କର୍ପୋରେସନ ବୈଠକରେ କମିସନରଙ୍କ ଚେତାବନୀ : ‘ମୋ କଲମ କଥା କହିବ’

‘ମୋ କଲମ କଥା କହିବ’

ଭୁବନେଶ୍ବର: କର୍ପୋରେସନ ବୈଠକ ଇତିହାସରେ ପ୍ରଥମ ଘଟଣା ଘଟିଛି। ୬୭ ଜନପ୍ରତିନିଧିଙ୍କୁ ଚେତାବନୀ ଦେଇଛନ୍ତି ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ- ‘‘ମୋ କଥା ଯଦି ଖରାପ ଲାଗୁଛି, ମୁଁ କହିବିନି; ମୋ କଲମ କଥା କହିବ।’’ ଏହାକୁ ନେଇ ଆଜି ବିଏମ୍‌ସିର ଏକାମ୍ର ହଲ୍‌ରେ ବସିଥିବା ମାସିକ ବୈଠକରେ ହୋହଲ୍ଲା ହେବା ସହ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ କର୍ପୋରେଟର ଧାରଣା ଦେବାକୁ ସଭାଗୃହ ମଧ୍ୟଭାଗକୁ ଚାଲି ଆସିବା ସହ ବାହାରେ ଯାଇ ଧାରଣା ଦେବାକୁ ଉଦ୍ୟମ କରିଥିଲେ। ତେବେ ମେୟର ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ବିଏମ୍‌ସିରେ ଜନପ୍ରତିନିଧିଙ୍କ ସ୍ଥାନ ଅଧିକାରୀମାନଙ୍କ ଠାରୁ ସବୁବେଳେ ଉଚ୍ଚରେ ବୋଲି ବିବେଚନା କରାଯାଏ। କେବଳ ବିବେଚନା କରାଯାଏ ନାହିଁ, ବରଂ କର୍ପେରାରେଟର -ଅଧିକାରୀ ବିବାଦ ପରେ ସମସ୍ତ ଜନପ୍ରତିନିଧିଙ୍କୁ ଉଚିତ୍‌ ବ୍ୟବହାର ଓ ସମ୍ମାନ ପ୍ରଦର୍ଶନ କରିବାକୁ ଖୋଦ୍‌ କମିସନର ବିଜ୍ଞପ୍ତି ଜାରି କରିଥିଲେ। କିନ୍ତୁ ଏକ ଭେଣ୍ଡିଂ ଜୋନ୍‌ ଉଦ୍‌ଘାଟନ ବେଳେ ଜଣେ ମହିଳା କର୍ପୋରେଟରଙ୍କୁ କମିସନର ଦୁର୍ବ୍ୟବହାର କରିଥିଲେ। ସେହି ପ୍ରସଙ୍ଗ ଆଜି ବୈଠକରେ ଉଠିବା ପରେ କେତେବେ‌ଳେ କମିସନର ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସମସ୍ତ କର୍ପୋରେଟର ଏକ ସ୍ବରରେ କହିଥି‌ଲେ ଯେ ଜନପ୍ରତିନିଧିମାନଙ୍କୁ ଉଚିତ୍‌ ସମ୍ମାନ ଦେଲେ ହିଁ ବିଏମ୍‌ସିର ସମ୍ମାନ ରହିବ। ଏଣୁ କମିସନର କାଗଜ, କଲମର ଧମକ ନ ଦେଇ ସମ୍ମାନ ଦିଅନ୍ତୁ।
ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ ପାଇବା ସହ ହୋହଲ୍ଲା ହୋଇଥିଲା। ୱାର୍ଡ ନଂ ୩୭ରେ ୱାର୍ଡ ଅଫିସ ନିର୍ମାଣ କରିବାକୁ ଜାଗା ଚିହ୍ନଟ ହୋଇଛି। ଯେଉଁ ଜାଗାକୁ ବିଲ୍ଡର ମାଡ଼ି ବସିଥିଲେ, ତାଙ୍କ ଠାରୁ ତାହାକୁ ମୁକ୍ତ କରାଯାଇଛି। ସେଠାରେ ନିର୍ମାଣ ପାଇଁ ଯୋଜନା ହେବା ପରେ ବିଏମ୍‌ସି ଟେଣ୍ଡର ମଧ୍ୟ ଦେଇ ଦେଇଛି। ହେଲେ ସମ୍ପୃକ୍ତ ବିଲ୍ଡରଙ୍କୁ ଅନୁକମ୍ପା ଦେଖାଇ ନିର୍ମାଣ କାମ ହୋଇ ପାରୁନାହିଁ। ଜିଏ ବିଭାଗ ଅନୁମତି ଦେଉନାହିଁ ବୋଲି କହି ବିଏମ୍‌ସି ବସି ଯାଇଛି। ଏହାକୁ ନେଇ କର୍ପୋରେଟର ବନ୍ଦିତା ପାଲ୍‌ ଧାରଣା ଦେଇଥିଲେ। ଖୁବ୍‌ଶୀଘ୍ର ଏହାର ସମାଧାନ ହେବେ ବୋଲି ଅଧ୍ୟକ୍ଷା ପ୍ରତିଶ୍ରୁତି ‌ଦେବାପରେ ସେ ଉଠିଥିଲେ। ଠିକାସଂସ୍ଥାକୁ ଏଫ୍‌ଡି(ଫିକ୍ସଡ୍‌ ଡିପୋଜିଟ୍‌)ଭାଙ୍ଗି ବକେୟା ଅର୍ଥ ପ୍ରଦାନ ପାଇଁ ହୋଇଥିବା ଯୋଜନାକୁ ବିରୋଧ ହୋଇଥିଲା। କୌଣସି ପରିସ୍ଥିତିରେ ଏଭଳି କରାଯିବ ନାହିଁ ବୋଲି କର୍ପୋରେଟରମାନେ ଏକ ସ୍ବରରେ କହିଥିଲେ। ଷ୍ଟ୍ରିଟ୍‌ଲାଇଟ୍‌କୁ ନେଇ ସବୁ କର୍ପୋରେଟର ଅସ‌ନ୍ତୋଷ ବ୍ୟକ୍ତ କରିଥିଲେ। ଠିକାସଂସ୍ଥା ‘ନିଭ୍‌’ କାମ କରୁନଥିବାରୁ ତା’କୁ କଳା ତାଲିକାଭୁକ୍ତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ସହରର ବିଭିନ୍ନ ଇଲେକ୍ଟ୍ରି ଟ୍ରାନ୍‌ସ୍‌ଫର୍ମରରେ ବିଜ୍ଞାପନ ଲାଗୁଥିବାରୁ ଏହା ଉପରେ ଆଲୋଚନା ହୋଇଛି। କୌଣସି ସଂସ୍ଥା ବିଏମ୍‌ସି ଅଞ୍ଚଳରେ ବିଜ୍ଞାପନ ମାରି ପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ସେହିଭଳି ପୂର୍ତ୍ତ ବିଭାଗ ଖୋଳୁଥିବା ରାସ୍ତା ମରାମତି ନ କରିବାରୁ ଅସୁବିଧା ହେଉଛି। ଏଣୁ କେଉଁ ଜୋନ୍‌ରେ କେତେ ରାସ୍ତାରେ ଏଭଳି ହୋଇଛି, ତାହାର ତାଲିକା ପ୍ରସ୍ତୁତ କରିବାକୁ ଯୋଜନା ହୋଇଛି।
ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, ସମସ୍ତ କର୍ପୋରେଟରଙ୍କ ସମେତ କମିସନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଶୁଭେନ୍ଦୁ କୁମାର ସାହୁ ଓ ସୂର୍ଯ୍ୟବଂଶୀ ମୟୁର ବିକାଶ, ସିଟି ଇଞ୍ଜିନିୟର ଅରୁଣ କୁମାର ନାୟକ ଉପସ୍ଥିତ ଥିଲେ। ବିଶେଷ ଅତିଥି ଭାବେ ଭୁବନେଶ୍ୱର-ମଧ୍ୟ ବିଧାୟକଙ୍କ ପ୍ରତିନିଧି ମିଲନ କୁମାର ପାଇକରାୟ, ଉତ୍ତର ବିଧାୟକଙ୍କ ପ୍ରତିନିଧି କୁନିଲତା ମହାରଣା ଓଏକାମ୍ର ବିଧାୟକ ତଥା ମନ୍ତ୍ରୀଙ୍କ ପ୍ରତିନିଧି ଦାଶରଥି ଗରାବଡୁ ଓ ସମସ୍ତ କର୍ପୋରେଟର, ବିଏମ୍‌ସି ଅଧିକାରୀ ଓ ସଂଯୁକ୍ତ ବିଭାଗୀୟ ପ୍ରତିନିଧିମାନେ ଯୋଗ ଦେଇଥିଲେ। ମେୟରଙ୍କ ଓଏସ୍‌ଡି ପ୍ରିୟବ୍ରତ ପାଢ଼ୀ ବୈଠକ ସଂଯୋଜନା କରିଥିଲେ।

Share Now:

Kalinga News Beuro

Next Post

ଗାଁରେ ପଶିଲା ଦନ୍ତାହାତୀ : ସେଲ୍‌ଫି ନେଲେ ଲୋକେ

Sun Oct 29 , 2023
ଉଲୁଣ୍ଡା: ଏକ ଜଙ୍ଗଲୀ ଦନ୍ତା ହାତୀ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅଧୀନ ହିଙ୍ଗମା ଗାଁରେ ପହଞ୍ଚିଛି। ହାତୀଟି ଦିନ ଦି’ପହରରେ ପିଚୁରାସ୍ତାରେ ଚାଲୁଥିବା ବେଳେ ଗାଁର ଯୁବକମାନେ ମୋବାଇଲ୍‌ କ୍ୟାମେରାରେ ସେଲ୍‌ଫି ନେଇଛନ୍ତି। ସୂଚନା ଅନୁସାରେ ଦନ୍ତାଟି ଆଜି ଅପରାହ୍ନ ପ୍ରାୟ ୪ଟାରେ ଧର୍ମଶାଳା ଦେଇ ରକ୍ସା ରାସ୍ତା, ହିଙ୍ଗମା, ଟିକୁଡା ମସିଣାପାଳି, କୈରାଝୁଲି, କ୍ଷୀରପୁର ଆଡ଼ିଆ ଗ୍ରାମକୁ ପହଞ୍ଚି ଥିଲା। ହାତୀ ଆସିବା ଖବର ପାଇ ଜଙ୍ଗଲ […]
ଗାଁରେ ବୁଲିଲା ଦନ୍ତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial