ଭୁବନେଶ୍ୱର: ଲୋ-ଲାଇନ୍ ଏରିଆକୁ ବିଲଡର ପୋତିଲେ। ପ୍ଲଟିଂ କଲେ। ତହସିଲରେ ମୋଟା ଅଙ୍କର ଟଙ୍କା ଦେଇ ଘର କରିବା ଅନୁପଯୁକ୍ତ ଜମିକୁ ଘରବାଡ଼ି କଲେ। ଜାତୀୟ ରାଜପଥ ନିକଟରେ ମୂଲ୍ୟବାନ ଜମି କହି କୋଟି କୋଟି ଟଙ୍କାରେ ବିକ୍ରି କଲେ। ବିଡିଏରୁ ପ୍ଲାନ୍ ଆପ୍ରୁଭାଲ ନଥାଇ ଘର ମଧ୍ୟ ହେଲା। କିନ୍ତୁ ଏବେ ବର୍ଷା ହେଲେ ସାଇ ମନ୍ଦିର ନିକଟରେ ଗଢ଼ି ଉଠିଥିବା ନୂଆ କଲୋନି ରାସ୍ତା ବୁଡ଼ି ଘରେ ପାଣି ପଶୁଛି। ଏମିତିକି ସାଇ ମନ୍ଦିର ଛକରୁ ଟଙ୍କପାଣି ବ୍ରିଜ୍ ଦେଇ ବାଲିଅନ୍ତାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଉପରେ ପାଣି ଜମୁଛି। ମୁଖ୍ୟତଃ ସାଇ ମନ୍ଦିର ନିକଟରେ ରାସ୍ତା ଉପରେ ଦୁଇ ଫୁଟ ଉଚ୍ଚର ପାଣି ଜମି ରହୁଛି। ବର୍ଷା ଛାଡ଼ିବା ପରେ ମଧ୍ୟ ରାସ୍ତାରୁ ପାଣି ଛାଡ଼ୁନାହିଁ। ବର୍ଷା ଦିନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପାଣି ଭିତରେ ଲୋକେ ଯାତାୟାତ କରୁଛନ୍ତି। ପ୍ରାୟ ୫ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହୁଥିଲେ ହେଁ ଏଥିପ୍ରତି ଦୃଷ୍ଟି ଦିଆଯାଉନଥିବାରୁ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି।
ଏହି ରାସ୍ତା ଦେଇ ବାସୁଆଘାଇ, ବାଙ୍କୁଆଳ, ହୀରାପୁର, ଯସୁଆପୁର, ଟଙ୍ଗପାଣି ଗାଁ, ବଇଁଚୁଆ, ଅଲାରପୁର, ବାଲିଅନ୍ତା, ରଙ୍ଗବଜାର ପ୍ରମୁଖ ଅଞ୍ଚଳର ଲକ୍ଷାଧିକ ଲୋକ ଭୁବନେଶ୍ବର ସହର ଭିତରକୁ ପ୍ରବେଶ କରିଥାନ୍ତି। ବିଶେଷକରି ଟଙ୍କପାଣି ବ୍ରିଜ୍ ପରେ ରଙ୍ଗବଜାର ଅଞ୍ଚଳରେ ଏବେ ନୂଆ ନୂଆ ଆପାର୍ଟମେଣ୍ଟ, ଘରୋଇ ସ୍କୁଲ୍, ବ୍ୟବସାୟିକ ପ୍ରତିଷ୍ଠାନ ହୁ ହୁ ହୋଇ ଗଢ଼ି ଉଠୁଛି। ଏଥିସହ ରାସ୍ତାର ଦୁଇ ପାଖରେ ବିବାହ ମଣ୍ଡପ ରହିଛି। ତେଣୁ ସକାଳୁ ରାତି ଯାଏ ସବୁ ସମୟରେ ଏହି ରାସ୍ତାରେ ଗାଡ଼ି ମଟର ଗହଳି ଲାଗି ରହିଥାଏ। ତେବେ ବର୍ଷକର ୪ ମାସ ସାଇମନ୍ଦିର ନିକଟରେ ପ୍ରାୟ ୫ ଶହ ମିଟର ରାସ୍ତା ଉପରେ ପାଣି ଜମି ରହୁଛି। ପୂର୍ବରୁ ଏହି ଅଞ୍ଚଳର ପାଣି ଗଙ୍ଗୁଆକୁ ଯାଉଥିଲା। କିନ୍ତୁ ଜାତୀୟ ରାଜପଥ ନିର୍ମାଣ ହେବା ପରେ ପାଣି ଆଉ ଗଙ୍ଗୁଆକୁ ଯାଇପାରୁନାହିଁ। ହେଲେ ବଡ଼ ବଡ଼ କୋଠା, ପାଚେରି ନିର୍ମାଣ ହେବା ଯୋଗୁଁ ଏହିସବୁ ପାଣି ନିଷ୍କାସିତ ହୋଇ ପାରୁନାହିଁ। ଏଠାରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷା ହେଲେ ମଧ୍ୟ ରାସ୍ତାରେ ପାଣି ଜମି ରହୁଛି। ଜଣେ ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ ପୁରୀ ବାଇପାସ୍ର ଦୁଇକଡ଼ ହେଉଛି ଲୋ-ଲାଇନ୍ ଏରିଆ। ଏଠାରେ ବିଲଡରମାନେ ଲୋକଙ୍କୁ ମିଛ ସତ କହି ପ୍ଲଟ୍ ବିକ୍ରି କରିଛନ୍ତି। ଲୋକେ ପ୍ଲଟ୍ କିଣିବା ପରେ ଉପାୟଶୂନ୍ୟ ହୋଇ ଘର କରିଛନ୍ତି। କିନ୍ତୁ ଏହି ସବୁ କୋଠା ବେଆଇନ। ଜମି ମାଲିକ ପ୍ରଥମେ ବିଡିଏଠାରୁ ପ୍ଲାନ୍ ଅନୁମୋଦନ କରିବା ପରେ ଘର କରିବା କଥା। କିନ୍ତୁ ସେଭଳି ହୋଇନାହିଁ। ଅନ୍ୟପଟେ ଲୋ-ଲାଇନ୍ ଏରିଆ ଯୋଗୁଁ ପୁରୀ ବାଇପାସ୍ରେ ପେଟ୍ରୋଲ ପମ୍ପ ହୋଇ ପାରୁନାହିଁ। ଏଦିଗରେ ବିଡିଏ ପଦକ୍ଷେପ ନେବା ବଦଳରେ କାହିଁକି ଚୁପ୍ ବସିଛି ତାହା ତଦନ୍ତ ସାପେକ୍ଷ। ଅନ୍ୟପଟେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବାକୁ ଦାବି ହୋଇଛି।
ସାଇମନ୍ଦିର ଛକରେ ଆଣ୍ଠୁଏ ପାଣି: ହୀନସ୍ତା ହେଉଛନ୍ତି ଲୋକ

Share Now: