ମୁମ୍ବାଇ : ଆଜି ରିଜର୍ଭ ବ୍ୟାଙ୍କ ଦ୍ୱାରା ଘୋଷିତ ମୁଦ୍ରାନୀତି ସମୀକ୍ଷାରେ ସୁଧହାର ଅପରିବର୍ତ୍ତିତ ରଖାଯିବା ସହ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି। ତାହା ମଧ୍ୟରେ ରହିଛି ପେମେଣ୍ଟ ବ୍ୟାଙ୍କ ଖାତା ବା ଡିଜିଟାଲ ୱାଲେଟର ସର୍ବାଧିକ ବାଲାନ୍ସ ରାଶି ବୃଦ୍ଧି ଓ ଅଣବ୍ୟାଙ୍କିଙ୍ଗ୍ ପେମେଣ୍ଟ ସଂସ୍ଥାମାନଙ୍କୁ ଆରଟିଜିଏସ ଓ ଏନଇଏଫଟି ସେବା ପ୍ରଦାନ ପାଇଁ ଅନୁମତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଘୋଷଣା ଅନୁସାରେ ଗ୍ରାହକମାନେ ଏଣିକି ପେମେଣ୍ଟ ବ୍ୟାଙ୍କ ୱାଲେଟରେ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାଲାନ୍ସ ରଖିପାରିବେ। ପୂର୍ବରୁ ଏହି ସୀମା ୧ ଲକ୍ଷ ଟଙ୍କା ଥିଲା। ଦେଶରେ ପ୍ରଚଳିତ କେତେକ ପେମେଣ୍ଟ ବ୍ୟାଙ୍କର ଉଦାହରଣ ହେଲା ପେଟିଏମ, ଏୟାରଟେଲ ପେମେଣ୍ଟ ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ଏନଏସଡିଏଲ, ଜିଓ ପେମେଣ୍ଟ ବ୍ୟାଙ୍କ। ଅନ୍ୟପକ୍ଷରେ ଏଣିକି ଅଣବ୍ୟାଙ୍କିଙ୍ଗ୍ ପେମେଣ୍ଟ ସଂସ୍ଥାମାନଙ୍କୁ ଆରଟିଜିଏସ ଓ ଏନଇଏଫଟି ସେବା ପ୍ରଦାନ ପାଇଁ ଅନୁମତି ଦିଆଯାଇଛି। ଏ ସମ୍ପର୍କରେ ଶ୍ରୀ ଦାସ ଘୋଷଣା କରି କହିଛନ୍ତି ଯେ ଏଣିକି ଅଣବ୍ୟାଙ୍କିଙ୍ଗ୍ ପେମେଣ୍ଟ ସଂସ୍ଥାମାନେ ରିଜର୍ଭ ବ୍ୟାଙ୍କ ପରିଚାଳିତ କେନ୍ଦ୍ରୀକୃତ ପେମେଣ୍ଟ ବ୍ୟବସ୍ଥା (ସିପିଏସ)ର ସଦସ୍ୟ ହୋଇପାରିବେ। ଏହା ଦ୍ୱାରା ସେମାନେ ଆରଟିଜିଏସ ଓ ଏନଇଏଫଟି ଆଦି ପାଣ୍ଠି ପ୍ରେରଣ ସେବା ପ୍ରଦାନ କରିପାରିବେ।
ଡିଜିଟାଲ ୱାଲେଟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରଖିହେବ: ରିଜର୍ଭ ବ୍ୟାଙ୍କ

Share Now: