ରାଜଧାନୀରେ ହେଲାନି ଭୂତଳ ଅପ୍ଟିକାଲ ଫାଇବର : ସହରସାରା ମୁଣ୍ଡ ଉପରେ ଝୁଲୁଛି ତାର

ଭୁବନେଶ୍ୱର: ପ୍ରତ୍ୟେକ ଘରକୁ ଭୂତଳ ଅପ୍ଟିକାଲ ଫାଇବର କେବୁଲ୍‌(ଓଏଫ୍‌ସି) ଜରିଆରେ ଯୋଗାଇ ଦିଆଯିବ ଇଣ୍ଟରନେଟ୍‌। ଆଉ ମୁଣ୍ଡ ଉପରେ ବିପଦପୂର୍ଣ୍ଣ ଭାବରେ ଝୁଲିବନି ତାର। ବିଛା ଯାଇଥିବା ଭୂତଳ କେବୁଲ୍‌ ଲିଜ୍‌ ସୂତ୍ରରେ ନେଇ ବ୍ୟବହାର କରିବାକୁ ସରକାରୀ ତଥା ବେସରକାରୀ ସେବା ପ୍ରଦାନକାରୀ ସଂସ୍ଥା ବାଧ୍ୟ। ଭୁବନେଶ୍ୱର ସହର ସାରା ଓଏଫ୍‌ସି ବିଛାଇ ଲିଜ୍‌ ନେବା ପାଇଁ ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କୁ ଆହ୍ୱାନ ଦେଇଥିଲା ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌)। ୨୦୨୧ ମସିହାରୁ ଏହାକୁ ଲିଜ୍‌ରେ ଦେବାପାଇଁ ବିଏସ୍‌ସିଏଲ୍‌ ସମ୍ପୃକ୍ତ ସଂସ୍ଥାମାନଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ଏଯାବତ୍‌ ବା ୩ ବର୍ଷ ମଧ୍ୟରେ ମାତ୍ର ୩୦ ପ୍ରତିଶତ ଲିଜ୍‌ ସୂତ୍ରରେ ଦିଆଯାଇ ପାରିଛି। ଆଉ କେହି ନେଉ ନାହାନ୍ତି। ଫଳରେ ‌କୋଟିକୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ପ୍ରକଳ୍ପ ଏକ ପ୍ରକାର ବରବାଦ ହୋଇଯାଇଛି।
ରାଜଧାନୀର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଆଖି ଆଗରେ ରଖି ହାତ ପାଆନ୍ତାରେ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ସେବା ଯୋଗାଇ ଦେବାକୁ ବିଭିନ୍ନ ସଂସ୍ଥା ପ୍ରତିଯୋଗିତା କରୁଛନ୍ତି। ଏହି ସେବା ଯୋଗାଇବାକୁ କେବୁଲ୍‌ ବିଛାଇବା ପାଇଁ ସମ୍ପୃକ୍ତ ସଂସ୍ଥାମାନେ ଯେତେବେଳେ ପାରୁଛନ୍ତି ସେତେବେ‌ଳେ ରାସ୍ତା ଖୋଳି ପକାଉଛନ୍ତି। ଆଉ କେତେକ ଖର୍ଚ୍ଚ କମ୍‌ କରିବାକୁ ଏହି କେବୁଲ୍‌ ସବୁକୁ ବିଦ୍ୟୁତ ଖୁଣ୍ଟରେ ଗୁଡ଼ାଇ ସେବା ପ୍ରଦାନ କରୁଛନ୍ତି। ବିଦ୍ୟୁତ ଖୁଣ୍ଟ ବା ସ୍ୱତନ୍ତ୍ର ଖୁଣ୍ଟ ପୋତି ତାର ନେବା ବେଳେ ଏହା ଝୁଲି ରହୁଥିବାରୁ ଦୁର୍ଘଟଣାର କାରଣ ସାଜୁଛି। ଏଣେ ଖୋଳାପୋତାରେ ମଧ୍ୟ କୋଟି କୋଟି ଟଙ୍କା ବରବାଦ ହେଉଛି। ଏହାବାଦ୍‌ ତାର ବାହାରେ ଝୁଲି ରହୁଥିବାରୁ ଦୁର୍ଘଟଣାରେ ତାର କଟି ଯାଉଥିବାରୁ ସରବରାହ ବିଚ୍ଛିନ୍ନ ହେଉଛି।
ଏ ସବୁ ସମସ୍ୟାକୁ ଆଖି ଆଗରେ ରଖି ବିଏସ୍‌ସିଏଲ୍‌ ଭୂତଳ ଓଏଫ୍‌ସି ବିଛାଇବାକୁ ଯୋଜନା କରିଥିଲା। ସ୍ମାର୍ଟ ସଲ୍ୟୁସନ ପ୍ରକଳ୍ପ ଅଧୀନରେ ଏଭଳି ଏକ ଅଭିନବ ପ୍ରୟାସ ହୋଇଥିଲା। ହନିୱେଲ୍‌ ଅଟୋମେସନ ପ୍ରାଇଭେଟ୍‌ ଲିମିଟେଡ୍‌ ଏହି ପ୍ରକଳ୍ପକୁ ପ୍ରସ୍ତୁତ କରିଥିଲା। ଏଥିରେ ୪୫କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲା। ଭୁବନେଶ୍ୱର ସାରା ଏହି କେବୁଲ୍‌ ବିଛାଇ ଏହି କେବୁଲ୍‌କୁ ବିଭିନ୍ନ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କୁ ଲିଜ୍‌ରେ ଦେବାପାଇଁ ଯୋଜନା ହୋଇଥିଲା। ହେଲେ ବିଏସ୍‌ସିଏଲ୍‌ ୭୨ହଳ କେବୁଲ ୮୯୩ କିମି ପର୍ଯ୍ୟନ୍ତ ବିଛାଇ ପାରିଥିଲା। ଏଥିରୁ ୬୦ ହଳ ୫୫୮ କିମି ଲିଜ୍‌ ଦେବାକୁ ଯୋଜନା ହୋଇଥିଲା। କିନ୍ତୁ ଏଥିରୁ ମାତ୍ର ୩୦ ପ୍ରତିଶତ ଲିଜ୍‌ ଦିଆଯାଇ ପାରିଲା। ରେଲ୍‌ଟେଲ୍‌, ବିଏସ୍‌ଏନ୍‌ଏଲ୍‌, ଏସ୍‌ଟିପିଆଇ, ହାଥ୍‌ୱେ, ଡବ୍ଲୁଇଏଫ୍‌ଇ, ଟାଟା, ଏସ୍‌ଆଇଟିଆଇ ଭଳି ସଂସ୍ଥା ଏହି ଭୂତଳ ନେଟ୍‌ୱର୍କ ଲିଜ୍‌ସୂତ୍ରରେ ନେଇ ବ୍ୟବହାର କରିଥିଲେ। କିନ୍ତୁ ଏହାର ବ୍ୟବହାର ବଢ଼ିନଥିଲା। ଏହାର ବ୍ୟବହାର ନବଢ଼ିବାରୁ ବିଏସ୍‌ସିଏଲ୍‌ ମୁଣ୍ଡଉପରେ ଝୁଲୁଥିବା ତାର କାଟିବା ଆରମ୍ଭ କଲା। ଗୋଟିଏ ବର୍ଷରେ ପାଖାପାଖି ୧୦୦୦କିମି ଲମ୍ବର ତାର କାଟିଥିଲା। ହେଲେ ସେଥିରେ ମଧ୍ୟ କୌଣସି ପ୍ରଭାବ ପଡ଼ିନଥିଲା ବା ଏହି ଭୂତଳ କେବୁଲ୍‌ ବ୍ୟବହାର ବଢ଼ିନଥିଲା।
ବାସ୍ତବରେ ସହର ବଢ଼ି ବଢ଼ି ଚାଲିଥିଲା। ଏଣେ ସହର ଭିତରେ ମଧ୍ୟ ଶତପ୍ରତିଶତ ଭୂତଳ ନେଟ୍‌ୱର୍କ ପ୍ରସ୍ତୁତ ହୋଇନଥିଲା। ଏଣୁ ଏହି ଭୂତଳ ନେଟ୍‌ୱର୍କକୁ ବ୍ୟବହାର କଲେ ମଧ୍ୟ ଅଧିକାଂଶ ଜାଗାରେ ଗ୍ରାହକଙ୍କ ଘର ପର୍ଯ୍ୟନ୍ତ ନେବାପାଇଁ ପୁଣି ଖୁଣ୍ଟ ପୋତିବାକୁ ପଡ଼ୁଥିଲା କିମ୍ବା ରାସ୍ତାକଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ‌ରେ ତାର ଝୁଲାଇବାକୁ ପଡ଼ୁଥିଲା। ଏଣୁ ସେବାପ୍ରଦାନକାରୀ ସଂସ୍ଥା ଏହାକୁ ପସନ୍ଦ କରିନଥିଲେ। ଏଣେ ଶତପ୍ରତିଶତ କେବୁଲ୍‌ ବିଛା ଯାଇନଥିବାରୁ ବିଏସ୍‌ସିଏଲ୍‌ ଏହି କାର୍ଯ୍ୟାନୁଷ୍ଠାନ ମଧ୍ୟ ବନ୍ଦ କରିଦେଲା। ଏବେ ସହରର ପ୍ରତ୍ୟେକ ସ୍ଥାନରେ ତାର ଝୁଲି ରହିଛି। ଏ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନିକଟ ଅତୀତରେ ଓଏଫ୍‌ସି ବାବଦରେ ଆଲୋଚନା ହୋଇଛି। ଯେଉଁ ଯେଉଁ ସ୍ଥାନରେ କେବୁଲ ପହଞ୍ଚି ପାରିନାହିଁ ବା ସହର ପରିବର୍ଦ୍ଧିତ ହୋଇଛି, ସେହି ସବୁ ଜାଗାର ସର୍ଭେ ହେବ। ସର୍ଭେ ପରେ ସେହି ସବୁ ସ୍ଥାନରେ କେବୁଲ୍‌ ବିଛା ଯିବାକୁ ଯୋଜନା ହୋଇଛି। ଶତପ୍ରତିଶତ କେବୁଲ୍‌ ବିଛା ସରିବା ପରେ ଲିଜ୍‌ ପାଇଁ କଡ଼ାକଡ଼ି କରାଯିବ।

Share Now:

Kalinga News Beuro

Next Post

ଚଳିତ ବର୍ଷ ୩ଦିନ ପୂର୍ବରୁ ଆସୁଛି ମୌସୁମୀ : ମେ’ ୧୯ ସୁଦ୍ଧା ମୌସୁମୀ

Tue May 14 , 2024
ନୂଆଦିଲ୍ଲୀ: ଚଳିତ ବର୍ଷ ମୌସୁମୀ ଶୀଘ୍ର ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ଦ୍ବାରା ପ୍ରବଳ ଗରମରୁ ମୁକ୍ତି ମିଳିବାର ଆଶା ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ଏହାର ସାଧାରଣ ଆଗମନ ତାରିଖ ପୂର୍ବରୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଆଇଏମଡି ପୂର୍ବାନୁମାନ ଅନୁଯାୟୀ, ମେ’ ୨୨ ର ହାରାହାରି ଆଗମନ ତାରିଖର ତିନି ଦିନ ପୂର୍ବରୁ ମେ’ ୧୯ ସୁଦ୍ଧା ମୌସୁମୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial