ଭୁବନେଶ୍ବର : ଆରମ୍ଭ ହେଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨। ରିବନ କାଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାଣିଜ୍ୟ ମହାକୁମ୍ଭକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଜାପାନ, ଜର୍ମାନୀ, ନରୱେ ଓ ନେପାଳର ରାଷ୍ଟ୍ରଦୂତଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଅତିଥି ଭାବେ ଉପସ୍ଥିତ ଥିଲେ। ଦେଶବିଦେଶର ଶିଳ୍ପପତିମାନଙ୍କୁ ନେଇ ଏହି ବହୁ ପ୍ରତୀକ୍ଷିତ ମହାସମାବେଶ ରାଜଧାନୀର ଜନତା ମଇଦାନରେ ଆରମ୍ଭ ହୋଇଛି। ଦେଶବିଦେଶରୁ ୧୦୦ରୁ ଅଧିକ ଶିଳ୍ପପତି ଏହି ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମେକ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣରେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଓଡ଼ିଶାକୁ ଆସିବ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ୨୦୧୬ ଏବଂ ୨୦୧୮ରେ ଅନୁଷ୍ଠିତ ଦୁଇଟିଯାକ ସମ୍ମିଳନୀରେ ଆସିଥିବା ମୋଟ ନିବେଶ ପ୍ରସ୍ତାବ ତୁଳନାରେ ଏଥର ଅଧିକ ନିବେଶ ପ୍ରସ୍ତାବ ଆସିବ ବୋଲି ରାଜ୍ୟ ସରକାର ଆଶାବାଦୀ ଅଛନ୍ତି।
ମେକ ଇନ ଓଡ଼ିଶାରେ ଦେଶ ବିଦେଶର ୧୦୦ରୁ ଅଧିକ ଶିଳ୍ପପତି ଅଂଶଗ୍ରହଣ କରୁଛନ୍ତି। ୭ଟି ପ୍ରମୁଖ କ୍ଷେତ୍ର ଉପରେ କାର୍ଯ୍ୟକ୍ରମରେ ଫୋକସ ରହିବ । ଆଜି ଆରମ୍ଭ ହୋଇଥିବା ଏହି ସଂସ୍କରଣ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମେଟାଲ ଓ ମିନେରାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ, ଫୁଡ଼ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇଟି ସେକ୍ଟରକୁ ଅଧିକ ଫୋକସ୍ କରାଯାଇଛି। ସେହିପରି ମେକ ଇନ ଓଡିଶା ପାଇଁ ଚଳିତ ଥର ଜାପାନ, ନରୱେ ଏବଂ ଜର୍ମାନୀର କଣ୍ଟ୍ରି ପାର୍ଟନର ଥିବା ବେଳେ ମିତ୍ତଲ, ବିର୍ଲା, ବେଦାନ୍ତ, ଜିନ୍ଦଲ କମ୍ପାନୀ ଭଳି ବଡ଼ ବଡ଼ କମ୍ପାନୀର ମୁଖ୍ୟମାନେ ଏଥିରେ ଯୋଗ ଦେବେ। ମେକ୍ ଇନ୍ ଓଡ଼ିଶାରେ ଯୋଗଦେବାକୁ ଥିବା ଉଦ୍ୟୋଗଜଗତର ଜଣାଶୁଣା ବ୍ୟକ୍ତିଙ୍କ ମଧ୍ୟରେ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏଲ୍ ଏନ୍ ମିତ୍ତଲ, ଆଦିତ୍ୟ ବିର୍ଲା ଗୃପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ବେଦାନ୍ତ ରିସୋର୍ସେସ ଲିମିଟେଡର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ, ଜେଏସ୍ଡବ୍ଲୁ ଗୃପର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଜେଏସ୍ପିଏଲ୍ର ଅଧ୍ୟକ୍ଷ ନବୀନ ଜିନ୍ଦଲ, ଟାଟା ଷ୍ଟିଲର ସିଇଓ ତଥା ଏମ୍ଡି ଟିଭି ନରେନ୍ଦ୍ରନ ଆଦି ରହିଛନ୍ତି। ଏଥିସହିତ ଜାପାନ, ନରେୱ ଏବଂ ଜର୍ମାନିର ରାଷ୍ଟ୍ରଦୂତମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ସମ୍ମିଳନୀରେ ଭାଗ ନେବା ପାଇଁ ଏ ପର୍ଯ୍ୟନ୍ତ ୧୧,୬୦୦ ରୁ ଅଧିକ ପଞ୍ଜୀକରଣ ହୋଇଛି। ସମ୍ମିଳନୀରେ ମୋଟ ୩୮ଟି କାର୍ଯ୍ୟକ୍ରମ ରହିବ ଏବଂ ୧୨୪ ଜଣ ବକ୍ତା ଭାବେ ଯୋଗଦେବେ। ସମ୍ମିଳନୀର ସଫଳ କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାରଙ୍କ ୨୨ଟି ବିଭାଗ କାର୍ଯ୍ୟ କରୁଛି। ମେକ୍ ଇନ ଓଡ଼ିଶା ପୋର୍ଟାଲରେ ପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କ ପାଇଁ ଅଧିବେଶନ, ପ୍ରସଙ୍ଗଭିତ୍ତିକ ଅଧିବେଶନ, କ୍ଷେତ୍ରଭିତ୍ତିକ ଅଧିବେଶନ ଏବଂ ବକ୍ତାଙ୍କ ସଂପର୍କରେ ବିବରଣୀ ଉପଲବ୍ଧ ରହିଛି
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨

Share Now: