ଚଳାଚଳ କରିପାରିବ। ରଥଯାତ୍ରା ଯୋଗୁଁ ଜୁଲାଇ ୨୫ ତାରିଖ ଯାଏଁ ପୁରୀ ସହରକୁ କୌଣସି ବସ ଗଡ଼ିପାରିବ ନାହିଁ। ବସ୍‌ରେ କୌଣସି ଯାତ୍ରୀ ଛିଡ଼ା ହୋଇପାରିବେ ନାହିଁ। ଟ୍ୟାକ୍ସି ଓ ଅଟୋ ସବୁ ଜିଲ୍ଲାରେ ଚାଲିବ। କିନ୍ତୁ ଏଥିରେ ଡ୍ରାଇଭର ବ୍ୟତୀତ କେବଳ ୨ ଜଣ ଯାତ୍ରୀ ଯାଇପାରିବେ।
ରାଜ୍ୟ ସରକାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଯେ, କୋଭିଡ କଟକଣା ସହିତ ସେଲୁନ, ସ୍ପା ଓ ବିଉଟି ପାର୍ଲର ଖୋଲିବ। ବିନା ଦର୍ଶକରେ ଆଉଟଡୋର ଖେଳ ହୋଇପାରିବ। ଆଉଟଡୋର ଓ ଇନଡୋର ଫିଲ୍ମ ସୁଟିଂ ପାଇଁ ସରକାର ଅନୁମତି ଦେଇଛନ୍ତି। ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ବିନା କଟକଣାରେ ଚାଲିବ। ସ୍କୁଲ, କଲେଜ, କୋଚିଂ ସେଣ୍ଟର ଗୁଡ଼ିକ ପୂର୍ବଭଳି ବନ୍ଦ ରହିବ। ବାର ଗୁଡ଼ିକ ବନ୍ଦ ରହିବ। ରେଷ୍ଟୁରାଣ୍ଟରେ ବସି ଖାଇବାକୁ ଅନୁମତି ନାହିଁ। ସେଠାରୁ ପାର୍ସଲ ନେଇକି ଯାଇପାରିବେ। ସପିଂ ମଲ୍‌, ସିନେମା ହଲ୍ ଓ ପାର୍କ ବନ୍ଦ ରହିବ । ସେହିପରି ଯାତ୍ରା ଓ ମୁକ୍ତାକାଶ ରଂଗମଂଚ ବନ୍ଦ ରହିବ। ବିବାହ, ଶୁଦ୍ଧିକ୍ରିୟାରେ ପୂର୍ବଭଳି କଟକଣା ରହିବ। କାଟାଗୋରୀ-ବି ଜିଲ୍ଲାରେ ସପ୍ତାହିକ ଓ ଦୈନିକ ବଜାର ବନ୍ଦ ରହିବ। କିନ୍ତୁ କାଟାଗୋରୀ-ଏ ଜିଲ୍ଲା ଗୁଡ଼ିକ ପାଇଁ ଏହି କଟକଣା ନାହିଁ।

Share Now:

Kalinga News Beuro

Next Post

ଡେଲଟା ଭାରିଆଣ୍ଟର ସଂକ୍ରମଣ ସହ ତୃତୀୟ ଲହର ଆରମ୍ଭ ହୋଇଛି: ‘ହୁ’ ମୁଖ୍ୟ

Thu Jul 15 , 2021
ଜେନେଭା: କରୋନା ଭୂତାଣୁର ଡେଲଟା ଭାରିଆଣ୍ଟ ପାଇଁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମୁଖ୍ୟ ଟେଡ୍ରୋସ୍ ଆନ୍ଧାନୋମ ଘେବ୍ରେୟେସସ୍ ଆଜି କରୋନାର ତୃତୀୟ ଲହର ଆରମ୍ଭ ହୋଇଥିବା ନେଇ ବିଶ୍ୱକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ୧୧୧ଦେଶରେ ଏବେ କରୋନାର ଡେଲଟା ଭାରିଆଣ୍ଟ ଲୋକଙ୍କୁ ସଂକ୍ରମିତ କଲାଣି। ଯଦି ଏବେଠୁ ସତର୍କ ନହେବା ତେବେ ଏହା ପୂର୍ବ ଭାରିଆଣ୍ଟ ଭଳି ସାରା ବିଶ୍ୱରେ ତାଣ୍ଡବ […]
ତୃତୀୟ ଲହର ଆରମ୍ଭ ହୋଇଛି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial