ଚନ୍ଦ୍ରଶେଖରପୁର: ଗଛ କଟାରେ ଲାଗୁନି ଲଗାମ। ପୁଣିଥରେ ରାଜଧାନୀ ହୃତ୍ପିଣ୍ଡ୍ରୁ କଟିଛି ୩୦ରୁ ଅଧିକ ଗଛ। ଏଥର ବିଧାୟକଙ୍କ ସୌଧ କିମ୍ବା କ୍ୟାପିଟାଲ ହସ୍ପିଟାଲର ପିଜି ଇନ୍ଷ୍ଟିଚ୍ୟୁଟ ନିର୍ମାଣ ପାଇଁ ନୁହେଁ, ବରଂ ରାସ୍ତା ସମ୍ପ୍ରସାରଣ ଲାଗି କଟା ଯାଉଛି। ନାଲକୋ ଛକରୁ ରେଳବିହାର ଦେଇ ଜୟଦେବ ବିହାର-ନନ୍ଦନକାନନ ସମାନ୍ତରାଳ ବାମପାର୍ଶ୍ବ ରାସ୍ତାକୁ ସଂଯୋଗ କରିଥିବା ରାସ୍ତାରେ ଏଭଳି ବେଧଡ଼କ ଗଛକଟା ଚାଲିଛି। ପ୍ରତିଦିନ ଗୋଟିଏ ପରେ ଗୋଟିଏ ଗଛ ଟଳି ପଡ଼ୁଥିଲେ ମଧ୍ୟ କେହି ବିରୋଧ କରୁନାହାନ୍ତି କି ଆଗକୁ ଆସୁ ନାହାନ୍ତି। ବିଧାୟକଙ୍କ କ୍ବାର୍ଟର୍ସ ଲାଗି ଗଛ କଟାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିବା ସଙ୍ଗଠନଗୁଡ଼ିକ ବି ମୁହଁ ଖୋଲୁ ନାହାନ୍ତି। ଏହାର ସୁଯୋଗ ନେଇ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍ଡିସି) ପୁଲିସ ଉପସ୍ଥିତିରେ ଗଛ କାଟି ଚାଲିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ନୂଆ ୨୦୦ ଫୁଟିଆ ରାସ୍ତାକୁ ସଂଯୋଗ କରିଥିବା ଏହି ଦେଢ଼ କିମି ରାସ୍ତା ୪ ଲେନ୍ ବିଶିଷ୍ଟ। ଉଭୟ ପାର୍ଶ୍ବ ଦୁଇ ଲେନ୍ ବିଶିଷ୍ଟ ଥିବାରୁ ଚାଳକଙ୍କ ଯିବା ଆସିବାରେ କୌଣସି ପ୍ରକାର ଅସୁବିଧା ହେଉନାହିଁ। ଅଧିକାଂଶ ସମୟରେ ରାସ୍ତା ଖାଁ ଖାଁ ରହୁଛି। ରାସ୍ତାର ଦୁଇ ପାର୍ଶ୍ବରେ ଥିବା ଅଧିକାଂଶ ଜମି ରେଳବିହାର ଓ ନାଲକୋ ଅଧୀନରେ ରହିଛି। କୌଣସି ପ୍ରକାର ବ୍ୟାବସାୟିକ ପ୍ରତିଷ୍ଠାନ ଏଠାରେ ନାହିଁ। ନାଲକୋ ଛକ ନିକଟରେ କେବଳ ଉତ୍କଳ ହସ୍ପିଟାଲ ଓ ଏକ ହୋଟେଲ ରହିଛି। ତା’ପରେ ବି ଉକ୍ତ ରାସ୍ତାକୁ ସମ୍ପ୍ରସାରଣ କରିବାକୁ ପ୍ରଶାସନ ଅଣ୍ଟା ଭିଡ଼ିଛି। ଏଥିପାଇଁ ୨୦୦ ଫୁଟିଆ ରୋଡ୍ ତଥା ରେଳ ବିହାର ନିକଟରୁ ନାଲକୋ ଛକ ଆଡ଼କୁ ଆସିଥିବା ରାସ୍ତାର ବାମପାର୍ଶ୍ବରେ ଗଛ କଟାଯାଉଛି। ସପ୍ତାହକ ମଧ୍ୟରେ ୧୨ଟି ବଡ଼ ଗଛ ଓ ୧୫ରୁ ଅଧିକ ଛୋଟ ଗଛ କଟା ସରିଛି। ଆସନ୍ତା ଦିନେ କି ଦୁଇ ଦିନ ମଧ୍ୟରେ ଆଉ ୬ଟି ଗଛ ବଳି ପଡ଼ିବାକୁ ବାକି ରହିଛି। ସେହି ଗଛଗୁଡ଼ିକର ଡାଳ ଇତିମଧ୍ୟରେ କଟା ସରିଥିବା ଦେଖିବାକୁ ମିଳିଛି।
ବଳି ପଡ଼ିବାକୁ ଯାଉଛି ୫୦ ବର୍ଷର ବର, ଓସ୍ତ ବୃକ୍ଷ
ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବାନୁଯାୟୀ, ରାସ୍ତା ସମ୍ପ୍ରସାରଣ ଲାଗି ଗଛ କଟାଯାଉଥିବା ଓଏଫ୍ଡିସିର ଅଧିକାରୀମାନେ କହୁଛନ୍ତି। ମାତ୍ର ଏଠାରେ ରାସ୍ତାର କୌଣସି ଆବଶ୍ୟକତା ନାହିଁ। ଲମ୍ବା ଓ ଚଉଡ଼ା ରାସ୍ତା ଥିବାରୁ ଗାଡ଼ି ଚାଳକମାନେ ସୁରୁଖୁରରେ ଯାଇ ପାରୁଛନ୍ତି। ପ୍ରଥମ ଦିନ ହିଁ ଗଛ କାଟିବାକୁ ବିରୋଧ କରିଥିଲୁ। ମାତ୍ର ପୁଲିସ ଲଗାଇ ପାଟି ଚୁପ୍ କରି ଦିଆଗଲା। ଏବେ ଓଏଫ୍ଡିସି ପକ୍ଷରୁ ବେଧଡ଼କ ଗଛ କାଟି ଚାଲିଛି। ଏହି ରାସ୍ତାରେ ୩୦୦ରୁ ଅଧିକ ଛୋଟ, ବଡ଼ ଗଛ ରହିଛି। ଯଦି ସବୁ କଟାଯିବ, ତେବେ ପରିବେଶ ଲାଗି ବଡ଼ ବିପଦ ହେବ। କାରଣ ୫୦ରୁ ୬୦ବର୍ଷ ତଳର ଶତାଧିକ ଗଛ ରହିଛି। ଏପରି ତିନୋଟି ବର ଓ ଓସ୍ତ ଗଛ ରହିଛି, ଯେଉଁଠାରେ ହଜାର ହଜାର ସଂଖ୍ୟାରେ ଚଢ଼େଇ ବସା ବାନ୍ଧିଛନ୍ତି। ଗଛ କାଟିବା ଦ୍ବାରା ସେମାନେ ବାସହରା ହେବେ। ଅନେକ ଛୋଟ ଛୁଆ ମରିଯିବେ। ତେଣୁ ପ୍ରଶାସନ ପକ୍ଷରୁ ଗଛ କଟାରେ ରେକ୍ ଲଗାଯାଉ। ପୂର୍ତ୍ତ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ରେଳ ବିହାର ନିକଟ ରାସ୍ତା ଠିକ୍ ନ ଥିବାରୁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ୨୦୦ ଫୁଟିଆ ରାସ୍ତାଠାରୁ ୧୦୦ ମିଟର ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କରିବାର ଆବଶ୍ୟକତା ରହିଛି। ଗଛକଟା ପାଇଁ ବନ ବିଭାଗଠାରୁ ଅନୁମତି ଅଣାଯିବା ସହ କ୍ଷତିଭରଣା ଲାଗି ଅର୍ଥ ଦିଆଯାଇଛି। ଓଏଫ୍ଡିସିର କର୍ମଚାରୀ ଧାର୍ଯ୍ୟ ଲମ୍ବଠାରୁ ଅଧିକ ବାଟ ଗଛ କାଟିଥିବା ଅଭିଯୋଗ ହୋଇଛି। ତାହା ଉପରେ ଅନୁଧ୍ୟାନ କରାଯିବ। ଆବଶ୍ୟକ ନ ଥିଲେ ଗଛ କଟାଯିବ ନାହିଁ।
ଲଗାମ ହୀନ ଭାବରେ ଗଛ କାଟୁଛି ଓଏଫ୍ଡିସି

Share Now: