ଓଡ଼ିଶାରେ କରୋନା ତୃତୀୟ ପର୍ଯ୍ୟାୟରେ!

ଚିହ୍ନଟ ପୂର୍ବରୁ ୩ଟି ହସ୍ପିଟାଲକୁ ଯାଇଥିଲେ ତୃତୀୟ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା(କୋଭିଡ୍‌-୧୯) ତୃତୀୟ ପର୍ଯ୍ୟାୟରେ ପହଞ୍ଚି ସାରିଛି। ତୃତୀୟ ପର୍ଯ୍ୟାୟରେ ଏହା ଗୋଷ୍ଠୀ ସଂକ୍ରମଣ ରୂପ ଧାରଣ କରିଥାଏ। ସିଧାସଳଖ ନ ହେଲେ ମଧ୍ୟ ପରୋକ୍ଷରେ ଆଜି ଏ କଥା ସୂଚାଇ ଦେଇଛନ୍ତି କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଶ୍ରୀ ବାଗଚୀ କହିଥିଲେ ଯେ ପୂର୍ବରୁ ବିଦେଶ ଫେରନ୍ତାଙ୍କ ନିକଟରେ କ‌ରୋନା ସଂକ୍ରମଣ ଦେଖିବାକୁ ମିଳିଥିଲା, ଯାହାକି ପ୍ରଥମ ପର୍ଯ୍ୟାୟ ଅନ୍ତର୍ଭୁକ୍ତ ରହିଥିଲା। ପରବର୍ତୀ ସମୟରେ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ୭୮ହଜାରରୁ ଅଧିକ ଶ୍ରମଜୀବୀ ଫେରି ଆସିଥିଲେ। ସେମାନଙ୍କୁ ସଙ୍ଗରୋଧ ବା କ୍ବାରାଣ୍ଟିନ୍‌ରେ ରହିବା ଲାଗି କୁହାଯାଇଛି। ଗତକାଲି ତୃତୀୟ ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହେବା ପରେ ରାଜ୍ୟରେ ଏବେ କରୋନା ଦ୍ଵିତୀୟ ପର୍ଯ୍ୟାୟ ନୁହେଁ; ବରଂ ତୃତୀୟ ପର୍ଯ୍ୟାୟ ଆଡ଼କୁ ଚାଲି ଯାଇଥିବା ଆଶଙ୍କା କରାଯାଉଛି। ଏହା ଏକ ସମ୍ବେଦନଶୀଳ ସମୟ। ଏହି ସମୟ ଭିତରେ ଆମକୁ ସମସ୍ତ ଯତ୍ନ ନେବାକୁ ହେବ। ଗତକାଲି ଚିହ୍ନଟ ହୋଇଥିବା ତୃତୀୟ ଆକ୍ରାନ୍ତଙ୍କ ସଂପର୍କରେ ଶ୍ରୀ ବାଗଚୀ କହିଥିଲେ, ସଂକ୍ରମିତ ବ୍ୟକ୍ତିଜଣକ ଚଳିତ ମାସ ୭ ତାରିଖରେ ଦିଲ୍ଲୀ ଓ ହରିୟାଣାର ରେୱାଡି ବୁଲିବାକୁ ଯାଇଥିଲେ। ୧୦ ତାରିଖ ଦିନ ଇଣ୍ଡିଗୋ ବିମାନ ୬ଇ୨୦୧୪ରେ ସିଟ୍ ନଂ ୧୫ ଏ, ବି ଓ ସିରେ ସଂକ୍ରମିତ ବ୍ୟକ୍ତି, ତାଙ୍କ ପତ୍ନୀ ଓ ଝିଅ ଭୁବନେଶ୍ୱରକୁ ଆସିଥିଲେ। ୧୩ ତାରିଖରେ ଅସୁସ୍ଥତା ଅନୁଭବ କରିଥିଲେ। ୧୬ ତାରିଖରେ ବିଧାନସଭା ଡିସ୍‌ପେନସାରିକୁ ଯାଇ ଔଷଧ ଆଣିଥିଲେ। ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ୨୧ ତାରିଖରେ କର କ୍ଲିନିକ୍‌ର ବହିର୍ବିଭାଗ ବା ଓପିଡିରେ ଚିକିତ୍ସା କରିଥିଲେ। ୨୩ ତାରିଖରେ ତାଙ୍କର ନିମୋନିଆ ହେବାରୁ ତାଙ୍କୁ ସେଠାରେ ଆଇସିୟୁରେ ଭର୍ତି କରାଯାଇଥିଲା। ୨୪ ତାରିଖରେ ଡିସଚାର୍ଜ ହେବା ପରେ ୨୫ ତାରିଖରେ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ସେଠାରେ ତାଙ୍କୁ ଆଡମିଟ୍ କରାଯାଇଥିଲା ଓ ତାଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସଂକ୍ରମିତ ବ୍ୟକ୍ତିଙ୍କ ଅତ୍ୟନ୍ତ ନିକଟରେ ରହିଥିବା ତାଙ୍କ ପତ୍ନୀ, ଝିଅ ଓ ଡ୍ରାଇଭରଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ଏହାସହ ସଂପୃକ୍ତ ବ୍ୟକ୍ତି କେଉଁ କେଉଁ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାର ତାଲିକା ପ୍ରସ୍ତୁତ କରାଯାଉଛି। ସନ୍ଧ୍ୟାରେ ମିଳିଥିବା ଖବର ଅନୁଯ‌ାୟୀ ତୃତୀୟ ଆକ୍ରାନ୍ତ ଜଣକ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି; ସେମାନଙ୍କ ମଧ୍ୟରୁ ଏଯାଏ ୯୫ ଜଣ ଚିହ୍ନଟ ହୋଇ ସାରିଲେଣି। ବାକି ଅନ୍ୟମାନଙ୍କୁ ଚିହ୍ନଟ କରିବା ଲାଗି ଦୁଇଟି ଟିମ୍‌ ଲାଗିଛନ୍ତି। ଅନ୍ୟପକ୍ଷରେ ଆଜି ୩୦ଟି ନମୁନାର ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଛି। ଏହାକୁ ମିଶାଇ ଏଯାଏ ମୋଟ ୨୫୬ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବାବେଳେ ୨୧୯ ଜଣଙ୍କ ରିପୋର୍ଟ ଆସିଛି ଏବଂ ସେଥି ମଧ୍ୟରୁ ୩ ଜଣ କରୋନା ପଜିଟିଭ୍‌ ରହିଛନ୍ତି।
ଗୁରୁବାର ରାତିରେ ରାଜ୍ୟର ତୃତୀୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହା ପଛର ଅନେକ ଘଟଣା ପଦାକୁ ଆସିବାରେ ଲାଗିଛି। ସଂପୃକ୍ତ ଆକ୍ରାନ୍ତ ଜଣକ କରୋନା ଚିହ୍ନଟ ହେବା ପୂର୍ବରୁ ୩ଟି ହସ୍ପିଟାଲରେ ନିଜର ଚିକିତ୍ସା କରିଥିଲେ। ଫଳରେ ସେହି ହସ୍ପିଟାଲଗୁଡ଼ିକ ଏବେ ବିବାଦ ଭିତରକୁ ଆସିଛି। କରୋନା(କୋଭିଡ୍‌-୧୯) ପାଇଁ ରାଜ୍ୟ ସରକାର ପୂର୍ବରୁ ବେସରକାରୀ ଡାକ୍ତରଖାନା/କ୍ଲିନିକ୍‌କୁ ଗାଇଡଲାଇନ୍ ପାଳନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ ହେଁ ଏହାର ଉଲ୍ଲଂଘନ କରାଯାଇଥିବା ସାମ୍ନାକୁ ଆସିଛି। କର କ୍ଲିନିକ୍‌ ବିବାଦ ଘେରରେ ରହିଛି। ତେଣୁ ବେସରକାରୀ ହସ୍ପିଟାଲ/କ୍ଲିନିକ୍‌ଗୁଡ଼ିକୁ ପୁଣିଥରେ ଗାଇଡଲାଇନ୍‌ ଜାରି କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାରେ ନିଜର ମତ ରଖିଛନ୍ତି କର କ୍ଲିନିକ୍‌ର ମୁଖ୍ୟ ଡା. ସିଦ୍ଧାର୍ଥ କର। ଡା. କର ଗଣମାଧ୍ୟମକୁ କହିଛନ୍ତି ଯେ ସଂପୃକ୍ତ ବ୍ୟକ୍ତଜଣକ ନିଜର ଯାତ୍ରା ଇତିହାସକୁ ସଂପୂର୍ଣ୍ଣ ଭାବେ ଲୁଚାଇଥିଲେ। ‌ସେ ଭୁବନେଶ୍ୱରରେ ରହୁଥିବା କହିଥିଲେ। ଫଳରେ ତାଙ୍କ ଉପରେ ବିଶେଷ ସନ୍ଦେହ ହୋଇ ନଥିଲା। ତାଙ୍କୁ ଜ୍ୱର ଆସୁଛି ଓ ଦୁର୍ବଳ ଲାଗୁଥିବା କହିଥିଲେ। ଏହାର ହଜାର କାରଣ ହୋଇପାରେ। ୨୩ ତାରିଖରେ ପୁନର୍ବାର ସେ ହସ୍ପିଟାଲକୁ ଆସିଥିଲେ। ଦୁର୍ବଳ ଦେଖାଯାଉଥିବା କାରଣରୁ ତାଙ୍କୁ ହସ୍ପିଟାଲରେ ଆଡମିଟ୍‌ ହେବା ପାଇଁ କୁହାଯାଇଥିଲା। ତାଙ୍କର ଏକ୍ସ-ରେ’ କରାଯିବା ପରେ ସନ୍ଦେହ ପ୍ରକାଶ ପାଇଥିଲା। ତେଣୁ ତାଙ୍କୁ କୋଭିଡ୍‌ ପରୀକ୍ଷା ପାଇଁ କୁହାଯାଇଥିଲା। ମାତ୍ର ସଂଧ୍ୟା ହୋଇଯିବା କାରଣରୁ ସେ ପରୀକ୍ଷା ହୋଇପାରିବ ନାହିଁ ବୋଲି କହିଥିଲେ। ଏହାର ପରଦିନ ମଧ୍ୟ ସେ କୋଭିଡ୍‌ ପରୀକ୍ଷା କରି ନ ଥିବା ଜଣାପଡ଼ିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ରେଫର କରିଥିଲୁ। କର କ୍ଲିନିକ୍‌କୁ ଆସିବା ପୂର୍ବରୁ ମଧ୍ୟ ସେ ୨/୩ଜଣ ଡାକ୍ତରଙ୍କ ନିକଟରେ ନିଜର ଚିକିତ୍ସା କରିଥିଲେ। ସଂପୃକ୍ତ ବ୍ୟକ୍ତିଜଣକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲର ସମସ୍ତ ଶଯ୍ୟାକୁ ସୋଡିୟମ ହାଇପରକ୍ଲୋରାଇଡ୍‌ ଓ ଚଟାଣକୁ ବ୍ଲିଚିଂ ପାଉଡର୍‌ ଜରିଆରେ ସଫା କରାଯାଇଛି। ଆଇସିୟୁ ଓ ଅନ୍ୟ ସ୍ଥାନକୁ ଫ୍ୟୁମିଗେସନ୍ କରାଯାଇଛି। ଯେଉଁ ଡାକ୍ତର ଓ ଷ୍ଟାଫ୍ ନର୍ସ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସମସ୍ତଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ମୁଁ ନିଜେ ମଧ୍ୟ ସଙ୍ଗ‌େରୋଧରେ ରହିଛି। ହସ୍ପିଟାଲ‌ରେ ଏବେ ପ୍ରାୟ ୧୮ ଜଣ କର୍ମଚାରୀ ସଙ୍ଗରୋଧରେ ରହିଥିବା ଡା. କର ସୂଚନା ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ଗଡ଼ିବନି ରୁକୁଣା ରଥ : କରୋନା ଯୋଗୁଁ ରିସ୍କ୍‌ ନେଇ ପାରିବନି ପ୍ରଶାସନ, ଭାଙ୍ଗିବ ପରମ୍ପରା

Sun Mar 29 , 2020
ପୁରୁଣା ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅନ୍ୟତମ ବଡ଼ ପର୍ବ ରୁକୁଣା ରଥଯାତ୍ରା ବନ୍ଦ ହେବ। ରାଜ୍ୟରେ କରୋନା କଟକଣା ଚାଲିଥିବାରୁ ପ୍ରଶାସନ ରିସ୍କ ନେବାକୁ ଚାହୁଁନି। ରଥଯାତ୍ରା ନ‌ହେଲେ ଦୀର୍ଘ ବର୍ଷ ଧରି ଚାଲିଆସିଥିବା ପରମ୍ପରା ଭଙ୍ଗ ହେବ। ରଥଯାତ୍ରା ହୋଇପରିବ ନାହିଁ ବୋଲି ଆଜି ଖୋର୍ଧା ଜିଲ୍ଲାପାଳ ତଥା ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସୀତାଂଶୁ କୁମାର ରାଉତ ଚାରି ନିଯୋଗର ପ୍ରମୁଖ ସେବାୟତଙ୍କୁ ଜଣାଇଛନ୍ତି। ଆଜି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial