କଠୋର ହେଉଛି କଟକଣା : ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଛଡ଼ା ସବୁ ଦୋକାନ ବନ୍ଦ

ଭୁବନେଶ୍ୱର : ରାଜଧାନୀ‌ରେ ଆଉ ଜଣେ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଏମସି ଅଧୀନରେ ଆସୁଥିବା ଅଞ୍ଚଳରେ କେବଳ ଖାଦ୍ୟ ସାମଗ୍ରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ‌ଷ୍ଟୋର୍‌ ବନ୍ଦ କରିବାକୁ ନିର୍ଦେଶ ଜାରି ହୋଇଛି। ବିଶେଷକରି ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେଉଥିବା ରେସ୍ତୋରାଁ, ବାର୍‌, କଫି ସପ୍‌, କ୍ୟାଣ୍ଟିନ ଓ ଅନ୍ୟ ଖାଦ୍ୟ ଷ୍ଟୋରଗୁଡ଼ିକ ବନ୍ଦ କରିବା ବାଧ୍ୟତାମୂଳକ ବୋଲି ବିଏମସି କମିସନର୍‌ ପ୍ରେମ ଚନ୍ଦ୍ର ଚୌଧରୀ ସୂଚନା ଦେଇଛନ୍ତି।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶ ମୁତାବକ, ସମସ୍ତ ବଜାର, ସପିଂ କମ୍ପ୍ଲେକ୍ସ, ଗାଁ ହାଟରେ କେବଳ ଖାଦ୍ୟ ସାମଗ୍ରୀ ଯଥା ଗ୍ରୋସରି, ପରିବା, ମାଂସ, ଚିକେନ, ଅଣ୍ଡା ଓ ଅନ୍ୟ ନିତ୍ୟବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ହୋଇପାରିବ। ଏତଦ୍‌ବ୍ୟତୀତ ବିଏମ୍‌ସି ପରିସରରେ ଆସୁଥିବା କୌଣସି ପ୍ରକାର ଦୋକାନ, ସୋ’ ରୁମ୍‌, ଗୋଦାମ ଆସନ୍ତା ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଫଳସ୍ୱରୂପ ସମସ୍ତ ଜୁଏଲାରି ସୋ’ ରୁମ୍‌ ଓ ଦୋକାନ, ଇଲେକ୍ଟ୍ରୋନିକ ଆପ୍ଲିଆନ୍ସ ସୋ’ ରୁମ୍‌ ଓ ଦୋକାନ, ୪ ଚକିଆ, ଅଟୋ ମୋବାଇଲ୍‌, ବାଇ ସାଇକେଲ ସୋରୁମ୍, କ୍ରୀଡ଼ା ସାମଗ୍ରୀ ସୋ’ରୁମ, ଫର୍ଣ୍ଣିଚର୍‌ ତଥା ଆସବାବପତ୍ର ସୋ’ରୁମ ଓ ଗୋଦାମ, ଜୋତା ଓ ବ୍ୟାଗ ସୋ’ରୁମ୍‌, ମାର୍ବଲ, ଟାଇଲ୍‌ ଗୋଦାମ, ଘଣ୍ଟା ସୋରୁମ୍‌ ଓ ଦୋକାନ, ହୋମ ପେଣ୍ଟସ ତଥା ଘର ରଙ୍ଗ ଦୋକାନ ଓ ଗୋଦାମ, ବହି ଓ ପତ୍ରିକା ଷ୍ଟୋର୍‌, ଉପହାର ଓ ନିମନ୍ତ୍ରଣ କାର୍ଡ ଷ୍ଟୋର୍‌ ଆଦି ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ବିଭିନ୍ନ ଜୋନ୍‌ରେ ଥିବା ଜୋନାଲ ଡେପୁଟି କମିସନର୍‌ମାନେ ଏହି ଷ୍ଟୋର୍‌, ଦୋକାନ, ଗୋଦାମଗୁଡ଼ିକ ବନ୍ଦ ରହୁଛି ନା ନାହିଁ, ତା’ର ତଦାରଖ କରିବେ। ଯଦି ନିର୍ଦ୍ଦେଶ ପାଳନ ନକରି କେହି ଦୋକାନ/ସୋ’ରୁମ୍‌ ଖୋଲିବେ, ତେବେ ସମ୍ପୃକ୍ତ ଦୋକାନ, ଦୋକାନର ନାମ, କେଉଁ ପ୍ରକାର ଦୋକାନ, ତାହା ଖୋଲାଯିବା କେତେ ଦରକାରୀ ଏବଂ ସେଠାରେ କେତେ ଲୋକଙ୍କ ସମାଗମ ହେଉଛି, ସେ ସମ୍ପର୍କରେ ଜୋନାଲ ଡେପୁଟି କମିସନରମାନେ ରିପୋର୍ଟ ଦେବେ। ଏଥିସହ ଯେଉଁମାନେ ଗ୍ରୋସରି, ପରିବା, ମାଂସ, ଚିକେନ୍‌, ଅଣ୍ଡା ଓ ଅନ୍ୟ ନିତ୍ୟବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଛନ୍ତି, ସେହି ଦୋକାନୀ, କର୍ମଚାରୀମାନେ ଯେପରି ଗ୍ରାହକଙ୍କଠାରୁ ୨ମିଟର ଦୂରତା ବଜାୟ ରଖି ବିକାକିଣା କରିବେ ସେ ଦିଗରେ ଧ୍ୟାନ ଦେବେ। ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦିଷ୍ଟ ଦୂରତା ତଥା ନିୟମାବଳୀ ପାଳନ ଉପରେ ଧ୍ୟାନ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Share Now:

Kalinga News Beuro

Leave a Reply

Next Post

୨୨ରୁ ୨୯ ଯାଏଁ ୫ ଜିଲ୍ଲା ଓ ୮ ସହର ‘ଲକ୍ ଡାଉନ୍’ ଘୋଷଣା

Sat Mar 21 , 2020
ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ : ଘରେ ରହନ୍ତୁ, ସୁସ୍ଥ ରହନ୍ତୁ, ସୁରକ୍ଷିତ ରହନ୍ତୁ ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ସୁରକ୍ଷା ପାଇଁ କିଛି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ଅତ୍ୟନ୍ତ ଜରୁରୀ କାର୍ୟ୍ୟ ବ୍ୟତୀତ ବାକି ସମସ୍ତ କାର୍ୟ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକୀୟ ଜିନିଷପତ୍ର ସଂଗ୍ରହ ପାଇଁ ଜନସାଧାରଣ ବାହାରକୁ ଯାଇ ପାରିବେ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial